spot_img
Home Blog Page 4951

ସମ୍ନାକୁ ଆସିଲା ଆଉ ଏକ କେବିଏନ୍ ଗ୍ୟାଙ୍ଗ୍: ଭିଡିଓରେ ବନ୍ଧୁକ ଓ ଖଣ୍ଡା ଦେଖାଇ ଧମକାଉଛନ୍ତି, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ପୋଲିସର ଆକ୍ସନ ପରେ ଯୁବକଙ୍କ ରିଆକ୍ସନ । ସୋସିଆଲ ମିଡିଆରେ ଭିଡିଓ କରିବା ଆଳରେ ଦେଉଛନ୍ତି ଭୟର ବାର୍ତ୍ତା । କେଉଁଠି ଖଣ୍ଡା ତ ଆଉ କେଉଁଠି ବନ୍ଧୁକ । ଭିଡିଓରେ ଯେଭଳି ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି । ରାଜଧାନୀରେ ଏଭଳି କିଛି ଭିଡିଓ ଭାଇରାଲ ହେବା ପରେ ପୋଲିସ ଆକ୍ସନକୁ ଖୋଲାଖୋଲି ଚାଲେଞ୍ଜ କରିଛନ୍ତି ଆଉ କିଛି ଯୁବକ ।

କେବିଏନ ଗ୍ୟାଙ୍ଗକୁ ଧରିବାକୁ ପୋଲିସ ଅପରେସନ ଆଘାତ ନାଁରେ ଆରମ୍ଭ କରିଛି ଗ୍ୟାଙ୍ଗ ମୂଳପୋଛ ଅଭିଯାନ । ସମ୍ପୃକ୍ତ ଯୁବକଙ୍କୁ ଜେଲର ଚାରିକାନ୍ଥ ଭିତରକୁ ପଠାଇବା ସହ ସରକାରୀ ଜାଗାରେ ଗଢି ଉଠିଥିବା ଘରକୁ ଭାଙ୍ଗିଛି । କିନ୍ତୁ ଠିକ ଏହାରି ପରେ ପୋଲିସକୁ ଚ୍ୟାଲେଞ୍ଜ କରି ଆଉ କିଛି ଭିଡିଓ ଭାଇରାଲ କରିଛନ୍ତି କିଛି ଯୁବକ । ଏହି ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ ।

https://www.youtube.com/watch?v=GMASdWi-jgc

ଅନ୍ୟପକ୍ଷରେ ତୃତୀୟ ଦିନରେ ପହଞ୍ଚିଛି ଅପସରେସନ୍ ଆଘାତ । ଭିଡିଓ ବନାଇ ଭୟ ସୃଷ୍ଟି କରୁଥିଲେ, ଏବେ ତୋଡ଼ ଭାଙ୍ଗୁଛି ପୋଲିସ । ଚଳିବନି ଭାଇଗିରି, କମିଶନରେଟ ପୋଲିସ ଟାର୍ଗେଟରେ କେବିଏନ୍ ଗ୍ରୁପ୍ । ଜୋରଦାର କରିଛି ଅପରେସନ୍ ଆଘାତ୍। ଅପରେସନ୍ ଆଘାତ୍-ଡେ ଥ୍ରୀରେ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଘରେ ନୟାପଲ୍ଲୀ ଥାନା ପୋଲିସ ରେଡ୍ କରୁଛି । ଗତ ଦୁଇ ଦିନ ଧରି ସହଯୋଗୀ ଚେଙ୍ଗ ଓ ସଞ୍ଜୟ ଖୁଣ୍ଟିଆ ଘରେ ରେଡ୍ କରିଥିଲା ପୋଲିସ । ଭାଇରାଲ୍‌ ଭିଡିଓରେ ଥିବା ଖଣ୍ଡା ଜବତ କରାଯାଇଥିଲା ।

ଏନଡିଆରଏଫକୁ ମିଳିଲା ନୂଆ ଡିଜି

0

ଏନଡିଆରଏଫକୁ ମିଳିଲା ନୂଆ ଡିଜି । ଏସ.ଏନ ପ୍ରଧାନଙ୍କ ସ୍ଥାନ ନେବେ ଅତୁଲ କରୱାଲ୍ । ୧୯୮୮ ବ୍ୟାଚ୍ ଗୁଜୁରାଟ କ୍ୟାଡର ଆଇପିଏସ୍ ଅତୁଲ କରୱାଲ୍ ସମ୍ଭାଳିବେ ଏନଡିଆରଏଫ୍ ମଙ୍ଗ । ନିକଟରେ ଅତୁଲ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ୨ ବର୍ଷ ପାଇଁ ପଦ ସମ୍ଭାଳିବେ ଅତୁଲ । ନିକଟରେ ଏସଏନ ପ୍ରଧାନଙ୍କୁ ଏନସିବି ଡିଜି ଭାବେ ଦାୟିତ୍ୱ ଦିଆଯାଇଥିଲା । ଏନସିବି ସହ ଏନଡିଆରଏଫର ଅତିରିକ୍ତ ଦାୟିତ୍ୱରେ ଥିଲେ ଏସ.ଏନ ପ୍ରଧାନ  । ଏବେ ଏନଡିଆରଏଫ୍ ଡିଜି ହେବେ ଅତୁଲ  ।

ନିଷ୍ଠା ଓ ସଚ୍ଚୋଟର ସହ ନିଜ କର୍ତ୍ତବ୍ୟ ପାଳନ କରିଥିବାରୁ ତାଙ୍କୁ କଥିନ୍ ସେବା ପଦକ, ଅତି ଉତ୍କୃଷ୍ଟ ସେବା ପଦକ, ପୋଲିସ ମେଡାଲ ଫର୍ ମେରିଟେରିୟସ୍ ସରଭିସ୍ ୨୦୧୦ ଆଦି ପୁରସ୍କାରର ଅଧିକାରୀ ହୋଇଥିଲେ।

କିଏ ଏହି ଅତୁଲ କରୱାଲ ?

ଅତୁଲ ଅଗ୍ରୱାଲ ଗୁଜୁରାଟର ୧୯୮୮ ବ୍ୟାଚର ଜଣେ ଆଇପିଏସ୍ ଅଫିସର । ଏଥିସହ ଜୁନାଗଡ଼, ପୋରବନ୍ଦର, ରାଜକୋର୍ଟ, ଭଲସାଦ ଏବଂ ମେହସନା ଆଦି ସ୍ଥାନରେ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସୁରତ, ଅହମଦାବାଦ, ଭଦୋଦରା ଆଦିରେ ଡେପ୍ୟୁଟି କମିଶନର ଭାବେ କାର୍ଯ୍ୟ କରିଥିବା ବେଳେ ଗୁଜୁରାଟର ଆଣ୍ଚି-ଟେରରିଷ୍ଟ ସ୍କ୍ୱାର୍ଡର ଇନସପେକ୍ଟର ଇନ୍ ଜେନେରାଲ ଭାବେ ନିଯୁକ୍ତ ଥିଲେ ।

 

୧୯୬୨ ଭଳି ଆମେ ଶୋଇ ପାରିବୁ ନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ପୁଣି ଥରେ ଉଠିଲା ୧୯୬୨ ଭାରତ-ଚୀନ ଯୁଦ୍ଧ କଥା । ଚାରିଧାମ ହାଇଓ୍ବେ ପ୍ରକଳ୍ପର ରାସ୍ତା ପ୍ରଶସ୍ତିକରଣ ସମ୍ବନ୍ଧୀୟ ଏକ ଆବେଦନ ଉପରେ ଶୁଣାଣି ବେଳେ ମଙ୍ଗଳବାର ସରକାର ଉତ୍ତରରେ କହିଛନ୍ତି କି ୧୯୬୨ ପରି ଆମେ ଶୋଇ ପାରିବୁ ନାହିଁ । ଏହା ଚାରିଧାମ ତୀର୍ଥଯାତ୍ରୀଙ୍କ ଅପେକ୍ଷା ସେନାଙ୍କର ଆବଶ୍ୟକତା ଅଧିକ ରହିଛି । ସୀମା ସେପଟେ ଚୀନ ସମଗ୍ର ଦେଶରେ ଭିତ୍ତିଭୂମି ସୃଦୁଢ଼ କରିସାରିଛି । ତେଣୁ ୧୯୬୨ ଭଳି ଯୁଦ୍ଧକୁ ଅଟକାଇବା ପାଇଁ ଭାରତୀୟ ସେନାଙ୍କ ପାଇଁ ଭଲ ସଡକ ଆବଶ୍ୟକ ।

ସରକାର କୋର୍ଟଙ୍କୁ କହିଛନ୍ତି କି ଋଷିକେଶରୁ ଗଙ୍ଗୋତ୍ରୀ, ଋଷିକେଶରୁ ମାନା ଓ ତନକପୁରରୁ ପିଥୋରାଗଡ଼  ପର୍ଯ୍ୟନ୍ତ ରାସ୍ତା ଡେରାଡୁନ ଓ ମେରଠ ସେନା ଶିବିରକୁ ଚୀନ ସୀମା ସହିତ ସଂଯୋଗ କରୁଛି । ଏହି ସେନା ଶିବିରରେ ମିସାଇଲ ଲଞ୍ଚର ଓ ଭାରୀ ଅସ୍ତ୍ରଶସ୍ତ୍ର ରହିଛି । କେନ୍ଦ୍ର ସରକାର କହିଛନ୍ତି କି ଆମେ ଯେକୌଣସି ଆପତ୍ତିଜନକ ପରିସ୍ଥିତିର ମୁକାବିଲା ପାଇଁ ସଦା ସର୍ବଦା ତୟାର ରହବା ଦରକାର । ଆମେ ୧୯୬୨ ଭଳି ଶୋଇପାରିବୁ ନାହିଁ । ଜଷ୍ଟିସ ଡି ଚନ୍ଦ୍ରଚୁଡ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ବିକ୍ରମ ନାଥଙ୍କ ବେଞ୍ଚରେ କେନ୍ଦରୁ ହାଜର ହୋଇଥିବା ଆଟର୍ଣ୍ଣି ଜେନରାଲ କେକେ ଭେନୁଗୋପାଳ କହିଛନ୍ତି ଯେ ଭାରତ-ଚୀନ୍ ସୀମାରେ ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ସେନାକୁ ଉନ୍ନତ ରାସ୍ତା ଦରକାର । ସେ କୋର୍ଟଙ୍କୁ କହିଛନ୍ତି କି ସୀମାର ସେପଟେ ଚୀନ ଭିତ୍ତିଭୂମି ନିର୍ମାଣ କରୁଛି । ଚୀନ ସେଠାରେ ଲଗାତର ଭାବରେ ଏୟାରଷ୍ଟ୍ରିପ୍, ହେଲିପ୍ୟାଡ, ରୋଡ ଓ ରେଳ ଲାଇନ ନିର୍ମାଣ କରୁଛି । ସଡକ ଓ ପରିବହନ ମନ୍ତ୍ରଣାଳୟ ୯୦୦ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରୁଛି । ଯାହା ଚାରିଧାମ ଯମୁନେତ୍ରୀ, ଗଙ୍ଗୋତ୍ରୀ,କେଦାରନାଥ ଓ ବଦ୍ରିନାଥକୁ ସଂଯୋଗ କରୁଛି ।

କେକେ ଭେନୁଗୋପାଳ କହିଛନ୍ତି କି ଆର୍ମି ଟ୍ରୁପ୍ସ, ଟ୍ୟାଙ୍କ୍ସ, ଭାରୀ ଆର୍ଟିଲାରୀ ଓ ମେସିନାରୀ ପହଞ୍ଚିବା ଜରୁରୀ । ୧୯୬୨ ଯୁଦ୍ଧ ସମୟରେ ଭାରତୀୟ ସେନାଙ୍କ ପାଖକୁ ରାସନ ସମାଗ୍ରୀ ମଧ୍ୟ ପହଞ୍ଚି ପାରିନଥିଲା । ଏଠାରେ ଯଦି ଦୁଇ ଲେନ ବିଶିଷ୍ଠ ରାସ୍ତା ନିର୍ମାଣ ନହୁଏ ତେବେ ଏହାର କୌଣସି ଅର୍ଥ ରହିବ ନାହିଁ । ତେଣୁ ଏହି ରାସ୍ତାକୁ ୭ ମିଟର ପ୍ରଶସ୍ତ କରିବାକୁ ପଡ଼ିବ । ଏହା ଉପରେ ଗ୍ରୀନ ଡୁନ ନାମକ ଏନଜିଓ  ପାଇଁ ହାଜର ହୋଇଥିବା ସିନିୟର ଆଡେଭୋକେଟ୍ କଲିନ୍ ଗୋନସାଲଭସ୍ କହିଛନ୍ତି ଯେ ସେନାକୁ ବ୍ୟାପକ ରାସ୍ତା ଦରକାର ନାହିଁ ଏବଂ ସେନାଙ୍କୁ ବିମାନରେ ଉଡାଣ କରାଯାଇପାରିବ ।

ତେବେ କୋର୍ଟ କହିଛନ୍ତି କି ଏହାକୁ ବିରୋଧ କରାଯାଇପାରିବ ନାହିଁ କାହିଁକି ନା ଶତ୍ରୁ ସୀମାରେ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି । କୋର୍ଟ କହିଛନ୍ତି କି ଆମେ ହିମାଳୟର ଅବସ୍ଥା ଜାଣିଛୁ । ଚଣ୍ଡିଗଡ଼ରୁ ସୈନିକଙ୍କୁ ସୀମା ପର୍ଯ୍ୟନ୍ତ ବିମାନରେ ନିଆଯାଇପାରିବ ନାହିଁ । କୋର୍ଟ ଆହୁରି କହିଛନ୍ତି କି ଟେଟ୍ରା ଟ୍ରାକ୍ ଏବଂ ଅନ୍ୟାନ ଭାରୀ ଯନ୍ତ୍ର ଚଳାଇବା ପାଇଁ ରାସ୍ତା ଆବଶ୍ୟକ । ତେବେ ଗୋନସାଲଭସ୍ କହିଛନ୍ତି ଯେ ଏଠାରେ ପର୍ବତ ଭାଙ୍ଗି ରାସ୍ତା ନିର୍ମାଣ କରାଯାଉଛି । ଉତ୍ତରାଖଣ୍ଡର ଲୋକମାନେ ୨୦୧୩ ଭଳି ବିପର୍ଯ୍ୟୟ ଦେଖିଛନ୍ତି ଏବଂ ବର୍ତ୍ତମାନ ରାସ୍ତାରେ ଲଗାେତର ଭାବରେ ବିସ୍ଫୋରଣ ହେତୁ ସେମାନେ ଭୟଭୀତ ହୋଇପଡ଼ିଛନ୍ତି । ଏହା ବ୍ୟତୀତ ଯାନ ବାହନରୁ ବାହାରୁଥିବା କଳା ଧୂଆଁ ଗ୍ଲାସିୟର ଉପରେ ଜମା ହେଉଛି । ଏହି ସମୟରେ ଗୋନସାଲଭସ୍ କୋର୍ଟରେ ଭୂସ୍ଖଳନର ଏକ ଭିଡିଓ ଦେଖାଇଥିଲେ । ଏହା ଉପରେ କୋର୍ଟ କହିଛନ୍ତି କି ଗ୍ଲାସିୟର ତରଳିବାର କାରଣ କେବଳ କଳା ଧୂଆଁ ନୁହେଁ ଅନ୍ୟାନ କାରଣ ପାଇଁ ଏହା ତରଳୁଛି ବୋଲି କୋର୍ଟ କହିଛି ।

କଟକରେ ମେଗା ଓମଫେଡ୍ ଡାଏରୀ ପ୍ଳାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ: ୨ଲକ୍ଷ ଲିଟର ଗୁଣ୍ଡ ଦୁଗ୍ଧର ମଧ୍ୟ ହେବ ଉତ୍ପାଦନ

କଟକ: ଦୁଗ୍ଧ ଉତ୍ପାଦନର ନୂଆ ଯୁଗ । କଟକ ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ଲାଣ୍ଟରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍‌ଧ ଉତ୍ପାଦନ ହେବ । ପରେ ୧୦ ଲକ୍ଷ ଲିଟରକୁ ବୃଦ୍ଧି ପାଇବ ଉତ୍ପାଦନ । ସେହିପରି ଦୈନିକ ୨ ଲକ୍ଷ ଲିଟର ଗୁଣ୍ଡ ଦୁଗ୍‌ଧ ଉତ୍ପାଦିତ ହେବ । ୨୬୩ କୋଟି ଟଙ୍କା ବ୍ୟୟରେ ହୋଇଛି ଏହି ଦୁଗ୍‌ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ । ଏଥିରେ ନିଯୁକ୍ତି ବଢିବା ସହ ୬ ଲକ୍ଷ ଦୁଗ୍‌ଧ ଚାଷୀ ଉପକୃତ ହେବେ। ସ୍କୁଲ, କଲେଜ, ଛାତ୍ରଛାତ୍ରୀଙ୍କ ସହ ବହୁ ପରିଦର୍ଶକ ବୁଲି ପାରିବେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଏହି ପ୍ଲାଣ୍ଟ ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନ, ବଣ୍ଟନ ଓ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବ ।

ଏହି ଅତ୍ୟାଧୁନିକ ପ୍ଳାଣ୍ଟର ଲୋକାର୍ପଣ ଅବସରରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମ୍‌ଫେଡର ବିକାଶରେ ପ୍ରାୟ ୩ଲକ୍ଷ ଚାଷୀଙ୍କ ଅବଦାନ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ସେମାନଙ୍କ ସ୍ୱର୍ଥ ରକ୍ଷା ନେଇ ଓମଫେଡ୍ କାର୍ଯ୍ୟ କରିଆସୁଛି । ଏହି ପ୍ଳାଣ୍ଟରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍ଧ ପ୍ରସେସିଂ କରାଯିବା ସହ, ସ୍କିମ୍ଡ ମିଲ୍ , ପନୀର ଓ ଫ୍ଳେଭର ମିଲ୍କ ମଧ୍ୟ ଉତ୍ପାଦନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଦ୍ୱାରା ଚାଷୀମାନଙ୍କ ରୋଜଗାର ବଢ଼ିବ । ସବୁ କାର୍ଯ୍ୟମର ଲକ୍ଷ୍ୟ ଚାଷୀଙ୍କ ଆୟ ବଢ଼ାଇବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରସେସିଂ ପ୍ଳାଣ୍ଟ ଆଦି ନିର୍ମାଣ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଥିବା କହିଛନ୍ତି । ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣୁ କରୋନା କାଳରେ ଦୁଗ୍ଧ ଚାଷୀମାନଙ୍କୁ ରାଜ୍ୟ ସରକାର ୬ ହଜାର ଲେଖାଏଁ ସହାୟତ ଯୋଗାଇ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପୁଷ୍ଟି ନିରାପତ୍ତାରେ ଦୁଗ୍ଧର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆହ୍ୱାନ ଜଣାଇଥିଲେ ଏବଂ ଶ୍ୱେତ ବିପ୍ଳବ ଆଣିବା ପାଇଁ ସରକାରଙ୍କ ଉଦ୍ୟମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଜ୍ୟରେ ଓମ୍‌ଫେଡ୍‌ର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ ହଜାର ମେଟ୍ରିକ ଟନ୍‌ ଥିବାବେଳେ ୨୦୨୦ ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଓମ୍‌ଫେଡ୍‌ ଦ୍ୱାରା ଦୈନିକ ସଂଗୃହିତ ୫ ଲକ୍ଷ ଲିଟର ଦୁଗ୍ଧ ଓମ୍‌ଫେଡ୍‌ର ୪୦୫ ଟି ଶୀତଳୀକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଡ. ଅରୁଣ ସାହୁ ରାଜ୍ୟରେ କୃଷି ଓ ଆନୁସଙ୍ଗିକ କୃଷିର ବିକାଶ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସଂଗୃହିତ ଦୁଗ୍ଧର ଉପଯୁକ୍ତ ବିକ୍ରି ଓ ଉଚିତ ମୂଲ୍ୟ ପାଇବା ହେତୁ ଦୁଗ୍ଧ ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, NDDB ର ଅଧ୍ୟକ୍ଷ ଓ ବିଭାଗୀୟ ଶାସନ ସଚୀବ ପ୍ରମୁଖ ଯୋଗ ଦେଇଥିଲେ ।

ବାହା ହେଲେ ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲ ୟୁସୁଫଜାଇ । ୨୪ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମଲାଲା । ବିବାହ ନେଇ ମଲାଲା ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ସେ ଟୁଇଟ କରି କହିଛନ୍ତି କି ଆଜି ମୋ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଜୀବନରେ ପାର୍ଟନର ଭାବେ ରହିବା ପାଇଁ ଅସର ଓ ମୁଁ ଏକାଠି ହୋଇଛୁ। ଆମେ ବର୍ହିଂହାମ ଘରେ ଓ ପରିବାର ଲୋକଙ୍କ ଉପସ୍ଥିତରେ ନିକ୍କା କରିଛୁ। ଆପଣମାନେ ଆମ ପାଇଁ ପ୍ରାର୍ଥନା କରନ୍ତୁ। ଆମେ ଆପଣମାନଙ୍କ ସହ ଏକାଠି ଆଗକୁ ବଢ଼ିବାକୁ ବେଶ ଉତ୍ସାହିତ ରହିଛୁ।”

ମହିଳାଙ୍କ ଶିକ୍ଷାଧିକାର ପାଇଁ ଲଢ଼େଇ କରି ଆତଙ୍କବାଦୀଙ୍କ ଗୁଳି ମାଡର ଶିକାର ହୋଇଥିଲେ ମଲାଲା । ଆତଙ୍କବାଦୀଙ୍କୁ ନଡରି ସେ ମହିଳାଙ୍କ ଶିକ୍ଷା ଅଧିକାର ଉପରେ କାମ କରିଥିବାରୁ ତାଙ୍କୁ ନୋବେଲ ପୁରସ୍କାର ଦିଆଯାଇଥିଲା । ମଲାଲା ୟୁସୁଫଜଇ ପାକିସ୍ତାନରେ ଜନ୍ମ ଗ୍ରହଣ କରିଥିଲେ । ସେ ସେଠରେ ଥିବା ମହିଳା ଶିକ୍ଷା ଉପରେ କାମ କରୁଥିଲେ । କିନ୍ତୁ ମହିଳାଙ୍କ ପାଇଁ କାମ କରିବାରୁ ସେ ଆତଙ୍କବାଦୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ୨୦୧୨ରେ ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଗୁଳି କରିଥିଲେ । ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲ । ତେବେ ଏହି ସମୟରେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲେ । ଏହି ଘଟଣା ପରେ ମଲାଲାଙ୍କୁ ନୋବେଲ ପୁରସ୍କାର ମିଳିଥିଲା । ଇତିହାସରେ ସବୁଠାରୁ କମ୍ ବୟସରେ ନୋବେଲ ପୁରସ୍କାର ପାଇଥିଲେ ।

୨୦୧୨ ମସିହାରେ ମଲାଲାଙ୍କ ଉପରେ ଆକ୍ରମଣ ପରେ ପୁଣି ଚଳିତ ବର୍ଷ ତାଙ୍କୁ ମିଳିଥିଲା ହତ୍ୟା ଧମକ । ପୁଣିଥରେ ତାଲିବାନ ଆତଙ୍କାବାଦ ସଂଗଠନ ମଲାଲାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତେବେ ଏହି ଧମକ ସେହି ଆତଙ୍କବାଦୀ ଦେଇଥିଲେ ଯିଏ ୯ ବର୍ଷ ପୂର୍ବେ ମଲାଲାଙ୍କୁ ଗୁଳି ମାରିଥିଲେ । ସେହି ଆତଙ୍କୀ ଟୁଇଟ କରି କହିଥିଲା ଯେ ଏହି ଥର ଆଉ ଭୁଲ ହେବ ନାହିଁ । ତେବେ ଏହି ଟୁଇଟ ପରେ ତାଙ୍କ ଟୁଇଟର ଆକାଉଣ୍ଟକୁ ବ୍ଲକ କରିଦିଆଯାଇଥିଲା ।

ସାରା ରାଜ୍ୟରେ ଖସୁଛି ପାରଦ: ୧୫ ଡିଗ୍ରୀ ତଳେ ୬ ସହର

ଭୁବନେଶ୍ୱର: ସାରା ରାଜ୍ୟରେ କମୁଛି ତାପମାତ୍ରା ବଢ଼ୁଛି ଶୀତ । ୬ ସହରରେ ୧୫ ଡିଗ୍ରୀ ତଳେ ରହିଛି ରାତିର ତାପମାତ୍ରା । ୧୧ ଡିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର । ଫୁଲବାଣୀରେ ୧୩.୨ ଡ଼ିଗ୍ରୀ, ଟିଟଲାଗଡରେ ୧୪.୫ ଡ଼ିଗ୍ରୀ, ଝାରସୁଗୁଡା ରେ ୧୪.୬ ଡ଼ିଗ୍ରୀ, କେନ୍ଦୁଝର ରେ ୧୪ .୮ ଡ଼ିଗ୍ରୀ, ଏବଂ ସୋନପୁର ରେ ୧୪.୯ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ । ଭୁବନେଶ୍ୱର ରେ ୧୮.୫ଡ଼ିଗ୍ରୀ ଏବଂ କଟକ ରେ ୧୮.୪ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ । ଆଗାମୀ ୨୪ ଘଣ୍ଟା ପରେ ଧୀରେ ଧୀରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବଢିବାର ସମ୍ଭାବନା ସହ ଶୀତର ପ୍ରଭାବ କମିବ । ତେବେ ୧୩ ତାରିଖ ଯାଏଁ ଜାରି ରହିବ ଶୀତର ପ୍ରଭାବ ରହିବ ।

ଅନ୍ୟପକ୍ଷରେ ଶୀତ ବଢୁଥିବା ବେଳେ ଓଡ଼ିଶାକୁ ଲଘୁଚାପ ଭୟ ଘାରିଛି । ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ କୋହଲା ପାଗ ରହିବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନିଭୁତ ହୋଇ ଅବପାତରେ ପରିଣତ ହେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ ।

ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ପାଚିଲା ଧାନ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଲଘୁଚାପ ଦୁର୍ବଳ ହେବା ପରେ ରାଜ୍ୟରେ ଶୀତ ବଢିବ । ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଶୀତର ପରିମାଣ ବୃଦ୍ଧି ପାଇଛି । ଲଘୁଚାପ ପ୍ରଭାବରେ ପୂର୍ବ ଦିଗରୁ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ବାୟୁ ଏବେ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ତେଣୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନ ଅପେକ୍ଷା ରାତ୍ରୀର ତାପମାତ୍ରା ବଢିବ ।

ଏଥିସହିତ ପଢ଼ନ୍ତୁ: କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର, ପ୍ରକ୍ରିୟା ଆରମ୍ଭ

ମହାମହିମଙ୍କୁ କିନ୍ନରଙ୍କ ଆଶୀର୍ବାଦ

0

ମଞ୍ଜାମା ଯୋଗତୀ କିନ୍ନରଙ୍କୁ ମିଳିଲା ପଦ୍ମଶ୍ରୀ । ଲୋକନୃତ୍ୟରେ ମଞ୍ଜାମାଙ୍କ ବିଶେଷ ଯୋଗଦାନ ପାଇଁ ତାଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ରାଷ୍ଟ୍ରପତି ଭବନରେ ୨୦୨୧ ପଦ୍ମ ସମ୍ମାନର ଆୟୋଜନ କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜାମାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ANI  ପୋଷ୍ଟ କରିଥିବା ମଞ୍ଜାମାଙ୍କ ପଦ୍ମ ସମ୍ମାନର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗୁଛି । ମଞ୍ଜାମା ପଦ୍ମ ସମ୍ମାନ ନେବା ସମୟରେ ଏକ ଭିନ୍ନ ପଦ୍ଧତିରେ ସମ୍ମାନ ଗ୍ରହଣ କରିବା ଯୋଗୁଁ ଲୋକେ ଏହାକୁ ଅନେକ ପସନ୍ଦ କରୁଛନ୍ତି । ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ନେବା ପୂର୍ବରୁ ସେ ପ୍ରଥମେ ନିଜ ଶୈଳୀରେ କୋବିନ୍ଦଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ଦେଇ ସହୃଦୟରେ ଏହି ସମ୍ମାନ ଗ୍ରହଣ କରିଥିଲେ ।

ମଞ୍ଜାମା ଯୋଗତୀ ରାଜ୍ୟ ସରକାରଙ୍କ ପ୍ରସିଦ୍ଧ କର୍ଣ୍ଣାଟକ ଜନପଡ଼ା ଏକାଡେମୀର ପ୍ରଥମ ଟ୍ରାନ୍ସପ୍ରେସିଜେଣ୍ଟ । ବର୍ତ୍ତମାନ ସେ ୬୪ ବର୍ଷରେ ପାଦ ଦେଇଥିବା ବେଳେ ଏହି ପଦ୍ମ ସମ୍ମାନ ତାଙ୍କ ସାମାଜିକ ଓ ଆର୍ଥିକ ସଂଘର୍ଷର ଫଳାଫଳ ବୋଲି ସେ କହିଛନ୍ତି । ମଞ୍ଜାମାଙ୍କ ପ୍ରକୃତ ନାମ ମଞ୍ଜୁନାଥ ସେଟୀ । ସେ ଜଣେ କିନ୍ନର ବୋଲି ଜାଣିବା ପରେ ତାଙ୍କ ପରିବାର ହୁଲିଜେୟମା ନାମକ ମନ୍ଦିରରେ ‘ଜୋଗପ୍ପା’ କିନ୍ନର ସମ୍ପ୍ରଦାୟ ସହ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ପ୍ରଦାୟ ଦେବୀ ରେଣୁକା ୟେଲମ୍ମାଙ୍କୁ ପୂଜା କରୁଥିବା ବେଳେ ସମ୍ପ୍ରଦାୟର ସମସ୍ତ ସଦସ୍ୟ ମା’ଙ୍କୁ ହିଁ ବିବାହ କରିଥାନ୍ତି ।

ଦାରିଦ୍ର୍ୟତା, ସାମାଜିକ ଭିନ୍ନତା, ଦୁଷ୍କର୍ମ ଭଳି ସତ୍ୟତା ନିଜ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥାନ୍ତି । ୨୦୦୬ରେ ସେ କର୍ଣ୍ଣାଟକ ଜନପୀଠ ଏକାଡେମୀ ସମ୍ମାନ ପାଇଥିବା ବେଳେ ଦୀର୍ଘ ୧୩ ବର୍ଷ ପରେ ୨୦୧୯ରେ ଏହି ଏକାଡେମୀର ପ୍ରେସିଡେଣ୍ଟ ଭାବେ ନିଯୁକ୍ତି ହୋଇଥିଲେ । ଏଥିସହ ୨୦୧୦ରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା କର୍ଣ୍ଣାଟକ ରାଜ୍ୟୋତ୍ସବ ସମ୍ମାନ ପାଇଥିଲେ । ଚଳିତ ବର୍ଷ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭ଟି ପଦ୍ମବିଭୂଷଣ,୧୦ଟି ପଦ୍ମଭୂଷଣ ଏବଂ ୧୦୨ଟି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି ।

ଉତ୍ତରପ୍ରଦେଶ ନିର୍ବାଚନ ନେଇ ସମାଜବାଦି ପାର୍ଟିର ନୂଆ ରଣନୀତି: ଅଖିଳେଶ କଲେ ସମାଜବାଦି ଅତରର ଉଦ୍‌ଘାଟନ

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ନିର୍ବାଚନ ଲାଗି ନୂଆ କନସେପ୍ଟ । ନିର୍ବାଚନରେ ଭାସିବ ସମାଜବାଦୀ ବାସ୍ନା । କଥା ହେଉଛି- ସମାଜବାଦୀ ପାର୍ଟି ଏବେ ନିର୍ବାଚନ ଉପଲକ୍ଷେ ଲଞ୍ଚ କରିଛି ନୂଆ ପର୍ଫ୍ୟୁମ । ଆଉ ଏହାକୁ ଦଳର ବ୍ରାଣ୍ଡ ନାମରେ ଛଡାଯାଇଛି । ଏହି ସେଣ୍ଟକୁ ଉନ୍ମୋଚନ କରିଛନ୍ତି କନୌଜର ସମାଜବାଦୀ ପାର୍ଟି ଏମଏଲସି ସଦସ୍ୟ ପାମି ଜୈନ । ଏହି ସେଣ୍ଟ ୨୨ଟି ପ୍ରାକୃତିକ ଦ୍ରବ୍ୟରୁ ପ୍ରସ୍ତୁତ ହୋଇଛି । ଆସନ୍ତା ୨୦୨୨ ନିର୍ବାଚନ ଲାଗି ଭୋଟରଙ୍କ ନିକଟରେ ପହଞ୍ଚିବା କ୍ଷେତ୍ରରେ ଏହି ଉଦ୍ୟମ ଫଳବତୀ ହେବ ବୋଲି ଆଶା କରାଯାଇଛି ।

ସେଣ୍ଟର ଉନ୍ମୋଚନ ଅବସରରେ ସେ କହିଛନ୍ତି ଏହା ବିଦ୍ୱେଷ ଭାବନା ଦୂରକରିବ ଏବଂ ସବୁ ମହଲରେ ପରିଚିତ ଲାଭ କରିବ । ସେଣ୍ଟ ପ୍ୟାକେଟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଫଟୋ ଲାଗିଥିବାବେଳେ ଏଥିରେ ଦଳର ଚିହ୍ନ ବି ଲାଗିଛି । ନାଲି ଓ ସବୁଜ ରଙ୍ଗର ପରଫ୍ୟୁମ ଉକ୍ତ ବୋତଲରେ ଉପଲବ୍ଧ ହେଉଛି । ଗତ ୧୨ ତାରିଖରୁ ସମାଜବାଦୀ ପାର୍ଟି କାନପୁରରୁ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିସାରିଛି । ଏହାର ନାମ ରଖିଛି ବିଜୟ ରଥ ଯାତ୍ରା । ନିର୍ବାଚନ ପ୍ରଚାର ଅବସରରେ ଅଖିଳେଶ ବିଜେପି ଉପରେ ବର୍ଷି କରିଛନ୍ତି । ବିମୁଦ୍ରୀକରଣ ଯୋଗୁ ଅନେକ ବ୍ୟବସାୟୀ ନିଜର ଜୀବିକା ହରାଇବା ସହ ଅନେକ ଲୋକ ଜୀବନ ହାରିଛନ୍ତି ବୋଲି ସେ କହିଛନ୍ତି ।

ଏହି ଅତରକୁ ପ୍ରସ୍ତୁତ କରିବାକୁ ୪ ମାସ ସମୟ ଲାଗିଛି । ଏହାର ସ୍ୱତନ୍ତ୍ରତା ହେଉଛି ଏହି ଅତରରେ କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ମିଳୁଥିବା ୨୨ ପ୍ରକାର ସୁଗନ୍ଧିତ ଦ୍ରବ୍ୟ ମିଶିଛି । ୪ଟି ସୁବାସରୁ ପ୍ରସ୍ତୁତ ହୋଇଥିବା ଉକ୍ତ ଅତର ବୋତଲର ନାଁ ଥିଲା- ଆଗ୍ରା, ଲକ୍ଷ୍ନୌ, ବାରାଣସୀ ଏବଂ କନ୍ନୌଜ। ୨୨ ପ୍ରକାର ସୁଗନ୍ଧିତ ଦ୍ରବ୍ୟକୁ ବ୍ୟବହାର କରି ୨୦୨୨ବର୍ଷରେ ଦଳୀୟ ମତଭେଦକୁ ଦୂରେଇବାକୁ ଚେଷ୍ଟା କରାଯାଉଛି ।ଏହାକୁ ବ୍ୟବହାର କଲେ ସମାଜବାଦର ସୁଗନ୍ଧ ହେବ । ଏହା ଦ୍ୱାରା ଭାଇଚାରା ମଧ୍ୟ ଅନୁଭବ ହେବ ବୋଲି କହିଛନ୍ତି ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ ଅଖିଳେଶ ଯାଦବ ଓ କନ୍ନୌଜ ‘ସମାଜବାଦୀ ପାର୍ଟି’ର ନେତା ତଥା ଉତ୍ତର ପ୍ରଦେଶ ‘ଏମ୍‌ଏଲ୍‌ସି’ ପୁଷ୍ପରାଜ ଜୈନ୍‌।

ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ଆଓ୍ୱାର୍ଡ: ସ୍ୱଚ୍ଛତା ନେଇ ହେବ ପ୍ରତିଯୋଗିତା

ଭୁବନେଶ୍ୱର: ସ୍ୱଚ୍ଛତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସ୍ୱଚ୍ଛା ସହର ଆଓ୍ୱାର୍ଡ ପ୍ରତିଯୋଗିତା । ସ୍ୱଚ୍ଛତାକୁ ନେଇ ରାଜ୍ୟର ସବୁ ଏନ୍ଏସି, ପୌରସଂସ୍ଥା ଓ ସ୍ମାର୍ଟସିଟି ଭିତରେ ହେବ ପ୍ରତିଯୋଗିତା । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଟ୍ରଫି ଓ ଆର୍ଥିକ ପୁରସ୍କାର ସହିତ ସମ୍ମାନିତ କରାଯିବ କୃତି ସଂସ୍ଥାକୁ । ଜାତୀୟ ସ୍ତରରେ ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା ପୂର୍ବରୁ ଏହି ପ୍ରତିଯୋଗିତା ରାଜ୍ୟସ୍ତରରେ ହେଉଥିବାରୁ ପ୍ରସ୍ତୁତି ପାଇଁ ସମସ୍ତଙ୍କୁ ବେଶ୍ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି । ଏଭଳି ପ୍ରତିଯୋଗିତା ଆୟୋଜନ ସହ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ ରହିଛି ।

ସ୍ୱଚ୍ଛତା ନେଇ ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୁରସ୍କୃତ ହୋଇଛି । ଇଣ୍ଡିଆ ଟୁଡେ ମ୍ୟାଗାଜିନ୍ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପ୍ରତିଯୋଗିତା କନ୍‌କ୍ଳେଭ୍ (ଷ୍ଟେଟ ଅଫ୍ ଷ୍ଟେଟସ୍ କନକ୍ଳେଭ୍-୨୦୧୯)ରେ ଓଡ଼ିଶା ଚାମ୍ପିଅନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀର ମୌର୍ଯ୍ୟ ହୋଟେଲରେ ଅନୁଷ୍ଠିତ ଏହି କନକ୍ଲେଭରେ ଯୋଗ ଦେଇ ନପାରିଥିବାରୁ ପଞ୍ଚାୟତିରାଜ, ପାନୀୟ ଜଳ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଚାମ୍ପିଅନ ପୁରସ୍କାର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ନୀତି ସମ୍ପର୍କରେ କହିଥିଲେ । ତାଙ୍କ ସଫଳ ନେତୃତ୍ୱ ଦ୍ୱାରା ଓଡ଼ିଶା ବିକାଶ ପଥରେ ଅଗ୍ରସର ହେଉଥିବା ସେ କହିଥିଲେ ।

ଏଥିସହିତ ପଢ଼ନ୍ତୁ: କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର, ପ୍ରକ୍ରିୟା ଆରମ୍ଭ

ଚୁଲି ନିଆଁରେ ଜଳିଗଲେ ଯୁବତୀ: ଗୁରୁତର ଅବସ୍ଥାରେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ଼: ଚୁଲିରୁ ଲାଗିଲା ନିଆଁ, ଜଳିଗଲେ ଯୁବତୀ । ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଛି ଚିକିତ୍ସା । ଘଟଣା ଘଟିଛି ଦେବଗଡ଼ ନୀଳବେର୍ଣ୍ଣି ସାହିରେ । ଚୁଲି ଲଗାଇ ନିଆଁ ପୁଆଁଇବା ବେଳେ ଅସାବଧାନତାରୁ ଯୁବତୀଙ୍କ ଦେହରେ ଲାଗିଲା ନିଆଁ । ଚାହୁଁଚାହୁଁ ଦେହରେ ଲାଗିଯାଇଥିଲା ନିଆଁ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ରାଉରକେଲା ବିରକେରାର ବୁଦ୍ଧିଆ ଲୁଗୁନଙ୍କ ଝିଅ ଲକ୍ଷ୍ମୀ ଲୁଗୁନ । ଦେବଗଡ଼ ନୀଳବେର୍ଣ୍ଣି ସାହିରେ ନିଜ ଭଉଣୀ ଘରକୁ ଯାଇଥିଲେ । ଆଜି ରାଉରକେଲା ଫେରିଥାନ୍ତେ । ହେଲେ ସକାଳୁ ନିଆଁ ପୁଆଁଉଥିବା ବେଳେ ଏପରି ଅଘଟଣ ଘଟିଛି ।

ଏଥିସହିତ ପଢ଼ନ୍ତୁ: ଶୀତ ପ୍ରବାହ ମଧ୍ୟରେ ଓଡ଼ିଶାକୁ ଲଘୁଚାପ ଭୟ: ୧୩ ତାରିଖ ଯାଏଁ ଜାରି ରହିବ କୋହଲା ପାଗ