ଏଠି ଭୋଟ୍ ନାହିଁ, ୪୪ ଲକ୍ଷ ଦେଲେ ସରପଞ୍ଚ

ଭୋପାଳ: ମଧ୍ୟପ୍ରଦେଶରେ ଆସନ୍ତା ଜାନୁଆରୀ ମାସରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସରପଞ୍ଚ ହେବାକୁ ହେଲେ ନିର୍ବାଚନରେ ଜିତିବାକୁ ପଡ଼େ । କିନ୍ତୁ ମଧ୍ୟପ୍ରଦେଶରେ ନିଲାମ ଜରିଆରେ ସରପଞ୍ଚ ବାଛିଛନ୍ତି ଗାଁ ଲୋକ । ନିର୍ବାଚନ ପୂର୍ବରୁ ହିଁ ନିଲାମ ଜରିଆରେ ସରପଞ୍ଚ ବାଛିଲେ ଗାଁ ଲୋକ ।

ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲା ମୁଖ୍ୟାଳୟରୁ ୩୦ କିଲୋମିଟର ଦୂରରେ ଥିବା ଭଟୌଲୀ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଏହି ଗ୍ରାମର ଗ୍ରାମବାସୀମାନେ ନିଜ ମଧ୍ୟରେ ନିଷ୍ପତ୍ତି ନେଇଥିଲେ କି ଯେଉଁ ଆଶାୟୀ ଅଧିକ ଟଙ୍କା ଦେବ ସେ ତାଙ୍କୁ ସରପଞ୍ଚ ଭାବରେ ନିଯୁକ୍ତି ଦେବେ । ସରପଞ୍ଚ ପଦ ପାଇଁ ୨୧ ଲକ୍ଷରୁ ଆରମ୍ଭ ହୋଇଥିଲା ନିଲାମ ପ୍ରକ୍ରିୟା । ଯାହା ଶେଷରେ ୪୪ ଲକ୍ଷରେ ପହଞ୍ଚିଥିଲା । ୪୪ ଲକ୍ଷ ଟଙ୍କାରେ ସୌଭାଗ ସିଂ ସରପଞ୍ଚ ଭାବରେ ନିଯୁକ୍ତି ହୋଇଥିଲେ ।

ସରପଞ୍ଚ ପଦ ପାଇଁ କାହିଁକି ନିଲାମ ହେଲା ପଚାରିବାରୁ ଗ୍ରାମବାସୀ କହିଥିଲେ କି ନିର୍ବାଚନ ହୋଇଥିଲେ ସେଥିରେ ଟଙ୍କା ଖର୍ଚ୍ଚ ହୋଇଥାଏ । ନିର୍ବାଚନରେ ଲୋକମାନଙ୍କୁ ମଦ ଦେଇ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ଏଥିପାଇଁ ନିଲାମ ପ୍ରକ୍ରିୟାରେ ସରପଞ୍ଚ ବାଛିବାରେ ନିଷ୍ପତ୍ତି ନିଆଯାଇଥିଲା । ସମସ୍ତ ଗ୍ରାମବାସୀ ଏହା ନିଶ୍ଚିତ କରିଥିଲେ କି ସୌଭାଗ ସିଂଙ୍କୁ ସରପଞ୍ଚ ଭାବରେ ନିଯୁକ୍ତି ଦିଆଯାଇଛି । ନିଲାମ ପ୍ରକ୍ରିୟାରେ ଆଦାୟ ହୋଇଥିବା ଟଙ୍କାକୁ ଗ୍ରାମରେ ବିକାଶ କାର୍ଯ୍ୟ ନିୟୋଜିତ ହେବ ବୋଲି ଗ୍ରାମବାସୀ କହିଛନ୍ତି । ଜଣେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଯଦି ଧାର୍ଯ୍ୟ ସମୟ ମଧ୍ୟରେ ସୌଭାଗ ୪୪ ଲକ୍ଷ ଟଙ୍କା ଜମା କରିବାରେ ବିଫଳ ହେବେ, ତା’ହେଲେ ତାଙ୍କଠାରୁ କମ୍ ନିଲାମ ଡାକିଥିବା ବ୍ୟକ୍ତିଙ୍କୁ ସରପଞ୍ଚ କରାଯିବ। ଗାଁ ପକ୍ଷରୁ ଗଠିତ କମିଟିରେ ହିଁ ଟଙ୍କା ଜମା କରିବାକୁ ସୌଭାଗଙ୍କୁ କୁହାଯାଇଛି ।

ଅନ୍ୟପକ୍ଷରେ ସ୍ଥାନୀୟ ଅଧିକାରୀମାନେ ଏହି ନିଲାମ ପ୍ରକ୍ରିୟାକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଜଣେ ଅଧିକାରୀ କହିଛନ୍ତି, “ଯିଏ ବି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ତାଙ୍କୁ ନାମାଙ୍କନ ଦାଖଲ କରିବାକୁ ପଡ଼ିବ। ଯଦି ଜଣେ ବ୍ୟକ୍ତି ସରପଞ୍ଚ ପଦ ପାଇଁ ନାମାଙ୍କନ ଦାଖଲ କରିବେ, ତା’ହେଲେ ଏହାକୁ ଯାଞ୍ଚ କରାଯିବ ଓ ଏହା ଯଦି ବୈଧ, ତା’ହେଲେ ତାଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରାଯିବ।”

Leave a Reply