୪୫ ମାସ ପରେ ଅଧିନାୟକ ଭୂମିକାକୁ ଫେରିଲେ ଷ୍ଟିଭ୍ ସ୍ମିଥ୍

1 min read

ଆଡିଲେଡ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରୁ ଜାରି ରହିଛି ଆସେସ୍ ଟେଷ୍ଟ ସିରିଜ । ଗୁରୁବାରଠାରୁ ଆଡିଲେଡରେ ଆରମ୍ଭ ହୋଇଛି ଆସେସ୍ ସିରିଜର ଦ୍ୱିତୀୟ ମ୍ୟାଚ । ୫ ଟିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଅଧିନାୟକତ୍ୱ କରିଥିଲେ ଷ୍ଟିଭ୍ ସ୍ମିଥ । ୪୫ ମାସ ପରେ ଅଧିନାୟକ ଭାବରେ ନଜର ଆସିଛନ୍ତି ସ୍ମିଥ୍ । ଶେଷ ଥର ପାଇଁ ସ୍ମିଥ୍ ୨୨ ମାର୍ଚ୍ଚ ୨୦୧୮ରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଭାବରେ ଦାୟିତ୍ୱ ତୁଲାଇଥିଲେ । ସେତେବେଳେ ତାଙ୍କ ବିପକ୍ଷରେ ବଲ ବିକୃତିର ଅଭିଯୋଗ ଆସିଥିଲା ।

ଆଡିଲେଡ ଡେ-ନାଇଟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ କମିନ୍ସ ମ୍ୟାଚରୁ ବାହାର ଯାଇଥିଲେ । କମିନ୍ସ ଜଣେ କରୋନା ସମ୍ପର୍କିତଙ୍କ ସଂସ୍ପର୍ଷରେ ଆସିବା ଫଳରେ ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ଖେଳିବାକୁ ସୁଯୋଗ ଦିଆଯାଇନଥିଲା । ଏହି କାରଣରୁ ଆସେସର ଦ୍ୱିତୀୟ ମ୍ୟାଚରେ ଅଧିନାୟକତ୍ୱ କରିଥିଲେ ଷ୍ଟିଭ୍ ସ୍ମିଥ । ଏହା ପୂର୍ବରୁ ସ୍ମିଥ ଅଷ୍ଟ୍ରେଲିଆ ଦଳର ଉପ-ଅଧିନାୟକ ଭୂମିକା ତୁଲାଉଥିଲେ ।

ଷ୍ଟିଭ୍ ସ୍ମିଥ୍ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଭାବରେ ଦାୟିତ୍ୱ ତୁଲାଇଥିଲେ । ସେ ସମୟରେ କେପଟାଉନରେ ବଲ ବିକୃତି ଅଭିଯୋଗ ସାମ୍ନାକୁ ଆସିଥିଲା । ଏହି ଅଭିଯୋଗରେ ଷ୍ଟିଭ୍ ସ୍ମିଥ ଓ ଡେଭିଡ ଓ୍ୱାର୍ଣ୍ଣରଙ୍କୁ ଗୋଟିଏ ବର୍ଷ ପାଇଁ ବାସନ୍ଦ କରିଥିଲେ । ସ୍ମିଥଙ୍କ କ୍ୟାରିୟରରେ ଏହା ଏମିତି ଏକ ଦାଗ ଥିଲା ଯାହା କେବେ ଲିଭିବ ନାହିଁ । ଅଷ୍ଟ୍ରେଲିଆ ଦଳରୁ ଏକ ବର୍ଷ ବାସନ୍ଦ କରିବା ସହ ଅଧିନାୟକ ପଦରୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା ସ୍ମିଥଙ୍କୁ । ଏହି ଅବଧି ଶେଷ ହେବା ପରେ ଏବେ ପୁଣି ଥରେ ସ୍ମିଥଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କୁ ଅଧିନାୟକ କରିବାକୁ ଚେଷ୍ଟା କରୁଛି ।

ଅଧିନାୟକ ଭାବରେ ସ୍ମିଥ୍ ଅଷ୍ଟ୍ରେଲିଆ ପାଇଁ ୩୪ଟି ମ୍ୟାଚରେ ଅଧିନାୟକତ୍ୱ କରିଥିଲେ । ସେଥିମଧ୍ୟରୁ ଅଷ୍ଟ୍ରେଲିଆ ୧୮ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ମାତ୍ର ୧୦ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖି ଥିଲା । ସେହିପରି ଭାବରେ ଦିନିକିଆରେ ଷ୍ଟିଭ୍ ସ୍ମିଥ ୫୧ଟି ମ୍ୟାଚରେ ଅଧିନାୟକତ୍ୱ କରିଥିବାବେଳେ ୨୫ ଟି ମ୍ୟାଚରେ ବିଜୟ ଲାଭ କରିଥିଲା ଅଷ୍ଟ୍ରେଲିଆ । ଟି-୨୦ ଅନ୍ତର୍ଜାତୀୟରେ ମାତ୍ର ୮ଟି ମ୍ୟାଚରେ ଅଧିନାୟକତ୍ୱ କରିଥିଲେ ସ୍ମିଥ ସେଥିମଧ୍ୟରୁ ୪ଟିରେ ଅଷ୍ଟ୍ରେଲିଆ ବିଜୟ ଲାଭ କରିଥିଲା ।

Leave a Reply