spot_img
Home Blog

ଫସଲ ଉଜାଡୁଛନ୍ତି ଜଙ୍ଗଲୀ ଜନ୍ତୁ

ନନ୍ଦିଘୋଷ ବ୍ୟୁରୋ : ଫସଲ ଉଜାଡୁଛନ୍ତି ଜଙ୍ଗଲୀ ଜନ୍ତୁ । ଭୀଷଣ କ୍ଷତିକୁ ନେଇ ଚିନ୍ତାରେ ମକା ଚାଷୀ।  ମିଳୁନି ସରକାରୀ ପ୍ରୋତ୍ସାହନ। ମକା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।  ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ  ସମେତ ବିଭିନ୍ନ ଗାଁରେ ବ୍ୟାପକ ପରିମାଣରେ ମିଠା ମକା ଚାଷ କରାଯାଉଛି।  କାହିଁକି ନା ମିଠା ମକା ଚାଷ ଲାଭ ଦାୟକ ଫସଲ l  ହେକ୍ଟର ହେକ୍ଟର ଜମିରେ ମିଠା ମକା ଚାଷ କରିଛନ୍ତି ଚାଷୀ। ଭଲ ଅମଳ ସହ ଭଲ ରୋଜଗାର ଆଶାରେ ଚାଷୀମାନେ ମକା ଚାଷରେ ଅର୍ଥ ଓ ଶ୍ରମ ଖର୍ଚ୍ଚ କରିଥିଲେ । ହେଲେ ଏବେ ଅମଳ ସମୟରେ ଜଙ୍ଗଲୀ ବାରହାଙ୍କ ଉପଦ୍ରବ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କରଜ  କରି ଚାଷ କରିଥିବା ଚାଷୀ ଏବେ କିଭଳି ଋଣ ଶୁଝିବେ ସେହି ଚିନ୍ତାରେ।

ଦିନରେ ମାଙ୍କଡ଼ ,କିରା ଓ ରାତିରେ ପଶୁଛନ୍ତି ଜଙ୍ଗଲୀ ବାରାହା। ମକା ଗଛକୁ ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ଅନେକ ଜମିରେ ମକା ଫସଲ କ୍ଷତିଗ୍ରସ୍ତ ହୋଇଛି। ହେକ୍ଟର ହେକ୍ଟର ଜମିରେ ଫସଲ ନଷ୍ଟ ହେଉଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ନିଜ ଫସଲକୁ ଜଙ୍ଗଲୀ ବାରାହାଙ୍କଠାରୁ ସୁରକ୍ଷା ଦେବା ଏବେ ଚାଷୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏନେଇ ବନ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। କ୍ଷୟକ୍ଷତିର ଆକଳନ କରି ପ୍ରଶାସନ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ।

ଆଉ ଦିନ କେଇଟା ପରେ ଗଣେଶ ପୂଜା, ତିଆରି ଚାଲିଛି ଭଳିକି ଭଳି ଗଣେଶ ମୂର୍ତ୍ତି

ନନ୍ଦିଘୋଷ ବ୍ୟୁରୋ : ପାଖେଇ ଆସୁଛି ପାର୍ବଣ ଋତୁ । ଅଗ୍ରପୂଜ୍ୟ ଗଣେଶ ପୂଜାରୁ ଆରମ୍ଭ ହେବ ପାର୍ବଣ । ଆଉ ଦିନ କେଇଟା ପରେ ଗଣେଶ ପୂଜା।ତିଆରି ଚାଲିଛି ଭଳିକି ଭଳି ଗଣେଶ ମୂର୍ତ୍ତି l ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର l ସ୍କୁଲ, କଲେଜ, ପୂଜାକମିଟି ବି ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି।  ଆକର୍ଷଣୀୟ ମୂର୍ତ୍ତି ପାଇଁ କାରିଗରଙ୍କ ପାଖକୁ ଆସିଲାଣି ଅର୍ଡର। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ମୂର୍ତ୍ତି ତିଆରିରେ ବ୍ୟସ୍ତ କାରିଗର । ମାଟି, ପାଣି, କୁଣ୍ଡା, କପଡା, ପାଳ ଆଦି ମିଶ୍ରଣରେ କାରିଗର ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି l  ଭିନ୍ନ ଭିନ୍ନ ଓ ସୁନ୍ଦର ମୂର୍ତ୍ତି ତିଆରି ପାଇଁ ଦିନ ରାତି ଏକ କରି ମୂର୍ତ୍ତି ଗଢୁଛନ୍ତି କାରିଗର l ଲୋକ ଦେଇଥିବା ଫୋଟୋ ଡିଜାଇନ, ଟ୍ରେଣ୍ଡିଂ ଡିଜାଇନ ଓ ଲୋକଙ୍କ ଚାହିଦା ଅନୁସାରେ ମୂର୍ତ୍ତି ତିଆରି କରୁଥିବା କହିଛନ୍ତି କାରିଗର l

ବିଶେଷ କରି ମାଟିରେ ତିଆରି ମୂର୍ତ୍ତିର ଢେର ଚାହିଦା ରହିଛି l ଦୁଇ ଶହ ଟଙ୍କାରୁ ଆରମ୍ଭ କରି ୧୫ ହଜାର ଟଙ୍କାର ମୂର୍ତ୍ତି  ରହିଛି l ଭିନ୍ନ ଧରଣର ତଥା ସିଂହାସନ ରେ ଆରୋହଣ ରତ, ମୂଷା ପିଠିରେ ବସିଥିବା, ମୁଣ୍ଡରେ ପଗଡି ଭିଡିଥିବା , ଶିବଲିଙ୍ଗକୁ ଧରିଥିବା ଗଣେଶଙ୍କ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି କାରିଗର l କମିଟିର ଅର୍ଡର ଅନୁସାରେ ଚାଲିଛି ତିଆରି l ଏବେ ବଜାରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଶିଳ୍ପୀଙ୍କ ସୁନ୍ଦର ସୁନ୍ଦର ମୂର୍ତ୍ତି l କାରିଗରଙ୍କ ମୂର୍ତ୍ତି ଦୋକାନରେ ବଢୁଛି ଭିଡ଼ l

ଦୟନୀୟ ଅବସ୍ଥାରେ କାମାକ୍ଷାନଗର ହାଟ

ନନ୍ଦିଘୋଷ ବ୍ୟୁରୋ : ଦୟନୀୟ ଅବସ୍ଥାରେ କାମାକ୍ଷାନଗର ହାଟ । କାଦୁଅ ଓ ପାଣିରେ ଭର୍ତ୍ତି ପରିସର । ହେଉନି ବିକ୍ରିବଟା। ହାଟକୁ ଆସିବାକୁ ଅମଙ୍ଗ ହେଲେଣି ବ୍ୟବସାୟୀ ।  ଢେଙ୍କାନାଳ କାମାକ୍ଷାନଗର ସହରର ମଧ୍ୟଭାଗ ରେ ଅବସ୍ଥିତ କାମାକ୍ଷାନଗର ହାଟ l ପ୍ରତ୍ୟେକ ସପ୍ତାହର ସୋମବାରରେ ଏହି ହାଟ ବସୁଥିବାରୁ ଦୂରଦୁରାନ୍ତ ରୁ ବହୁ ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ଼ ଲାଗିଥାଏ l ମାତ୍ର ପ୍ରଶାସନର ଅବହେଳା ରୁ ଏବେ ଦୟନୀୟ ଅବସ୍ଥାରେ ଏହି ହାଟ l ବର୍ଷା ହେଲେ ପାଲଟିଯାଉଛି କୃତ୍ରିମ ପୋଖରୀ l ବ୍ୟବସାୟୀ ଓ ଲୋକେ ହୀନସ୍ତା ଭୋଗୁଛନ୍ତି l ବାରମ୍ବାର ଜଣାଇବା ସତ୍ତ୍ବେ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଫଳରେ ପୁରାତନ ହାଟରୁ ମୁହଁ ଫେରାଇଲେଣି ଲୋକେ ।

ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକାର ପେଣ୍ଠସ୍ଥଳ ହେଉଛି କାମାକ୍ଷାନଗର ହାଟ। ଅନେକ ପରିବାରକୁ ରୋଜଗାର ଯୋଗାଏ ଏହି ହାଟ l ମାତ୍ର ଦିନକୁ ଦିନ ଏହାର ଦୁରାବସ୍ଥା ଯୋଗୁ ବ୍ୟବସାୟୀ ଓ ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି ପୁରାତନ ହାଟ ଏବେ ସଙ୍କଟରେ। କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।  ସେପଟେ ତୁରନ୍ତ ହାଟ ସମସ୍ୟାର ସମାଧାନ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ଶହଶହ ବର୍ଷର ଏହି ପୁରାତନ ହାଟ ଏବେ ଦୟନୀୟ ଅବସ୍ଥାରେ l ପ୍ରଶାସନ ତୁରନ୍ତ ସମସ୍ୟାର ସମାଧାନ ନକଲେ ହାଟ ବନ୍ଦ ହୋଇଯିବା ନିଶ୍ଚିତ l

ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ନନ୍ଦିଘୋଷ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଦିନ ରାତି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଲମ୍ବା ଲାଇନ ଲାଗୁଥିବା ବେଳେ ଡାକ୍ତରଙ୍କ ଅଭାବରୁ ସେବା ପାଉନାହାନ୍ତି ରୋଗୀ । ଜିଲ୍ଲାରେ ମୋଟ ୩୫୦ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୧୨୦ ଜଣ ଡାକ୍ତର ରହିଥିବା ବେଳେ ୨୩୦ଟି ପଦବୀ ଖାଲି ପଡ଼ିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୩୧ ଡାକ୍ତର ପଦବୀ ମଧ୍ୟରୁ ୫୬ ଜଣ ଡାକ୍ତର ଥିବା ବେଳେ ୭୫ଟି ପଦବୀ ଖାଲି ରହିଛି । ସେହିପରି ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଡାକ୍ତର ଅଭାବ ସମସ୍ୟା ସୃଷ୍ଟି  କଲାଣି ।

ବିରିଡ଼ିରେ ୨୧ଟି ଡାକ୍ତର ପଦବୀରୁ ୧୮ଟି, ରଘୁନାଥପୁରରେ ୧୫, ନାଉଗାଁରେ ୧୫ ଏବଂ ମଣ୍ଡାସାହିରେ ୧୫ଟି ଡାକ୍ତରୀ ପଦବୀ ଖାଲି ରହିଛି। ଅନ୍ୟପଟେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ କୁହାଯାଉଥିବା ରେଡିଓଲୋଜି ବିଭାଗରେ ଆଦୌ ଡାକ୍ତର ନଥିବା ବେଳେ ଆନେସ୍ଥେସିଆ ବିଭାଗରେ ମାତ୍ର ଜଣେ ଡାକ୍ତର ଥିବା ଜଣାପଡ଼ିଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ସହ ଅନେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଆଦୌ ଡାକ୍ତର ନଥିବା ଅଭିଯୋଗ ହୋଇଛି । କୁଜଙ୍ଗ, ଏରସମା, ବାଲିକୁଦା, ମଣିଜଙ୍ଗା ଓ ବିରିଡ଼ି ଅଞ୍ଚଳର ଏକାଧିକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏହି ସମସ୍ୟାରେ ରହିଛି ।

ସିଜେପି କର୍ମୀ ନିଶୁ ଆଜାଦଙ୍କ ବାପାଙ୍କୁ ଆକ୍ରମଣ ଘଟଣାରେ ବିସ୍ଫୋରକ ମୋଡ଼

ନନ୍ଦିଘୋଷ ବ୍ୟୁରୋ : ସିଜେପି କର୍ମୀ ନିଶୁ ଆଜାଦଙ୍କ ବାପାଙ୍କୁ ଆକ୍ରମଣ ଘଟଣାରେ ବିସ୍ଫୋରକ ମୋଡ଼। ସ୍ଵତନ୍ତ୍ର ଭାରଦ୍ଵାଜ ନାମକ ଜଣେ ଯୁବକଙ୍କ ପଡକାଷ୍ଟ ପରେ ଏହି ନୂଆ ମୋଡ଼ ଆସିଛି। ପଡକାଷ୍ଟରେ ସ୍ଵତନ୍ତ୍ର ଭରଦ୍ଵାଜ କହିଛନ୍ତି, ସେହି ହିଁ ନିଶୁ ଆଜାଦଙ୍କ ବାପାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଛନ୍ତି। କିନ୍ତୁ ତାଙ୍କର କିଛି ହେଲାନାହି। ପୋଲିସ କିଛି କରିପାରଲା ନାହିଁ। କାରଣ କେତେକ ବଡ଼ ବଡ଼ ନେତାଙ୍କ ସହିତ ସଂପର୍କ ଅଛି। ଏହି ପଡକାଷ୍ଟ ପରେ ନ୍ୟାୟ ପାଇବା ପାଇଁ ରାହୁଲ ଗାନ୍ଧିଙ୍କୁ ଅନୁରୋଧ କରିଥିଲେ ନିଶୁ ଆଜାଦ। ତାଙ୍କ ପାଇଁ ଲଢ଼ିବାକୁ ମଧ୍ୟ ରାହୁଲ ଗାନ୍ଧି ପ୍ରତିଶୃତି ଦେଇଛନ୍ତି। ଆଇନ ଜାଲରେ ଫସିବାର ଦେଖି ସ୍ଵତନ୍ତ୍ର ଭାରଦ୍ଵାଜ ସଫେଇ ଦେଇଛନ୍ତି ଆତ୍ମରକ୍ଷା ପାଇଁ ସେ ମାଡ଼ ମାରିଥିଲେ। ସେପଟେ ଏହି ଘଟଣା ପରେ ସିଜେପିର ବରିଷ୍ଠ କର୍ମକର୍ତ୍ତା ସଂସଦ ମାର୍ଗ ଥାନାକୁ ଆସି ପୋଲିସ ସହିତ କଥା ହୋଇଛନ୍ତି। ଅଭିଯୁକ୍ତ ସ୍ଵତନ୍ତ୍ର ଭରଦ୍ଵାଜଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

ନିଟ୍ ଲିକ୍ କୁ ନେଇ ସେତେବେଳର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜୁଲାଇ ୨୦ରେ ଦିଲ୍ଲୀରେ ଏକ ବିରାଟ ଆନ୍ଦୋଳନ ହୋଇଥିଲା। ଏଥିରେ ଲକ୍ଷାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସଂସଦ ଚାଲ୍ ଅଭିଯାନରେ ଯିବା ବେଳେ କିନ୍ତୁ ତାହା ପିଲାଙ୍କ ଉପରେ ହୋଇଥିଲା ଆକ୍ରମଣ। ପୋଲିସ କରିଥିଲା ଦମନଲୀଳା। ନିସ୍ତୁକ ମାଡ଼ ମାରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଅଭିଯୋଗ ହୋଇଛି, ପୋଲିସ ଡ୍ରେସ ପିନ୍ଧିନଥିବା ଅନେକ ଯୁବକ ବି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ।

 

୨୭୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ନନ୍ଦିଘୋଷ ବ୍ୟୁରୋ : ବିପୁଳ ମାତ୍ରାରେ ଗଂଜେଇ ଜବତ,୨ ଗିରଫ।ପୁରୀ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ବାଲିଗୁଆଳି ମହାନ୍ତି ସାହିରୁ ଜବତ ହୋଇଛି ଗଞ୍ଜେଇ। ପ୍ରାୟ 270କେଜି ରୁ ଅଧିକ ଗଂଜେଇ ସହ 45ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ। ଘଟଣାରେ କାର୍ତ୍ତିକେଶ୍ୱର ସାମନ୍ତରାୟ ଓ ଦେବ ସାହୁଙ୍କୁ ପୋଲିସ ଅଟକ ରଖିଛି। ଉଭୟଙ୍କ ଘରୁ ଏହି ଗଂଜେଇ ଓ ଟଙ୍କା ଜବତ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ପୁରୀ ପୋଲିସ ଦ୍ୱାରା ବିପୁଳ ମାତ୍ରାରେ ଗଂଜେଇ ଜବତ।ପ୍ରାୟ 270କେଜି ରୁ ଅଧିକ ଗଂଜେଇ ସହ 45ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ବାଲିଗୁଆଳି ଗ୍ରାମ ମହାନ୍ତି ସାହି ରୁ ଏହି ଗଂଜେଇ ଜବତ ହୋଇଅଛି।ଘଟଣାରେ କାର୍ତ୍ତିକେଶ୍ୱର ସାମନ୍ତରାୟ ଓ ଦେବ ସାହୁଙ୍କୁ ପୋଲିସ ଅଟକ ରଖିଛି। ଉଭୟଙ୍କ ଘରୁ ଏହି ଗଂଜେଇ ଓ ଟଙ୍କା ଜବତ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ: ମଥୁରାରୁ ପୁରୀ ଯାଏଁ ଉତ୍ସବମୁଖର ପରିବେଶ

ନନ୍ଦିଘୋଷ ବ୍ୟୁରୋ : ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ପବିତ୍ର ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ। କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂସର ବନ୍ଦୀଶାଳାରେ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ। ପରେ କଂସଙ୍କ ଭୟରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ଗୋପପୁରରେ ଛାଡ଼ି ଆସିଥିଲେ। ସେଠାରେ ନନ୍ଦରାଜାଙ୍କ ପୁଅ ଭାବେ ସେ ପାଳିତ ହୋଇଥିଲେ।

ହିନ୍ଦୁ ଧର୍ମରେ ଏହି ଦିନଟିକୁ ବେଶ୍ ଉତ୍ସାହ ଓ ଭକ୍ତିର ସହ ପାଳନ କରାଯାଇଥାଏ। ବିଶ୍ୱର ହିନ୍ଦୁ ସମ୍ପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ। ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ମହାଜନ ସେବକଙ୍କ ଦ୍ୱାରା ଏହି ନୀତି ସମ୍ପନ୍ନ ହେବ। ଦେବକୀ ଓ ବସୁଦେବ ବେଶରେ ମହାଜନ ସେବକମାନେ ଜନ୍ମ ଚକଡ଼ାରେ ନିଶାର୍ଦ୍ଧରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପନ୍ନ କରିବେ।

ସୁବର୍ଣ୍ଣରେଖା ଜଳସ୍ତର ଖସୁଛି, ତଥାପି ପାଣି ଘେରରେ ଶତାଧିକ ଗାଁ

ନନ୍ଦିଘୋଷ ବ୍ୟୁରୋ : ସୁବର୍ଣ୍ଣରେଖା ନଦୀର ଜଳସ୍ତର ଧୀରେ ଧୀରେ ଖସୁଛି। ହେଲେ ଆଜି ବି ରାଜଘାଟ ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ। ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୧୦.୦୦ ମିଟର ଉଚ୍ଚତାରେ ଜଳ ପ୍ରବାହିତ ହେଉଛି। ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ବ୍ଲକର ଶତାଧିକ ଗାଁ ଏବେ ବି ପାଣି ଘେରରେ ରହିଛି। ଭୋଗରାଇ ବ୍ଲକର ୧୮ରୁ ଊର୍ଦ୍ଧ୍ୱ ପଞ୍ଚାୟତର ୮୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ନଦୀରୁ ପାଣି କମିଥିଲେ ମଧ୍ୟ ଗାଁ ଦାଣ୍ଡରୁ ବନ୍ୟାଜଳ ହଟିନାହିଁ। କେଉଁଠି ଘର ଭିତରେ ପାଣି ପଶିଛି ତ ଆଉ କେଉଁଠି ଲୋକଙ୍କ ପାଇଁ ଡଙ୍ଗା ହିଁ ଏକମାତ୍ର ଭରସା।

ସେହିପରି ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗାଁ ପାଣି ଘେରରେ ଥିବା ବେଳେ ଜଳେଶ୍ୱର ବ୍ଲକର ୪ଟି ପଞ୍ଚାୟତର ୧୦ରୁ ଅଧିକ ଗାଁରେ ଆଜି ବି ବନ୍ୟାଜଳ ଜମି ରହିଛି। ସୁବର୍ଣ୍ଣରେଖା ନଦୀରେ ଏହା ତୃତୀୟ ବନ୍ୟା ହୋଇଥିବାରୁ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା ବଢ଼ିଯାଇଛି। ବାରମ୍ବାର ବନ୍ୟା ଆସୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସ୍ଥାନରେ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ କରି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ଆରଡିଧାମ, ବାବା ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ : ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠ। ଭୋରୁ ବାବାମଣିଙ୍କ ପହଡ଼ ଖୋଲିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଥିଲା।

ଅନ୍ୟପଟେ, ଜନ୍ମାଷ୍ଟମୀ ନୀତି ନିମନ୍ତେ ପୀଠର ନିଧିପାଢ଼ୀ ସାହି ସହ ଜଗନ୍ନାଥ ମନ୍ଦିର, ମହାପାତ୍ର ସାହି ଓ ଡିହସାହିର ରସିକନାଗର ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ହରିବଂଶ ପୁରାଣ ପଠନ ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ଉପଚାର ପୂଜା ସହ ମଧ୍ୟରାତ୍ରରେ କଂଶ ମହିପାଳ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସକାଳୁ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗିବା ସହ ଭୋଗ ଡାଲି ଲାଗି ହେଉଛି।

ନେପାଳରେ ଚମତ୍କାର, ଫ୍ଲାସ୍ ଫ୍ଲଡ୍‌ର ୯ ଦିନ ପରେ ଟନେଲରୁ ଜୀବନ୍ତ ଉଦ୍ଧାର ୨

ନନ୍ଦିଘୋଷ ବ୍ୟୁରୋ : ନେପାଳରେ ଚମତ୍କାର! ମୃତ୍ୟୁକୁ ମାତ୍ ଦେଲେ ୨ ଜଣ। ଫ୍ଲାସ୍ ଫ୍ଲଡ୍‌ର ୯ ଦିନ ପରେ ଆଜି ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ତ୍ରିଶୁଳୀ ହାଇଡ୍ରୋପାୱାର ଟନେଲରୁ ଏହି ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ହାଇଡ୍ରୋପାୱାର ପ୍ରକଳ୍ପର ଟନେଲ ମାଟି ଓ କାଦୁଅରେ ପୋତି ହୋଇଥିବା ବେଳେ ତା’ ଭିତରୁ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ଟନେଲ ଭିତରେ ଆହୁରି କିଛି ଲୋକ ଜୀବିତ ଥିବା ନେଇ ଉଦ୍ଧାରକାରୀଙ୍କ ଆଶା ବଢ଼ିଛି। ଉଦ୍ଧାର ହୋଇଥିବା ଦୁଇ ବ୍ୟକ୍ତି ହେଲେ କବୀର ମହାର୍ଜନ ଓ ସଞ୍ଜୟ ଶାହ। ନେପାଳର ଗୃହମନ୍ତ୍ରୀ ସୁଦନ ଗୁରୁଙ୍ଗ ଏହି ସୂଚନା ଦେଇଛନ୍ତି।

୩୦ ବର୍ଷୀୟ ସଞ୍ଜୟ ଶାହ ନେପାଳ ଇଲେକ୍ଟ୍ରିସିଟି ଅଥରିଟି (NEA)ରେ ମେକାନିକାଲ ଫୋରମ୍ୟାନ୍ ଭାବେ କାମ କରୁଥିବା ବେଳେ ୪୫ ବର୍ଷୀୟ କବୀର ମହାର୍ଜନ ତ୍ରିଶୁଳୀ-୩ ‘ଏ’ ହାଇଡ୍ରୋପାୱାର ପ୍ରକଳ୍ପରେ ସୁପରଭାଇଜର ଅଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପରେ ଉଦ୍ଧାରକାରୀମାନେ ବହୁତ ଖୁସି ହୋଇଥିଲେ। ଆଉ ଏକ ଜୀବନ ପାଇ ଦୁଇ ଜଣ ମଧ୍ୟ ବହୁତ ଆନନ୍ଦିତ ହୋଇଛନ୍ତି। ନେପାଳର ଆହୁରି ପ୍ରାୟ ୬ଟି ହାଇଡ୍ରୋପାୱାର ଟନେଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଟନେଲଗୁଡ଼ିକରେ ୧୫୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ପ୍ରଶାସନ ଅନୁସାରେ, ନେପାଳର ୧୨ଟି ହାଇଡ୍ରୋପାୱାର ପ୍ରକଳ୍ପରୁ ପ୍ରାୟ ୯୦୦ ଶ୍ରମିକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୫୦୦ ଜଣ ଟନେଲ ଭିତରେ ଫସିଥିବା ଆଶଙ୍କା ରହିଛି। ଟନେଲ ଭିତରକୁ ପମ୍ପ ଯୋଗେ ବାୟୁ ପଠାଯାଉଛି।

ଅଗଷ୍ଟ ୨୬ରେ ହୋଇଥିଲା ଭୟଙ୍କର ଫ୍ଲାସ୍ ଫ୍ଲଡ୍। ଗ୍ଲାସିୟର ଧସିବା ଯୋଗୁଁ ଏହି ବିପର୍ଯ୍ୟୟ ହୋଇଥିଲା। ଏଥିରେ ପ୍ରାୟ ୧୩ ଶହ ଲୋକଙ୍କ ମୃତ୍ୟୁ ହେଲାଣି। ପ୍ରାୟ ୫ ହଜାର ଲୋକ ନିଖୋଜ ଅଛନ୍ତି।