ଭୋପାଳରେ ପହଞ୍ଚିଲା ସହିଦ ବରୁଣ ସିଂଙ୍କ ପାର୍ଥିବ ଶରୀର; ଶୁକ୍ରବାର ହେବ ଅନ୍ତିମ ସଂସ୍କାର

1 min read

ଭୋପାଳ: ତାମିଲନାଡୁର କୁନ୍ନୁରରେ ଡିସେମ୍ବର ୮ରେ ହୋଇଥିଲା ହେଲିକପ୍ଟର ଦୁର୍ଘଟଣା । ଏହି ଦୁର୍ଘଟଣାରେ ଭାରତର ପ୍ରଥମ ସିଡିଏସ ଜେନେରାଲ ବିପିନ୍ ରାଓ୍ୱତଙ୍କ ସହ ୧୩ ଜଣ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ କେବଳ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଗୁରୁତର ଆହତ ହୋଇ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତ ବୁଧବାର ସହିଦ ହୋଇଥିଲେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ । ଗୁରୁବାର ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ପାର୍ଥିବ ଶରୀର ଭୋପାଳରେ ପହଞ୍ଚିଥିଲା । ଭୋପାଳରେ ସହିଦ ବରୁଣ ସିଂଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବାୟୁସେନାର ଅଫିସରଙ୍କ ସହ ମଧ୍ୟପ୍ରଦେଶ ସରକାର ବହୁ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପହଞ୍ଚିଥିଲେ ।

ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରୁଣ ସିଂଙ୍କ ପରିବାରକୁ ୧ କୋଟିର ସମ୍ମାନ ନିଧି ଦେବା ପାଇଁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆହୁରି କହିଛନ୍ତି ଯେ ଭାରତ ମାତାର ବୀର ପୁତ୍ର ସୌର୍ଯ୍ୟର ପ୍ରତୀକ ବୀର ଯୋଦ୍ଧା ବରୁଣ ସିଂଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ଅଦ୍ଭୁତ ଓ ଅଦ୍ୱିତୀୟ ଯୋଦ୍ଧା ଥିଲେ।  ସେ ଆଗରୁ ମଧ୍ୟ ମୃତ୍ୟୁକୁ ମାତ ଦେଇଥିଲେ। କିନ୍ତୁ ଏବେ ସେ ଆମ ଗହଣରେ ନାହାନ୍ତି। ତାଙ୍କର ଅନ୍ତିମ ସଂସ୍କାର ରାଜକୀୟ ଓ ସୈନ୍ୟ ସମ୍ମାନ ସହ ହେବ। ତାଙ୍କ ପରିବାର ପୁରା ଦେଶର, ପୁରା ରାଜ୍ୟର ପରିବାର। ପ୍ରତ୍ୟେକ ଭାରତବାସୀ ତାଙ୍କ ପରିବାର ସହ ଛିଡା ହୋଇଛନ୍ତି । ଏଥିସହ ଶିବରାଜ ସିଂ ଚୌହାନ ଆହୁରି କହିଥିଲେ କି ବରୁଣ ସିଂଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ମଧ୍ୟ ଦିଆଯିବ । ସେ ଆହୁରି କହିଥିଲେ କି ପରିବାରର ଭାବନାକୁ ଦୃଷ୍ଟିରେ ରଖି ବରୁଣ ସିଂଙ୍କର ପ୍ରତିମୂର୍ତ୍ତୀ କିମ୍ବା କୌଣସି ଏକ ଅନୁଷ୍ଠାନକୁ ତାଙ୍କ ନାମରେ ନାମିତ କରିବାକୁ କହିଛନ୍ତି ।

ଭୋପାଳ ଜିଲ୍ଲାପାଳ ଅବିନାଶ ଲମ୍ବାନିଆ କହିଛନ୍ତି କି ଶୁକ୍ରବାର ଭୋପାଳରେ ସହିଦ ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ଅନ୍ତିମ ସଂସ୍କାର କରାଯିବ । ଗୁରୁବାର ବରୁଣ ସିଂଙ୍କ ପାର୍ଥିବ ଶରୀର ଭୋପାଳରେ ପହଞ୍ଚିବା ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହା ପରେ ତାଙ୍କ ପାର୍ଥିବ ଶରୀରକୁ ଏୟାରପୋର୍ଟ ରୋଡସ୍ଥିତ ସନ ସିଟି କଲୋନୀରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ହେବ । ଏହାପରେ ୧୭ ଡିସେମ୍ବର ଅର୍ଥାତ ଶୁକ୍ରବାର ଦିନ ୧୧ଟା ସମୟରେ ଭଦଭଦା ବିଶ୍ରାମ ଘାଟରେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ଅନ୍ତିମ ସଂସ୍କାର କରାଯିବ ।

Leave a Reply