spot_img
Home Blog Page 4731

ମାଡୁଛି ଓମିକ୍ରନ, ବିଗୁଡୁଛି ସ୍ଥିତି

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶରେ ଦ୍ରୁତଗତିରେ ମାଡୁ ଚାଲିଛି ଓମିକ୍ରନ । ଦିନକୁ ଦିନ ବିଗିଡିବାରେ ଲାଗିଛି ସ୍ଥିତି । ମହାରାଷ୍ଟ୍ରରେ ସ୍ଥିତି ଜଟିଳ ହେଉଛି । ଦେଶରେ ଏବେ କରୋନା ହଟସ୍ପଟ୍ ପାଲଟିଛି ମୁମ୍ବାଇ ଓ ଦିଲ୍ଲୀ । ୨ ଦିନ ତଳେ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଥିବା ବେଳେ ଏବେ ଦୈନିକ ମାମଲା ୮ ହଜାର ଟପିଛି । ପଜିଟିଭିଟି ରେଟ୍ ମଧ୍ୟ ପୂର୍ବର ତୁଳନାରେ ଅଧିକ ରହିଛି । ଏହା ଭିତରେ ଅଧିକ ଓମିକ୍ରନ ମାମଲା ଅଧିକ ରହିଛି ।

୭ ମାସ ପରେ ରାଜଧାନୀ ଦିଲ୍ଲୀରେ ହଜାରେ ପାର କରିଛି ଦୈନିକ ସଂକ୍ରମଣ । ସଂକ୍ରମଣ ହାର ୪୨ ପ୍ରତିଶତ ବୃଦ୍ଧି ପାଇଛି । ପଜିଟିଭିଟି ରେଟ୍ ମଧ୍ୟ ୧.୭୩ ପ୍ରତିଶତରୁ ଅଧିକ ରହିଛି । ସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକୁ ପୁଣି ସତର୍କ କରାଇଛି ସ୍ବାସ୍ଥ୍ୟ ବିଭାଗ । ଗହଳିକୁ ନିୟନ୍ତ୍ରଣ କରିବା ସହିତ ଟିକାକରଣ ଓ ଟେଷ୍ଟିଂ ଉପରେ ଫୋକସ୍ କରିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏହା ସହିତ ଓମିକ୍ରନ ମୁକାବିଲା କରିବାକୁ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଓଡ଼ିଶାରେ ଏବେ ସ୍ଥିତି ଭଲ ଥିଲେ ମଧ୍ୟ ବିପଦ ଟଳିନି । ବିଦେଶ ନଯାଇ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲା ପରେ ଚିନ୍ତା ବଢିଛି । ତେବେ ରାଜ୍ୟରେ ଓମିକ୍ରନ ଦ୍ବାରା ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଓମିକ୍ରନର ମୁକାବିଲା କରିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତତ ଥିବା କହିଛନ୍ତି ।

ଫିକା ପଡିଲା ନୂଆବର୍ଷ

ଭୁବନେଶ୍ବର: ଉତ୍ସାହ ଅଛି ହେଲେ ଉତ୍ସବ ନାହିଁ । ନବବର୍ଷ ମଉଜରେ ଏଥର ବି କଣ୍ଟା ସାଜିଛି ମହାମାରୀ କରୋନା । ହେଲାନି ଜିରୋ ନାଇଟ୍ ସେଲିବ୍ରେସନ । ହୋଟେଲ୍ କି ବାରରେ ପାଳନ ହେଲାନି ନୂଆବର୍ଷ । ମନ୍ଦିରରେ ବି ଲାଗିଲାନି ଗହଳି ଚହଳି । କାରଣ କରୋନାକୁ ଦୃଷ୍ଟିରେ ରଖି ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।

ବଣଭୋଜି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଥିବା ବେଳେ ଏକାଠି ଗହଳି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଣସି ସ୍ଥାନରେ ଅଧିକ ଗହଳି ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପାର୍କ, କ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ବନ୍ଦ ସହ ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି । ବାର୍ ଓ ହୋଟେଲଗୁଡିକ ଉପରେ କଡ଼ା ନଜର ରଖାଯାଇଛି ।

ବିଭିନ୍ନ ସ୍ଥାନରେ ରାତି ସମୟରେ ଚଢାଉ କରିଛି ସ୍ପେଶାଲ୍ ଟିମ୍ । ଭୁବନେଶ୍ବରରେ ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି  । ଗାଇଡଲାଇନକୁ କଡାକଡି କାର୍ଯ୍ୟକାରୀ କରିବାକୁ ବିଏମସି ପକ୍ଷରୁ ୧୩ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ ହୋଇଛି । ସ୍କ୍ବାର୍ଡରେ ବିଏମସି, କମିଶନରେଟ୍ ପୋଲିସ ଓ ଅବକାରୀ ବିଭାଗ ଅଧିକାରୀ ସାମିଲ ହୋଇଛନ୍ତି । ଅମାନିଆଙ୍କ ବିରେଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଫାଇନ୍ ଆଦାୟ କରାଯାଉଛି ।

ସେପଟେ ଗହଳିକୁ ଦୃଷ୍ଟିରେ ରଖି  ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ବନ୍ଦ ରହିଛି । ଶ୍ରୀମନ୍ଦିରକୁ ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଭୁବନେଶ୍ବରର ବିଭିନ୍ନ ଧର୍ମାନୁଷ୍ଠାନରେ ମଧ୍ୟ କଟକଣା ଜାରି ହୋଇଛି । ନନ୍ଦନକାନନ, ମ୍ୟୁଜିୟମ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ।

କାହାଣୀ ୨୧: ବର୍ଷ ସରିଲା, ଦୁଃଖ ସରିଲାନି..

ନନ୍ଦିଘୋଷ ବ୍ୟୁରୋ: ମହାମାରୀର ତାଡ଼ନା ଭିତରେ ବଞ୍ଚିବାର ବାଟ ଦେଖାଏ ବର୍ଷ ୨୦୨୧ । ବର୍ଷ ତମାମ ଲୁହର ଭିଜିଲା ଆଖି ଖୋଲିହୁଏ, ଧିରେ ଧିରେ ଦୁନିଆକୁ ଦେଖେ । ତଟସ୍ଥ ଓଠ ଟିକିଏ ହସି ଉଠେ । ମଣିଷ ଭିତରେ ବଞ୍ଚିବାର ବିଶ୍ୱାସ ଜନ୍ମାଏ । ସମ୍ପର୍କ, ସ୍ନେହ, ବନ୍ଧୁତା ଓ ବିଶ୍ୱାସର ବଳୟ ଭିତରକୁ ଧସେଇ ପସିଥିବା ଏ ଅଦୃଶ୍ୟ ବିପାତ ଆସ୍ତେ ଆସ୍ତେ ପ୍ରସ୍ଥାନ କରେ । ସଭିଙ୍କ ମନରେ ଏ ଆଶା ଜନ୍ମେ ଯେ, ବୋଧହୁଏ ଏ ଆଖିରୁ ଆଉ ଅଶ୍ରୁ ଝରିବ ନାହିଁ । ବର୍ଷ ସରିବାର ବାଟରେ ଥାଏ । କିନ୍ତୁ ପୁଣି ଥରେ ଆଖି ଭିଜିଯାଏ ।

ଡ଼ିସେମ୍ବର ୮ ତାରିଖ । ବର୍ଷ ଶେଷ ହେବାକୁ ମାତ୍ର ୨୨ଟି ଦିନ ବାକି ଥାଏ । ସେଦିନ ଥାଏ ବୁଧବାର । ସମୟ ଥାଏ ସକାଳ ୧୧ଟା ୪୮ ମିନିଟ । ତାମିଲନାଡ଼ୁର ସୁଲୁର ଏୟାରବେସରୁ ୱେଲିଂଟନ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଅଭିମୁଖେ ଉଡ଼ାଣ ଭରେ ଭାରତୀୟ ବାୟୁସେନାର ବଳଶାଳୀ ବିମାନ MI 17V5 । ଏହି ବିମାନରେ ଉଡ଼ାଣ ଭରିଥାନ୍ତି ଦେଶର ତିନି ସେନାର ପରାମର୍ଶଦାତା ଚିଫ୍ ଡିଫେନ୍ସ ଅଫ ଷ୍ଟାଫ ଜେନେରାଲ ବିପିନ ରାୱତ । ସାଥିରେ ଥାଆନ୍ତି ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ସେନା କର୍ମଚାରୀ ଓ କ୍ରିଉ ମେମ୍ବର ।

 

ସମୟ ସେତେବେଳକୁ ୧୨ଟା ବାଜି ୮ ମିନିଟ । ଗନ୍ତବ୍ୟସ୍ଥଳରେ ପହଁଚିବାକୁ ବାକି ଥାଏ ୭ ମିନିଟ ଅର୍ଥାତ ୧୦ କିଲୋମିଟର । ଘଞ୍ଚ ଅରଣ୍ୟ ଓ ସୁଉଚ୍ଚ ପାହାଡ଼ରେ ଭର୍ତ୍ତି ନୀଳଗିରି ଜଙ୍ଗଲର ଆକାଶରେ ଉଡୁଥିବା ଏହି ବିରାଟ ହେଲିକପ୍ଟରର ଗର୍ଜନ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥାଏ । ଏତେ ବଡ଼ ଶବ୍ଦରେ ଚମକି ଉଠିଥିଲେ ପର୍ଯ୍ୟଟକ । କଣ ସବୁ ଘଟିଯାଉଥାଏ କେହି ଜାଣୁ ପାରୁନଥାନ୍ତି । ସେପଟେ ଏଟିଏସ ସହ ଯୋଗାୟୋଗ ବିଛିନ୍ନ କରେ ହେଲିକପ୍ଟର ଏମଆଇ ୧୭ । ଦେଖୁ ଦେଖୁ ଜଳିଉଠିଥିଲା ବାୟୁସେନାର ଯୁଦ୍ଧ ବିମାନ । ଜଙ୍ଗଲ ମଝିରେ ଛାରଖାର ହୋଇଯାଇଥିଲା ହେଲିକପ୍ଟର । ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ଜୀବନ ଚାଲିଯାଇଥାଏ । ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ଆଖି ବୁଜନ୍ତି ସିଡିଏସ ବିପିନ ରାୱତ ଓ ପତ୍ନୀ ମଧୁଲିକା । ସେପଟେ ଘଟଣାର ୮ ଦିନ ପରେ ଆଖୁ ବୁଜନ୍ତି ଗ୍ରୁପ କ୍ୟାପଟେନ ବରୁଣ ସିଂ ।

ଉତ୍କଳ ମାଟି ମଧ୍ୟ ହରାଏ ଅନୁଗୋଳର ବୀର ପୁତ୍ର ରାଣାପ୍ରତାପ ଦାସଙ୍କୁ । କାନ୍ଦି ଉଠେ ଜନ୍ମ ଦେଇଥିବା ସେ କୃଷ୍ଣଚନ୍ଦ୍ରପୁର ଗାଁ ପୁଅର ପାର୍ଥୀବ ଶରୀର ପାଖେ ମଥା ପିଟି ମାଆ କାନ୍ଦୁଥାଏ, ବାପା ମନେ ପକାଉଥାଏ କାନ୍ଧରେ ବସି ଯାତରା ଦେଖିବାନେବାକୁ । ସାତ ଜନ୍ମର ସାଥି କରିଥିବା ସେ ଅଭାଗିନୀ ପତ୍ନୀ ବଞ୍ଚିବାର ବାହୁନା ପକାଉଥାଏ । ସେପଟେ କିଏ ବୀର ପୁଅର ସ୍ମୃତି ଗାନ କରୁଥାଏ ତ, ଆଉ କିଏ ନିଜ ସହିଦ ଭାଇ ପାଇଁ ସ୍ଲୋଗାନ ଦେଉଥାଏ ।ବର୍ଷ ଶେଷକୁ ଅକାଳରେ ଦେଶର ବୀର ସନ୍ତାନଙ୍କ ସହିଦ ଖବର ସଭିଙ୍କୁ ସ୍ତମ୍ବୀଭୁତ କରିଦିଏ । ୟୁପିରୁ ଓଡ଼ିଶା । ଏ ଧରା ଭିଜିଯାଏ ଆଖି ଲୁହରେ…

STF ନାର୍କୋଟିକ୍ସ ଅଧ୍ୟକ୍ଷ ହେଲେ ଅଭୟ

ଭୁବନେଶ୍ୱର: ପୂର୍ବତନ ଡିଜିପି ଶ୍ରୀ ଅଭୟଙ୍କୁ ନୂଆ ଦାୟିତ୍ୱ  । ଓଡିଶା ପୋଲିସ ମୁଖିଆ ଭାବେ କର୍ତ୍ତବ୍ୟ ସମ୍ପାଦନ କରିଥିବା ଅଭୟଙ୍କୁ ରାଜ୍ୟ ସରକାର  ଏସଟିଏଫ(ନାର୍କୋଟିକ୍ସ) ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି  । ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଅବସର ପରେ ଅଭୟଙ୍କୁ ମିଳିବ ମୁଖ୍ୟ ଶାସନ ସଚିବ ପାହ୍ୟା  । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରିବା ପରେ ସେ ଅବସର ଗ୍ରହଣ କରିଛନ୍ତି  । ସେପଟେ ଓଡ଼ିଶା ପୋଲିସ ଡିଜିପି ଭାବେ ସୁନିଲ ବଂଶଲ ଶୁକ୍ରବାର ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି  ।

୧୯୮୬ ବ୍ୟାଚ୍‍ର ଆଇପିଏସ୍‍ ଅଧିକାରୀ ଶ୍ରୀ ଅଭୟ ସିବିଆଇ, ସିଆର୍‍ପିଏଫ୍‍ ଓ ବ୍ୟୁରୋ ଅଫ୍‍ ପୁଲିସ ରିସର୍ଚ୍ଚ ଏଣ୍ଡ ଡ଼େଭଲପ୍‍ମେଣ୍ଟର ବିଭିନ୍ନ ଉଚ୍ଚ ପଦରେ କାର୍ଯ୍ୟ କରିଛନ୍ତି। ଏହାବ୍ୟତୀତ ସେ ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‍ସିବି)ର ନିର୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ସେହିପରି ଭାରତ ପକ୍ଷରୁ ଜାତିସଂଘର ଡ଼୍ରଗ୍ସ ସଂକ୍ରାନ୍ତ ସମ୍ମେଳନରେ ମିଆଁମାର, ଆଫଗାନିସ୍ଥାନ, ଶ୍ରୀଲଙ୍କା, ରୁଷିଆ, ଇଣ୍ଡୋନେସିଆ ଆଦି ଦେଶର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଭାଗ ନେଇ ଆନ୍ତର୍ଜାତିକ ନିଶା କାରବାର ନିୟନ୍ତ୍ରଣ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି।

ଦିଲ୍ଲୀ, ହରିଆଣା, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ନିଶା କାରବାର ବୃଦ୍ଧି ପରେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବାର ଆଶଙ୍କା ସୃ୍‍ଷ୍ଟି ହୋଇଛି। ତେଣୁ ପ୍ରତିଷେଧାତ୍ମକ ବ୍ୟବସ୍ଥା ସ୍ୱରୂପ ରାଜ୍ୟରେ ନାର୍କୋଟିକ୍ସ ଓ ଡ଼୍ରଗ୍ସ କାରବାର ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଶ୍ରୀ ଅଭୟଙ୍କୁ ଟାସ୍କ ଫୋର୍ସ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଯାଇଛି। ଡିଜିପି ଭାବରେ ଶ୍ରୀ ଅଭୟଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ରେକର୍ଡ଼ ପରିମାଣର ଡ଼୍ରଗ୍ସ ଜବତ କରାଯାଇଛି ଓ ବହୁ ଡ଼୍ରଗ୍‍ ମାଫିଆ ଗିରଫ ହୋଇଛନ୍ତି।

ଅନୁରୂପ ଭାବରେ ଗଞ୍ଜେଇ ଚାଷ ନିୟନ୍ତ୍ରଣ ଓ ଗଞ୍ଜେଇ ଗଛ ନଷ୍ଟ କ୍ଷେତ୍ରରେ ପୁଲିସ ବିଭାଗକୁ ବେଶ୍‍ ସଫଳତା ମିଳିଛି। ନିଶା ମାଫିଆଙ୍କୁ ସାବାଡ଼ କରିବା କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବାରୁ ଅଭୟଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଥିବା କୁହାଯାଉଛି। ଅଭୟ ନୂଆ ପଦବୀ ପାଇବା ପରେ ଆଗାମୀ ଦିନରେ ଡ୍ରଗ୍ସ କାରବାର ଉପରେ ଅଙ୍କୁଶ ଲାଗିପାରିବ ବୋଲି ଆଶା କରାଯାଉଛି। ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାର ସୁବିଧା ସୁଯୋଗ ମିଳିବ ବୋଲି ସୂଚନା ମିଳିଛି।

କାହାଣୀ ୨୧: ବିଦାୟୀ ବର୍ଷରେ ‘ବିରାଟ’ ବିବାଦ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ପାଇଁ ଇତିହାସ ହୋଇ ରହିବ ବର୍ଷ ୨୦୨୧ । ଧୋନିଙ୍କ ଉତ୍ତରାଧିକାରୀ ତଥା ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ୨୦୨୧ ଥିଲା ବିବାଦର ବର୍ଷ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ କୋହଲିଙ୍କ ବିବାଦ ବର୍ଷ ଶେଷରେ କ୍ରିକେଟ ଦୁନିଆରେ ସୃଷ୍ଟି କରିଥିଲା ଚହଳ । ଟି-୨୦ରେ ଅଧିନାୟକ ପଦରୁ କୋହଲିଙ୍କ ଇସ୍ତଫା ଘୋଷଣା କ୍ରିକେଟ ଦୁନିଆକୁ ଯେତିକି ଚକିତ କରିନଥିଲା ଦିନିକିଆ ଅଧିନାୟକ ପଦରୁ ବିଦା ହେବା ରହିଥିଲା ବେଶ୍ ଚର୍ଚ୍ଚାରେ।

୨୦୧୭ରେ ମହେନ୍ଦ୍ର ସିଂ ଧୋନି ଅଧିନାୟକତ୍ୱ ଛାଡିବାପରେ, ବିରାଟ କୋହଲି ହୋଇଥିଲେ ଭାରତୀୟ କ୍ରିକେଟର ବେତାଜ ବାଦଶାହ। ଏହ ପରେ ୩ ବର୍ଷ ଯାଏ ତାଙ୍କୁ କେହି କଡ଼ା ଟକ୍କର ଦେଇପାରିନଥିଲେ ଏବଂ ସବୁଆଡ଼େ କେବଳ ତାଙ୍କରି ନାଁ ହିଁ ଚମକୁଥିଲା। ବିସିସିଆଇରେ ଦୃଢ଼ ପ୍ରଶାସନର ଅଭାବରେ କୋହଲି ହିଁ ସବୁ ନିଷ୍ପତ୍ତି ନେବା ଆରମ୍ଭ କଲେ । ଏବଂ ଭାରତୀୟ ଦଳର ଭଲ ପ୍ରଦର୍ଶନ ଦେଖି କେହି ଆପତ୍ତି ମଧ୍ୟ କଲେ ନାହିଁ । କିନ୍ତୁ ଆଇସିସି ଟାଇଟଲ ଜିତିବାରେ ବିଫଳ ହୋଇଥିଲା ଦଳ । ତା’ପରେ ସୌରଭ ଗାଙ୍ଗୁଲି ଏବଂ ଜୟ ଶାହା ୨୦୧୯ରେ ବିସିସିଆଇର କମାଣ୍ଡ ଧରିଲେ । ବର୍ଷେ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ଟି-୨୦ ବିଶ୍ୱକପ୍ ପରେ ଟି -୨୦ ଦଳର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ କୋହଲି। ଦିନିକିଆ ଦଳର ଅଧିନାୟକତ୍ୱ ଛାଡିବାକୁ କିନ୍ତୁ ତାଙ୍କର କୌଣସି ଯୋଜନା ନଥିଲା । ହେଲେ ଦିନିକିଆ ଅଧିନାୟକତ୍ୱରୁ ବିସିସିଆଇ ତାଙ୍କୁ ମୁକ୍ତି ଦେଇବା ପରେ ଆରମ୍ଭ ହୋଇଥିଲା ବିବାଦ ।

ଗାଙ୍ଗୁଲିଙ୍କ ସହ ମତଭେଦ

ଗାଙ୍ଗୁଲିଙ୍କ ସହ ମତଭେଦରେ କୋହଲିଙ୍କ ହାତରୁ ODI ଦଳର ଅଧିନାୟକତ୍ୱର ଚାଲିଗଲା। ଯାହାପରେ ଗାଙ୍ଗୁଲି ଓ ତାଙ୍କ ମଧ୍ୟରେ ଥିବା ତିକ୍ତତା ସାମ୍ନାକୁ ଆସିଥିଲା। ଉଭୟ ପରସ୍ପରର ମତକୁ ସର୍ବସାଧାରଣରେ ଅସ୍ୱୀକାର କରିଥିଲେ। ସୀମିତ ଓଭର ଅଧିନାୟକତ୍ୱ ରୋହିତ ଶର୍ମାଙ୍କୁ ହସ୍ତାନ୍ତର କରିଦିଆଗଲା। ଯାହାପରେ କୋହଲି ଓ ବିସିସିଆଇ ମଧ୍ୟରେ ବିବାଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଗଲା। ବର୍ଷ ୨୦୨୧ ଯେମିତି କୋହିଲଙ୍କ ଉପରେ କଳା ବାଦଲ ଭଳି ଢାଙ୍କି ହୋଇଯାଇଥିଲା ।

୨ ବର୍ଷ ହେଲା ଶତକ ଅପେକ୍ଷାରେ କୋହଲି

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଆନ ଟେଷ୍ଟ ମ୍ୟାଚରେ ଉଭୟ ଇନିଂସରେ ବିଫଳ କୋହଲି। ପ୍ରଥମ ଇନିଂସରେ ୩୫ ରନ୍ ଏବଂ ଦ୍ୱିତୀୟ ଇନିଂସରେ ମାତ୍ର ୧୮ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ବିରାଟ କୋହଲି । ଯାହାପରେ, ୨୦୧୯ରୁ ଫ୍ୟାନମାନେ ଅପେକ୍ଷା କରିଥିବା କୋହଲିଙ୍କ ୭୧ ତମ ଶତକ ବି ଅପେକ୍ଷାରେ ହିଁ ରହିଗଲା । ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତକ ମାରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଏହା ୭୦ତମ ଶତକ ଥିଲା। ପଣ୍ଟିଂ ୭୧ ଶତକ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସଚିନ୍ ତେନ୍ଦୁଲକର ୧୦୦ ଶତକ ମାରିଛନ୍ତି। କିନ୍ତୁ ଏହି ଶତକ ପରେ କୋହଲିଙ୍କ ବ୍ୟାଟ୍ ପୂରା ଶାନ୍ତ ପଡ଼ିଯାଇଛି। ୨୦୨୧ରେ ଗୋଟିଏ ମଧ୍ୟ ଶତକ ମାରିପାରିନାହାନ୍ତି କୋହଲି। ଏହା ମଧ୍ୟରେ ୨ ବର୍ଷ ବିତିଗଲାଣି ହେଲେ କୋହଲିଙ୍କ ବ୍ୟାଟରୁ ଶତକୀୟ ପାରି ଦେଖିବାକୁ ମିଳିନାହିଁ । ଏବେ ବି ୭୧ତମ ଶତକ ଅପେକ୍ଷାରେ କୋହଲି ।

କୋହଲି-ରବି ଶାସ୍ତ୍ରୀଙ୍କ ଯୁଗ ଶେଷ

ଟି-୨୦ ବିଶ୍ୱକପରୁ ଟିମ ଇଣ୍ଡିଆ ଶୀଘ୍ର ବାହାରିବା ସହ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ଯୁଗ ମଧ୍ୟ ଶେଷ ହୋଇଯାଇଥିଲା। କୋହଲିଙ୍କ ନେତୃତ୍ୱାଧୀନ ଟେଷ୍ଟ ଦଳର ସମ୍ଭାବନାକୁ କେହି ସନ୍ଦେହ କରୁନାହାଁନ୍ତି, କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିଆନସିପ ଫାଇନାଲରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟ ଫ୍ୟାନଙ୍କୁ ନିରାଶ କରିଛି । ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ତ ପ୍ରବେଶ କରିଥିଲା, କିନ୍ତୁ ଟାଇଟଲ ମ୍ୟାଚରେ ବାଜି ମାରିନେଲା ନ୍ୟୁଜିଲ୍ୟାଣ୍ଡ।

ବିବାଦ ମଧ୍ୟରେ ଶେଷ ହୋଇଥିବା କୋହଲିଙ୍କ କ୍ରିକେଟ୍ ୨୦୨୧ ଆଗକୁ କେଉଁ ଆଡ଼େ ଯାଉଛି ଏହା କେବଳ ତାଙ୍କ ବ୍ୟାଟ୍ କହିବ। ନୂଆବର୍ଷରେ ପୁଣି ପୁରୁଣା ଫର୍ମକୁ ଫେରି କୋହଲି ନିଜ ପ୍ରତିଷ୍ଠା ବଜାଇ ରଖୁଛନ୍ତି ନାଁ ଆଗକୁ ତାଙ୍କ କ୍ୟାରିୟର ଏମିତି ଦୋଦୁଲ୍ୟମାନ ପରିସ୍ଥିତିରେ ଅନ୍ତ ଘଟୁଛି ତାହା ସମୟ କହିବ । ସେ ଯାହାବି ହେଉ ମିଷ୍ଟର କୁଲ ଧୋନୀଙ୍କ ପରେ ଭାରତୀୟ କ୍ରିକେଟକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇ ଥିବା କୋହଲିଙ୍କ କ୍ରିକେଟ କ୍ୟାରିୟରକୁ ବିଶ୍ୱ ସବୁଦିନ ମନେ ରଖିବ ।

କାହାଣୀ ୨୧: ବାଏ ବାଏ ଟ୍ରମ୍ଫ , ହ୍ୱାଇଟ ହାଉସରେ ବାଇଡେନ

ନନ୍ଦିଘୋଷ ବ୍ୟୁରୋ: ୨୦୨୧ରେ ଅନେକ ରାଜନୈତିକ ଘଟଣା ଦେଖିବାକୁ ମିଳିଥିଲା । ଦେଶଠାରୁ ଆରମ୍ଭ କରି ବିଶ୍ୱରେ ଦେଖିବାକୁ ମିଳିଥିଲା ରାଜନୈତିକ ପରିର୍ବତ୍ତନ । ୨୦୨୧ରେ ସବୁଠାରୁ ବଡ଼ ରାଜନୈତିକ ପରିର୍ତ୍ତନ ଦେଖିବାକୁ ମିଳିଥିଲା ଆମେରିକାରେ । ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ଶାସନ ଗାଦିରୁ ହଟାଇ ଆମେରିକା ଶାସନ ଭାର ସମ୍ଭାଳିଥିଲେ ଜୋ ବାଇଡେନ । ଏଥି ସହ ଆମେରିକା ରାଜନୀତିରେ ଆରମ୍ଭ ହୋଇଥିଲା ବାଇଡେନ ଯୁଗ ।

କିନ୍ତୁ ବାଇଡେନଙ୍କ ବିଜୟକୁ ଗ୍ରହଣ କରିପାରିନଥିଲେ ଡୋନାଲ୍ଡ ଟ୍ରମ୍ଫ । ଯାହା ଫଳରେ ଏହି ନିର୍ବାଚନ ଫଳାଫଳକୁ ନେଇ ଆମେରିକାରେ ହୋଇଥିଲା ବଡ଼ ଧରଣର ଦଙ୍ଗା । ଟ୍ରମ୍ପଙ୍କ ସମର୍ଥକମାନେ ଏହି ହିଂସା କରିଥିବା ଜଣାପଡ଼ିଥିଲା । ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ଅନେକ ଲୋକ ଆହତ ହୋଇଥିଲେ । କେବଳ ଏତିକି ନୁହେଁ ୱାଶିଂଟନ୍ ଡି.ସିରେ କର୍ଫ୍ୟୁ ଲାଗୁ କରାଯାଇଥିଲା । କ୍ୟାପିଟୋଲ ବିଲ୍ଡିଂ ପରିସରରେ ଯେଉଁଭଳି ହିଂସା ଦେଖିବାକୁ ମିଳିଲା ତାହା ଆମେରିକା ଇତିହାସ ପୃଷ୍ଠାରେ ଯୋଡ଼ିଲା କଳାଦାଗ । ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶ୍ବ ନେତା ନିନ୍ଦା କରିଥିଲେ ।


ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଜୋ ବାଇଡେନ ୨୦ ଜାନୁଆରୀ ୨୦୨୧ରେ ଶପଥ ଗ୍ରହଣ କରିଥିଲେ । ସେ ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟକ ୮୧.୨୮ ନିୟୁତ ଭୋଟ ପାଇ ନିର୍ବାଚନ ଜିତିଥିଲେ । ବାଇଡେନଙ୍କ ବିଜୟ ସହ ଆମେରିକାରେ ପରିସମାପ୍ତି ହୋଇଥିଲା ଟ୍ରମ୍ଫ ଯୁଗ ଏବଂ ଆରମ୍ଭ ହୋଇଥିଲା ବାଇଡେନ ଯୁଗ । ବାଇଡେନ ରାଷ୍ଟ୍ରପତି ହେବା ସହ ଭାରତୀୟ ବଂଶୋଭବ କମଳା ହାରିସ ପ୍ରଥମ ମହିଳା ଉପ ରାଷ୍ଟ୍ରପତି ଭାବରେ ମଧ୍ୟ ଶପଥ ନେଇଥିଲେ । ବାଇଡେନ ଓ ହାରିସଙ୍କ ଶପଥ ଗ୍ରହଣ ଆମେରିକା ଇତିହାସରେ ସବୁଠାରୁ ଭିନ୍ନ ଥିଲା । କଡ଼ା ସୁରକ୍ଷା ମଧ୍ୟରେ ଶପଥ ଗ୍ରହଣ କରିଥିଲେ ବାଇଡେନ ଓ ହାରିସ । କରୋନା ମହାମାରୀ ପାଇଁ ଖୁବ୍ କମ୍ ସଂଖ୍ୟକ ଅତିଥିଙ୍କ ଗହଣରେ ହୋଇଥିଲା ଏହି ଶପଥଗ୍ରହଣ କାର୍ଯ୍ୟକ୍ରମ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କିନ୍ତୁ ଯୋଗ ଦେଇନଥିଲେ ଟ୍ରମ୍ଫ । ୧୮୬୯ରେ ଆଣ୍ଡ୍ରୁ ଜନସନଙ୍କ ପରେ ପ୍ରଥମ ଥର ପାଇଁ ଟ୍ରମ୍ଫ ତାଙ୍କ ଉତ୍ତରାଧିକାରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନଥିଲେ ।


ଆମରେିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ହିଁ ବଦଳାଇଥିଲେ ଟ୍ରମ୍ଫଙ୍କ ନୀତି । କାର୍ଯ୍ୟଭାର ଗ୍ରହଣ କରିବାର ଗୋଟିଏ ଦିନ ପରେ ହିଁ ୧୫ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଥିଲେ ବାଇଡେନ । ଯେଉଁଥିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ କିଛି ବିଦେଶ ନୀତି ମଧ୍ୟ ସାମିଲ ଥିଲା । ଯାହା କୂଟନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।


ବାଇଡେନ ରାଷ୍ଟ୍ରପତି ଭାବରେ ନିର୍ବାଚତି ହେବା ପରେ ବାଇଡେନ ସରକାର ପାଇଁ ଅନେକ ଚ୍ୟାଲେଞ୍ଜ ରହିଥିଲା । ଆଉ ଏହି ସବୁ ଜଟିଳ ଗଣିତକୁ ସମାଧାନ କରିବେ ଭାରତୀୟ ବଂଶୋଦ୍ଭବ। ଯାହାକି ଆମେରିକା ସହ ଭାରତର ସମ୍ପର୍କକୁ ଆହୁରି ନିବିଡ଼ କରାଇବା ବୋଲି ବିଶ୍ୱାସ ରହିଛି। ଜୋ ବାଇଡେନ୍ ମୋଟ୍ ୨୦ ଭାରତୀୟ ବଂଶୋଦ୍ଭବ ମନୋନୀତ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୩ ଜଣ ମହିଳା ରହିଥିଲେ ।

ବିଜେଡି କାର୍ଯ୍ୟାଳୟରେ କିଶୋରଙ୍କ ସ୍ମୃତି ଚାରଣ

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ପଶ୍ଚିମ ଓଡ଼ିଶାର ବିଶିଷ୍ଠ ଜନନେତା, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ସାଂସଦ ତଥା ବ୍ରଜରାଜନଗର ମାନ୍ୟବର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ଶୋକସଭା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସ ବର୍ମା, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତ, ଭୁବନେଶ୍ଵର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ଅନନ୍ତ ନାରାୟଣ ଜେନା ଓଡ଼ିଶା ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହି ସ୍ଵର୍ଗତ କିଶୋର ମାହାନ୍ତିଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଦଳର ସଧାରଣ ସମ୍ପାଦକ ଦାସ ବର୍ମା, ସ୍ଵର୍ଗତ କିଶୋର ମାହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଓଡ଼ିଶା ଅଣ କଂଗ୍ରେସ ଆନ୍ଦୋଳନ କୁ ଶକ୍ତିଶାଳୀ କରିବାରେ କିଶୋରଙ୍କ ବଳିଷ୍ଠ ଯୋଗଦାନ ଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ ନିଜ ରାଜନୈତିକ ଜିବନ ଆରମ୍ଭ କରି ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳ କୁ ଶକ୍ତିଶାଳୀ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ଵ ନିର୍ବାହ କରିଛନ୍ତି ‌। ତାଙ୍କ ଆବର୍ତ୍ତମାନରେ ବିଜୁ ଜନତା ଦଳ ଏକ ତୁଙ୍ଗ ନେତାଙ୍କୁ ହରେଇଲା । ତାଙ୍କ ଶୁନ୍ୟ ସ୍ଥାନ ବିଜେଡି ପାଇଁ ଏକ ଅପୂରଣୀୟ କ୍ଷତି। ପ୍ରଭୁ ଜଗନ୍ନାଥ, ମା ସମଲେଶ୍ବରୀ ଏହି ଦାରୁଣ ଦୁଃଖ କୁ ସହିବା ପାଇଁ ତାଙ୍କ ପରିବାରବର୍ଗ, ସହଯୋଗୀ, ଶୁଭେଛୁ ଏବଂ ଅଗଣିତ କର୍ମୀଙ୍କୁ ଧର୍ଯ୍ୟ ଦିଅନ୍ତୁ ଏହା ହିଁ ମୋ କାମନା।

ମୁଖ୍ୟମନ୍ତ୍ରୀଙ୍କ ନୂଆ ବର୍ଷ ଭେଟି, ତିନି ପ୍ରତିଶତ ବୃଦ୍ଧିହେଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୦୧.୦୭.୨୦୨୧ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି।

ଏହାଦ୍ବାରା ରାଜ୍ୟର ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ତଥା ପେନ୍‌ସନଭୋଗୀ ଉପକୃତ ହେବେ । ଏହାସହିତ ସପ୍ତମ ବେତନ କମିଶନ ବାବଦ ୩୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ କର୍ମଚାରୀମାନେ ସପ୍ତମ ବେତନ କମିସନ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ବର୍ଦ୍ଧିତ ଦରମାର ୫୦ ପ୍ରତିଶତ ପାଇସାରିଛନ୍ତି। ଏହାଦ୍ବାରା ରାଜ୍ୟର ୪ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ ।

ଅଣ୍ଡର-୧୯ ଏସିଆ କପ: ଶ୍ରୀଲଙ୍କାକୁ ୯ ଓ୍ୱିକେଟରେ ହରାଇ ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ

ଦୁବାଇ: ଚଳିତ ଅଣ୍ଡର-୧୯ ଏସିଆ କପ ଜିତିଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କାକୁ ୯ ଓ୍ୱିକେଟରେ ପରାସ୍ତ କରି ଏସିଆ କପ୍ ଟ୍ରଫି ଉଠାଇଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଭାରତ ୮ ଥର ପାଇଁ ଏସିଆ କପରେ ଚମ୍ପିଆନ ହୋଇଛି । ଏହା ପୂର୍ବରୁ ଭାରତ ୭ ଥର ଫାଇନାଲକୁ ଯାଇଥିଲା ଏବଂ ୭ ଥର ଟାଇଟଲ ନିଜ ନାମରେ କରିଥିଲା । ଚଳିତ ଏସିଆ କପରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଦମଦାର କମବ୍ୟାକ କରିଥିଲା ।

ଆଜି ଫାଇନାଲ ଫାଇଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । କିନ୍ତୁ ଶ୍ରୀଲଙ୍କା ପାଇ ଏହି ନିଷ୍ପତ୍ତି ଭୁଲ ସାବ୍ୟସ୍ତ ହୋଇଥିଲା । ତେବେ ଏହି ମ୍ୟାଚ ବର୍ଷା କାରଣରୁ ୫୦ ବଦଳରେ ୩୮ ଓଭର ଖେଳାଯାଇଥିଲା । ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂକୁ ସାମ୍ନା କରିପାରିନଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ । ଯାହା ଫଳରେ ଶ୍ରୀଲଙ୍କା ୩୮ ଓଭରରେ ୯ ଓ୍ୱିକେଟ ହରାଇ ୧୦୬ ରନ କରିଥିଲା । ଭାରତ ପକ୍ଷରୁ ଭିକି ଓସ୍ତାଲ ୩ଟି ଓ୍ୱିକେଟ ନେଇଥିବାବେଳେ କୈଶାଲ ତାମ୍ବେ ଦୁଇଟି ଓ୍ୱିକେଟ ଅକ୍ତିଆର କରିଥିଲେ । ତେବେ ଫାଇନାଲ ମ୍ୟାଚରେ ଭାରତକୁ ଏକ ସହଜ ଟାର୍ଗେଟ ମିଳିଥିଲା । ଡିଏଲଏସ ମେଥଡରେ ଭାରତକୁ ଏହି ମ୍ୟାଚ ଜିତିବା ପାଇଁ ୩୮ ଓଭରରେ ମାତ୍ର ୧୦୨ ରନ ଦରକାର ଥିଲା । ଯାହା ଭାରତ ୨୧ ଓଭରରେ ହାସଲ କରନେଇଥିଲା । ଭାରତ ପକ୍ଷରୁ ଅଙ୍ଗକ୍ରିସ ରଘୁବଂସୀ ଅପରାଜିତ ୫୬ ରନ କରିଥିବାବେଳେ ଶୈକ ରସିଦ ଅପରାଜିତ ୩୧ ରନ କରିଥିଲେ ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କିଶୋରଙ୍କ ଶେଷକୃତ୍ୟ ସମ୍ପନ୍ନ

ଝାରସୁଗୁଡ଼ା: ପଞ୍ଚଭୂତରେ ବିଲୀନ ହେଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ଶେଷକୃତ୍ୟ । ଝାରସୁଗୁଡାର ମୁକ୍ତି ଧାମରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଶେଷ ବିଦାୟରେ ସାମିଲ ହୋଇଥିଲେ ହଜାର ହଜାର ଶୁଭେଛୁ  ଓ ସମର୍ଥକ । ନିଜର ପ୍ରିୟ ନେତାଙ୍କ ଶେଷ ଝଲକ ପାଇଁ ଲାଗିଥିଲା ଜନ ସମୁଦ୍ର । ପାର୍ଥୀବ ଶରୀରକୁ ଝାରସୁଗୁଡା ଜିଲ୍ଲା ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା ।

ତାହା ପୂର୍ବରୁ ପାର୍ଥିବ ଶରୀରକୁ ମଙ୍ଗଳ ବଜାର ସ୍ଥିତ ବାସଭବନରୁ ନିଆଯାଇ ସହର ପରିକ୍ରମା କରାଯାଇଥିଲା । ବ୍ରଜରାଜନଗର ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାଧାରଣ ଲୋକ ନିଜର ପ୍ରିୟନେତାଙ୍କୁ ଦର୍ଶନ କରିଥିଲେ । ବ୍ରଜରାଜନଗରର ବିଜେଡି କାର୍ଯ୍ୟାଳୟରେ କିଶୋର ମହାନ୍ତିଙ୍କ ଶେଷ ଦର୍ଶନ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ଅପରାହ୍ନରେ ଝାଡ଼େଶ୍ବର ମନ୍ଦିରସ୍ଥିତ ମୁକ୍ତିଧାମ ଠାରେ ପାର୍ଥିବ ଶରୀରକୁ ଶେଷକୃତ୍ୟ କରାଯିବ ।

ଗୁରୁବାର କିଶୋର ମହାନ୍ତିଙ୍କର ଅକାଳ ବିୟୋଗ ହୋଇଥିଲା । ୬୩ ବର୍ଷ ବୟରେ ହୃଦଘାତରେ ଆଖି ବୁଜିଛନ୍ତି ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ବିଜେଡି ନେତା । କିଶୋରଙ୍କ ଦେହାନ୍ତ ଖବର ସମଗ୍ର ଓଡିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି  । ଅକାଳରେ ବିୟୋଗ ଖବରକୁ ବିଶ୍ୱାସ କରିବା ସାଧାରଣ ଲୋକଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି  ।