ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ କ’ଣ ରହିଲା ଭାରତର ଆଭିମୁଖ୍ୟ

2 min read

ନୂଆଦିଲ୍ଲୀ: ଚରମ ସୀମାରେ ଋଷ – ୟୁକ୍ରେନ୍ ବିବାଦ । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ବିଦ୍ରୋହୀଙ୍କ କବଜାରେ ଥିବା ପୂର୍ବ ୟୁକ୍ରେନର ଡୋନେସ୍କ ଓ ଲୁଗାନସ୍କୁ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଆଇନରେ ଦସ୍ତଖତ କରିଛନ୍ତି ଭ୍ଲାଦିମିର ପୁଟିନ । ଋଷ-ୟୁକ୍ରେନ ବିବାଦ ବଢ଼ୁଥିବାବେଳେ ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଚାଲିଛି । ଏହି ବୈଠକରେ ବିଭିନ୍ନ ରାଷ୍ଟ୍ର ଏହି ବିବାଦ ଉପରେ ତାଙ୍କ ପକ୍ଷ ରଖିଛନ୍ତି । ଏହି ବୈଠକରେ ଆମେରିକା, କାନାଡା ଓ ବ୍ରିଟେନ ଋଷର ଏହି ପଦକ୍ଷେପ ପାଇଁ ଦୃଢ଼ ନିନ୍ଦା କରିଛନ୍ତି । କିନ୍ତୁ ଭାରତ ଏହି ବୈଠକରେ ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା କରିବାକୁ ପରାମର୍ଶ ଦେଇଥିଲା ।

ଆଜି ଜାତିସଂଘରେ ହୋଇଥିବା ସୁରକ୍ଷା ପରିଷଦ ବୈଠକର ଭାରତର ସ୍ଥାୟୀ ସଦସ୍ୟ ଟି.ଏସ ତିରୁମୂର୍ତ୍ତୀ କହିଛନ୍ତି କି ଋଷ ଓ ୟୁକ୍ରେନ ମଧ୍ୟରେ ଦେଖାଯାଇଥିବା ବିବାଦ ଅତ୍ୟନ୍ତ ଚିନ୍ତା ଜନକ ଅଟେ । ସେ କହିଛନ୍ତି- ଋଷ- ୟୁକ୍ରେନ ମଧ୍ୟରେ ଦେଖାଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳର ଶାନ୍ତି ଓ ସ୍ଥିରତାକୁ ବିପଦରେ ପକାଇଛି । ଆମେ କେବେ ହେଲେ ସାମରିକ ଉତ୍ତେଜନାକୁ ଗ୍ରହଣ କରିପାରିବା ନାହିଁ । ସବୁ ସମସ୍ୟା କୂଟନୀତିକ ଆଲୋଚନା ଦ୍ୱାରା ସାମାଧାନ ହୋଇପାରିବ ବୋଲି ଆମର ଆଶା ବୋଲି କହିଛନ୍ତି ଟି.ଏସ ତିରୁମୂର୍ତ୍ତୀ ।

ତିରୁମୂର୍ତ୍ତୀ ସୁରକ୍ଷା ପରିଷଦରେ ଆହୁରି କହିଛନ୍ତି ଯେ ୟୁକ୍ରେନରେ ୨୦ ହଜାରରୁ ଅଧିକ ଭାରତୀୟ ନାଗରିକ ଓ ଶିକ୍ଷାର୍ଥୀ ରହୁଛନ୍ତି। ସୀମାନ୍ତ ଅଞ୍ଚଳରେ ମଧ୍ୟ ଅନେକ ଭାରତୀୟ ଶିକ୍ଷାର୍ଥୀ ଅଧ୍ୟୟନ କରୁଛନ୍ତି । ଭାରତୀୟ ନାଗରିକଙ୍କ ସୁରକ୍ଷା ଭାରତ ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।

Leave a Reply