spot_img
Home Blog Page 4730

ଦେଶରେ ବ୍ୟାପୁଛି ଓମିକ୍ରନ୍, ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ କୋଭିଡ୍ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ଏଯାବତ୍ ୧ ହଜାର ୪୩୧ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ୨୩ଟି ରାଜ୍ୟ ଓ କେନ୍ଦ୍ରଶା ସିତ ଅଞ୍ଚଳରେ କାୟା ମେଲାଇଲାଣି ଓମିକ୍ରନ୍ । ଗତ ୨୭୫ ଦିନ ମଧ୍ୟରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୭୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଶୁକ୍ରବାର ଅପେକ୍ଷା ୩୫.୯ ପ୍ରତିଶତ ଅଧିକ । ଏଥିସହ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୪୦୬ ଜଣ ।

ସେପଟେ ମହାରାଷ୍ଟ୍ରରେ ବଢିଛି କରୋନା ସଂକ୍ରମଣ । ରାଜ୍ୟର ୧୦ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର । ଗତ କିଛିଦିନ ଧରି ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମନ୍ତ୍ରୀ ଓ ବିଧାୟକ ସଂକ୍ରମିତ ହେବା ରାଜ୍ୟ ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୮ ହଜାର ୬୭ ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗରେ ୩ ହଜାର ୪୫୧ ଲୋକ ସଂକ୍ରମିତ ହୋଇଥିବା ବେଳେ କେରଳରେ ୨ ହଜାର ୬୭୬ ଲୋକ ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀରେ ୧ ହଜାର ୭୯୬ ଓ ତାମିଲନାଡୁରେ ୧ ହଜାର ୧୫୫ ଜଣ ସଂକ୍ରମିତ ହୋଇଛନ୍ତି ।

ନେତା, ମନ୍ତ୍ରୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର: ନବବର୍ଷର ଅଭିନନ୍ଦନ ଜଣାଇବା ସହ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ଯେମିତି କୌଣସି ଲୋକ ବଞ୍ଚିତ ନହେବେ, ସେ ଦିଗରେ ଜନପ୍ରତିନିଧି ଅଧିକ ଗୁରୁତ୍ବ ଦେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ପକ୍କାଘର ଯୋଜନା, ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମିଳୁଥିବା ସହାୟତା ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାର ଲାଭ ଯେପରି ସାଧାରଣ ଲୋକ ପାଇବେ, ତା’ ଉପରେ ବର୍ଷର ପ୍ରଥମ ଦିନରୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜନପ୍ରତିନିଧି ଲୋକଙ୍କ ସହ ରହି ଲୋକଙ୍କ ସୁଖଦୁଃଖରେ ସାଥୀ ହେବାକୁ ସେ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି । ୨୦୨୨ ଓଡ଼ିଶା ପାଇଁ ସମୃଦ୍ଧିର ବର୍ଷ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଓମିକ୍ରନ ମୁକାବିଲା ପାଇଁ ରାଜ୍ୟବାସୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

୧୪ ବର୍ଷରେ କମିଶନରେଟ ପୋଲିସ

ଭୁବନେଶ୍ବର: ଆଜି ହେଉଛି କମିସନରେଟ୍‌ ପୋଲିସର ପ୍ରତିଷ୍ଠା ଦିବସ । ୧୩ ପୂରି ୧୪ ବର୍ଷରେ ପାଦ ଥାପିଛି କମିଶନରେଟ ପୋଲିସ । ୨୦୦୮ ଜାନୁଆରୀ ୧ରେ ଦ୍ବୈତନଗରୀ ଭୁବନଶ୍ବର-କଟକକୁ ନେଇ ଗଠିତ ହୋଇଥିଲା । ଏହାରି ଭିତରେ ଅନେକ ସଫଳତା ଓ ବିଫଳତା ଦେଖିଛି ।

୨୦୨୨ ପୋଲିସ ପାଇଁ ବଡ଼ ଚାଲେଞ୍ଜ ହେବ । କମିସନରେଟ୍ ପୋଲିସକୁ ଚଳିତବର୍ଷ ୩ଟି ନୂଆ ଥାନା ମିଳିଥିବା ବେଳେ, ଉଭୟ କଟକ ଓ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଅପରାଧ ଶାଖା ଖୋଲା ଯାଇଛି । ଏହି ଅପରାଧ ଶାଖାରେ ସାଇବର ଠକେଇ ମାମଲାର ତଦନ୍ତ ହେବ । ସାଇବର ଅପରାଧ ନିୟନ୍ତ୍ରଣ କମିସନରେଟ୍ ପୋଲିସ ପାଇଁ ବଡ଼ ଆହ୍ବାନ ହେବ ବୋଲି ଜଣାପଡ଼ିଛି । ଅପରାଧ ନିୟନ୍ତ୍ରଣ ପାଇଁ ପିଓପିଡି, ଟିମ୍-୬୦ କାମ କରୁଛି । ଲୋକଙ୍କ ନିକଟତର ହେବା ପାଇଁ ପୋଲିସ ବସ୍ତିକୁ ଚାଲ ଅଭିଯାନ ଚଳାଇଛି । ୨୦୨୧ରେ ଅପରାଧ ବଢ଼ିଥିବା ବେଳେ ଚଳିତବର୍ଷ ଅପରାଧ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।

ସବୁଠି ଇପ୍ସିତାଙ୍କ ପ୍ରଶଂସା

ଭୁବନେଶ୍ବର: ଆର୍କିଟେକଚର ଇଂଜିନିୟରରୁ ଇଙ୍ଗଲିସ୍ ଲିଟେରେଚର । ବିପର୍ଯ୍ୟୟ ଓ ପରିବର୍ତ୍ତିତ ପରିବେଶ ଅନୁସାରେ ଘର ଡିଜାଇନରେ ଲଣ୍ଡନରୁ ସ୍ନାତକ । ଏବେ ୟୁଏନ୍ଡ଼ିପିରେ ସମୁଦ୍ର କୂଳିଆ ଲୋକଙ୍କୁ ବିପର୍ଯ୍ୟୟ ସାମ୍ନା କରିବାର କଳାକୌଶଳ ଶିଖାଇବାର ଦାୟିତ୍ବ ତୁଲାଉଥିବା ଯୁବ ପ୍ରତିଭା ଇପ୍ସିତା ଦାଶଙ୍କ ପ୍ରଥମ ଇଂରାଜୀ ନୋଭେଲ ‘ପ୍ଲାଉଇଙ୍ଗ ଦି ମିରେଜ’କୁ ମିଳୁଛି ସବୁଆଡୁ ପ୍ରଶଂସା । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ଏହି ଉପନ୍ୟାସରେ ଲେଖିକା ଇପ୍ସିତା ଦାଶ ତାଙ୍କ ଲଣ୍ଡନରେ ପାଠପଢା ସମୟର ଅନୁଭୂତିକୁ ଏଥିରେ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି। ଇପସିତାଙ୍କ ଶବ୍ଦ ସଂଯୋଜନା, ଲେଖାଶୈଳୀକୁ ଅନ୍ତର୍ଜାତୀୟ ସ୍ତରରେ ମିଳିଛି ଖୁବ୍ ସୁନାମ ।

କ୍ଲାସରୁମକୁ ମୋବାଇଲ ନେଇ ପାରିବେନି ଶିକ୍ଷକ !

ଭୁବନେଶ୍ବର: କ୍ଲାସରୁମକୁ ଯିବା ବେଳେ ଶିକ୍ଷକ ନେଇ ପାରିବେନି ମୋବାଇଲ । ଯଦି ନେବେ ତେବେ ଫୋନ୍ ସୁଇଚ୍ ଅଫ୍ କରିବେ । ପିଲାଙ୍କ ପାଠବଢ଼ା ବେଳେ ବନ୍ଦ ରହିବ ଶିକ୍ଷକଙ୍କ ମୋବାଇଲ ଫୋନ । ପିଲାଙ୍କ ପାଠପଢ଼ାକୁ ନେଇ ଏମିତି କିଛି ନିୟମ ଆଣିବାକୁ ବିଚାର କରୁଛନ୍ତି ରାଜ୍ୟ ସରକାର । ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ନୂଆବର୍ଷ ଅଭିନନ୍ଦନ ଜଣାଇବା ସହ ମନ୍ତ୍ରୀ ଶିକ୍ଷକଙ୍କୁ ତାଗିଦ କରି କ୍ଲାସରୁମକୁ ଫୋନ ନେବା ଅନୁଚିତ ବୋଲି କହିଛନ୍ତି । କ୍ଲାସରୁମକୁ ଶିକ୍ଷକ ମୋବାଇଲ ନେଇ ଯାଇପାରିବେନି ବୋଲି ସମ୍ବଲପୁର ଡିଇଓ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ‘ସମ୍ବଲପୁର ଡିଇଓ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଭଲ। ଆଗମୀ ଦିନରେ ଏହା ସାରା ରାଜ୍ୟରେ ଲାଗୁ କରିବାକୁ ଵିଚାରବିମର୍ଶ ଚାଲିଛି। ବିଦ୍ୟାଳୟକୁ ଫୋନ ନେବାକୁ ମନା ନାହିଁ, ହେଲେ କ୍ଲାସରୁମକୁ ନୁହେଁ। କ୍ଲାସରୁମକୁ ଫୋନ ନେବାର କିଛି ଆବଶ୍ୟକତା ନାହିଁ। ପାଠପଢ଼ା ସମୟରେ ଫୋନ ଆସିବା ଦ୍ବାରା ଶିକ୍ଷାଦାନ ବ୍ୟାଘାତ ହେଉଛି ।’

ନୂଆବର୍ଷରେ ପାଣିପାଗର ନୂଆ ମିଜାଜ

ଭୁବନେଶ୍ବର: ନୂଆବର୍ଷ ଆସିବା ସହ ବଦଳିଚି ପାଣିପାଗ । ବର୍ଷା ଛାଡ଼ିବା ପରେ ଏବେ ଥରାଇବା ଆରମ୍ଭ କରିଛି ଶୀତ । ଆଜିଠୁ ପୁଣି ରାଜ୍ୟକୁ ଲେଉଟିଛି ଶୀତ । ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ବାୟୁ ପ୍ରବାହରେ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଫଳରେ ଉପାନ୍ତରୁ ଉପକୂଳ ସବୁଠି ପାରା କମିବ। ଏନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା କମିବ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରା କମିବା ସହ ଶୀତ ବଢିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ନବବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନୂଆବର୍ଷରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଓଡ଼ିଶା ପାଇଁ ସମୃଦ୍ଧିର ବର୍ଷ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଓମିକ୍ରନ ମୁକାବିଲା ପାଇଁ ରାଜ୍ୟବାସୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

ବର୍ଷ ଆରମ୍ଭରେ ରକ୍ତରଞ୍ଜିତ ହେଲା ରାଜଧାନୀ

ଭୁବନେଶ୍ବର: ୨୦୨୧ ରାଜଧାନୀ ଭୁବନେଶ୍ବରରେ ଅପରାଧ ଚରମସୀମାରେ ପହଞ୍ଚି ଥିଲା । ହଣାକଟା, ଲୁଟ, ଡକାୟତିଠାରୁ ସାଇବର କ୍ରାଇମ ସାଧାରଣ ଜନତାଙ୍କ ସହ କମିଶନରେଟ ପୋଲିସର ନିଦ ହଜାଇ ଥିଲା । ଆଶା ଥିଲା ନୂଆବର୍ଷ ୨୦୨୨ ନୂଆ ଆଶା ନେି ଆସିବ ଓ ସ୍ଥିତି ସୁଧିରିବ । ହେଲେ ବର୍ଷର ପ୍ରଥମ ଦିନ ହିଁ କହି ଦେଲା କେତେ ଚ୍ୟାଲେଞ୍ଜିଂ ହେବ ପୋଲିସ ପାଇଁ । କାରଣ ପ୍ରଥମ ଦିନରୁ ହିଁ ରକ୍ତରଞ୍ଜିତ ହୋଇଛି ରାଜଧାନୀ ଭୁବେନଶ୍ବର ।

ନୂଆବର୍ଷରେ ହତ୍ୟାକାଣ୍ଡରୁ ଖୋଲିଛି ଭୁବନେଶ୍ବରରେ ଅପରାଧ ଡାଏରୀ । ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ନିର୍ମମ ହତ୍ୟାକାଣ୍ଡ । କାରଣ ଅସ୍ପଷ୍ଟ ଥିବା ବେଳେ ମୃତକ ହେଲେ ଦିପୁ ରାଉତ । ଏୟାରଫିଲ୍ଡ ଥାନା ପୋଲିସର ତଦନ୍ତ ଜାରି ରହିଛି । ସୁନ୍ଦରପଦା ନୂଆସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ନୂଆ ସାହି ଅଞ୍ଚଳର କିଛି ଯୁବକ ନୂଆବର୍ଷ ଭୋଜି କରୁଥିଲେ । ସେହି ସମୟରେ କପିଳେଶ୍ବର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ । ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା । ହେଲେ ହଠାତ କପିଳେଶ୍ଵର ଅଞ୍ଚଳର କିଛି ଯୁବକ ଅତର୍କିତ ଭାବେ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଦିପୁ ରାଉତ ନାମକ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବରପାଇ ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସେହିପରି ମଞ୍ଚେଶ୍ବର ଚକେଇଶିଆଣି ଗାଙ୍ଗୁଆ ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପରିଚୟ ମିଳିପାରିନି । ଗତକାଲି ବିଲମ୍ବିତ ରାତିରେ ଘଟିଛି ଘଟଣା । ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କଲା ପୋଲିସ । ନାଳ ଭିତରେ ସ୍କୁଟି ମଧ୍ୟ ପଡିଥିଲା । ମଞ୍ଚେଶ୍ବର ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରିହଛି ।

ପିଲାଙ୍କୁ ଟିକା ଦେବାକୁ ଆଜିଠୁ ପଞ୍ଜିକରଣ

ଭୁବନେଶ୍ବର: ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ ଆଜିଠାରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେଉଛି । ଟିକାକଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର କିଶୋର ଭ୍ୟାକସିନ୍ ନେବେ । ପ୍ରଥମ ଡୋଜର ୨୮ ଦିନ ବ୍ୟବଧାନରେ ଦ୍ବିତୀୟ ଡୋଜ ଦିଆଯିବ  । ଏଥିପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ସହିତ ୨ ପ୍ରକାରର ବ୍ୟବସ୍ଥା ହୋଇଛି । ଆବଶ୍ୟକ ହେଲେ ସ୍କୁଲରେ ମଧ୍ୟ ଟିକାକରଣ କେନ୍ଦ୍ର ହେବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି । ମାସେ ଭିତରେ କିଶୋରଙ୍କୁ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ ।

ମାତା ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟା, ୧୨ ମୃତ

ଶ୍ରୀନଗର: ନୂଆବର୍ଷରେ ଅଘଟଣ । ଜମ୍ମୁ କାଶ୍ମୀର କତ୍ରାରେ ଥିବା ମାତା ବୈଷ୍ଣୋଦେବୀ ଭବନରେ ଅଭାବନୀୟ ଘଟଣା । ଭିଡରୁ ଦଳାଚକଟା । ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୩ ଜଣ ଗୁରୁତର ଆହତ ହୋଇଥିବା ଜଣାନଡ଼ିଛି ।

ବିଳମ୍ବିତ ରାତି ପ୍ରାୟ ୨ଟା ୪୫ରେ ଏହି ଅଘଟଣ ଘଟିଥିଲା । ୨ ଜଣଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଠେଲାପେଲା ଓ ମାରପିଟ୍ ବେଳେ ଦଳାଚକଟା ସ୍ଥିତି ଉପୁଜିଥିଲା । ଦିଲ୍ଲୀ, ହରିୟାଣା, ପଞ୍ଜାବ ଜଣେ ଜମ୍ମୁ ଓ କଶ୍ମୀରର ବ୍ୟକ୍ତି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟାତ ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ମିଳିବ ।