ତେଜୁଛି ଯୁଦ୍ଧ ଆଶଙ୍କା, ୟୁକ୍ରେନର ଦୁଇଟି ପ୍ରାନ୍ତକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଲା ଋଷ

1 min read

ନୂଆଦିଲ୍ଲୀ: ଚରମ ସୀମାରେ ପହଞ୍ଚିଛି ଋଷ୍-ୟୁକ୍ରେନ୍ ବିବାଦ । ମଧ୍ୟରାତ୍ରୀରେ ପୁଟିନଙ୍କ ସମ୍ବୋଧନ ପରେ ଆହୁରି ବିଗିଡ଼ିଛି ସ୍ଥିତି । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ବିଦ୍ରୋହୀଙ୍କ କବଜାରେ ଥିବା ପୂର୍ବ ୟୁକ୍ରେନର ଦୁଇ ପ୍ରାନ୍ତକୁ ପୁଟିନ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିବା ସହ ସୈନ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡୋନେସ୍କ ଓ ଲୁଗାନସ୍କୁ ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେବା ଆଇନରେ ଦସ୍ତଖତ କରିଛନ୍ତି ଭ୍ଲାଦିମିର ପୁଟିନ । ଏହା ସହ ମସ୍କୋକୁ ବ୍ଲାକମେଲ କରିବା ଚଳିବ ନାହିଁ ବୋଲି ସେ ଖୋଲା ଧମକ ଦେଇଛନ୍ତି ।

ପୁଟିନ୍ ସମ୍ବୋଧନ ସମୟରେ କହିଛନ୍ତି- ଆମେରିକା ଇସାରାରେ କାର୍ଯ୍ୟ କରୁଛି ୟୁକ୍ରେନ । ପଶ୍ଚିମ ଦେଶ ସହଯୋଗରେ ୟୁକ୍ରେନରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ଓ ସେନାକୁ ମଜଭୁତ କରାଯିବା ଋଷର ସାର୍ବଭୌମତ୍ବ ଓ ନିରାପତ୍ତା ଲାଗି ଏକ ବୃହତ ଚାଲେଞ୍ଜ ହେବ । ଇତିହାସରେ ୟୁକ୍ରେନ କେବେ ବି ଏକ ସ୍ବାଧୀନ ରାଷ୍ଟ୍ର ନଥିଲା । ୟୁକ୍ରେନ ଋଷର ପରିବାର ଭଳି । ଡୋନେତସ୍କ ଓ ଲୁହାନସ୍କର ହଜାର ହଜାର ଲୋକଙ୍କୁ ଏବେ ଋଷ ନିଜ ମାଟିରେ ଆଶ୍ରୟ ଦେବାରେ ଲାଗିଛି । ତେବେ ପୁଟିନଙ୍କ ଏଭଳି ନିଷ୍ପତ୍ତି ଅର୍ନ୍ତରାଷ୍ଟ୍ରୀୟ ଆଇନକୁ ଉଲ୍ଲଂଘନ କରିଛି ବୋଲି ଆମେରିକା କହିଛି । ସେପଟେ ଋଷକୁ ଏହାର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ବ୍ରିଟେନ ଓ କାନାଡ଼ା ।

ଅନ୍ୟପଟେ ଋଷର ଆକ୍ରମଣ ନିର୍ଦ୍ଦେଶ ପରେ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ପରିଷଦ ସହ ବୈଠକ କରିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଦୋମିର ଜେଲେନସ୍କି । ସେହିପରି ଋଷର ଦାବିକୁ ନେଇ ଆଜି ଜରୁରୀ ବୈଠକ ଡାକିଛନ୍ତି ମିଳିତ ଜାତିସଂଘ । ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ରୁ ନ୍ୟୁୟର୍କଠାରେ ଏହି ବୈଠକ ଆରମ୍ଭ ହୋଇଛି । ଋଷ୍ ଅଧ୍ୟକ୍ଷତାରେ ହେଉଥିବା ଏହି ବୈଠକରେ UNSC ସଦସ୍ୟ ହିସାବରେ ଭାରତ ମଧ୍ୟ ବୈଠକରେ ଉପସ୍ଥିତ ରହିଛି । ୟୁରୋପରେ ସୃଷ୍ଟି ହୋଇଥିବା ଯୁଦ୍ଧ ସଙ୍କଟ ପୂରା ବିଶ୍ୱ ପାଇଁ ସଙ୍କଟ ସୃଷ୍ଟି କରୁଛି । ଉଭୟ ପକ୍ଷ କୂଟନୈତିକ ସ୍ତରରେ ଆଲୋଚନା କରି ଶାନ୍ତି ବଜାୟ ରଖିବାକୁ ଅପିଲ କରିଛିନ୍ତି ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ।

Leave a Reply