ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇପାରେ ଆନ୍ତର୍ଜାତିକ ବିମାନ ସେବା

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇପାରେ ଆନ୍ତର୍ଜାତିକ ବିମାନ ସେବା । ସମସ୍ତ କୋଭିଡ ପ୍ରୋଟୋକଲ ତଥା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପିକୁ ଆଧାର କରି ବିମାନ ସେବା ଆରମ୍ଭ ହେବ । ବିମାନ ସେବା ଯଥାରୀତି ଚାଲୁ କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଦେଶ ତଥା ବିଶ୍ୱରେ କୋଭିଡ ସ୍ଥିତିରେ ସୁଧାର ଆସିଥିବାରୁ ବିମାନ ସେବା ପୁନର୍ବାର ସ୍ୱାଭାବିକ କରିବା ଲାଗି ମନ୍ତ୍ରଣାଳୟ ଚିନ୍ତା କରିଛି । ବିମାନ ସେବା ନେଇ ବିଧିବଦ୍ଧ ଭାବେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନଥିଲେ ସୁଦ୍ଧା ବିଶେଷ ସୂତ୍ରକୁ ଆଧାର କରି ଏହା କୁହାଯାଇଛି ।

ଭାରତ ଆସୁଥିବା ଯାତ୍ରୀଙ୍କ ଲାଗି ଗତ ଫେବ୍ରୁଆରୀ ୧୫ ତାରିଖରେ ଜାରି ହୋଇଥିବା ଗାଇଡଲାଇନକୁ ଅବଲମ୍ବନ କରାଯିବ ବୋଲି କୁହାଯାଇଛି । ବିଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ଲାଗି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତ ଫେବ୍ରୁଆରୀ ୧୪ରେ ଗାଇଡଲାଇନ ଜାରି ହୋଇଥିଲା । ନୂଆ ନିୟମ ଅନୁସାରେ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ଲାଗି ଥିବା ବାଧ୍ୟତାମୂଳକ ବ୍ୟବସ୍ଥାକୁ ହଟାଇ ଦିଆଯାଇଥିଲା । ଏହା ସହ ଆଟ୍ ରିସ୍କ ଦେଶର ତାଲିକା ମଧ୍ୟ ରଦ୍ଦ କରାଯାଇଥିଲା । କୋଭିଡ ଯୋଗୁ ଗତ ୨୦୨୦ ମାର୍ଚ୍ଚ ୨୩ରୁ ଭାରତରେ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିଛି । କେବଳ ଏୟାର ବବଲ ଆରେଞ୍ଜମେଣ୍ଟ ଅନୁସାରେ ଭାରତ ଓ ଅନ୍ୟ ୪୦ଟି ରାଷ୍ଟ୍ର ସହ ଗତ ଜୁଲାଇ ୨୦୨୦ରୁ ସ୍ୱତନ୍ତ୍ର ବିମାନ ସେବା ଜାରି ରହିଛି ।

Leave a Reply