spot_img
Home Blog Page 4705

ଗୁଗଲ୍ ଓ ଫେସବୁକ୍ ଉପରେ ୨୩୭ ମିଲିଅନ୍ ଡଲାରର ଜରିମାନା

ନୂଆଦିଲ୍ଲୀ: ଗୁଗଲ୍ ହେଉ କି ଫେସବୁକ୍ । ଡିଜିଟାଲ୍ ଜମାନାରେ ଗୁଗଲ୍ ଓ ଫେସବୁକ ଉପରେ ଅଧିକାଂଶ ନିର୍ଭରଶୀଳ । କହିବାକୁ ଗଲେ ଦିନ ଆରମ୍ଭ ହୁଏ ଫେସବୁକରୁ ରାତି ସରେ ଗୁଗଲରେ । ବିଶ୍ୱର ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ସହ ଲୋକପ୍ରିୟ ସୋସିଆଲ୍ ମିଡିଆ ଫେସବୁକର ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ବଦଳୁ ଥିବା ଦୁନିଆ ସହ କମ୍ପାନୀ ନୂଆ ନୂଆ ଫିଚର ଆଣୁଛନ୍ତି । ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପକୁ ଟ୍ରାକିଂ କରୁଥିବା ଏହି ୨ କମ୍ପାନୀଙ୍କ ଉପରେ ଫ୍ରାନ୍ସ ନେଇଛି କାର୍ଯ୍ୟାନୁଷ୍ଠାନ ।

କୁକିଜ୍ ପାଇଁ ଏବେ ଏହି ୨ କମ୍ପାନୀଙ୍କୁ ଦେବାକୁ ପଡ଼ିବ ବଡ଼ ପରିମାଣର ଜରିମାନା । ଗୁଗଲ୍ ଓ ଫେସବୁକ୍ ଉପରେ ଅରବ ଟଙ୍କାର ଜରିମାନା ଲଗାଯାଇଛି । ଫ୍ରେଞ୍ଚ୍ ରେଗୁଲେଟର ଉଭୟ କମ୍ପାନୀ ଉପରେ ୨୩୭ ମିଲିଅନ୍ ଡଲାର ଯାହାକି ଭାରତୀୟ ମୁଦ୍ରାରେ ୧୭.୬ ଅରବ ଟଙ୍କାର ଫାଇନ୍ କରିଛନ୍ତି । ଅନଲାଇନ୍ ଟ୍ରାକିଂରୁ ବର୍ତ୍ତିବା ଲାଗି ଆବଶ୍ୟକତା ମୁତାବକ ବିକଳ୍ପ ନଥିବାରୁ ଏହି ୨ ଆମେରିକୀୟ କମ୍ପାନୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି ସିଏନ୍ଆଇଏଲ୍ ।

Google Facebook Fines By France Millions Euros For Cookies Breaches

ରିପୋର୍ଟରେ କୁହାଯାଇଛି, ବ୍ୟବହାରକାରୀଙ୍କୁ କୁକିଜ୍ ଗ୍ରହଣ ଲାଗି ବିକଳ୍ପ ଦିଆଯାଇଥିବା ବେଳେ ମନା କରିବା ଲାଗି କୌଣସି ସହଜ ବାଟ ନାହିଁ । କୁକିଜକୁ ମନା କରିବା ଅନେକ ଥର କ୍ଲିକ୍ କରିବାକୁ ପଡ଼ୁଛି । ଆମେରିକା ଅପେକ୍ଷା ୟୁରୋପରେ କଡ଼ା ନିୟମ ରହିଛି । ବ୍ୟବହାରକାରୀଙ୍କ ଉପରେ ନଜର ରଖିବା ଲାଗି ୱେବସାଇଟକୁ ଅନୁମତି ନେବାକୁ ପଡ଼ିଥାଏ ।

ସିଏନ୍ଆଇଏଲ୍ ଅନୁସାରେ, ଫେସବୁକ ଓ ଗୁଗଲର ଫ୍ରେଞ୍ଚ୍ ହୋମପେଜ୍ ଏବଂ ୟୁଟ୍ୟୁବ୍ ବ୍ୟବହାରକାରୀଙ୍କୁ ଅନୁମତି ମାଗୁଛି । ଯାହାକି ଫ୍ରେଞ୍ଚ ତଥ୍ୟ ସୁରକ୍ଷା ନିୟମର ଉଲ୍ଲଂଘନ । ଫ୍ରେଞ୍ଚ୍ ବଞ୍ଚଡଗ୍ ଗୁଗଲ୍ ଉପରେ ୧୫୦ ମିଲିଅନ୍ ୟୁରୋ ଏବଂ ଫେସବୁକ୍ ଉପରେ ୬୦ ମିଲିଅନ୍ ୟୁରୋ ଫାଇନ୍ ଲଗାଇଛି । ଆହୁରି କୁହାଯାଇଛି କମ୍ପାନୀ ୩ ମାସ ମଧ୍ୟରେ ବ୍ୟବହାରକାରୀଙ୍କ ଲାଗି ଏହି ପ୍ରକ୍ରିୟାକୁ ସହଜ ନକଲେ ଦୈନିକ ୮୫ କୋଟି ଟଙ୍କା ଜରିମାନା ବାବଦକୁ ଦେବାକୁ ହେବ ।

SRCଙ୍କ ନୂଆ ଗାଇଡଲାଇନ, ଜାନୁଆରୀ ୧୦ରୁ ବନ୍ଦ ରହିବ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୨୭ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି SRC । ନୂଆ ଗାଇଡଲାଇନ ଅନୁସାରେ ଆସନ୍ତା ଜାନୁଆରୀ ୧୦ରୁ ରାଜ୍ୟରେ ଥିବା ସମସ୍ତ କଲେଜ ଓ ୟୁନିଭର୍ସିଟି ବନ୍ଦ ରହିବ । କେବଳ ମେଡିକାଲ କଲେଜ ଓ ନର୍ସିଂ କଲେଜ ଖୋଲା ରହିବ ବୋଲି SRC ନୂଆ ଗାଇଡଲାଇନରେ କହିଛନ୍ତି ।

ସେହିପରି ରାଜ୍ୟରେ ଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଆସନ୍ତା ୧୦ରୁ ବନ୍ଦ ରହିବ । ସବୁ କଲେଜ ଓ ୟୁନଭର୍ସିଟି ବନ୍ଦ ରହିଥିବାବେଳେ ଅନଲାଇନରେ କିନ୍ତୁ ଜାରି ରହିବ ପାଠପଢ଼ା । ତେବେ ବର୍ତ୍ତମାନ ଜାରି ରହିଥିବା ଅଫଲାଇନ ପରୀକ୍ଷା ଜାରି ରହିବ ବୋଲି ଏହି ଗାଇଡଲାଇନରେ ଉଲ୍ଲେଖ ରହିଛି । ସେହିପରି କୋଚିଂ ସେଣ୍ଟର ବି ଜାନୁଆରୀ ୧୦ରୁ ବନ୍ଦ ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସଂଗୃହିତ ବସ୍ତ୍ର ପ୍ରଦାନ

ଭୁବନେଶ୍ୱର:  ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେ ସଂଗୃହିତ ବସ୍ତ୍ର ପ୍ରଦାନ  । ଗୁରୁବାର ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମର ୪୨ ନମ୍ବର ୱାର୍ଡରେ ଅବସ୍ଥିତ ମୟୁର କ୍ଲବ୍ (ଷ୍ଟେସନ୍ ବଜାର ପାଖ ଚିନ୍ତାମଣିଶ୍ୱର ପେଟ୍ରୋଲ ପମ୍ପ ସାମ୍ନା) ଠାରେ ବଣ୍ଟନ କରାଯାଇଥିଲା ।

“ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ବସ୍ତ୍ର ଗୁଡିକୁ ଯେଉଁମାନଙ୍କର ବସ୍ତ୍ରର ଅଭାବ ଅଛି ସେହିମାନଙ୍କୁ ବଂଟନ କରାଯାଇଥିଲା । ୧୪୦ ପରିବାରଙ୍କୁ ନୂତନ କମ୍ବଳ ବଂଟନ କରାଯାଇଥିଲା । ବସ୍ତ୍ର ଅଭାବ ଥିବା ଲୋକମାନଙ୍କୁ ଖଣ୍ଡେ ବସ୍ତ୍ର ଦେଇ ସେହିମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ “ଉଡ୍ର” ତରଫରୁ ଏହା ଏକ ଛୋଟ ପ୍ରୟାସ । ଏହି ବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଓଡିଶାର ବିଭିନ୍ନ ସ୍ଥାନ ମାନଙ୍କରେ ବିଗତ ୬ ବର୍ଷ ହେବ ହୋଇ ଆସୁଅଛି ।

ପୂର୍ବ ବର୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ, କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହିଥିଲେ । ଏହି କାର୍ଯକ୍ରମରେ udra ଟ୍ରଷ୍ଟର କର୍ମକର୍ତ୍ତା ଓ ସ୍ବେଛାସେବୀ ସହଯୋଗ ପ୍ରଦାନ କରିଥିଲେ ।

 

ଆକ୍ସନରେ ରାଉରକେଲା ମହାନଗର ନିଗମ, ବନ୍ଦ ହେଲା ହ୍ୟାଣ୍ଡଲୁମ୍ ମେଳା

ରାଉରକେଲା: ଷ୍ଟିଲ ସିଟିରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ  ।  ସହରର ସେକ୍ଟର ୨୨ କମ୍ୟୁନିଟି ସେଣ୍ଟରରେ ଚାଲିଥିବା ହ୍ୟାଣ୍ଡଲୁମ୍ ମେଳାକୁ ଆଜିଠୁ ବନ୍ଦ କରିଛି ମହାନଗର ନିଗମ । ମେଳାରେ ଭିଡ ହେଉଥିବା ଅଭିଯୋଗ ପାଇବା ପରେ ରାଉରକେଲା ମହାନଗର ନିଗମର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ମେଳାକୁ ବନ୍ଦ କରିଛି ।

ସୂଚନା ମୁତାବକ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏହି ହ୍ୟାଣ୍ଡଲୁମ୍ ମେଳା ଚାଲିବା ନେଇ ଅନୁମତି ରହିଥିଲା  । କିନ୍ତୁ ଏହି ସମୟରେ କୋଭିଡ ନିର୍ଦ୍ଦେଶାବଳୀ ଅନୁପାଳନ କରିବାରେ ତ୍ରୁଟି ପରିଲିଖିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆବଶ୍ୟକ ଠାରୁ ଯଥେଷ୍ଟ ଅଧିକ ଲୋକେ ପ୍ରବେଶ କରିଥିଲେ ଯଦ୍ୱାରା ସଂକ୍ରମଣ ବ୍ୟାପିବା ସ୍ଥିତି ସୃଷ୍ଟି ହୋଇଥିଲା  । ଫଳରେ ମେଳାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ବନ୍ଦ କରାଯାଇଛି ।

ତୈଳ ଦରକୁ ନେଇ ଜଳୁଛି କାଜଖସ୍ତାନ, ୪୮ ମୃତ

ନୂଆଦିଲ୍ଲୀ: ମଧ୍ୟ ଏସୀୟ ରାଷ୍ଟ୍ର କାଜଖସ୍ତାନରେ ଖୁନି ହିଂସା । ତୈଳ ଦର ବୃଦ୍ଧି ପ୍ରତିବାଦରେ ଆରମ୍ଭ ହୋଥିବା ବିକ୍ଷୋଭ ଏବେ ସାରାଦେଶରେ ନିଆଁ ଭଳି ବ୍ୟାପିଛି । ଦେଶର ଅଧିକାଂଶ ସ୍ଥାରେ ହିଂସା, ରକ୍ତପାତ ପରେ ରାଷ୍ଟ୍ରପତି ପୂରା ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ତେବେ ଏହି ହିଂସାରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅନେକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ହିଂସାରେ ୧୨ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ମୋଟ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୨୦୦୦ ଲୋକଙ୍କୁ ଗିରଫ କରାଯାଇଛି ।

କାଜଖସ୍ତାନରେ ସ୍ଥିତି ଅତି ଗମ୍ଭୀର ହେଉଥିବା ବେଳେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶାନ୍ତିରକ୍ଷକ ସୈନ୍ୟକୁ ପଠାଇଛନ୍ତି । କାଜଖସ୍ତାନର ସବୁଠୁ ବଡ଼ ସହର ଅଲମାଟିରେ ରାଷ୍ଟ୍ରପତି ଭବନ, ମେୟରଙ୍କ ବାସଭବନ ଓ ଅନ୍ୟ କେତେକ ସରକାରୀ ଅଫିସ ଭଙ୍ଗାରୁଜା କରିଛନ୍ତି । ଗତ କିଛିଦିନ ଧରି ବିକ୍ଷୋଭ ଚାଲିଥିବା ବେଳେ ପୋଲିସ ପ୍ରଦର୍ଶନକାରୀ ମୁହାଁମୁହିଁ ହୋଇଥିଲେ । କାଜଖସ୍ତାନରେ ଭୀଷଣ ଥଣ୍ଡା ପଡୁଥିଲେ ବି ବିକ୍ଷୋଭକାରୀଙ୍କ ଉପରକୁ ପୋଲିସ ଓ୍ବାଟର କ୍ୟାନନ ମାଡ କରୁଥିବା ଦେଖାଯାଇଛି ।

ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରି ଶବ ସହ ଫେରାର୍ ହେଉଥିଲେ ଦମ୍ପତି

ପୁନେ: ବାପାମାଆ… ସବୁ ସନ୍ତାନ ସନ୍ତତିଙ୍କ ମଙ୍ଗଳ ଚାହାନ୍ତି । ଛୁଆକୁ କିଏ ଟିକେ କ’ଣ କହିଲେ ବାପାମାଆଙ୍କ ଦେହ ସହେନି । ସେମାନେ ଛୁଆକୁ ରକ୍ଷା କରିବାକୁ ଆଗେଇ ଆସନ୍ତି । ହେଲେ ମହାରାଷ୍ଟ୍ରରେ ହାଇଦ୍ରାବାଦର ଦମ୍ପତି ଘଟାଇଥିବା କାଣ୍ଡ ସମସ୍ତଙ୍କୁ ବିସ୍ମିତ କରିଛି । ଏଠି ନାବାଳିକା ଝିଅର ଶବ ସହ ଟ୍ରେନରେ ଯାତ୍ରା ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଯାତ୍ରା କରିଛନ୍ତି ଦମ୍ପତି ।

ଟ୍ରେନରେ ଥିବା ଯାତ୍ରୀଙ୍କ ଅଭିଯୋଗ ପରେ ହାଇଦ୍ରାବାଦର ଦମ୍ପତିଙ୍କୁ ମହାରାଷ୍ଟ୍ରର ସୋଲାପୁର ରେଲୱେ ଷ୍ଟେସନରୁ ଗିରଫ କରାଯାଇଛି । ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରି ଗିରଫ ଦମ୍ପତି ରାଜସ୍ଥାନ ନେଇ ଫେରାର୍ ହେଉଥିଲେ । ରାଜସ୍ଥାନ ଯିବା ପାଇଁ ସେମାନେ ସିକନ୍ଦରାବାଦ-ରାଜକୋଟ ଏକ୍ସପ୍ରେସରେ ଚଢ଼ିଥିଲେ । ଆଉ ଯାତ୍ରା ଆରମ୍ଭରୁ ଝିଅଟି ଶୋଇ ରହିଥିବାରୁ ସନ୍ଦେହ କରିଥିଲେ ସହଯାତ୍ରୀ ।

Hyderabad couple arrested on charges of rape and murder of their minor daughter

ପ୍ରାୟ ୬ ଘଣ୍ଟା ଧରି ଝିଅଟି ଶରୀରର ଅଚଳାବସ୍ଥା ଦେଖି ଅନ୍ୟ ଯାତ୍ରୀ ରେଲୱେ ପୋଲିସକୁ ଜଣାଇଥିଲେ । ଯାହାପରେ ଜିଆରପି, ସୋଲାପୁର ପୋଲିସକୁ ଆର୍ଲଟ କରିଥିଲା । ପୋଲିସ ଟ୍ରେନରୁ ମୃତଦେହ ଜବତ କରିବା ସହ ଦମ୍ପତିଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ, ନାବାଳିକାର ବାପା ପ୍ରଥମେ ଝିଅକୁ ଦୁଷ୍କର୍ମ କରିବା ପରେ ଗଳା ଚିପି ହତ୍ୟା କରିଛି ।

ଝିଅକୁ ଦୁଷ୍କର୍ମ, ହତ୍ୟା ପରେ ସ୍ତ୍ରୀ ଓ ପୁଅକୁ ଧମକାଇ ପ୍ରମାଣ ନଷ୍ଟ ପାଇଁ ରାଜସ୍ଥାନ ପୈତୃକ ଘରକୁ ନେଇ ଯାଉଥିଲା ସୈତାନ । ଏନେଇ ରେଲୱେ ପୋଲିସରେ ଏକ ମାମଲା ରୁଜୁ କରାଯାଇଛି । ଜିଆରପି ମାମଲାକୁ ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତ କରିଥିବା ବେଳେ ତଦନ୍ତ ଜାରି ରହିଛି ।

ତାଲିବାନ ସେନାରେ ଭର୍ତ୍ତି ହେବେ ସୁଇସାଇଡ ବମର

ନୂଆଦିଲ୍ଲୀ: ତାଲିବାନର ଆଉ ଏକ ବର୍ବର ନିଷ୍ପତ୍ତି । ଶତ୍ରୁଙ୍କଠାରୁ ଇସଲାମିକ ଷ୍ଟେଟକୁ ରକ୍ଷା କରିବା ପାଇଁ ସେନାରେ ସୁଇସାଇଡ ବମର ବା ଆତ୍ମଘାତି ବିସ୍ଫୋରକ ଭର୍ତ୍ତି କରିବ ତାଲିବାନ । ଆଫଗାନିସ୍ତାନକୁ୍ ଜବରଦସ୍ତି କବଜା କରିବା ପରେ ଆତ୍ମଘାତୀ ବିସ୍ଫୋରକଙ୍କୁ ବ୍ୟବହାର କରି ଆମେରିକା ଓ ଆଫଗାନ ସୈନିକଙ୍କୁ ଡରାଇବାରେ ସଫଳ ହୋଇଥିଲା ତାଲିବାନ । ଏବେ ପୂରା ଦେଶକୁ କବଜା କରିବା ପରେ ପୁଣି ଥରେ ସୁଇସାଇଡ ବମ୍ବରଙ୍କୁ ସାମିଲ କରିବାକୁ ତାଲିବାନ ନିଷ୍ପତ୍ତି ନେଇଛି । ଆଫଗାନିସ୍ତାନର ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ତାଲିବାନର ଉପ ପ୍ରବକ୍ତା ବିଲାଲ କରିମୀ କହିଛନ୍ତି ।

ଗତ ବର୍ଷ କ୍ଷମତାକୁ ଆସିବା ପୂର୍ବରୁ ତାଲିବାନ ୨୦ ବର୍ଷର ଯୁଦ୍ଧରେ ଆମେରିକା ଏବଂ ଆଫଗାନିସ୍ତାନ ସୈନ୍ୟଙ୍କୁ ଆକ୍ରମଣ ଏବଂ ପରାସ୍ତ କରିବା ପାଇଁ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଏକ ପ୍ରମୁଖ ଅସ୍ତ୍ର ଭାବରେ ବ୍ୟବହାର କରିଥିଲା। ବର୍ତ୍ତମାନ ଏହି ଗୋଷ୍ଠୀ ଏକ ୟୁନିଟ୍ ଅଧୀନରେ କାର୍ଯ୍ୟ କରିବା ଏବଂ ଆଫଗାନିସ୍ତାନର ସୁରକ୍ଷା ପାଇଁ ସାରା ଦେଶରେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଏକ ସ୍କାଡ ଗଠନ କରିବାକୁ ଚାହୁଁଛି ବୋଲି ତାଲିବାନର ଡେପୁଟି ମୁଖପାତ୍ର ବିଲାଲ କରିମୀ କହିଛନ୍ତି।

 

ମମତାଙ୍କ ଦାବି, ପ୍ରଧାନମନ୍ତ୍ରୀ ଆଜି ଉଦଘାଟନ କରିଥିବା ହସ୍ପିଟାଲର ଉଦଘାଟନ ପୂର୍ବରୁ କରି ସାରିଛି

କୋଲକାତା: ଶୁକ୍ରବାର ପିଏମ୍ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚିତ୍ତରଞ୍ଜନ ରାଷ୍ଟ୍ରୀୟ କ୍ୟାନସର ସଂସ୍ଥାର ଦ୍ୱିତୀୟ କ୍ୟାମ୍ପସର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ । ତେବେ କାର୍ଯ୍ୟକ୍ରମ ବେଳେ ମମତାଙ୍କ ଅସନ୍ତୋଷ ପୁଣି ବାରି ହୋଇ ପଡ଼ିଛି । ମମତା ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ହସ୍ପିଟାଲର ଉଦଘାଟନ କରିଛନ୍ତି । ସେହି କ୍ୟାମ୍ପସକୁ ସେ ପୂର୍ବରୁ ଉଦଘାଟନ କରି ସାରିଛନ୍ତି ।

ମଞ୍ଚ ପରିଚାଳନା କରୁଥିବା ଆଙ୍କରୁ ମମତା କହିଛନ୍ତି, ତୁମେ ମୋ ଟାଇଟଲ ଭୁଲି ଯାଇଛ କିମ୍ବା ଡରି ଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦୁଇ ଥର ଫୋନ୍ କରିଛି । କୋଲକାତାର ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ ଅଛି, ତେଣୁ ମୁଁ ସାମିଲ୍ ହେଲି । କିନ୍ତୁ ପ୍ରଧାନମନ୍ତ୍ରୀ ଜଣାଇ ଦେବାକୁ ଚାହୁଁଛି ଏହାର ଉଦଘାଟନ୍ ଆମେ ଆଗରୁ କରି କରୋନା କେନ୍ଦ୍ର କରିଛୁ । ଏହା ବେଶ୍ ସହାୟକ ହୋଇଛି ।

ମମତା ଆହୁରି କହିଛନ୍ତି, କ୍ୟାନସର ହସ୍ପିଟାଲ ଲାଗି ଆମେ ୨୫ ପ୍ରତିଶତ ଅର୍ଥ ଦେଇଛୁ । ହସ୍ପିଟାଲ ପାଇଁ ରାଜ୍ୟ ସରକାର ୧୧ ଏକର ଜମି ଦେଇଛନ୍ତି । ଏଥିପାଇଁ ଯେତେବେଳେ ଜନତାଙ୍କ କଥା ଆସୁଛି ତ କେନ୍ଦ୍ର ଓ ରାଜ୍ୟ ସରକାର ମିଶିକରି କାମ କରିବା ଉଚିତ୍ ।

ଟ୍ବିନସିଟିକୁ ରାତିରେ ଜଗିବେ ୨୫ ପ୍ଲାଟୁନ୍ ପୋଲିସ୍

ଭୁବନେଶ୍ବର: ଆଜିଠୁ ଟ୍ବିନସିଟିରେ ଲାଗୁ ହେବ ନାଇଟକର୍ଫ୍ୟୁ । ରାତି 9 ଟାରୁ ସକାଳ ୫ ଯାଏଁ ଲାଗିବ କଟକଣା । ଫେବ୍ରୁଆରୀ 1 ଯାଏଁ ବଳବତ୍ତର ରହିବ । କୋଭିଡ ନିମୟ ଭାଙ୍ଗି ଅମାନିଆ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି, ‘ଟ୍ବିନସିଟିରେ ନିୟୋଜିତ ହେବେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଫିସର । ଦୋକାନ, ମଲ, ହୋଟେଲ ମାଲିକଙ୍କ ଦାୟିତ୍ବ କୋଭିଡ ନିୟମ ପାଳନ କରିବା । ନିୟମ ଭଙ୍ଗ ହେଲେ 7 ଦିନ କିମ୍ବା ଅଧିକ ଦିନ ଯାଏଁ ଦୋକାନ ସିଲ ହେବ । ତୃତୀୟ ଲହର ମୁକାବିଲା ପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ । ଏଥିପାଇଁ ଲୋକେ ଆମକୁ ସହଯୋଗ କରିବା ଆବଶ୍ୟକ ।’

ଟି-୨୦ କ୍ରିକେଟରେ ନିୟମ ବଦଳାଇଲା ICC, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ…

ଦୁବାଇ: ବଦଳିଲା ଟି-୨୦ କ୍ରିକେଟର ନିୟମ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଶୁକ୍ରବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ନିୟମ ପରିବର୍ତ୍ତନ କରିଛି । ୧୬ ଜାନୁଆରୀରେ ଓ୍ୱେଷ୍ଟଇଣ୍ଡିଜ୍ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏକମାତ୍ର ଟି-୨୦ ମ୍ୟାଚରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ।

 

ନିୟମ ଅନୁଯାୟୀ, ଉଭୟ ପୁରୁଷ ଓ ମହିଳା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସ୍ଲୋ-ଓଭର ରେଟ୍ ପାଇଁ ଦଣ୍ଡ ସେହି ମ୍ୟାଚ ମଧ୍ୟରେ ଦିଆଯିବ । ଏହା ସହିତ ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ଟି-୨୦ ସିରିଜର ପ୍ରତ୍ୟେକ ଇନିଂସ ମଧ୍ୟରେ ଅଢ଼େଇ ମିନିଟର ଡ୍ରିଙ୍କ୍ସ ବ୍ରେକ ନେଇ ପାରିବେ। କିନ୍ତୁ ଏଥିପାଇଁ ଟି-୨୦ ସିରିଜ ପୂର୍ବରୁ ଉଭୟ ଦେଶର ବୋର୍ଡ ଏହା ଉପରେ ଆପୋଷ ବୁଝାମଣା କରିବାକୁ ପଡ଼ିବ ।

ICCର ନୂଆ ନିୟମ ଅନୁସାରେ ଯଦି ଏକ ଟିମ୍ ନିର୍ଦ୍ଧାରିତ ସମୟ ପଛରେ ରହିବ ତେବେ ଅବଶିଷ୍ଟ ଓଭରରେ ବୋଲିଂ ଦଳର ଗୋଟିଏ କମ୍ ଖେଳାଳି ୩୦ ଗଜ ବାହାରେ ରହିବେ । ଅର୍ଥାତ ବର୍ତ୍ତମାନ ପାଓ୍ୱାର ପ୍ଲେ ପରେ ୩୦ ଗଜ ବାହାରେ ୫ ଜଣ ଖେଳାଳି ରହୁଥିଲେ । କିନ୍ତୁ ଓଭର ରେଟ୍ ପାଇଁ ପେନାଲ୍ଟି ପାଇବା ପରେ କେବଳ ଚାରି ଜଣ ଫିଲ୍ଡର ବାହାରେ ରହିପାରିବେ ।