ଅଧ ଲିଟରେ ପେଟ୍ରୋଲ ନେଇ ୟୁକ୍ରେନକୁ ବୋମାରେ ଉଡ଼ାଇବାକୁ ବାହାରିଥିଲେ ଦୁଇ ଋଷ୍ ସୈନିକ….

1 min read

ଦୁନିଆ ଦେଖୁଛି ଋଷ୍ ଏବଂ ୟୁକ୍ରେନ ଯୁଦ୍ଧର ବିଭୀଷିକା । ଏଠି ଜୀବନ-ମୃତ୍ୟୁ ମଧ୍ୟରେ ଚାଲିଛି ଅହରହ ସଂଘର୍ଷ । କ୍ଷଣ କ୍ଷଣକେ ମୃତ୍ୟୁର ଡର । ରକେଟ୍, ବୋମାମାଡ଼ର ଶବ୍ଦରେ ୟୁକ୍ରେନ୍ ଅଥୟ ହୋଇ ପଡ଼ିଛି । ଖିନଭିନ୍ ହେବାରେ ଲାଗିଛି ରାଜଧାନୀ କିଭ୍ । କିନ୍ତୁ ଏହା ମଧ୍ୟରେ ସୋସିଅଲ ମିଡିଆରେ ଭାଇରାଲ ହେଉଛି ଦୁଇ ଋଷ୍ ସୈନିକଙ୍କ ଫଟୋ । ଯେଉଁମାନେ ଅଧ ଲିଟର ପେଟ୍ରୋଲ ନେଇ ୟୁକ୍ରେନକୁ ବୋମାରେ ଉଡ଼ାଇବାକୁ ବାହାରିଥିଲେ । କିନ୍ତୁ ନିଜର ମୁର୍ଖାମି ଯୋଗୁଁ ଏମାନେ ଶତୃ ହାତରେ ଧରା ପଡ଼ିଗଲେ । ଉଭୟ ଏବେ ୟୁକ୍ରେନରେ କଏଦ ।

ସୂଚନା ଅନୁସାରେ ଉଭୟ ଋଷ୍ ସୈନିକ ବାହାରିଥିଲେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ । କିନ୍ତୁ ଭୁଲବଶତଃ ଗାଡ଼ିର ପେଟ୍ରୋଲ ଚେକ୍ କରିନଥିଲେ । ଅଧା ରାସ୍ତାରେ ହିଁ ଗାଡ଼ିରୁ ଇନ୍ଧନ ଶେଷ ହୋଇ ଯାଇଥିଲା । ଆଉ ଏହା ହିଁ ତାଙ୍କୁ ଶତ୍ରୁର ଜନ୍ତାରେ ପକାଇଥିଲା । ଉଭୟ ଏବେ ୟୁକ୍ରେନ କାରାଗାରରେ ବନ୍ଦୀ । କିନ୍ତୁ ଉଭୟ କୌଣସି ଟ୍ୟାଙ୍କ୍ ଚଲାଉଥିଲେ ନା କୌଣସି ଯୁଦ୍ଧ ବାହନ ତାହାର ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ? ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ଗାଡ଼ିର ଇନ୍ଧନ ୟୁକ୍ରେନ୍ ସୀମାରେ ହିଁ ଶେଷ ହୋଇଥିଲା । ଏଥିପାଇଁ ଉଭୟଙ୍କୁ ନିକଟସ୍ଥ ଏକ ପୋଲିସ୍ ଷ୍ଟେସନକୁ ଯାଇ ସହାୟତା ମାଗିବାକୁ ପଡ଼ିଥିଲା ।

ନିକଟରେ ୟୁକ୍ରେନର ରାଜଧାନୀ କିଭର ଇଣ୍ଡିପେଣ୍ଡେଣ୍ଟ ନ୍ୟୁଜ ଆଉଟଲେଟ୍ ଉଭୟଙ୍କ ଫଟୋ ସୋସିଅଲ ମିଡିଆରେ ଶେୟାର କରିଛି । ଫଟୋରେ ଉଭୟଙ୍କ ହାତରେ ହାତକଡ଼ି ପଡ଼ିଥିବାର ଦେଖିବାକୁ ମିଳିଛି । ତେବେ ଉଭୟଙ୍କୁ ପ୍ରିଜନର ଅଫ୍ ଓ୍ୱାର ଘୋଷଣା କରାଯାଇଛି । ଯାହାପରେ ଉଭୟଙ୍କ ଫଟୋ ସୋସିଅଲ ମିଡିଆରେ ଭାଇରାଲ ହେଉଛି ।
ସୂଚନାଯୋଗ୍ୟ ଋଷ୍ ଆକ୍ରମଣରେ ୟୁକ୍ରେନ ଛାରଖାର ହେବାରେ ଲାଗିଛି । ଗୋଟିଏ ଦିନରେ ଶହ ଶହ ଲୋକଙ୍କ ଜୀବନ ଯାଉଛି । ଯେଉଁଥିରେ ଶିଶୁ ଏବଂ ମହିଳାଙ୍କ ସଂଖ୍ୟା ସର୍ବାଧିକ । ଅବଶ୍ୟ ଋଷ୍ ଏପର୍ଯ୍ୟନ୍ତ ଯୁଦ୍ଧରେ ହୋଇଥିବା ମୃତ୍ୟୁ ଆକଳନ ଜାରି କରିନାହିଁ । କିନ୍ତୁ ଏମାନଙ୍କ ସଂଖ୍ୟା ପ୍ରାୟ ୫ ହଜାର ହୋଇପାରେ ବୋଲି ଅନୁମାନ କରାଯାଉଛି ।

Leave a Reply