spot_img
Home Blog Page 4704

ଅନ୍ୟ ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବଦାହ ମନା

ପୁରୀ: କରୋନା କଟକଣା ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା । ଆସନ୍ତା ୧୦ ତାରିଖରୁ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ ହେବ । ପୁରୀ ଜିଲ୍ଲାର ଲୋକଙ୍କୁ କେବଳ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଅନୁମତି ମିଳିବ  । ଅନ୍ୟ ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ବାରଣ କରାଯାଇଛି । ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି  ।

ବଢୁଥିବା କୋଭିଡ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିୟମ ଲାଗୁ କରିଛନ୍ତି  । ସପ୍ତାହ ତଳେ ରାଜ୍ୟରେ ଦୈନିକ ସଂକ୍ରମଣ ୪ ଶହ ତଳେ ଥିବାବେଳେ ବର୍ତ୍ତମାନ ଏହାର ୬ ଗୁଣା ବୃଦ୍ଧି ଘଟିଛି ସଂକ୍ରମିତ ସଂଖ୍ୟା  । ବର୍ତ୍ତମାନ ୨୭ଶହ ଠାରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି  । ତେବେ ଏହା ବ୍ୟତୀତ ବର୍ତ୍ତମାନ ଓମିକ୍ରନ ସଂଖ୍ୟା ମଧ୍ୟ ରାଜ୍ୟରେ ବଢିବାରେ ଲାଗିଛନ୍ତି  ।

ଆତଙ୍କବାଦୀ ସଂଗଠନ ଜୈସ୍ ଟାର୍ଗେଟରେ ଆରଏସ୍ଏସ୍

ମୁମ୍ବାଇ: ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦ ଟାର୍ଗେଟରେ ଆରଏସ୍ଏସ୍ ମୁଖ୍ୟାଳୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏନେଇ ପ୍ରେସମିଟରେ ଖୁଲାସା କରିଛନ୍ତି ନାଗପୁର ପୋଲିସ କମିଶନର । ପୋଲିସର ଏଭଳି ଖୁଲାସା ପରେ ନାଗପୁରସ୍ଥିତ ଆରଏସ୍ଏସ୍ ମୁଖ୍ୟାଳୟ ସମେତ ଅନ୍ୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦ ରାଡାରରେ ନାଗପୁର ଆରଏସ୍ଏସ୍ ମୁଖ୍ୟାଳୟ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଥିବା କହିଛନ୍ତି ପୋଲିସ କମିଶନର । ଏପରିକି ଆତଙ୍କୀ ସଂଗଠନ ଜୈସ୍ ନାଗପୁରର ସମ୍ବେଦନଶୀଳ ସ୍ଥାନର ରେକି କରିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

ଏହି ସୂଚନା ମିଳିବା ପରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ସେସବୁ ସ୍ଥାନରେ ଅତିରିକ୍ତ ପୋଲିସ ମୁତୟନ କରାଯାଇଛି । ଆରଏସ୍ଏସ୍ ମୁଖ୍ୟାଳୟ ପରିସର ସହ ଆଖପାଖ ସ୍ଥାନରେ ଫଟୋଗ୍ରାଫି ଓ ଡ୍ରୋନ୍ ଉଡ଼ାଣ ଉପରେ ରୋକ୍ ଲଗା ଯାଇଛି । ସୂଚନା ଅନୁସାରେ, ଜୈସ୍ ଆତଙ୍କବାଦୀ ପ୍ରାୟ ୨ରୁ ୩ ମାସ ତଳେ ନାଗପୁର ଆସି ରେକି କରିଥିଲେ ।

ଲଦାଖରେ ଥଣ୍ଡା ସହି ପାରୁନି ଡ୍ରାଗନ, ମୁତୟନ କଲା ମେସିନ ଗନଧାରୀ ରୋବଟ

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ ମଧ୍ୟରେ କିଛି ଦିନ ହେବ ଉତ୍ତେଜନା ଜାରି ରହିଛି । ଭାରତକୁ ଲଦାଖରେ ଆଖି ଦେଖାଇବାକୁ ଡ୍ରାଗନ ପକ୍ଷରେ କଷ୍ଟକର ହୋଇ ପଡ଼ିଛି । କିନ୍ତୁ ପିଏଲଏର ହଜାର ହଜାର ସୈନିକ ଅକ୍ସାଇ ଚୀନର ଅସହ୍ୟ ଥଣ୍ଡା ଓ କମ୍ ଅମ୍ଳଜାନର ମୁକାବିଲା କରିବାରେ ଅସମର୍ଥ । ଏହି ବରଫ ପରିବେଶରେ ଅନେକ ଚୀନ୍ ସୈନିକଙ୍କର ମୃତ୍ୟୁ ଘଟିଛି । ଏମିତିକି ସେହି ଅଞ୍ଚଳରେ ଚୀନ ତିନି ଥର ତା’ର କମାଣ୍ଡର ବଦଳାଇଛି । ଚୀନ ସୈନିକ ବିଫଳ ହେବା ପରେ ଭାରତର ମୁକାବିଲା କରିବା ଚୀନ ରୋବଟ ସେନାକୁ ନିୟୋଜିତ କରିଛି । ଏହି ରୋବଟ ଗୁଡିକ ମେସିନ ବନ୍ଧୁକ ଧରି ଭାରତୀୟ ସେନାକୁ ପ୍ରତିହତ କରିବା ପାଇଁ ସଜାଗ ରହିଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଚୀନ୍ ୮୮ଟି ରୋବଟ୍ ତିବ୍ଦତ ସୀମାକୁ ପଠାଇଛି। ଏଥିମଧ୍ୟରୁ ୩୮ଟି ରୋବଟ ସୀମାରେ ନିୟୋଜିତ କରାଯାଇଛି। ଏଲଏସିର ତାପମାତ୍ରା ମାଇନସ୍ ୨୦ରୁ ୪୦ ଡିଗ୍ରୀ ରହିଛି । ଯାହା ଫଳରେ ସେଠାରେ ଚୀନ ସେନା ଏହି ପରିବେଶକୁ ମୁକାବିଲା କରିବାରେ ସମର୍ଥ ହେଉନାହିଁ । ତେଣୁ ପ୍ରବଳ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ପିଏଲଏର ସ୍ଥାନ ନେଇଛି ରୋବଟ । ଅନ୍ୟପକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ସୀମାରେ ରୋବଟ ସେନା ଦେଖିବାକୁ ମିଳିନାହିଁ ବୋଲି କହିଛି ଭାରତୀୟ ସେନା ।

 

ସୋମବାରଠୁ ଶ୍ରୀମନ୍ଦିର ବନ୍ଦ, ୩୧ ଯାଏଁ ଦର୍ଶନ ମନା

ପୁରୀ: ସୋମବାରଠାରୁ ବନ୍ଦ ରହିବ ଜଗା ଦର୍ଶନ  । ଶ୍ରୀଜିଉଙ୍କୁ ଦର୍ଶନ କରିବା ଉପରେ ଲାଗିଲା ରୋକ  ।  ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମନ୍ଦିର  । ସଂଧ୍ୟାରେ ଛତିଶାନିଯୋଗ ବୈଠକ ବସିଥିବାବେଳେ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି  ।

ସେବାୟତଙ୍କ ପ୍ରସ୍ତାବକ୍ରମେ ଜାନୁୟାରୀ 31ଯାଏ ଜଗା ଦର୍ଶନ ବନ୍ଦ ରହିବ  । ଭର୍ଚୁଆଲ ମୋଡରେ ଏହି ବୈଠକ ଆହୁତ ହୋଇଥିଲା  । ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି  । ରାଜ୍ୟରେ କୋଭିଡ ସଂକ୍ରମଣ ମାମଲା ଦୈନିକ ବୃଦ୍ଧି ଘଟୁଥିବାବେଳେ ଓମିକ୍ରନ କେସ ମଧ୍ୟ ବଢି ଚାଲିଛି  ।

ସେପଟେ ପ୍ରତିଦିନ ଶ୍ରୀମନ୍ଦିରକୁ ଅନ୍ୟ ରାଜ୍ୟରୁ ଶ୍ରଦ୍ଧାଳୁ ଆସୁଥିବା ବେଳେ କୌଣସି ନିର୍ଦ୍ଦେଶାବଳୀ ନଥିଲା  । ତେବେ ଏପରି ସ୍ଥିତିରେ କୋଭିଡ ସଂକ୍ରଣ ମାମଲା ବୃଦ୍ଧି ଘଟୁଛି  । ତେଣୁ ସମସ୍ତ କଥାକୁ ବିଚାରକୁ ନେଇ ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି  ।

ସୁନ୍ଦରପଦା ହତ୍ୟା ମାମଲା: ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ

ଭୁବନେଶ୍ୱର: ସୁନ୍ଦରପଦା ଦୀପକ ରାଉତରାୟ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ  । ୩ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ନେବ ଏୟାରଫିଲ୍ଡ ଥାନା ପୋଲିସ  । ନୂଆବର୍ଷ ପୂର୍ବ ଦିନ ରାତିରେ ସୁନ୍ଦରପଦାର ଏକ ପୋଖରୀ ନିକଟରେ ଭୋଜିଭାତ ହୋଇଥିଲା  । ଏହି ସମୟରେ ଦୁଇ ସାହି ମଧ୍ୟରେ ଗଣ୍ଡୋଗୋଳ ଉପୁଜୁଥିଲା  । ପରେ ଦୀପକ ରାଉତରାୟଙ୍କୁ ହତ୍ୟା କରାଯାଇଥିଲା  ।

୩ ଅଭିଯୁକ୍ତ ବିକି ମଲିଆ, ଗୁନୁ ମଲିଆ ଓ ସୁଜିତ ପଣ୍ଡା ପରବର୍ତ୍ତୀ ସମୟରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ  । ସେପଟେ ପୋଲିସର ରିମାଣ୍ଡ ଆବେଦନ ପରେ ଅନୁମତି ଦେଇଛନ୍ତି  ଭୁବନେଶ୍ୱର ଏସଡିଜେଏମ କୋର୍ଟ  । ୭ ଦିନ ରିମାଣ୍ଡରେ ପାଇଁ କୋର୍ଟରେ ଆବେଦନ କରିଥିଲା ପୋଲିସ
୩ ଅଭିଯୁକ୍ତ କୋର୍ଟରେ କରିଥିଲେ ଆତ୍ମସମପର୍ଣ  ।

ବିଜେପି, କଂଗ୍ରେସ… କାହାକୁ ହେବ ଫାଇଦା ଆଉ କିଏ ସହିବ କ୍ଷତି ?

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ଏୟାରପୋର୍ଟରୁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ପିଏମ୍ ମୋଦିଙ୍କ କଟାକ୍ଷ ଧନ୍ୟବାଦ । ଏହାକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି । ପଞ୍ଜାବର ଫ୍ଲାଏ ଓଭରରୁ ଲାଗିଥିବା ନିଆଁରେ ଏବେ ଚାଲିଛି ରୁଟି ସେକା । ଆଉ ମାସକ ପରେ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାବେଳେ ପିଏମଙ୍କ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟି କଂଗ୍ରେସ ସରକାରଙ୍କୁ କାଠଗଡ଼ାକୁ ଟାଣି ନେଇଛି । କଂଗ୍ରେସ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ… ଲାଗି ରହିଛି । ଏବେ ପ୍ରଶ୍ନ ପିଏମଙ୍କ ସୁରକ୍ଷା ତ୍ରୁଟି କେଉଁ ଦଳ ଉପରେ ନିର୍ବାଚନରେ କେମିତି ପ୍ରଭାବ ପକାଇବ ?

Punjab PM Narendra Modi Security Lapse Gave BJP Big Political Issues

ପଞ୍ଜାବରେ କ୍ଷମତାରେ ଥିବା କଂଗ୍ରେସ, ବିଧାନସଭା ନିର୍ବାଚନର ମାତ୍ର ୬ ମାସ ପୂର୍ବରୁ ବ୍ଯାକଫୁଟକୁ ଚାଲି ଆସିଥିଲା । ଦଳୀୟ ହାଇକମାଣ୍ଡ ଓ ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ କ୍ୟାପଟେନ୍ ଅମିରନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଗତ ସେପ୍ଟେମ୍ବରରେ । ଏହାପରେ କ୍ୟାପଟେନ୍ ନିଜ ଦଳ ଘୋଷଣା କରିବା ସହ ପଦ୍ମ ସହ ମେଣ୍ଟ ପାଇଁ ହାତ ମିଳାଇଥିଲେ । ଯାହା କଂଗ୍ରେସକୁ ବଡ଼ ଝଟକା ଦେଇଥିଲା ।

Punjab PM Narendra Modi Security Lapse Gave BJP Big Political Issues

ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବେଳେ ସୁରକ୍ଷାରେ ବିଭ୍ରାଟ ପଞ୍ଜାବର ଚନ୍ନି ସରକାରଙ୍କୁ ଦୋହଲାଇ ଦେଇଛି । ପିଏମଙ୍କ ସୁରକ୍ଷାରେ ଛିଦ୍ର ବିଜେପି ପାଇଁ ବୁଷ୍ଟର ଡୋଜ୍ ସାଜିଛି । ପଞ୍ଜାବର କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନକୁ ବିପଦରେ ପକାଇଥିବା ନେଇ ଚିତ୍ରଣ କରୁଛି ବିଜେପି । ଅନ୍ୟପଟେ କଂଗ୍ରେସ ଦଳିତ କାର୍ଡ ଖେଳିବା ସହ ପିଏମଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇନଥିବା କହୁଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ।

Punjab PM Narendra Modi Security Lapse Gave BJP Big Political Issues

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଯଦିଓ ପଞ୍ଜାବରେ ହୋଇଛି । ତଥାପି ଏହାକୁ ନେଇ ପ୍ରତିଟି ପ୍ରଦେଶ କମ୍ପୁଛି । ଲାଗୁଛି ଆଗକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ନିର୍ବାଚନରେ ବିଜେପି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରି ଫାଇଦା ଉଠାଇବାକୁ ପ୍ରୟାସ କରିବ । ନିର୍ବାଚନ ହେବାକୁ ଥିବା ପାଞ୍ଚ ରାଜ୍ୟ ମଧ୍ୟରୁ ପଞ୍ଜାବକୁ ଛାଡ଼ିଦେଲେ ସବୁଠି ଏବେ ବିଜେପି କ୍ଷମତାରେ ରହିଛି । ଆଉ ନିର୍ବାଚନ ବେଳେ ପିଏମଙ୍କ ସୁରକ୍ଷାରେ ତ୍ରୁଟି ବିଜେପିକୁ ବଡ଼ ରାଜନୈତିକ ଫାଇଦା ଦେଲା ଭଳି ଲାଗୁଛି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ କେବଳ ଯେ ବିଜେପି ପ୍ରଶ୍ନ ଉଠାଇଛି ତା’ନୁହେଁ । ସମ୍ବେଦନଶୀଳ ଘଟଣାରେ ସହାନୁଭୂତି ଦେଖାଇଛନ୍ତି ଅନ୍ୟ ରାଜନୈତିକ ଦଳ ଓ ନେତା । ବିଏସପି ମୁଖ୍ୟ ମାୟାବତୀଙ୍କ ଠାରୁ ଜେଡିଏସ୍ ମୁଖ୍ୟ ଏଚ.ଡି ଦେବଗୌଡ଼ା ସମସ୍ତେ ଚିନ୍ତାବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ କୌଣସି ପରିସ୍ଥିତିରେ ଏଭଳି କରାଯିବା ଅନୁଚିତ୍ । ଗଣତନ୍ତ୍ରରେ ଏହା ଗ୍ରହଣୀୟ ନୁହେଁ କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ସମସ୍ତେ କଂଗ୍ରେସକୁ ସମାଲୋଚନା କରୁଥିବା ବେଳେ ଦଳ କହିଛି ବିଜେପି ରାଲିରେ ଲୋକ ନଥିଲେ । ଯେଉଁଥିପାଇଁ ରାଲିକୁ ବାତିଲ୍ କରି ସୁରକ୍ଷାକୁ ଏକ ବାହନା କରାଯାଉଛି । ଯାହାକୁ ନେଇ ବିଜେପି, କଂଗ୍ରେସ ଉପରେ ଆକ୍ରମଣ କରିବା ସହ ପଞ୍ଜାବରେ ରାଷ୍ଟ୍ରପତି ଶାସନ ଦାବି କରିଛି । ଆଗକୁ ନିର୍ବାଚନ ଥିବା ବେଳେ ପଞ୍ଜାବରେ ମୁଖ୍ୟତଃ କଂଗ୍ରେସ ଓ ଆପ୍ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଇଛି । ଏବେ ବିଜେପି ଓ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ମେଣ୍ଟ ଲଢ଼େଇକୁ ତ୍ରିକୋଣୀୟ କରିପାରେ ।

ଇଟାଲିରୁ ଅମୃତସର ଆସୁଥିବା ବିମାନରେ ପୁଣି କରୋନା ବିସ୍ଫୋରଣ, ୧୫୦ ଯାତ୍ରୀ ପଜିଟିଭ୍

ଅମୃତସର: ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ନୂଆବର୍ଷ ପରଠାରୁ ଦେଶରେ ଉପରମୁହାଁ ରହିଛି କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଭାରତରେ ଏକ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏପରି ସ୍ଥିତିରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଇଟାଲିରୁ ଭାରତ ଆସୁଛି କରୋନା ଭର୍ତ୍ତି ବିମାନ । ଇଟାଲିରୁ ଭାରତ ଆସିଥିବା ଏକ ବିମାନରେ ପୁଣି ଥରେ କରୋନା ବିସ୍ଫୋରଣ ହୋଇଛି । ଆଜି ଇଟାଲିରୁ ଆସିଥିବା ବିମାନରେ ୧୫୦ ଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁସାରେ ନାଇସ୍ ଏୟାରଲାଇନର ବିମାନ ୨୯୦ ଯାତ୍ରୀଙ୍କୁ ଇଟାଲିର ମିଲନ ସହରରୁ ଅମୃତସର ଆସୁଥିଲା । ତେବେ ଅମୃତସର ପହଞ୍ଚିବା ପରେ ସେଠାରେ କରୋନା ଟେଷ୍ଟ ହୋଇଥିଲା । ଯେଉଁଥିରେ ୧୫୦ ଜଣ ଯାତ୍ରୀ କରୋନା ପିଜିଟିଭ୍ ଚିହ୍ନଟ ହୋଇଥିଲେ । ସମସ୍ତ ଯାତ୍ରୀଙ୍କୁ ଅମୃତସରରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଗୁରୁବାର ମଧ୍ୟ ଇଟାଲିରୁ ଆସିଥିବା ଏକ ଚାଟାର୍ଡ ବିମାନରେ ୧୭୦ରୁ ୧୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

 

ସାଢ଼େ ୮ଲକ୍ଷ ଆକାଉଣ୍ଟକୁ ଗଲା ସହାୟତା ରାଶି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଘର ମରାମତି ରାଜ୍ୟ ସରକାର ପ୍ରଦାନ କଲେ ସହାୟତା ରାଶି  ।  ଘର ମରାମତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ  । ବିଜୁ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ୩ହଜାର ଟଙ୍କା ସହାୟତା, ଘର ପାଇନଥିବା ହିତାଧିକାରୀଙ୍କୁ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି  ।

ସୂଚନା ମୁତାବକ ବିଜୁ ପକ୍କାଘର ଯୋଜନାରେ ୩୧ଲକ୍ଷ ଲୋକଙ୍କୁ ଘର ଯୋଗାଣ କରିଛନ୍ତି ରାଜ୍ୟ ସରକାର  । ଘର ମରାମତି ଓ ସହାୟତା ରାଶିନିଜସ୍ୱ ପାଣ୍ଠିରୁ ପ୍ରଦାନ କରିଛନ୍ତି ରାଜ୍ୟ ସରକାର  । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ସହାୟତାକୁ ନେଇ ମନର କଥା ପ୍ରକାଶ କରିଛନ୍ତି ହିତାଧିକାରୀ  । ବିଭିନ୍ନ ଜିଲ୍ଲାର ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି  । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇ କହିଛନ୍ତି ‘ଘର ଆମର ପରିଚୟ, ଆମର ସ୍ୱାଭିମାନ’  । ସବୁ କଚ୍ଚାଘରକୁ ପକ୍କାଘର କରିବାକୁ ସରକାର ପ୍ରଯତ୍ନ ରହିଛନ୍ତି  ।

ରାଜ୍ୟବାସୀଙ୍କୁ ଦେଇଥିବା କଥା ଆମେ ପୂରଣ କରିଛୁ  । ରାଜ୍ୟର ଶେଷ କଚ୍ଚାଘରକୁ ପକ୍କା କରିବା ଉଦ୍ୟମ ଜାରିରହିଛି  । ୩୧ଲକ୍ଷ ପରିବାରକୁ ପକ୍କାଘର ଯୋଗାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ  ।  ପକ୍କାଘରର ମରାମତି ପାଇଁ ସହାୟତା ଦେବାକୁ ଘୋଷଣା କରିଥିଲୁ  । ସାଢ଼େ ୮ଲକ୍ଷ ପରିବାରର ଆକାଉଣ୍ଟକୁ ଆଜି ସହାୟତା ରାଶି ପଠାଯାଇଛି  । ପ୍ରତି ପରିବାରକୁ ୩ହଜାର ଲେଖାଏଁ, ୧୪୪୪କୋଟି ଟଙ୍କା ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ  ।

 

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଛୁରୀ ଧରି ମଞ୍ଚରେ ଚଢ଼ିଲେ ଯୁବକ

ଡେରାଡୁନ: ଗୁରୁବାର ଏକ ସଭାରେ ଯୋଗ ଦେବାକୁ ଯାଇଥିଲ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ । ତେବେ ଏହି ସଭାର ଜଣେ ଯୁବକ ଛୁରୀ ଧରି ମଞ୍ଚ ଉପରକୁ ଆସିଥିଲେ । ତେବେ ଏହି ଘଟଣାରେ ଉତ୍ତରାଖଣ୍ଡ ପୋଲିସ ୪୫ ବର୍ଷର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ ଉଦମ ସିଂ ନଗର ଜିଲ୍ଲାର କାଶୀପୁରରେ କଂଗ୍ରେସ ସଦସ୍ୟତା ଅଭିଯାନ ଆୟୋଜିତ କରିଥିଲା । ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଭାକୁ ହରିଶ ରାଓ୍ୱତ ସମ୍ବୋଧନ କରି ତଳକୁ ଓହ୍ଲାଇବା ସମୟରେ ହଠାତ ଜଣେ ଯୁବକ ମଞ୍ଚ ଉପରକୁ ଉଠି ଯାଇଥିଲା । ମଞ୍ଚ ଉପରକୁ ଉଠି ଏହି ଯୁବକ ଜଣଙ୍କ ମାଇକରେ ଜୟ ଶ୍ରୀରାମ ନାରା ଦେଇଥିଲା । ତେବେ ଏହି ଯୁବକଙ୍କ କାର୍ଯ୍ୟକଳାପ ଦେଖି କଂଗ୍ରେସ କର୍ମୀ ତାଙ୍କୁ ବିରୋଧ କରିଥିଲେ । ତାଙ୍କୁ ବିରୋଧ କରିବାରୁ ସେ ହଠାତ ତାଙ୍କ ପାଖରେ ଲୁଚାଇ ରଖିଥିବା ଛୁରୀ ବାହାର କରି ସମସ୍ତଙ୍କୁ ଭୟଭୀତ କରିବାକୁ ଲାଗିଲେ । ଏହା ପରେ ମଞ୍ଚରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଅଟକାଇ ପୋଲିସକୁ ହସ୍ତାନ୍ତର କରିଥିଲେ। ତେବେ ଏହି ଘଟଣାର ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ଯୁବକ ଜଣଙ୍କ ମାନିସକ ସ୍ତରରେ ଅସ୍ଥିର ଥିବା ଜଣାପଡ଼ିଛି ।

ବିଦେଶରୁ ଭାରତ ଫେରୁଛନ୍ତି କି ? ଜାଣି ନିଅନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ଓ ଓମିକ୍ରନ୍ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ । ବିଦେଶରୁ ଫେରୁଥିବା ଲୋକଙ୍କ ଲାଗି କେନ୍ଦ୍ର ସରକାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି । ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କୁ ଲାଗି ୭ ଦିନିଆ ହୋମ୍ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ଗାଇଡଲାଇନ୍ ଆସନ୍ତା ୧୧ ତାରିଖରୁ ଲାଗୁ ହେବ ।

ଏଥିସହ କେନ୍ଦ୍ର ସରକାର ବିପଦପୂର୍ଣ୍ଣ ଦେଶ ତାଲିକାରେ ଆଉ କିଛି ରାଷ୍ଟ୍ର ନାଁ ଯୋଡ଼ିଛନ୍ତି । ସମସ୍ତ ୟୁରୋପ ଦେଶ ସହ ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍, ବୋତ୍ସୱାନା, ଚୀନ, ଘାନା, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ତାଞ୍ଜାନିଆ, ହଂକଂ, ଇସ୍ରାଏଲ୍, କଙ୍ଗୋ, ଇଥୋପିଆ, କାଜାଖାସ୍ତାନ, କେନିଆ, ନାଇଜେରିଆ, ତୁନିସିଆ ଓ ଜାମ୍ବିଆକୁ ସାମିଲ୍ କରାଯାଇଛି ।

New guideline for international passengers amid Omicron surge

୭ ଦିନର ଘରୋଇ ସଙ୍ଗରୋଧ ଶେଷରେ ବିଦେଶ ଫେରନ୍ତା ଆରଟି-ପିସିଆର୍ ଟେଷ୍ଟ କରିବେ । ବିଗତ ୨ ଦିନ ଧରି ଅମ୍ରିତସର ବିମାନବନ୍ଦରରେ ଗୋଟିଏ ଲେଖାଏ ଫ୍ଲାଇଟରୁ ଶହେରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ନୂଆ ଗାଇଡଲାଇନ୍ ଆସିଛି ।

କ’ଣ କରିବେ ବିଦେଶ ଫେରନ୍ତା ?

  • ଭାରତ ଫେରିବା ପୂର୍ବରୁ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଏୟାର ସୁବିଧା ପୋର୍ଟାଲରେ ଦେବେ । ଏଥିରେ ଫେରିବା ପୂର୍ବ ୧୪ ଦିନର ଯାତ୍ରା ବିବରଣୀ ରହିବ ।
  • ଯାତ୍ରାର ୭୨ ଘଣ୍ଟା ମଧ୍ୟରେ ଆରଟି-ପିସିଆର୍ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ଅପଲୋଡ୍ କରିବେ ।
  • ଯେଉଁମାନେ ବିମାନବନ୍ଦରରେ ଓହ୍ଲାଇବା ପରେ କୋଭିଡ୍ ଟେଷ୍ଟ ଚାହିଁବେ ସେଥିପାଇଁ ଏୟାର ସୁବିଧା ପୋର୍ଟାଲରେ ପୂର୍ବରୁ ବୁକିଂ କରିବାକୁ ପଡ଼ିବ ।
  • ପ୍ରତି ଏୟାରଲାଇନର ୨ ପ୍ରତିଶତ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ ଏୟାରପୋର୍ଟରେ ପହଞ୍ଚିବା ପରେ କରାଯିବ । ରିପୋର୍ଟ ନେଗେଟିଭ୍ ଆସିବା ପରେ ଘରେ ୭ ଦିନ କ୍ୱାରେଣ୍ଟାଇନରେ ରହିବେ । ପୁଣି ଅଷ୍ଟମ ଦିନ ଆରଟି-ପିସିଆର୍ ଟେଷ୍ଟ କରିବେ ।
  • ଅଷ୍ଟମ ଦିନରେ କରିଥିବା ଆରଟି-ପିସିଆର ଟେଷ୍ଟ ରିପୋର୍ଟକୁ ଏୟାର୍ ସୁବିଧା ପୋର୍ଟାଲରେ ଯାତ୍ରୀଙ୍କୁ ଅପଲୋଡ୍ କରିବାକୁ ପଡ଼ିବ ।