ବୋମାମାଡ଼ ବନ୍ଦ କରିବାକୁ ଋଷକୁ ଅନୁରୋଧ କଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍: ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ ଜାରି । ତୁରନ୍ତ ଏହା ବନ୍ଦ କରିବା ପାଇଁ ଋଷକୁ ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କି । ଋଷ ଏକ ଯୁଦ୍ଧବିରତି ପାଇଁ କଥାବାର୍ତ୍ତା କରିବାକୁ ସେ ଆହ୍ବାନ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ସହ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି । ଏହି ଆକ୍ରମଣରେ ବିପୁଳ ଧନଜୀବନ ନଷ୍ଟ ହେଉଛି । ଦିନକୁ ଦିନ ୟୁକ୍ରେନ ଉପରେ ଋଷର ଆକ୍ରମଣ ବଢୁଥିବାବେଳେ ବର୍ତ୍ତମାନ ସୁଦ୍ଧା ଯୁଦ୍ଧ ଥମୁନାହିଁ ।

ରାଜଧାନୀ କିଭ୍ ଉପରେ ଆକ୍ରମଣ ଜାରି ରହିଥିବାବେଳେ ଦେଶଛାଡି ପଳାୟନ ପ୍ରସ୍ତାବକୁ ରାଷ୍ଟ୍ରପତି ଜେଲେନସ୍କି ଅଗ୍ରାହ୍ୟ କରିଛନ୍ତି । ଯଦିଓ ୟୁକ୍ରେନକୁ ସହାୟତା ଲାଗି ବିଭିନ୍ନ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି ତଥାପି ବର୍ତ୍ତମାନ ସୁଦ୍ଧା ସହାୟତା ମିଳିନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଯୁଦ୍ଧର ସପ୍ତମ ଦିନରେ ୟୁକ୍ରେନ ଉପରେ ବର୍ଷୁଛି ଋଷୀୟ ବୋମା  । ଆଜି ୟୁକ୍ରେନର ନିକୋଲିଭସ୍ଥିତ ମିଲିଟାରୀ ଏକାଡେମୀକୁ ଟାର୍ଗେଟ କରି ଘନ ଘନ ବୋମା ମାଡ଼ କରିଛି ମସ୍କୋ  । ସେପଟେ ଖାରକିବରେ ଆଉ ଏକ ଆକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ହେବାସହ ଶତାଧିକ ଆହତ ହୋଇଛନ୍ତି । ୟୁକ୍ରେନର ଖେରସନ୍ ସହର ଉପରେ ଋଷ୍‌ ସୈନ୍ୟ କବଜା କରିଥିବା ଘୋଷଣା କରିଛି । କିବରେ ଜାତୀୟ ଟିଭି ଟାଓ୍ବର ଉପରେ ହମଲା ଯୋଗୁ ପ୍ରସାରଣ ବାଧାପ୍ରାପ୍ତ ହୋଇଛି । ଝିତୋମିରର ମାତୃକାଳୀନ ଗୃହରେ ଋଷ ଏୟାରଷ୍ଟ୍ରାଇକ୍ କରିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave a Reply