ମିକୋଲେଭ, ଚେର୍ଣ୍ଣିହିବ, ମାରିଓପୋଲ, କିଭ୍ ଉପରେ ଘନ ଘନ ଆକ୍ରମଣ

କିଭ୍: ୧୨ ଦିନରେ ପହଞ୍ଚିଲାଣି ୟୁକ୍ରେନ୍ ଓ ଋଷିଆ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସହରରେ ତୁହାକୁ ତୁହା ବୋମାମାଡ଼ କରୁଛି ଋଷ । ୟୁକ୍ରେନ ଦକ୍ଷିଣାଞ୍ଚଳସ୍ଥିତ ମିକୋଲେଭ ଓ ଉତ୍ତରାଞ୍ଚଳସ୍ଥିତ ଚେର୍ଣ୍ଣିହିବ ସହରରେ ଜାରି ରହିଛି ଘମାଘୋଟ ଲଢେଇ । ରାଜଧାନୀ କିବକୁ କବଜା କରିବା ଲାଗି ଆଗେଇବାରେ ଲାଗିଛନ୍ତି ଋଷ ସୈନ୍ୟ । କିବ୍ ନିକଟସ୍ଥ ବିଲୋଗୋର୍ଦୋକରେ ଜୋରଦାର ବୋମାମାଡ କରିଛି ଋଷ ।

୧୯୯୯ରେ ଚେଚେନ୍ୟା ଓ ୨୦୧୬ରେ ସିରିୟାରେ ଋଷ ସମାନ ଧରଣର ଯୁଦ୍ଧ କୌଶଳ ଆପଣାଇଥିଲା ବୋଲି ଅଭିଯୋଗ କରିଛି ବ୍ରିଟେନ । କୌଶଳଗତ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମାରିଓପୋଲ ସହରକୁ ନେଇ ଚାଲିଛି ଲଢେଇ । ଆଜୋଭ ସାଗର ଅଞ୍ଚଳ ଅନ୍ତର୍ଗତ ଏହି ଷ୍ଟ୍ରାଟେଜିକ ସିଟିରେ ପ୍ରଥମେ ଋଷ ପକ୍ଷରୁ ଅସ୍ତ୍ରବିରତି ଘୋଷଣା କରାଯାଇଥିବା ବେଳେ, କିଛି ଘଣ୍ଟା ପରେ ଏହା ପ୍ରତ୍ୟାହୃତ ହୋଇଥିଲା । ଏଥିଲାଗି ଉଭୟ ଦେଶ ପରସ୍ପର ଉପରେ ଦୋଷ ଲଦିଥିଲେ । ବିଦ୍ୟୁତ, ଖାଦ୍ୟ ଓ ପାଣି ବିନା ସେଠାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ସାରା ସହରକୁ ଋଷ ସୈନ୍ୟ ଘେରାବନ୍ଦୀ କରି ରଖିଥିବା ବେଳେ, ୪ ଲକ୍ଷ ଲୋକ ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ପଳାୟନ ଲାଗି ପୁଣି ଥରେ ଅସ୍ତ୍ରବିରତି ଘୋଷଣା ସମ୍ଭାବନା ରହିଛି ।

ଯୁଦ୍ଧକୁ ନେଇ ୟୁକ୍ରେନର ଅଧିକାଂଶ ଶିଳ୍ପ ବନ୍ଦ ହେବାରେ ଲାଗିଥିବାରୁ ଭୟଙ୍କର ଅର୍ଥନୈତିକ ସଂକଟ ଆଡକୁ ଦେଶ ଚାଲିଯିବା ପରିଲକ୍ଷିତ ହୋଇଛି ।

ନିର୍ଦ୍ଦେଶ ମିଳିବା ମାତ୍ରେ ସୁମି ଛାଡ଼ିବାକୁ ଭାରତୀୟ ଛାତ୍ରଛାତ୍ରୀ ପ୍ରସ୍ତୁତ

ସୁମିରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର ନେଇ ଲାଗି ରହିଛି ସସପେନ୍ସ । ୟୁକ୍ରେନର ଉତ୍ତର ପୂର୍ବାଞ୍ଚଳସ୍ଥିତ ସୁମି ସହରରେ ଏକ ମେଡିକାଲ କଲେଜରେ ଫସି ରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ନିର୍ଦ୍ଦେଶ ମିଳିବା ମାତ୍ରେ ତୁରନ୍ତ ସହର ଛାଡିବାକୁ ସେମାନଙ୍କୁ କହିଛି ଭାରତୀୟ ଦୂତାବାସ । ସୁମିଠାରୁ ତିନି ଘଣ୍ଟାର ଦୂରତାରେ ଥିବା ସହର ପୋଲତାଭାରେ ଏକ ଟିମ୍ ମୁତୟନ କରାଯାଇଛି । ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ଲାଗି ଏହି ଟିମ୍ ପଦକ୍ଷେପ ନେବ । ପୋଲତାଭା ଦେଇ ଛାତ୍ରଛାତ୍ରୀ ପଶ୍ଚିମାଞ୍ଚଳ ସୀମାକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ପ୍ରଚଣ୍ଡ ଶୀତ, ଖାଦ୍ୟାଭାବ, ପାନୀୟ ଜଳର ଅଭାବରେ ସେମାନେ ଜୀବନ ସହ ସଂଘର୍ଷ କରୁଥିବା ସୂଚନା ମିଳିଛି ।

ରୋମାନିଆକୁ ଋଷର କଡା ଚେତାବନୀ

ନାଟୋ ସଦସ୍ୟ ରାଷ୍ଟ୍ର ରୋମାନିଆ ଓ ୟୁକ୍ରେନ ପଡ଼ୋଶୀ ରାଷ୍ଟ୍ରଙ୍କୁ ଋଷର କଡା ଚେତାବନୀ । ୟୁକ୍ରେନକୁ ସାମରିକ ସାହାଯ୍ୟ ଯୋଗାଇଲେ ପରିଣାମ ଭୟାବହ ହେବ ବୋଲି କହିଛି ଋଷ । ଏକ ସାମରିକ ବିବାଦ ପରିପ୍ରେକ୍ଷୀରେ ଅନ୍ୟ କୌଣସି ରାଷ୍ଟ୍ରର ହସ୍ତକ୍ଷେପକୁ ଋଷ ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇଗୋର କୋନାସେଙ୍କୋଭ ।

ସେ କହିଛନ୍ତି, ‘ୟୁକ୍ରେନର କେତେକ ଯୁଦ୍ଧ ବିମାନ ରୋମାନିଆ ଓ ପଡୋଶୀ ରାଷ୍ଟ୍ରକୁ ଯାଉଥିବାର ପ୍ରମାଣ ମିଳିଛି । ୟୁକ୍ରେନର ଏହି ପଦକ୍ଷେପ ଋଷ ବିରୋଧରେ ଏକ ସାମରିକ ସଂଘର୍ଷ ।’

ସେପଟେ ରୋମାନିଆ ପ୍ରଧାନମନ୍ତ୍ରୀ ନିକୋଲାଇ ସିଉକା କହିଛନ୍ତି, ‘ବାସ୍ତବରେ ଘଟୁଥିବା ଘଟଣାଠାରୁ ଦୃଷ୍ଟି ଏଡାଇ ଦେବା ଲାଗି ଋଷ ଉଦ୍ୟମ କରୁଛି । ସଶସ୍ତ୍ର ସଂଘର୍ଷର ନିୟମାବଳୀ ଉଲ୍ଲଂଘନ କରାଯାଉଛି ଏବଂ ନାଗରିକମାନେ ପ୍ରାଣ ହରାଉଛନ୍ତି । ଫବୃଆଣୀ ୨୪ ତାରିଖରେ ୟୁକ୍ରେନର ଏକ ଫାଇଟର ଜେଟକୁ ରୋମାନିଆ ଆକାଶରେ ଇଣ୍ଟରସେପ୍ଟ କରାଯାଇ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା । ତେବେ ଏହାକୁ ନେଇ ମସ୍କୋ ସହ କୌଣସି ବିବାଦ ସୃଷ୍ଟି କରାଯାଇ ନଥିଲା ।’