ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରୁ ବିଜେପିକୁ ପ୍ରଶ୍ନ କଲେ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ବର: କୁଆଡେ ଗଲା ଅଚ୍ଛେ ଦିନ ? ବିରୋଧୀଙ୍କୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଚ୍ଛେ ଦିନର ସ୍ବପ୍ନ ଦେଖାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ । ଲୋକଙ୍କୁ ମିଛ କହି ଭୁଆଁ ବୁଲାଉଛନ୍ତି । ଛେଣ୍ଡିପଦାର ପ୍ରଚାର ସଭାରେ ବିରୋଧୀଙ୍କୁ ଏହିଭଳି ଟାର୍ଗେଟ କରିଛନ୍ତି ନବୀନ । ବିଏସକେୱାଇ, ମିଶନ ଶକ୍ତି, ମମତା, କାଳିଆ ଯୋଜନା, ଫାଇଭ-ଟି ସ୍କୁଲ ଓ ନୂଆ-ଓ ଛାତ୍ରବୃତ୍ତି ଭଳି ଯୋଜନା ଲୋକଙ୍କ ସମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିଛି ।

ବିରୋଧୀ କିନ୍ତୁ ଏହିସବୁ ଯୋଜନାକୁ ବନ୍ଦ କରିଦେବାକୁ ଚକ୍ରାନ୍ତ କରୁଛନ୍ତି । ନିଜ ଜନ୍ମମାଟିର ଉନ୍ନତି ପାଇଁ ଧର୍ମେନ୍ଦ୍ର ପ୍ରଧାନ କି ଉଲ୍ଲେଖନୀୟ କାମ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବିଜେପି ମିଛ ପ୍ରଚାର ବନ୍ଦ କରୁ ବୋଲି ସେ କହିଛନ୍ତି । ସେହିଭଳି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ୨୦୧୪ରେ ବିଜେପି ଏଲପିଜି, ପେଟ୍ରୋଲ, ଡିଜେଲ ଦର କମାଇବା ସହ ଚାଷୀଙ୍କ ପାଇଁ ଏମଏସପି ଦୁଇ ଗୁଣା କରିବାକୁ ପ୍ରତିଶୃତି ଦେଇଥିଲା । ସେ ପ୍ରତିଶୃତି ଏଯାଏଁ ପୂରଣ କରିପାରିନି ।

ଧର୍ମେନ୍ଦ୍ର ବିଜେପିରୁ ପ୍ରାର୍ଥୀ ହୋଇଥିବାରୁ ସେ ଜିତିଲେ କେନ୍ଦ୍ର ନିକଟରେ ଛେଣ୍ଡିପଦା ବିକାଶ ନେଇ ସ୍ବର ଉଠାଇପାରିବେନି କି ସ୍କୁଲଟିଏ ଖୋଲି ପାରିବେନି । ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପି ଦେହରେ କରେଣ୍ଟ ଲାଗିଯାଇଛି । ଲୋକଙ୍କୁ ସୋଲାର ଲାଇଟ ନାଁରେ ଦିନରେ ବିଜେପି ନେତାମାନେ ଲଣ୍ଠନ ଦେଖାଉଛନ୍ତି ବୋଲି ସେ ତାତ୍ସଲ୍ୟ କରିଛନ୍ତି ।