ବଲାଙ୍ଗୀରରୁ କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ବଲାଙ୍ଗୀର: ଜୁନ ୪ରେ କେନ୍ଦ୍ରରେ ଇଣ୍ଡି ମେଣ୍ଟ ସରକାର ଗଢିବ । ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଏହି ଦମ୍ଭୋକ୍ତି ଦେଖାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବଲାଙ୍ଗୀରକୁ ରାହୁଲ ଗାନ୍ଧୀ ପ୍ରଚାରରେ ଆସି କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି । ୨୨ ଜଣ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଛାଡ କରି କେନ୍ଦ୍ର ସରକାର ଧନୀକଙ୍କୁ ପ୍ରୋତ୍ସାହନ ଦେଇଛନ୍ତି ।

କେନ୍ଦ୍ର ସରକାର ୨୨/ ୨୫ ଜଣଙ୍କ ପାଇଁ କାମ କରୁଛନ୍ତି । ସରକାରକୁ ୯୦ ଅଫିସର ଚଳାଉଛନ୍ତି । ସେଥିରୁ ମାତ୍ର ତିନି ଜଣ ଦଳିତ । ଏଥିରୁ ଜଣାପଡୁଛି କେନ୍ଦ୍ରର ଆଦିବାସୀ ଓ ଦଳିତ ପ୍ରୀତି । ବିଜେପି ସରକାର ଏଥର କ୍ଷମତାକୁ ଆସିଲେ ସମ୍ବିଧାନ ବଦଳାଇଦେବେ ବୋଲି କହୁଛନ୍ତି । ଦୁନିଆର କୌଣସି ଶକ୍ତି ସମ୍ବିଧାନ ବଦଳାଇପାରିବନି ବୋଲି ରାହୁଲ ଚେତାବନୀ ଦେଇଛନ୍ତି ।

ଇଣ୍ଡି ମେଣ୍ଟ ସରକାରକୁ ଆସିଲେ ପ୍ରଥମେ ଗରିବ ଲୋକଙ୍କ ତାଲିକା ହେବ । ପ୍ରତ୍ଯେକ ପରିବାରରୁ ଜଣେ ମହିଳାଙ୍କୁ ବଛାଯିବ । ୪ ଜୁଲାଇରେ ସେହି ମହିଳାଙ୍କ ଖାତାକୁ ପ୍ରଥମ କିସ୍ତିରେ ୮ ହଜାର ୫ଶହ ଟଙ୍କା ଯିବ । ଏପରି ଭାବେ ବର୍ଷକରେ କୋଟି କୋଟି ମନୋନୀତ ମହିଳାଙ୍କ ଖାତାକୁ ଏକ ଲକ୍ଷ ଟଙ୍କା ଯିବ ବୋଲି କହିଛନ୍ତି ରାହୁଲ । ସେହିପରି ଖାଲି ପଡିଥିବା ୩୦ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ମନରେଗା ମଜୁରୀକୁ ୨୫୦ରୁ ୪ଶହ ଟଙ୍କା କରିବ ଇଣ୍ଡି ମେଣ୍ଟ ସରକାର । ଇଣ୍ଡି ମେଣ୍ଟ ଆସିଲେ ସଂରକ୍ଷଣ ବ୍ଯବସ୍ଥା ଉଚ୍ଛେଦ କରିବା ସହ ସମସ୍ତ ଚାଷୀଙ୍କ ଋଣ ଛାଡ କରିବ ବୋଲି ରାହୁଲ ପ୍ରତିଶୃତି ଦେଇଛନ୍ତି ।