ପାଲେଷ୍ଟାଇନରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାଲେଷ୍ଟାଇନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ । ରାମଲ୍ଲାସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ତାଙ୍କର ମୃତ୍ୟୁ ନେଇ ସୂଚନା ମିଳିଛି । ୨୦୦୮ ବ୍ୟାଚର ଆଇଏଫଏସ ଅଫିସରଙ୍କ ମୃତ୍ୟୁକୁ ନେଇ ଜାରି ରହିଛି ସସପେନ୍ସ । ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ।

ମୁକୁଲଙ୍କ ଦେହାନ୍ତ ନେଇ ପାଲେଷ୍ଟାଇନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଶୋକବ୍ୟକ୍ତ କରାଯାଇଛି । ଏହି ଖବର ପ୍ରକାଶ ପାଇବା ପରେ ତୁରନ୍ତ ଘଟଣାସ୍ଥଳକୁ ଯାଇ ମୃତ୍ୟୁ ଘଟଣାର ତଦନ୍ତ  କରିବା ଲାଗି ପୋଲିସ, ନିରାପତ୍ତା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ସାତେୟ ।

ମୁକୁଲଙ୍କ ମରଶରୀର ଭାରତ ଆଣିବା ଲାଗି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି । ମୁକୁଲଙ୍କ ବିୟୋଗରେ ପାଲେଷ୍ଟାଇନ ବୈଦେଶିକ ମନ୍ତ୍ରୀ ରିୟାଦ ଅଲ ମାଲିକି ଶୋକବ୍ୟକ୍ତ କରିଛନ୍ତି । ପୂର୍ବରୁ ମୁକୁଲ କାବୁଲ, ମସ୍କୋସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟରତ ଥିଲେ ।