ପ୍ରଥମ ଥର ୩୦୦ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ

1 min read

ନୂଆଦିଲ୍ଲୀ: ଦେଶରେ CAA ଲାଗୁ କରିବା ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ୩୦୦ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ଦେଇଛନ୍ତି। ଏହି ଶରଣାର୍ଥୀମାନେ ଗତ କିଛି ବର୍ଷ ଧରି ଭାରତୀୟ ନାଗରିକତା ପାଇବା ପାଇଁ ସଂଗ୍ରାମ କରିଆସୁଥିଲେ ।

ନାଗରିକତା (ସଂଶୋଧନ) ନିୟମର ୨୦୨୪ ଅଧିସୂଚନା ଲାଗୁ ହେବା ପରେ ପ୍ରଥମ ଥର ପାଇଁ ୩୦୦ ଜଣଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯାଇଛି। ଗୃହ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଶରଣାର୍ଥୀଙ୍କୁ ଡାକି ନାଗରିକତ୍ୱ ଦେଇଥିଲା। କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲା ୧୪ ଆବେଦନକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ୧୧ରେ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଆଇନ ଅର୍ଥାତ୍ CAA କାର୍ଯ୍ୟକାରୀ କରିଥିଲେ। ଏହି ଅଧିନିୟମ ଅନୁଯାୟୀ ଭାରତର ତିନି ପଡୋଶୀ ଦେଶ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ନିର୍ଯାତିତ ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ତେବେ ୩୧ ଡିସେମ୍ବର ୨୦୧୪ ବା ତା ପୂର୍ବରୁ ଭାରତ ଆସିଥିବା ଶରଣାର୍ଥୀ କେବଳ ଏହି ଆଇନର ଲାଭ ନେଇପାରିବେ। ଏହି ଅଧିନିୟମ ଅନୁଯାୟୀ ପଡୋଶୀ ଦେଶର ହିନ୍ଦୁ, ଶିଖ, ଜୈନ,  ବୌଦ୍ଧ, ପାରସୀ ଏବଂ ଖ୍ରୀଷ୍ଟିଆନମାନେ ଆବେଦନ କରିଥିଲେ।

୨୦୧୪ ଡିସେମ୍ବର ପୂର୍ବରୁ ଭାରତର ଶରଣ ନେଇଥିବା ଆବେଦକମାନେ ଭାରତର ପ୍ରମାଣପତ୍ର ଦେବାକୁ ପଡିବ  । ଏଥିପାଇଁ ପୁରୁଣା ଭିସା, ପାନ କାର୍ଡ, ବୀମା ପଲିସି ଭଳି ଦସ୍ତାବିଜ ପ୍ରମାଣ ସ୍ବରୂପ ଦେଖାଇବାକୁ ହେବ  । ପୂର୍ବୋତ୍ତର ରାଜ୍ୟର କିଛି ଅଞ୍ଚଳକୁ ସିଏଏ ମୁକ୍ତ କରାଯାଇଛି ।