spot_img
Home Blog Page 5439

ଆଜି ମହାପ୍ରଭୁଙ୍କ ନିକଟରୁ ରଥ ଖଳାକୁ ବିଜେ କରାଯିବ ଆଜ୍ଞା ମାଳ

ପୁରୀ: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଆଜି ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳ ରଥ ଖଳାକୁ ବିଜେ କରାଯିବ। ତିନି ବାଡ଼ରେ ପୂଜାପଣ୍ଡା ସେବକ ମାନେ ଏହି ଆଜ୍ଞା ମାଳ ବିଜେ କରାଇବେ।

ଆଜ୍ଞା ମାଳ ବିଜେ ହୋଇ ବିଜେ କାହାଳୀ ବାଜିବା ପରେ ଵିଧି ପରମ୍ପରା ଅନୁସାରେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ସିଂହଦ୍ୱାରକୁ ବିଜେ କରାଯିବ। ପରେ ଦେବୀ ସୁଭଦ୍ରାଙ୍କ ଦେବ ଦଳନ ରଥ ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯିବ। ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଁଚିଛି।

ରଥଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ୧୦ ଜଣ ଅତିରିକ୍ତ ଏସପି, ୨୧ଜଣ ଡିଏସପି, ୬୪ ଜଣ ଇନସପେକ୍ଟର, ୨୨୨ ଏଏସ୍ଆଇ ଏବଂ ଏସ୍ଆଇଙ୍କୁ ଦାୟିତ୍ୱ ଦିଆ ଯାଇଛି। ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ। ଏଥିସହ ବଡ଼ଦାଣ୍ଡରେ ଥିବା ସବୁ ହୋଟେଲକୁ ମଧ୍ୟ ଖାଲି କରାଯାଇଛି । ବଡ଼ ଦାଣ୍ଡରେ ଥିବା ଘରର ଲୋକ ମାନେ ମଧ୍ୟ ଛାତ ଉପରେ ଠିଆ ହୋଇ ରଥ ଯାତ୍ରା ଦେଖିପାରିବେ ନାହିଁ । ଏଭଳି ଗାଇଡଲାଇନ ଜାରି କରିଛି ଜିଲ୍ଲା ପ୍ରଶାସନ ।

ବାଲିରେ ବିଶ୍ୱର ବୃହତମ ରଥ ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରଥଯାତ୍ରା ଅବସରରେ ବାଲୁକା କଳାରେ ବିଶ୍ବର ବୃହତ୍ତମ ରଥ ନିର୍ମାଣ । ପୁରୀ ବେଳାଭୂମିରେ ଏହାକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା ରଥର ଉଚ୍ଚତା ୪୩ ଫୁଟ ଥିବାଳେ ଓସାର ୩୫ ଫୁଟ ରହିଛି । ଏହାକୁ ନିର୍ମାଣ କରିବାକୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିବା କହିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଏହାକୁ ସେ ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ପାଇଁ ସେ ଆଶା ରଖିଛନ୍ତି । ବିଗତ ବର୍ଷ ପରି ଏଥର ବିନା ଭକ୍ତରେ ରଥଯାତ୍ରା କରିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଘରେ ରହି ସମସ୍ତେ ଗଣମାଧ୍ୟମ ଜରିଆରେ ମହାପ୍ରଭୁଙ୍କ ରଥ ଦେଖିବାକୁ ନିବେଦନ କରିଛନ୍ତି ।

 

କଳାହାଣ୍ଡିରେ ୯ ବାଘ ଛାଲ ଓ ଦୁଇଟି ବାଘ ନଖ ଜବତ, 7   ଗିରଫ

କଳାହାଣ୍ଡି:  ବଡ ଧରଣର ବାଘ ଛାଲ ରାକେଟର ପର୍ଦ୍ଦାଫାଶ । ଦକ୍ଷିଣ ବନଖଣ୍ଡ ଓ ଉତ୍ତର ବନଖଣ୍ଡ ପକ୍ଷରୁ 9 ବାଘ ଛାଲ ଓ ଦୁଇଟି ବାଘ ନଖ ଜବତ କରାଯାଇଛି । ଘଟଣାରେ 7 ଜଣଙ୍କୁ  ଗିରଫ କରିଛି ବନ ବିଭାଗ । ବାହାର ରାଜ୍ୟର ଜଣେ ଗ୍ରାହକ ପାଖରୁ ପ୍ରଥମେ ସୁରାକ ପାଇ କେନ୍ଦ୍ରୀୟ ମଧ୍ୟ କ୍ଷେତ୍ର ବନ୍ୟ ପ୍ରାଣୀ ନିୟନ୍ତ୍ରଣ ବିଭାଗ, ଛତିଶଗଡ ବନ ବିଭାଗ ଆଉ ଓଡିଶା ବନ ବିଭାଗର ମିଳିତ ଭାବେ ଚଢାଉ କରିଥିଲେ ।

ଚଢ଼ାଉ ପରେ କଳାହାଣ୍ଡି ଜିଲ୍ଲାର 7 ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ଧରିବା ପାଇଁ ବନ ବିଭାଗ ଓ କେନ୍ଦ୍ରୀୟ ବନ୍ୟ ପ୍ରାଣୀ ବିଭାଗ ତଦନ୍ତ ଜାରି ରଖିଛି । ଗିରଫଙ୍କ ମଧ୍ୟରେ ସ୍ଥାନୀୟ ବେପାରୀ ମଧ୍ୟରେ ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତ୍ତମ ଭୋଇ, ବଫଲା ଗ୍ରାମର ରଙ୍ଗା ଚରଣ ଭୋଇ, ଅମାଠର କାର୍ତ୍ତିକ ରଣା, ଭୁଲିଆର ବାଗ, କୋଦଣ୍ଡ ଗୌଡ ଓ ଉଆଁସୁ ଜାନୀ ଅଛନ୍ତି । ତେବେ ଏହି ରାକେଟରେ ଆଉ କେଉଁମାନେ ଜଡିତ ଅଛନ୍ତି ତାହା ତଦନ୍ତ ଚାଲିଥିବା କହିଛନ୍ତି ଦକ୍ଷିଣ ବନଖଣ୍ଡ ଅଧିକାରୀ ନୀତିଶ କୁମାର ।

ପୁଣି ଟିକା ସଂକଟ, ରବିବାର ୨୬ ଜିଲ୍ଲାରେ ବନ୍ଦ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଟିକା ସଂକଟ । କେନ୍ଦ୍ର ଆବଶ୍ୟକୀୟ ଟିକା ଦେଉନଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟିକା ସଂକଟ । ଆସନ୍ତାକାଲି ମାତ୍ର ୪ଟି ଜିଲ୍ଲାରେ ହେବ ଟିକାକରଣ । ୪ଟି ଜିଲ୍ଲାର ମୋଟ ୧୨ଟି କେନ୍ଦ୍ରରେ ଟିକା ଦିଆଯିବ । ଗଞ୍ଜାମରେ ୪, ନବରଙ୍ଗପୁରରେ ୪, ପୁରୀରେ ୩ ଓ ସୁନ୍ଦରଗଡ଼ ଜିଲ୍ଲାରେ ମାତ୍ର ଗୋଟିଏ କେନ୍ଦ୍ରରେ ଟିକାକରଣ କରାଯିବ ।

ରାଜ୍ୟରେ ୪୧ ହଜାର ୨୯୦ ଡୋଜ କୋଭିସିଲଡ ଥିବା ବେଳେ ୩ ଲକ୍ଷ ୫୪ ହଜାର ୧୩୦ ଡୋଜ କୋଭାକ୍ସିନ ମହଜୁଦ ରହିଛି । ଟିକା ସଙ୍କଟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଅଧିକରୁ ଅଧିକ ଟିକା ଦେବା ପାଇଁ ଦାବି କରି ଆସୁଛନ୍ତି ରାଜ୍ୟ ସରକାର ।

ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ପଦବିରେ ଥିବା ଅଧିକାରୀ ବର୍ଷକୁ ୧୦ ଦିନ ଯିବେ ଛୁଟିରେ

ନୂଆଦିଲ୍ଲୀ: ବଦଳିଲା ନିୟମ । ଏଣିକି ବ୍ୟାଙ୍କର ଅତି ଗୁରୁତ୍ବପୂର୍ଣ୍ଣ ପଦବିରେ ଥିବା ଅଧିକାରୀ, ଟ୍ରେଜେରୀ ଓ କରେନ୍ସି ଚେଷ୍ଟ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯିବ । ପ୍ରତିବର୍ଷ ଅତି କମରେ ୧୦ ଦିନ ଲାଗି ସେମାନଙ୍କୁ ଛୁଟିରେ ପଠାଯିବ । ପରିବର୍ତ୍ତିତ ରିସ୍କ ମ୍ୟାନେଜମେଣ୍ଟ ଗାଇଡଲାଇନ ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ନୀତି ଘୋଷଣା କରିଛି । ବିବୃତିରେ ଆରବିଆଇ କହିଛି ବ୍ୟାଙ୍କଗୁଡିକରେ ଗୁରୁତ୍ବପୂର୍ଣ୍ଣ ପଦବିରେ ନିୟୋଜିତ ଅଧିକାରୀମାନଙ୍କୁ କୌଣସି ସୂଚନା ନଦେଇ ଛୁଟିରେ ପଠାଯିବ ।

ଛୁଟିର ପରିମାଣ ସର୍ବନିମ୍ନ ୧୦ ଦିନ ହେବ । ଛୁଟି ନେଇ ସେମାନଙ୍କୁ ଆଗୁଆ କୌଣସି ସୂଚନା ଦିଆଯିବ ନାହିଁ । ଆକସ୍ମିକ ଭାବେ ଏହି ନିୟମ କାର୍ଯ୍ୟକାରୀ ହେବ । ଏନେଇ ସମସ୍ତ ବ୍ୟବସ୍ଥା ଚୂଡାନ୍ତ କରିବାକୁ ଆରବିଆଇ ନିର୍ଦ୍ଦେଶ ଦେଇଛି । ଆରବିଆଇର ଏହି ନିର୍ଦ୍ଦେଶ ଫଳରେ ଗତ ୨୦୧୫ରେ ଏପ୍ରିଲ ୨୩ରେ ଜାରି ଗାଇଡଲାଇନ ରଦ୍ଦ ହୋଇଯାଇଛି ।

ଏହି ଛୁଟି କାଳରେ କର୍ମଚାରୀମାନେ ସଶରୀରରେ ବ୍ୟାଙ୍କକୁ ଆସିପାରିବେ ନାହିଁ ବା ଭର୍ଚୁଆଲରେ ଯୋଗାଯୋଗ କରିପାରିବେ ନାହିଁ । କେବଳ ଇ-ମେଲ ଜରିଆରେ ଯୋଗସୂତ୍ର ରକ୍ଷା କରିବେ । ରିସ୍କ ମଡେଲିଂ, ମଡେଲ ଭାଲିଡେସନ ଆଦି କ୍ଷେତ୍ରରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ । ବ୍ୟାଙ୍କରେ ଜାଲିଆତି ରୋକିବା ଲାଗି ଏହି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି ।

ଯୋଗୀ ରାଜ୍ୟରେ ନୂଆ ଆଇନ, ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ: ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି । ସରକାରୀ ଚାରିରିଆଙ୍କର ଦୁଇରୁ ଊର୍ଦ୍ଧ୍ବ ସନ୍ତାନ ରହିଥିଲେ ପଦୋନ୍ନତି ମିଳିବନି କି ନିର୍ବାଚନ ଲଢ଼ିବାକୁ ସୁଯୋଜ ଦିଆଯିବନି । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜନସଂଖ୍ୟା ବିଧେୟକ-୨୦୨୧ ଡ୍ରାଫ୍ଟ ପସ୍ତୁତ କରିଛନ୍ତି ଉତ୍ତରପ୍ରଦେଶ ସରକାର । ୨ରୁ ଅଧିକ ସନ୍ତାନ ଥିବା ପରିବାର ଅନେକ ସରକାରୀ ସୁବିଧାରୁ ବଞ୍ଚିତ ରହିବେ । ସରକାରୀ ଯୋଜନାର ମଧ୍ୟ ଲାଭ ମିଳିବ ନାହିଁ ।

ଆୟୋଗ ଡ୍ରାଫ୍ଟକୁ ସରକାରୀ ୱେବସାଇଟରେ ଅପଲୋଡ କରାଯାଇ ଆସନ୍ତା ୧୯ ତାରିଖ ମଧ୍ୟରେ ରାଜ୍ୟବାସୀ ଏହା ଉପରେ ମତ ରଖିବାକୁ କୁହାଯାଇଛି । ଯୋଗୀ ସରକାର ଆସନ୍ତା ୧୧ ତାରିଖରେ ନୂଆ ଜନସଂଖ୍ୟା ନୀତି ଜାରି କରିବାକୁ ଯାଉଛନ୍ତି । ଚିଠା ପ୍ରସ୍ତାବ ଗ୍ରହଣ କରିଥିବା ରାଜ୍ୟ ବିଧି ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଜନସଂଖ୍ୟା ବିଧେୟକ-୨୦୨୧ ଡ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ । ଆୟୋଗ ନିଜ ପ୍ରୟାସରେ ଏହି ବିଧେୟକ ପ୍ରସ୍ତୁତ କରିଛନ୍ତି ।

୨ ସନ୍ତାନ ଥିବା ସରକାରୀ କର୍ମଚାରୀଙ୍କୁ ଆଡିସନାଲ ଇନକ୍ରିମେଣ୍ଟ ଦିଆଯିବା ସହ ଘର ବା ଜାଗା କିଣାରେ ରିହାତି ମିଳିବ । ଏହାସହ ଇପିଏଫ୍ ୩ପ୍ରତିଶତ ବୃଦ୍ଧି କରାଯିବ । ଏହାଛଡ଼ା ଗୋଟିଏ ସନ୍ତାନ କରୁଥିବା ଦମ୍ପତିଙ୍କୁ ସ୍ବତନ୍ତ୍ର ସୁବିଧା ଦେବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଚନ୍ତି । ମାଗଣା ଚିକିତ୍ସା ସୁବିଧା ସହ ୨୦ବର୍ଷ ପର୍ଯ୍ୟନ୍ତ ବୀମା, ସିଙ୍ଗଲ ଚାଇଲ୍ଡଙ୍କୁ ସ୍କୁଲରେ ଆଡମିସନ ପାଇଁ ପ୍ରାଥମିକତା ଦିଆଯିବ ।

ମିକ୍ସ ଭ୍ୟାକସିନକୁ ଜର୍ମାନୀର ଅନୁମତି: ଆଷ୍ଟ୍ରାଜେନିକା, ମଡେର୍ଣ୍ଣା, ଫାଇଜର ନେଇଥିଲେ ଅନ୍ୟ ଟିକା ନେଇପାରିବେ

ଜର୍ମାନୀ: ମିକ୍ସ ଭ୍ୟାକସିନ ଲଗାଇବାକୁ ପ୍ରଥମ ଦେଶ ଭାବେ ଅନୁମତି ଦେଲା ଜର୍ମାନୀ । ବିଶ୍ବର ପ୍ରଥମ ଦେଶ ଭାବେ ୟୁରୋପୀୟ ଦେଶ ଜର୍ମାନୀ ମିକ୍ସ ଟିକା ଲଗାଇବାକୁ ଅନୁମତି ପ୍ରଦାନ କରିଛି । ଆଷ୍ଟ୍ରାଜେନିକା, ମଡେର୍ଣ୍ଣା ବା ଫାଇଜରର ପ୍ରଥମ ଡୋଜ୍ ନେଇଥିବା ଲୋକମାନେ ଅନ୍ୟ ଟିକାର ଦ୍ବିତୀୟ ଡୋଜ୍ ନେଇପାରିବେ । ଗୋଟିଏ ଟିକାର ଦୁଇଟି ଡୋଜ୍ ନେଇସାରିଥିବା ଲୋକମାନଙ୍କୁ ନିଜ ଇଚ୍ଛାରେ ଅନ୍ୟ ଏକ ଟିକାର ଡୋଜ୍ ନେବାକୁ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ସରକାର ଅନୁମତି ଦେଇଛନ୍ତି ।

କିନ୍ତୁ ପ୍ରଥମ ଦେଶ ଭାବେ ଜର୍ମାନୀରେ ମିକ୍ସ ଭ୍ୟାକସିନ ନେବାକୁ ଅନୁମତି ଦିଆଯାଇଛି । ଟିକାକରଣ ସ୍ଥାୟୀ ସମିତିର ରିପୋର୍ଟ ପରେ ସରକାର ଏ ନେଇ ନିଷ୍ପତ୍ତି ନେଇଚନ୍ତି । ୟୁରୋପୀୟ ମେଡିସିନ ଲଜେନ୍ସି ପକ୍ଷରୁ ଫାଇଜନ-ବାୟୋଏନ୍‌ଟେକ୍ ଓ ମଡେର୍ଣ୍ଣା M-RNA ଭ୍ୟାକସିନକୁ ଅନୁମତି ଦିଆଯାଇଛି । ଜର୍ମାନ ଚାନସେଲର ଏଞ୍ଜେଲା ମାର୍କେଲ ଜୁନ୍‌ରେ ଆଷ୍ଟ୍ରାଜେନିକାର ପ୍ରଥମ ଡୋଜ୍ ନେବା ପରେ ଦ୍ବିତୀୟ ଡୋଜରେ ମଡେର୍ଣ୍ଣା ଟିକା ନେଇଥିଲେ ।

ଜଗନ୍ନାଥଙ୍କୁ ସମର୍ପିତ ପ୍ରଥମ ୱେବ ରେଡ଼ିଓ, ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ଶୁଭାରମ୍ଭ

ନୂଆଦିଲ୍ଲୀ: ଜଗନ୍ନାଥଙ୍କୁ ସମର୍ପିତ ପ୍ରଥମ ୱେବ ରେଡ଼ିଓ ରେଡ଼ିଓ ଶ୍ରୀକ୍ଷେତ୍ର ଆଜି ଜଗନ୍ନାଥଙ୍କ ନବଯୌବନ ଦର୍ଶନ ଦିନ ନୂଆଦିଲ୍ଲୀ ସ୍ଥିତ ହଜଖାସ ଜଗନ୍ନାଥ ମନ୍ଦିରରେ ଶୁଭାରମ୍ଭ ହୋଇଛି। ପ୍ରତିକାତ୍ମକ ଭାବରେ ପ୍ରଭୁ ଜଗନ୍ନାଥ ଏହାର ଶୁଭାରମ୍ଭ କରିଥଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ନିଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ଆକାଶବାଣୀ ବିଦେଶ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଅମ୍ଳାନ ଜ୍ୟୋତି ମଜୁମଦାର ଉପସ୍ଥିତ ରହିଥିଲେ  ।

ବିଦେଶ ବିଭାଗର ପୂର୍ବତନ ସଚିବ ଅମରେନ୍ଦ୍ର ଖଟୁଆ, ପୂର୍ବତନ ପ୍ରଶାସକ କୁଳମଣି ବିଶ୍ବାଳ, ଓଡ଼ିଶା ଡାଏରୀ ର ସଂଚାଳକ ରଶ୍ମି ରଞ୍ଜନ ପରିଡ଼ା, ଦିଲ୍ଲୀ ସାରସ୍ଵତ ସଂଘର ସମ୍ପାଦକ ସଂଗ୍ରାମ ଧର, ଓଡ଼ିଆ ମହାମଚର ନିର୍ଦେଶକ ଗୋବର୍ଦ୍ଧନ ଧଳ, ପଲ୍ଲୀବାଣୀର ସହ ସମ୍ପାଦକ ନବଜ୍ୟୋତି ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଚାନେଲରେ ଜଗନ୍ନାଥଙ୍କ କଥା ଗାଥା ରୀତିନୀତି ଅନୁଭୂତି ସହିତ ଭଜନ ଜଣାଣ ଆଦି ସମସ୍ତ ବିଷୟ ସ୍ଥାନ ପାଇବ ବୋଲି ଏହାର ସଂଚାଳକ ରାମଚନ୍ଦ୍ର ନାଥ ଗଣମାଧ୍ୟମକୁ କହିଛନ୍ତି।

ଲକଡାଉନ୍ କୋହଳ କରିବା ମୁଡରେ ନାହାଁନ୍ତି ଷ୍ଟାଲିନ୍ ସରକାର,୧୯ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି

ତାମିଲନାଡୁ: କରୋନା ସଂକ୍ରମଣ କମିବାରେ ଲାଗିଛି, ହେଲେ ସମ୍ପୂର୍ଣ୍ଣ ଲକଡାଉନ୍ କୋହଳ କରିବା ମୁଡରେ ନାହାଁନ୍ତି ଷ୍ଟାଲିନ୍ ସରକାର । ପୁଣି ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ବୃଦ୍ଧି କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି । ତେବେ କିଛି କଟକଣା କୋହଳ କରାଯାଇଛି । ରାତି ୯ଟା ଯାଏ ୫୦ ପ୍ରତିଶତ ଗ୍ରାହକରେ ହୋଟେଲ୍ , ଚା ଦୋକାନ, ଜାତୀୟ ରାଜପଥ ନିକଟରେ ଥିବା ଦୋକାନ ଖୋଲିବା ପାଇଁ ଅନୁମତି ମିଳିଛି ।

ତେବେ ପୂର୍ବପରି ବନ୍ଦ ରହିବ ସ୍କୁଲ, କଲେଜ, ଥିଏଟର, ବାର ଓ ସୁଇପିଙ୍ଗ ପୁଲ୍ । କେବଳ ପୁଡୁଚେରୀକୁ ବସ ସେବା ପାଇଁ ଅନୁମତି ମିଳିଥିବାବେଳେ ପଡୋଶୀ ରାଜ୍ୟ ପାଇଁ ଅନୁମତି ମିଳିନାହିଁ । ବାହାଘରରେ ୫୦ ଜଣ ଲୋକ ସାମିଲ ହେବାପାଇଁ ଅନୁମତି ମିଳିଥିବାବେଳେ ଶୁଦ୍ଧି କ୍ରିୟାରେ ୨୦ ଜଣ ଲୋକ ସାମିଲ ହୋଇପାରିବେ । ଗତ ୨୪ ଘଣ୍ଟାରେ ତାମିଲନାଡୁରେ ୩ ହଜାର ୯୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି  ।

ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ଶିଳ୍ପୀ ସୁବଳ ମହାରଣା

ଭୁବନେଶ୍ୱର: ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ଶିଳ୍ପୀ ସୁବଳ ମହାରଣା । ରାଜଧାନୀ ଭୁବନେଶ୍ୱର ରେ ମାତ୍ର ଦେଢ଼ ସେଣ୍ଟିମିଟର ଉଚ୍ଚତାର ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ସୁବଳ । ଦେଢ଼ ସେଣ୍ଟିମିଟର ଉଚ୍ଚତା ଥିବା ରଥର ଚଉଡା ୧.୪ ସେଣ୍ଟିମିଟର ରହିଛି ।

ନିମ୍ବ, ବେଲ, ତୁଳସୀ, ଗୁଆ କାଠରେ ଏହାର ନିର୍ମାଣ କରାଯାଇଛି । ଏହି ରଥଟି ନିର୍ମାଣ କରିବାକୁ ୪ ଘଣ୍ଟା ସମୟ ଲାଗିଛି । ପୂର୍ବ ବର୍ଷ ୨.୩ ସେଣ୍ଟିମିଟର ର ରଥ ନିର୍ମାଣ କରି world book of record , India book of record , Asia book of record , world book star award ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ ଶିଳ୍ପୀ ସୁବଳ ମହାରଣା ।