ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ‘ସୋଲାସିୟମ୍ ପାଣ୍ଠି’: ଆହତ ଓ ମୃତକଙ୍କ ପରିବାର ପାଇବେ ଆର୍ଥିକ ସହାୟତା

1 min read

ଭୁବନେଶ୍ୱର: ଲୋକଙ୍କ ପାଇଁ ବହୁ ଯୋଜନା ରହିଥିଲେ ସୁଦ୍ଧା ସଚେତନତା ଅଭାବ ଯୋଗୁଁ ଅନେକ ବିଷୟରେ ଅନଭିଜ୍ଞ ଲୋକେ । ସୋଲାସିୟମ୍‌ ପାଣ୍ଠି ଏହାର ଏକ ନଗ୍ନ ଉଦାହରଣ । ହିଟ୍‌ ଆଣ୍ଡ ରନ୍‌ ମାମଲା ବା ଅଜଣା ଗାଡ଼ି ଧକ୍କାରେ ମୃତାହତ କରୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି ଏହି ଯୋଜନା । ସଚେତନତା ଅଭାବରୁ ଶତକଡା ୫ପ୍ରତିଶତରୁ କମ୍‌ ଲୋକ ଏହାର ଲାଭ ପାଇଛନ୍ତି । ଏନେଇ ସଚେତନତାକୁ ବ୍ୟାପକ କରିବାକୁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।

କାମରେ ଲାଗୁନି ‘ସୋଲାସିୟମ୍‌ ପାଣ୍ଠି’ । ପାଣ୍ଠି ସମ୍ପର୍କରେ ସଚେତନ ନାହନ୍ତି ଲୋକେ । ୨୦୧୮ ରୁ ଗଠିତ ହୋଇଛି ଏହି ପାଣ୍ଠି । ଦିନକୁ ଦିନ ବଢିବାରେ ଲାଗିଛି ସଡ଼କ ଦୁର୍ଘଟଣା । ସେଥିମଧ୍ୟରୁ ହିଟ୍‌ ଆଣ୍ଡ ରନ୍‌ ବା ଅଜାଣା ଗାଡି ଧକ୍କା ସଂଖ୍ୟା ଅଧିକ । ଏଭଳି ଦୁର୍ଘଟଣାରେ ଅଜଣା ଗାଡ଼ି ହୋଇଥିବାରୁ ମୃତ ବା ଆହତଙ୍କୁ ବୀମା ଅର୍ଥ ମିଳିନଥାଏ । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଦେଶବ୍ୟାପୀ ସବୁ ରାଜ୍ୟରେ ଗଠନ କରାଯାଇଛି ସୋଲାସିୟମ୍‌ ପାଣ୍ଠି । ତେବେ ଆଜି ପର୍ଯ୍ୟନ୍ତ ଏହାର ଲାଭ ଉଠାଇପାରି ନାହାନ୍ତି ଲୋକେ । ଦୁର୍ଘଟଣାର ୬ ମାସ ମଧ୍ୟରେ ଆବେଦନ କରିବାକୁ ଥିବା ବେଳେ ଆବେଦନର ୧୫ଦିନ ମଧ୍ୟରେ ଏହି ସହାୟତା ପ୍ରଦାନ କରିବାକୁ ନିୟମ ରହିଛି । ସୋଲାସିୟମ୍‌ ପାଣ୍ଠି ସମ୍ପର୍କରେ ଲୋକେ ସଚେତନ ନଥିବା କାରଣରୁ ଆଜି ପର୍ଯ୍ୟନ୍ତ ମାତ୍ର ୫ ପ୍ରତିଶତ ଲୋକ ହିଁ ଏହାର ସୁବିଧା ପାଉଛନ୍ତି ।

ଓଡିଶାରେ ୨୦୧୮ ରୁ ଏକ କୋଟି ଟଙ୍କାର ପାଣ୍ଠି ସୃଷ୍ଟି କରାଯାଇଛି । ଦୁର୍ଘଟଣାରେ ମୃତକଙ୍କ ପାଇଁ ୨ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା ରହିଛି । ତେବେ ଲୋକଙ୍କ ମଧ୍ୟରେ ଏନେଇ ସଚେତନତାର ଅଭାବ ଥିବା ସ୍ୱୀକାର କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ । ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଏନେଇ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । ତେବେ ବର୍ତ୍ତମାନ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ସବୁ ଏସ୍‌ପିଙ୍କୁ ସସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିର୍ଦେଶନାମା ଜାରି କରାଯାଇଛି । ସେପଟେ ଭୁବନେଶ୍ୱରରେ ସମସ୍ତ ଥାନା ଇନ୍ସପେକ୍ଟରମାନଙ୍କୁ ଏନେଇ ଅବଗତ କରାଯାଇ ଏହିକୁ ତ୍ୱରାନ୍ୱିତ କରାଯାଇଥିବା କହିଛନ୍ତି ଡିସିପି ।ଦୁର୍ଘଟଣା ପରେ ଯଦି କୌଣସି ସମୟରେ ଦୁର୍ଘଟଣା ଭିଆଇଥିବା ଗାଡ଼ି ସମ୍ପର୍କରେ ସୂଚନା ମିଳେ ତେବେ ସୋଲାସିୟମ୍‌ ପାଣ୍ଠିରୁ ଆର୍ଥିକ ସହାୟତା ପାଇଥିବା ବ୍ୟକ୍ତି ବା ତାଙ୍କ ପରିବାର ଏହି ଟଙ୍କା ଫେରାଇବାକୁ ପଡିଥାଏ ।

ଏଥିସହିତ ପଢ଼ନ୍ତୁ: ପୁଣି ଫେରୁଛି Joker Virus ! ପୋଲିସର ଚେତାବନୀ, ଫୋନରୁ ତୁରନ୍ତ ହଟାନ୍ତୁ ଏହି ୮ଟି ଆପ୍

Leave a Reply