କାମ ଦେଇଛି 5-T ସଂସ୍କାର: ଗତ ବର୍ଷ ତୁଳନାରେ ୫୭ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହ

1 min read

ଭୁବନେଶ୍ୱର: କରୋନା ପାଇଁ ପ୍ରଭାବିତ ହୋଇନି ରାଜ୍ୟ ଅର୍ଥନୀତି । ଲକ୍‌ଡାଉନ୍‌ ସତ୍ତ୍ୱେ ରାଜସ୍ୱ ସଂଗ୍ରହରେ ରାଜ୍ୟକୁ ମିଳିଛି ସଫଳତା । ୨୦୨୧ ଏପ୍ରିଲରୁ ଜୁଲାଇ ମାସ ଭିତରେ ରାଜସ୍ୱ ସଂଗ୍ରହ ଗତବର୍ଷ ଅପେକ୍ଷା ୫୭ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଫାଇଭ୍‌-ଟି ସଂସ୍କାର ଯୋଗୁଁ ଏହି ସଫଳତା ମିଳିଥିବା ବିଶେଷଜ୍ଞ କହିଛନ୍ତି  । ଅଣଟିକସ ରାଜସ୍ୱ ଆଦାୟ ଆହୁରି ବଢ଼ିବ ବୋଲି ଆକଳନ କରାଯାଇଛି ।

କରୋନାରେ ପ୍ରଭାବିତ ହୋଇନି ରାଜ୍ୟ ଅର୍ଥନୀତି  । ୪ ମାସ ଧରି ଲକ୍‌ଡାଉନ୍‌ ସ୍ଥିତିରେ ମୋଟ ରାଜସ୍ୱ ସଂଗ୍ରହ ୭ ହଜାର ୬୬୮ କୋଟି  । ଯାହାକି ଗତବର୍ଷ ତୁଳନାରେ ୫୭ ପ୍ରତିଶତ ଅଧିକ  । ରାଜସ୍ୱ ସଂଗ୍ରହରେ କାମ ଦେଇଛି ରାଜ୍ୟ ସରକାରଙ୍କ ୫-ଟି ସଂସ୍କାର । ଅର୍ଥ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୧ ଏପ୍ରିଲରୁ ଜୁଲାଇ ୩୧ ତାରିଖ ଭିତରେ ଓଜିଏସ୍‌ଟି ସଂଗ୍ରହ ଗତବର୍ଷ ଅପେକ୍ଷା ୬୪ ପ୍ରତିଶତ ବୃଦ୍ଧି ଘଟିଛି । ପେଟ୍ରୋଲ, ଡିଜେଲ ଓ ମଦ ଉପରେ ଭାଟ୍‌ ଆଦାୟ ହୋଇଛି ଅଧିକ ୮୯ ପ୍ରତିଶତ । ବିରୋଧୀ ବି ସରକାରଙ୍କ ଏହି ସଫଳତାକୁ ସ୍ୱୀକାର କରିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀଙ୍କ ମତରେ, ସାନିଟାଇଜର ମେସିନ୍‌, ଔଷଧ ଓ ଅନ୍ୟ ମେଡିକାଲ ଜିନିଷ କିଣାକିଣିରେ ଲୋକ ଅଧିକ ବ୍ୟୟ କରିଛନ୍ତି । ଏସବୁ ସାମଗ୍ରୀ ଉପରେ ଅଧିକ ଜିଏସ୍‌ଟି ସଂଗ୍ରହ ହୋଇଛି । ସେହିପରି ଲକ୍‌ଡାଉନ୍‌ ପାଇଁ ଅଫଲାଇନ୍‌ କାରବାର ବନ୍ଦ ଥିଲେ ବି ଅନ୍‌ଲାଇନ୍‌ ଯୋଗେ ଲୋକମାନେ ବିଭିନ୍ନ ସାମଗ୍ରୀ କିଣିଛନ୍ତି ।

ଲକ୍‌ଡାଉନ୍‌ରେ ଖଣିଜ ଉତ୍ତୋଳନ ବନ୍ଦ ନଥିଲା । ଶିଳ୍ପ ବି ଚାଲୁଥିଲା । ଏଥିପାଇଁ ଜିଏସ୍‌ଟି ଆଦାୟ ଭଲ ହୋଇଛି । ଏବେ ଅନ୍ତରାଷ୍ଟ୍ରୀୟ ବଜାରରେ ଲୁହାପଥର ଓ ଅନ୍ୟ ଖଣିଜ ପଦାର୍ଥର ବଜାର ଦର ଉଚ୍ଚା ରହିଛି । ଏହା ସହିତ ଆଡ୍‌-ଭାଲୋରମ୍‌ ବ୍ୟବସ୍ଥା ଯୋଗୁ ଉତ୍ତୋଳିତ ଖଣିଜ ପଦାର୍ଥର ବଜାର ଦର ଅନୁଯାୟୀ ଆନୁପାତିକ ଜିଏସଟି ମିଳୁଛି । ଏହା ରାଜସ୍ୱ ବୃଦ୍ଧିରେ ସହାୟକ ହୋଇଛି । ଆଗକୁ ଏହି ଧାରା ଜାରି ରହିବ । ଫଳରେ ସରକାର ଅଣଟିକସ କ୍ଷେତ୍ରରୁ ଅଧିକ ରାଜସ୍ୱ ପାଇବେ ।

୨୦୨୦ରୁ କରୋନା ଲାଗି ରହିଥିଲେ ବି ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶିଳ୍ପନୀତି ଲକ୍ଷାଧିକ କୋଟି ଟଙ୍କାର ପୁଞ୍ଜି ଆକୃଷ୍ଟ କରିଛି । ଏଭଳି ଧାରା ଜାରି ରହିଲେ ଆଗାମୀ ଦିନରେ ବଜେଟ୍‌ ଆକଳନ ଅନୁଯାୟୀ ଆର୍ଥିକବର୍ଷ ସରିବା ପୂର୍ବରୁ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଯିବ ।

Leave a Reply