କେନ୍ଦ୍ରକୁ ମହଙ୍ଗା ପଡିପାରେ MP ସିଟ୍ ହ୍ରାସ, 5600 କୋଟି କ୍ଷତିପୂରଣ ମାଗିଛନ୍ତି ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରକୁ ମହଙ୍ଗା ପଡିପାରେ ବିଭିନ୍ନ ରାଜ୍ୟରେ ଏମପି ଆସନ ସଂଖ୍ୟା ହ୍ରାସ । ଦୁଇଟି ଏମପି ଆସନ ସଂଖ୍ୟା ହ୍ରାସ କରାଯାଇଥିବାରୁ ତାମିଲନାଡୁକୁ କ୍ଷତିପୂରଣ ବାବଦରେ 5,600 କୋଟି ଟଙ୍କା ମିଳିବା ଉଚିତ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ । ପ୍ରଥମରୁ ରହିଆସିଥିବା 41ଟି ଆସନକୁ ହ୍ରାସ କରି 39ଟି ଆସନ କରାଯିବା ଘଟଣାରେ ଉତକ୍ଷିପ୍ତ ହୋଇଛନ୍ତି ଅଦାଲତ । ଜାତୀୟ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟରେ ଜନସଂଖ୍ୟା ହ୍ରାସ କରାଯାଇପାରିଥିବାରୁ ସେତେବେଳେ ତତକାଳୀନ କେନ୍ଦ୍ର ସରକାର ଏମପି ଆସନ ସଂଖ୍ୟା ହ୍ରାସ କରିଥିଲେ । ରାଜ୍ୟରେ ଜନସଂଖ୍ୟା ହ୍ରାସ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ଦିଆଯିବା କଥା ।

ମାତ୍ର ଏହାର ଅର୍ଥନୁହେଁ ସାଂସଦ ଆସନ ସଂଖ୍ୟା ହ୍ରାସ କରିବା । ଜଷ୍ଟିସ ଏନ. କିରୁବାକାରନ ଓ ଜଷ୍ଟିସ ବି. ପୁଗାଲେନ୍ଧିଙ୍କୁ ନଇ ଗଠିତ ଖଣ୍ଡପୀଠ କହିଛନ୍ତି 1962 ଯାଏଁ ରାଜ୍ୟରେ 41ଟି ଲୋକସଭା ଆସନ ଥିଲା । ମାତ୍ର 1967ରେ ଏହି ସଂଖ୍ୟା 39କୁ ହ୍ରାସ କରାଯାଇଥିଲା । ରାଜ୍ୟରେ ଜନସଂଖ୍ୟା ହ୍ରାସ ପାଇବା ପରେ ଏହି ପଦକ୍ଷେପ ନିଆଯାଇଥିଲା । ସିଟ ସଂଖ୍ୟା ହ୍ରାସ କରି ରାଜ୍ୟର ସ୍ବାର୍ଥକୁ ବଳି ପକାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । କେବଳ ତାମିଲନାଡୁ ନୁହେଁ, ଆନ୍ଧ୍ରପ୍ରଦେଶ ଓ ଅନ୍ୟ କେତେକ ରାଜ୍ୟରେ ମଧ୍ୟ 2ଟି ଲେଖାଏଁ ଏମପି ସିଟ୍ ହ୍ରାସ କରାଯାଇଥିଲା ।

କୋର୍ଟ କହିଛନ୍ତି ବର୍ତ୍ତମାନ ଦେଶର ଜନସଂଖ୍ୟା 138 କୋଟିରୁ ଅଧିକ ହେଲାଣି । 2050 ସୁଦ୍ଧା ଭାରତ ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ର ହେବ । ଜାତୀୟ ସ୍ତରରେ ଦେଖିବାକୁ ଗଲେ ଜଣେ ସାଂସଦ 5 ବର୍ଷରେ ଯେଉଁ ଅବଦାନ କରିଥାନ୍ତି ତାହାର ପରିମାଣ 200 କୋଟି ଟଙ୍କା ହେବ । ତେଣୁ ତାମିଲନାଡୁରେ ଗୋଟିଏ ନିର୍ବାଚନ ଲାଗି ଏହି କ୍ଷତି ବାବଦରେ 400 କୋଟି ଟଙ୍କା ମିଳିବା ଉଚିତ । ବର୍ତ୍ତମାନ ସୁଦ୍ଧା ତାମିଲନାଡୁରେ 14ଟି ନିର୍ବାଚନ ହେଲାଣି । ତେଣୁ ସମସ୍ତ ନିର୍ବାଚନ ବାବଦରେ ରାଜ୍ୟକୁ ମୋଟ କ୍ଷତିପୂରଣ ପରିମାଣ 5 ହଜାର 600 କୋଟି ଟଙ୍କା ଦିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି । 1999ରେ ଗୋଟିଏ ଭୋଟ ଲାଗି ଅଟଳ ବିହାରୀ ବାଜପାୟୀ ସରକାରର ପତନ ଉଦାହରଣ ଦେଇ କୋର୍ଟ କହିଛନ୍ତି ଯଦି ଗୋଟିଏ ଭୋଟରେ ଗୋଟିଏ ସରକାରର ପତନ ହୋଇପାରୁଛି ତେବେ ଦୁଇଟି ଏମପି ଆସନ ହ୍ରାସ କରାଯାଇପାରିବ କିପରି ।

Leave a Reply