spot_img
Home Blog Page 5436

ଚାଷୀଙ୍କ ପାଇଁ ସବୁ ସମବାୟ ସମିତିରେ ଖୋଲିବ ହେଲ୍‌ପ ଡେସ୍କ

ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଅଧିକ ସରଳ ଓ ସହଜ ହେବ । ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ ହେବ । ଜୁଲାଇ ୧୫ରୁ ଅଗଷ୍ଟ ୧୬ ଯାଏଁ ଖରିଫ ଧାନ କିଣା ପାଇଁ ଚାଲିବ ଚାଷୀ ପଞ୍ଜୀକରଣ । ଯେଉଁ ଚାଷୀ ସରକାରଙ୍କୁ ଧାନ ବିକିବେ, ସେମାନେ ସମସ୍ତ ତଥ୍ୟ ସହ ଫର୍ମ ପୂରଣ କରି ସରକାରଙ୍କ ଅନଲାଇନ୍ ବ୍ୟବସ୍ଥାରେ ପଞ୍ଜୀକରଣ କରିବେ । ପଞ୍ଜୀକରଣ ପାଇଁ ଚାଷୀଙ୍କୁ ସହଯୋଗ କରିବାକୁ ସମସ୍ତ ସମବାୟ ସମିତିରେ ହେଲ୍‌ପ ଡେସ୍କ ଖୋଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ।

ସେହିପରି ସବୁ ଚାଷୀଙ୍କ ତଥ୍ୟ ଆସିଲେ ସେପ୍ଟେମ୍ବର ସୁଦ୍ଧା ପ୍ରକ୍ରିୟା ସାରି ନଭେମ୍ବର ମାସରୁ ସରକାର ଧାନ କିଣିବା ଆରମ୍ଭ କରିବେ । ଜମି ମାଲିକଙ୍କ ସମ୍ମତି ଆଣି ଭାଗଚାଷୀ ମଧ୍ୟ ସରକାରଙ୍କୁ ଧାନ ବିକିପାରିବେ ।  ନିର୍ଭୁଲ ପଞ୍ଜୀକରଣ ପାଇଁ ଅଧିକାରୀମାନେ ଗୁରୁତ୍ୱ ଦେବାକୁ ସମବାୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସବୁ ଚାଷୀ ପ୍ରକ୍ରିୟାରେ ସାମିଲ ହେବାକୁ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ଅନୁରୋଧ କରିଛନ୍ତି ।

ତେବେ ହେଲ୍‌ପ ଡେସ୍କ ବ୍ୟବସ୍ଥାକୁ ବିରୋଧୀ ସ୍ୱାଗତ କରିଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଗତବର୍ଷ ପ୍ରାୟ୧୫ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ବେଳେ ସରକାର ୫୪ଲକ୍ଷ ମେଟ୍ରିକ୍‌ ଟନ୍ ଧାନ କିଣିବାକୁ ଟାର୍ଗେଟ କରିଥିଲେ । ଏଥର ଭାଗଚାଷୀଙ୍କୁ ସୁବିଧା ମିଳିଥିବାରୁ ଚାଷୀଙ୍କ ସଂଖ୍ୟା ବଢ଼ିବା ସହ ଟାର୍ଗେଟ ୭୨ଲକ୍ଷ ମେଟ୍ରିକ୍‌ ଟନ୍ ଧାନ ହେବ ବୋଲି ଆକଳନ କରାଯାଉଛି ।

ନିକୋଲା ଟେସଲା, ଓ୍ୱାୟରଲେସ୍ ଟେକ୍ନୋଲୋଜିର ସ୍ରଷ୍ଟା: ଯାହାଙ୍କୁ ପାଗଳ କହୁଥିଲେ ଲୋକେ

ସେ ଏମିତି ଜଣେ ବୈଜ୍ଞାନିକ ଥିଲେ ଯିଏ ନିଜ ସମୟଠାରୁ ଢେର ଆଗରେ ଥିଲେ । ତାଙ୍କ ଯୁଗଠାରୁ ସେ ଥିଲେ ଢେର ଆଗରେ । ଯେତେବେଳେ ୱାୟରଲେସ୍ ଟେକ୍ନୋଲୋଜି ତା’ର ଶୈଶବ ଅବସ୍ଥାରେ ଥିଲା ସେତେବେଳେ ସେ ଏହାର ଭବିଷ୍ୟତ ଚିନ୍ତା କରିଥିଲେ । ବିଂଶ ଶତାବ୍ଦୀର ହାତଗଣତି କେଇ ଜଣଙ୍କ ମଧ୍ୟରୁ ସିଏ ଥିଲେ, ଯେଉଁମାନଙ୍କ ବିଚାର ବିଶ୍ୱକୁ ବଦଳାଇ ଦେଇଥିଲ । ସେ ଥିଲେ ନିକୋଲା ଟେସଲା

ନିକୋଲା ଯାହାଙ୍କ ପାଇଁ ଆପଣ ହାତ ପାହନ୍ତାରେ ବିଜୁଳି ପାଆନ୍ତି । ନିକୋଲା ଯିଏ ରେଡିଓର ମୁଳଦୁଆ ରଖିଥିଲେ । କିନ୍ତୁ ଦୁଃଖର କଥା ହେଉଛି ଏହି ବୈଜ୍ଞାନିକଙ୍କ ଶେଷ ଜୀବନ ଗରିବୀ ଭିତରେ କଟିଥିଲା । ଦେବାଳିଆ ହୋଇ ଜୀବନ ହାରିଥିଲେ ଏହି ମହାନ ବୈଜ୍ଞାନିକ । ତାଙ୍କ ସମୟରେ ତାଙ୍କ ବିଚାରକୁ ଉଦ୍ଭଟ, ଅସମ୍ଭବ ବୋଲି କୁହାଯାଇଥିଲା । କିନ୍ତୁ ବର୍ଷ କେଇଟା ମଧ୍ୟରେ ସେହି ଅସମ୍ଭବ ସବୁ ସମ୍ଭବ ହୋଇଥିଲା ।

ନିକୋଲା ଟେସଲାଙ୍କ ଜନ୍ମ ୧୦ ଜୁଲାଇ ୧୮୫୬ରେ କ୍ରୋଶିଆରେ ହୋଇଥିଲା । । ନିକୋଲା ଟେସଲା ଗଣିତର କଠିନରୁ କଠିନ ପ୍ରଶ୍ନର ଉତ୍ତରକୁ ନିଜ ମନରେ ହିଁ ସମାଧାନ କରିଦେଉଥିଲେ । ତାଙ୍କୁ ବହି ପଢିବା ଓ ନୂଆ ନୂଆ ଭାଷା ଶିଖିବାକୁ ବେଶ୍ ଭଲ ଲାଗୁଥିଲା । ନିଜ ପାଠପଢା ଶେଷ କରିବା ପରେ ଟେସଲା ଅନେକ ଜାଗାରେ କାମ କରିଥିଲେ । ଏମିତିକି ବୈଜ୍ଞାନିକ ଥୋମାସ ଏଡିସନଙ୍କ ସହ କାମ ମଧ୍ୟ କାମ କରିଥିଲେ ।

କେବଳ ସେତିକି ନୁହେଁ ଏଡିସନଙ୍କ ଅନେକ ଆବିଷ୍କାରରେ ଟେସଲା ତାଙ୍କୁ ସାହାର୍ଯ୍ୟ ମଧ୍ୟ କରିଛନ୍ତି । ଏଡିସନଙ୍କ ସହ କାମ କଲେ ତାଙ୍କୁ ଅନେକ କିଛି ଶିଖିବାକୁ ମିଳିବ ବୋଲି ସେ ତାଙ୍କ ନିକଟରେ ଚାକିରି ମଧ୍ୟ କଲେ । କିନ୍ତୁ ଦିନେ ଏମିତି ଏକ ଘଟଣା ଘଟିଲା ଯାହା ଟେସଲା ଓ ଏଡିସନଙ୍କ ମଝିରେ ଫାଟ ସୃଷ୍ଟି କରିଦେଲା । କୁହାଯାଏ ଏଡିସନ , ଟେସଲାଙ୍କ ବୁଦ୍ଧିକୁ ପରୀକ୍ଷା କରିବାକୁ ଯାଇ ଗୋଟିଏ ଜେନେରେଟର ଓ ମୋଟରକୁ ଭଲଭାବରେ ତିଆରି କରିବାର ଚ୍ୟାଲେଞ ଦେଲେ । ଆଉ କହିଲେ ଯଦି ସେ ଏହା ନିର୍ମାଣ କରିଦିଅନ୍ତି ତାହାଲେ ତାଙ୍କୁ ୧ହଜାର ଡୋଲାର ମିଳିବ । କିନ୍ତୁ ପରବର୍ତ୍ତୀ ସମୟରେ ଟେସଲା ସେହି ମୋଟର ବନାଇବାରେ ସଫଳ ତ ହେଲେ କିନ୍ତୁ ଏଡିସନ ନିଜ କଥାରୁ ଓହରି ଗଲେ ଓ ସେ କହିଥିବା ୧ହଜାର ଡୋଲାରର ପ୍ରତିଶୃତିକୁ ଭୁଲିଗଲେ ।

ଯେଉଁଥିପାଇଁ ଟେସଲା ଓ ଏଡିସନଙ୍କ ଭିତରେ ମତଭେଦ ହେଲା ଓ ଟେସଲା ଏଡିସନଙ୍କ ପାଖରେ ଆଉ ଚାକିରୀ କଲେ ନାହିଁ । ଏଡିସନ ଡାଇରେକ୍ଟ କରେଣ୍ଟ ଅର୍ଥାତ ଡିସିକୁ ବହୁତ ଉନ୍ନତଧରଣର ଭାବୁଥିଲେ । ଯାହା ୧୦୦ ଭୋଲ୍ଟ ପାୱାରରେ କାମ କରୁଥିଲା । କିନ୍ତୁ ତାହା ଅନ୍ୟ ଭୋଲଟେଜକୁ ବଦଳାଇବା ଖୁବ୍ ମୁସ୍କିଲ ଥିଲା । କିନ୍ତୁ ଟେସଲାଙ୍କ ମତ ଥିଲା ଯେ, ଅଲଟରନେଟିଙ୍ଗ କରେଣ୍ଟ ଅର୍ଥାତ ଏସି ,ଡିସି ଠାରୁ ଭଲ । କାରଣ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନେବାରେ ସହଜ ହୁଏ । ପ୍ରକୃତରେ ଟେସଲା ହିଁ ଥିଲେ ଯିଏକି ଅଲଟରନେଟିଙ୍ଗ କରେଣ୍ଟ ଟ୍ରାନ୍ସମିଶନର ଉପାୟକୁ କାର୍ଯ୍ୟକାରୀ କରିଥିଲେ । ଆଜି ସାରା ଦୁନିଆରେ ଏହି ଟେକନିକକୁ ନେଇ ବିଜୁଳି ବିତରଣ କରାଯାଉଛି । ନିକୋଲା ଟେସଲାଙ୍କ ସିଦ୍ଧାନ୍ତ ଅନୁସାରେ ରେଡିଓ ତରଙ୍ଗ ଦୁନିଆର କୋଣ ଅନୁକୋଣକୁ ଯାଇପାରିବ ବୋଲି ପ୍ରମାଣିତ କରିଥିଲେ । ଯାହା ପାଇଁ ଆଜି ଇଣ୍ଟରନେଟରୁ ଆରମ୍ଭ କରି ଅନ୍ତରୀକ୍ଷ ଅନୁସନ୍ଧାନ ପର୍ଯ୍ୟନ୍ତ ଏହି ଉପାୟ କାମ ଦେଉଛି ।

ଆଜିର ୱେୟାରଲେସ ଯୁଗର ମୂଳଦୂଆ ଟେସଲାଙ୍କ ଟେକନିକ ପାଇଁ ସମ୍ଭବ ହୋଇଛି ବୋଲି କହିଲେ ବି ଅତ୍ୟୁକ୍ତି ହେବନାହିଁ । ହେଲେ ଏସବୁ ତିଆରି କରିଥିବା ବୈଜ୍ଞାନିକ ନିକୋଲାଙ୍କ ପ୍ରତିଭାକୁ ଠିକ ରୂପେ ସ୍ୱିକୃତି ମିଳିନଥିଲା । ଏଡିସନଙ୍କ ଉଦ୍ଭାବନ ସହ ନିକୋଲା ଟେସଲାଙ୍କ ଉଦ୍ଭାବନକୁ ସବୁବେଳେ ତୁଳନା କରାଯାଉଥିଲା । ଆଉ ଯେଉଁଥିରେ ଏଡିସନ ସଂମ୍ପୂର୍ଣ୍ଣ ରୂପେ ଟେସଲାଙ୍କ ଆବିଷ୍କାରକୁ ଅସ୍ୱିକାର କରୁଥିଲେ । ଅନେକ ସଂଘର୍ଷ କରିଛନ୍ତି ଟେସଲା ନିଜ ଆବିଷ୍କାରକୁ ପ୍ରମାଣିତ କରିବା ପାଇଁ । ଟେସଲା ଚାହୁଁଥିଲେ ଏମିତି ଏକ ସମୟ ଆସୁ ଯେବେ ସାରା ଦୁନିଆକୁ ମାଗଣାରେ ବିଜୁଳି ମିଳିପାରିବ । ସେଥିପାଇଁ ସେ ପ୍ରଥମ ବ୍ୟକ୍ତି ଥିଲେ ଯିଏକି ୧୮୯୫ରେ ନାଇଗ୍ରା ଫଲ୍ସରେ ପ୍ରଥମ ହାଇଡ୍ରୋଇଲେକ୍ଟ୍ରିକ ପାୱାରପ୍ଲାଣ୍ଟ ପାଇଁ ଏକ ବଡ ପ୍ରଜେକ୍ଟ କରିବାର ସ୍ୱପ୍ନ ଦେଖିଲେ ।

ଏହି ପ୍ରଜେକ୍ଟ ପାଇଁ ତାଙ୍କୁ ନିବେଶକ ମଧ୍ୟ ମିଳିଲା ହେଲେ ପରବର୍ତ୍ତୀ ସମୟରେ କୈଣସି ଷଡଯନ୍ତ୍ର କାରଣରୁ ନିବେଶକ ଏହି ପ୍ରଜେକ୍ଟରୁ ଓହରୀ ଗଲେ । ଯାହାଦ୍ୱାରା ଟେସଲାଙ୍କୁ ପ୍ରଜେକ୍ଟ ଛାଡିବାକୁ ପଡିଲା । ସେ ସମୟରେ ମାର୍କୋନୀଙ୍କର ଆବିଷ୍କାରକୁ ଲୋକେ ଅଧିକ ବିଶ୍ୱାସ କରିବସିଲେ । ଆଉ ଏହିଭଳି ସ୍ଥିତି ଆସିଗଲା ଯେ ୧୯୧୭ରେ ନିକୋଲା ଟେସଲାଙ୍କୁ ଦେବାଳିଆ ଘୋଷିତ କରିଦିଆଗଲା । ତାଙ୍କ ଆବିଷ୍କାର ସବୁ ଭୁଲ୍ ଓ ବ୍ୟବହାର ଉପଯୋଗୀ ନୁହଁ ବୋଲି କୁହାଗଲା । ସେ ଜଣେ ଦୂରଦୃଷ୍ଟି ସଂମ୍ପର୍ଣ୍ଣ ବୈଜ୍ଞାନିକରୁ ପାଗଳର ପରିଚୟ ପାଇଲେ । ୭ ଜାନୁଆରୀ ୧୯୪୩ ରେ ଟେସଲାଙ୍କର ମୃତ୍ୟୁ ହୋଇଥିଲା । ଏବଂ ତାଙ୍କ ମୃତ୍ୟୁ ପରେ ଆମେରିକାର ସୁପ୍ରିମକୋର୍ଟ ବୈଜ୍ଞାନିକଙ୍କ ମାର୍କୋନିଙ୍କର କିଛି ଉଦ୍ଭାବନର ପ୍ୟାଟେଣ୍ଟ୍ ଉପରେ ରହିତାଦେଶ ଲଗାଇ ଟେସଲାଙ୍କର ରେଡିଓ ଆବିଷ୍କାରକୁ ମାନ୍ୟତା ଦେଇଥିଲେ । କିନ୍ତୁ ଏହା ଶୁଣିବାକୁ କି ଦେଖିବାକୁ ଟେସଲା ଆଉ ଜୀବିତ ନଥିଲେ । ଆଜି ବି ତାଙ୍କର ଅନେକ ବିଚାର ଓ ଉଦ୍ଭାବନ କେବଳ ବହିରେ ହିଁ ସିମିତ ରହିଯାଇଛି । ଯାହା ପଢିଲେ ଜାଣିହୁଏ ଆଜିର ଏହି ଉନ୍ନତ ଟେକନୋଲୋଜୀର ଦୁନିଆକୁ ସେ କେତେ ପୂର୍ବରୁ କଳ୍ପନା କରିସାରିଥିଲେ ।

ଟେସଲାଙ୍କୁ ନେଇ ଆଉ ଗୋଟିଏ ରୋଚକ ତଥା ଅବିଶ୍ୱସନୀୟ କାହାଣୀ ହେଉଛି କାଳେ ସିଏ ଭୂମିକମ୍ପ ସୃଷ୍ଟିକାରି ଏକ ମେସିନ ତିଆରି କରିଥିଲେ । 1898ରେ ଟେସଲା ଏମିତି ଗୋଟିଏ ଭାଇବ୍ରେଟର ତିଆର କରିଥିଲେ ଯାହା ଦ୍ୱାରା କମ୍ପନ ସୃଷ୍ଟି ହେଉଥିଲା । ଟେସଲାଙ୍କ ଲକ୍ଷ୍ୟ ଥିଲା ଏହି କମ୍ପନକୁ ବିଦ୍ୟୁତ ଶକ୍ତିରେ ପରିଣତ କରିବା । ନ୍ୟୁୟର୍କର ଗୋଟିଏ ଅଧା ତିଆରି କୋଠାର ଲୁହା ବିମରେ ସେ ଏହି ଭାଇବ୍ରେଟରକୁ ଲଗାଇ ପରୀକ୍ଷା କରିଥିଲେ । ଭାଇବ୍ରେଟରରୁ ସୃଷ୍ଟି କମ୍ପନ ଦ୍ୱାରା ଆତଙ୍କିତ ହୋଇ ବିଲ୍ଡିରେ କାମ କରୁଥିବା ଶ୍ରମିକ ତଳକୁ ଓହ୍ଲାଇ ଆସିଥିଲେ । କୁହାଯାଏ ଯେ, ଟେସଲା ଯଦି ଭାଇବ୍ରେଟରକୁ ଆଉ ୧୦ ମିନଟ ଚଲାଇ ଥାନ୍ତେ ତେବେ ସେହି ବିଲ୍ଡିଂ ମାଟିରେ ମିଶି ଯାଇଥାନ୍ତା । ଏହି ଘଟଣା ପରେ ସେଠାକୁ ପୋଲିସ ଆସିଥିଲା । କିନ୍ତୁ ଟେସଲା ଭାଇବ୍ରେଟରକୁ ପକେଟରେ ଭର୍ତ୍ତି କରି ସେହି ଜାଗାରୁ ଚାଲି ଯାଇଥିଲେ । ୧୯୩୦ ପର୍ଯ୍ୟନ୍ତ ଟେସଲା ଏହି ଯନ୍ତ୍ର ଉପରେ କାମ କରୁଥିଲେ । ବିଦ୍ୟୁତ ଉତ୍ପାଦନ ସହିତ ଭୂକମ୍ପକୁ ଏହି ମେସିନ ରୋକି ପାରିବ ବୋଲି ଟସଲା ବିଶ୍ୱାସ କରୁଥିଲେ । କିନ୍ତୁ ତାଙ୍କ ମେସିନ ପ୍ରୋଟୋଟାଇପରୁ ଆଗକୁ ଯାଇ ପାରିନଥିଲା ।

କେମିତି ଗ୍ୟାରେଜରୁ ଜନ୍ମ ନେଇଥିବା ଗୋଟିଏ ବହି ଦୋକାନ ହେଲା ଦୁନିଆର ସବୁଠାରୁ ବଡ଼ ଅନଲାଇନ୍ ସପିଂ ସାଇଟ୍ ? ଜାଣନ୍ତୁ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ, ଆପଲ ଓ ଆମାଜନ ମଧ୍ୟରେ ସମାନତା କ’ଣ ? ଉତ୍ତର ଯଦି ଖୋଜିବାରେ ଅସୁବିଧା ହେଉଛି ତେବେ ଏହାକୁ ଆଉ ଟିକିଏ ସହଜ କରିଦେଉଛି । ବିଲ ଗେଟ୍ସ,ଜେଫ୍ ବିଜୋସ ଓ ଷ୍ଟିଭ୍ ଜବସଙ୍କ ମଧ୍ୟରେ ସମାନତା କ’ଣ ? ଏହି ତିନି ଜଣ ଓ ସେମାନଙ୍କ ଦ୍ୱାରା ତିଆରି କମ୍ପାନୀଙ୍କ ଆରମ୍ଭ ବା ଜନ୍ମ ହୋଇଥିଲା ଗୋଟିଏ ଗୋଟିଏ ଗ୍ୟାରେଜରୁ । ସିଧା ଅର୍ଥରେ କହିଲେ ଗ୍ୟାରେଜରୁ ହିଁ ଆରମ୍ଭ ହୋଇଥିଲା ବିଶ୍ୱ ବିଜୟର କାହାଣୀ ।

जेफ बेजोस (Getty)
ସଫଳ ମଣିଷର କାହାଣୀ ଶୁଣିବାକୁ ଭଲଲାଗେ । ସେଥିରୁ ଅନ୍ୟମାନେ ପ୍ରେରଣା ପାଇଥାଆନ୍ତି । ଆଜି ଯିଏ ସଫଳତାର ଶୀର୍ଷରେ ପହଂଚିଛି ତା’ର ସଫଳତା ପଛର କାହାଣୀ କ’ଣ ସେ ବିଷୟରେ ବି ଜାଣିବାକୁ ସମସ୍ତେ ଚାହାନ୍ତି । ସେହିଭଳି ଜଣେ ସଫଳ ମଣିଷ ହେଉଛନ୍ତି ଜେଫ୍ ବିଜୋସ । ବିଶ୍ୱର ଏକ ନମ୍ବର ଧନୀ ଜେଫଙ୍କ ଯାତ୍ରା କିନ୍ତୁ ଆରମ୍ଭ ହୋଇଥିଲା ଗୋଟିଏ ଗ୍ୟାରେଜରୁ । ଗ୍ୟାରେଜରୁ ସେ ଆରମ୍ଭ କରିଥିଲେ ଆଜିର ଅନଲାଇନ୍ ସପିଂ ଜିଆଣ୍ଟ୍ ଆମାଜନ ।

जेफ बेजोस (Getty)
ଜେଫ୍ ବିଜୋସ ଏହି ଜୁଲାଇ ୫ ତାରିଖରୁ ଆମାଜନର ସିଇଓ ପଦବୀରୁ ସେ ଇସ୍ତଫା ଦେଇଛନ୍ତି । ଏହି ୫ ଜୁଲାଇ ତାରିଖରେ ହିଁ ସେ ଆମାଜନର ସିଇଓ ପଦବୀ କାହିଁକି ଛାଡିଲେ ଜାଣନ୍ତି । କାରଣ ସେ ୧୯୯୪ ୫ ଜୁଲାଇରେ ହିଁ ଆମାଜନର ମୂଳଦୂଆ ସ୍ଥାପନ କରିଥିଲେ । ଏହି ତାରିଖ ତାଙ୍କ ପାଇଁ ଖୁବ୍ ଖାସ୍ । ୨୭ ବର୍ଷ ପର୍ବରୁ ଏହି ତାରିଖରେ ସେ ନିଜର ଛୋଟିଆ ଗ୍ୟାରେଜରୁ ଆମାଜନ କଂମ୍ପାନୀର କାମ ଆରମ୍ଭ କରିଥିଲେ ।

Amazon प्रतीकात्मक फोटो (Getty)

ସେ କେବେ କଳ୍ପନା ବି କରିନଥିଲେ ଏହି ଛୋଟିଆ କଂମ୍ପାନୀ ଦିନେ ଦୁନିଆର ଏକ ବଡ ଅନଲାଇନ ସପିଂ ସଂସ୍ଥାର ପରିଚୟ ପାଇବ । କେବଳ ସେତିକି ନୁହେଁ ଜେଫ୍ ବିଜୋସ ନିଜେ କେବେ କଳ୍ପନା ହିଁ କରିନଥିବେ କି ନାମିଦାମୀ ଓ ଧନୀ ପ୍ରଭାବଶାଳୀଙ୍କ ଭିତରେ ତାଙ୍କ ନାଁ ପରିଚୟ ପାଇବ । ଜେଫ୍ ବେଜୋସଙ୍କ ଆମାଜନ ସ୍ୱପ୍ନ ଗ୍ୟାରେଜରୁ ଆରମ୍ଭ ହୋଇଥିଲେ ବି ଆଜି ଟପ୍ ୫ କଂମ୍ପାନୀଙ୍କ ଭିତରେ ଆମାଜନର ନାଁ ଆସେ । ଜେଫଙ୍କ କାହାଣୀ ଜାଣିଲେ ଆପଣ ବି ଭାବିବେ ଏହି ଅସମ୍ଭବକୁ ସେ କେଉଁଭଳି ସମ୍ଭବ କରିପାରିଲେ ।

river, Amazon, Forest, Nature, Landscape, Tropical Forest Wallpapers HD / Desktop and Mobile Backgrounds

ଗ୍ୟାରେଜରେ ଆମାଜନ ଆରମ୍ଭ କରିବା ସମୟରେ ଜେଫ୍ ପ୍ରଥମେ ପୁରୁଣା ବହି ଦୋକାନ ଖୋଲିବାର ଯୋଜନା କଲେ । ଆଉ ତାର ନାଁ ରଖିଲେ ଆମାଜନ । ନିଜ କମ୍ପାନୀର ନାଁ ଆମାଜନ ରଖିବା ପଛରେ ଜେଫଙ୍କ ଆଶା ଥିଲା ଯେ, ଆମେରିକା ମହାଦେଶର ସବୁଠାରୁ ବଡ଼ ନଦୀ ଆମାଜନ ଭଳି ତାଙ୍କ କମ୍ପାନୀ ବିଶ୍ୱର ସବୁଠାରୁ ବୃହତ ଅନଲାଇନ ସପିଂ ସାଇଟ୍ ହେବ ।

प्रतीकात्मक फोटो

୧୯୯୭ ବେଳକୁ ଏହି କଂମ୍ପାନୀ ୧୫୦ରୁ ଅଧିକ ଦେଶରେ ୧୫ଲକ୍ଷରୁ ଅଧିକ ଲୋକଙ୍କୁ ନିଜର ଗ୍ରାହକ ବନାଇବାରେ ସଫଳ ହୋଇଥିଲା । । ପ୍ରଥମେ କଂମ୍ପାନୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛି କିନ୍ତୁ ପରବର୍ତ୍ତୀ ସମୟରେ କଂମ୍ପାନୀରେ ଲାଭ ଦ୍ୱିଗୁଣିତ ହେଇ ବଢିଚାଲିଲା । ଯଦି ଆମେ ଗତ ବର୍ଷର କଥା କହିବା ତାହାଲେ ଆମାଜନ ୨୦୨୦ରେ ୩.୮୬ ଲକ୍ଷ ମିଲିୟନ ଡଲାର ଅର୍ଥାତ ୨୮.୭୬ ଲକ୍ଷ କୋଟି ଟଙ୍କାର ରେଭିନ୍ୟୁ ମିଳିଥିଲା ଓ ସେଥିରୁ କଂମ୍ପାନୀ ୨୧,୩୩୧ ମିଲିୟନ ଡଲାର ଅର୍ଥାତ ୧.୫୮ ଲକ୍ଷ କୋଟି ଟଙ୍କାର ଲାଭ ଅର୍ଜନ କରିଥିଲା । ୨୦୧୮ ସମୟରେ ଆମାଜନର ମାର୍କେଟ କ୍ୟାପ ୧ ଟ୍ରିଲିୟନ ଡୋଲାର ପାର୍ ହୋଇଯାଇଥିଲା ।

जेफ बेजोस (Getty)

ଏହି ୨୦୧୮ରେ ହିଁ ବିଜୋସ ଫୋବ୍ସର ବିଲେନିୟର ତାଲିକାରେ ପ୍ରଥମ ନମ୍ବରରେ ସ୍ଥାନ ପାଇଥିଲେ ଓ ବିଲଗେଟ୍ସଙ୍କୁ ପଛରେ ପକାଇଦେଇଥିଲେ । ମାର୍କେଟ କ୍ୟାପର ଆକଳନରେ ଆମାଜନ -ଏପଲ, ମାଇକ୍ରୋସଫ୍ଟ ଓ ସାଉଦି ଆରମକୋ ପରେ ୪ନମ୍ବର ସ୍ଥାନରେ ରହିଛି । ଏତେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ହୋଇ ବି ୨୩ ବର୍ଷରୁ ବେଜୋସଙ୍କର ଦରମା ସେମିତି ରହିଥିଲା । ଟଙ୍କାଏ ବି ବଢିନଥିଲା । ୧୯୯୮ରେ ତାଙ୍କୁ ୮୧,୮୪୦ ଡୋଲାର ଦରମା ମିଳୁଥିଲା ଯାହା ଆଜିଯାଏଁ ବି ସେତିକି ଥିଲା ।
ତେବେ ଆମାଜନକୁ ଏତେ ଉଚ୍ଚସ୍ତରକୁ ଆଣିବା ପରେ ଏବେ ସେ ସିଇଓ ପଦରୁ ଇସ୍ତଫା ଦେବାର କାରଣ କଣ ତାହା ଆପଣମାନେ ଭାବୁଥିବେ । ଇସ୍ତଫା ଦେବା ପରେ କହିଥିଲେ ଏବେ ସେ ତାଙ୍କର ଅନ୍ୟାନ୍ୟ କମ୍ପାନୀ ଓ ବିଜନେଓ ଉପରେ ଫକୋସ କରିବେ । ତେଣୁକରି ଏବେ ଆମାଜନର ନୂଆ ସିଇଓ ପଦବୀରେ ଏଣ୍ଡି ଜେସି ବସି ଏହାର କାଯ୍ୟଭାର ସମ୍ଭାଳିବେ । ତେବେ ଆଜି ଆପଣ ସହଜରେ ଓ ସୁବିଧାରେ ଆମାଜନକୁ ବ୍ୟବହାର କରୁଛନ୍ତି । ଯେଉଁଥିରୁ ଆପଣଙ୍କର ଆବଶ୍ୟକତା ପୁରଣ ହେଉଛି । କୋଟି କୋଟି ଲୋକ ଦୁନିଆରେ ଏଥିରୁ ଉପକୃତ ହେଉଛନ୍ତି । ତେବେ ଭାବନ୍ତୁ ଯଦି ବିଜୋସ ନିଜର କାମ ଉପରେ ବିଶ୍ୱାସ ନ ରଖିଥାନ୍ତେ ତାହାଲେ କଣ ଏସବୁ ସମ୍ଭବ ହୋଇଥାନ୍ତା । ସେହି ଦୃଢ ବିଶ୍ୱାସ ହିଁ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିପାରିଲା ।

ପୁରୀରେ ପୋଲିସ ଡିଜି ଅଭୟଙ୍କ ସମୀକ୍ଷା, ଶୃଙ୍ଖଳିତ ରଥଯାତ୍ରାକୁ ଫୋକସ

ପୁରୀ: ଦିନକ ପରେ ଘୋଷଯାତ୍ରା  । କଟକଣାରେ ମାଉସୀ ମା ଘର ଯିବେ ମହାବାହୁ  । ବିଶ୍ୱନିୟନ୍ତାଙ୍କ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି  । ସେପଟେ ପୁରୀରେ ପହଁଚିଛନ୍ତି ପୋଲିସ ଡିଜି ଅଭୟ  । ପହଁଚିବା ପରେ ପୁରୀ ଏସପି ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ଡିଜିପି  ।  ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରିଛନ୍ତି ଦଇତା ଓ ସେବାୟତ  । ରଥଯାତ୍ରା ସମୟରେ କେବଳ ତିନିରଥକୁ ମହାପ୍ରଭୁଙ୍କ ସେବାୟତ ମାନେ ଟାଣିବାର ଅନୁମତି ଦେଇଛନ୍ତି ପ୍ରଶାସନ  ।

ସୁରକ୍ଷାବଳୟରେ ଶ୍ରୀକ୍ଷେତ୍ର । ଘୋଷଯାତ୍ରା ପାଇଁ ପୁରୀରେ ପୋଲିସ ଛାଉଣୀ । ରାତିପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏହା ପୂର୍ବରୁ ଆଜି ପୁରୀରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ଡିଜି ଅଭୟ । ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ବ ଦିଆଯାଉଥିବାବେଳେ ପ୍ରଶାସନକୁ ସହଯୋଗ କରିବା ପାଇଁ ପୁରୀବାସୀଙ୍କୁ ଅପିଲ୍ କରିଛନ୍ତି ଡିଜିପି । ସମସ୍ତ ପୋଲିସ କର୍ମଚାରୀ ପୂର୍ବବର୍ଷ ପରି ଉତ୍ସାହିତ ଅଛନ୍ତି । ଘୋଷଯାତ୍ରା ଓ ବାହୁଡାରେ ପୋଲିସ କର୍ମଚାରୀମାନେ ସୁରୁଖୁରରେ ନିଜର ଦାୟିତ୍ବ ନିର୍ବାହ କରିବେ ।

ଘୋଷଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି । ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୧୦ ଜଣ ଅତିରିକ୍ତ ଏସପି, ୨୧ଜଣ ଡିଏସପି, ୬୪ ଜଣ ଇନସପେକ୍ଟର, ୨୨୨ ଏଏସ୍ଆଇ ଏବଂ ଏସ୍ଆଇଙ୍କୁ ଦାୟିତ୍ବ ଦିଆ ଯାଇଛି । ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ । ଅନ୍ୟପଟେ ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଡିଜିପି  । ପୁରୀରେ ରଥଯାତ୍ରା ସମୟରେ ଶାନତି ଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ଅଭୟ  ।

ତୃତୀୟ ଲହରର କାରଣ ହୋଇପାରେ ଲାମ୍ବାଡ଼ା ଓ ଡେଲଟା ପ୍ଲସ୍ ଭେରିୟଣ୍ଟ

ଭୁବନେଶ୍ୱର: ତୃତୀୟ ଲହରର କାରଣ ହୋଇପାରେ ଲାମ୍ବାଡ଼ା ଓ ଡେଲଟା ପ୍ଲସ୍ ଭେରିୟଣ୍ଟ । ଏହା ଉପରେ ସରକାରଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ତ୍ରିପୁରାରେ 90 ପ୍ରତିଶତ ଡେଲଟା ପ୍ଲସ୍ ଭେରିୟଣ୍ଟ ଚିହ୍ନଟ ହେଇଛନ୍ତି । ବର୍ତ୍ତମାନ ସେଠି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଯେହେତୁ ଗୋଟିଏ ରାଜ୍ୟରେ ବଢୁଛି ତେଣୁ ଅନ୍ୟ ରାଜ୍ୟକୁ ଏହା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ସେଥିପାଇଁ କୋଭିଡ ଗାଇଡ଼ ଲାଇନ କଡାକଡି ଭାବେ ଅନୁପାଳନ କରିବାର ଆବଶ୍ୟକ ରହିଛି ।

କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମୁନାହିଁ । ଏଠି ଅନଲକ ପ୍ରକ୍ରିୟା ଜାରି ରହିବା ସହ କୋଭିଡ ନିୟମକୁ କଡାକଡି ଲାଗୁ କରାଯିବା ଦରକାର । ଲାମ୍ବାଡ଼ା ଭେରିୟଣ୍ଟ ଦକ୍ଷିଣ ଆମେରିକାର ଚିଲିରେ ଅଧିକ ଚିହ୍ନଟ ହୋଇଥିଲେ । ମାତ୍ର ଏହି ଭେରିୟଣ୍ଟ ଦ୍ୱାରା ପେରୁ ଅଧିକ ମୃତ୍ୟୁ ହୋଇଛି । ଗତବର୍ଷ ସେପ୍ଟେମ୍ବରରେ ଏହା ଦେଖା ଯାଇଥିଲେ ।

ଏହା ଉପରେ ବର୍ତ୍ତମାନ ବିସ୍ତୃତ ଅନୁଧ୍ୟାନ ହୋଇ ନାହିଁ । ଯେହେତୁ ବର୍ତ୍ତମାନ ୟୁକେରେ ଏହା ଦେଖା ଗଲାଣି ଆଉ ୟୁକେରୁ ଭାରତକୁ ଅଧିକ ଲୋକ ଯାତାୟାତ କରୁଛନ୍ତି । ତେଣୁ ଏହା ଉପରେ ସତର୍କ ଦୃଷ୍ଟି ରଖିବା ସମୟର ଆହ୍ୱାନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଭେରିୟଣ୍ଟ ଆଫ ଇଣ୍ଟରେଷ୍ଟ କହିଛି ମାତ୍ର ଭେରିୟଣ୍ଟ ଆଫ କନସନ କହି ନାହିଁ ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ରଙ୍କ ପ୍ରତିକ୍ରିୟା

ଉପଭୋକ୍ତା ଫୋରମ୍‌ର ରାୟ: ଗନ୍ଧ ଦ୍ୱାରା ପ୍ରମାଣିତ ହୁଏନି ମଦୁଆ, ବୀମା ରାଶି ପଇଠ କରିବାକୁ ନିର୍ଦ୍ଦେଶ

ଚଣ୍ଡିଗଡ଼: ମଦ ଗନ୍ଧ ଆସିବା ଦ୍ୱାରା ଏହା ପ୍ରମାଣିତ ହୁଏନି ଯେ, ବ୍ୟକ୍ତି ଜଣଙ୍କ ମଦ ପିଇଛନ୍ତି । ଏହା ଦ୍ୱାରା ଏହା ଅନୁମାନ କରାଯାଇପାରିବ ନାହିଁ ଯେ, ବ୍ୟକ୍ତି ଜଣଙ୍କ ନିଜ ଆୟତ୍ତରେ ନାହାନ୍ତି, ସେ ଗାଡ଼ି ଚଳାଇବାକୁ ଅସମର୍ଥ । ଏହା କହିବା ସହ ପଞ୍ଜାବର ଉପଭୋକ୍ତା ଫୋରମ୍ କାର ଦୁର୍ଘଟଣା ମାମଲାରେ ଜଣେ ପୀଡ଼ିତକୁ ବୀମା ବାବଦକୁ ୧.୮୪ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୋଗକାରୀ ରଞ୍ଜନ ଦୀପ ସିଂହ କହିଛନ୍ତି ଯେ, ୩୧ ମଇ ୨୦୧୮ ଠାରୁ ୩୦ ମଇ ୨୦୧୯ ମଧ୍ୟରେ ୮ଲକ୍ଷ ଟଙ୍କାର ଆଇଡିବି ନେଇ ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସ କମ୍ପାନୀରେ ଗାଡ଼ିର ବୀମା କରାଇଥିଲେ । ୨୦୧୯ ଫେବୃଆାରୀ ପହିଲାରେ ମଧ୍ୟ ରାତ୍ରିରେ ଅନ୍ଧାର ଯୋଗୁଁ ସେକ୍ଟର ୩୪/୩୫ ନିକଟରେ ତାଙ୍କ ଦୁର୍ଘଟଣା ହୋଇଥିଲା । ତାଙ୍କୁ ଚିକିତ୍ସା ନେଇ ସରକାରୀ ହସ୍ପିଟାଲ ନିଆଗଲା । ସେ ୩ ଫେବୃଆରୀ ଯାଏଁ ସେଠାରେ ଚିକିତ୍ସିତ ହେଲେ । ତାଙ୍କ କାର୍ ବୀମା କ୍ୟାସଲେସ୍ ଥିଲା ଏଣୁ ୧୦ ହଜାର ଟଙ୍କା ଜମା କରି କାର୍ ନେଇଯାଇଥିଲେ ।

୧୪ ମାର୍ଚ୍ଚ ୨୦୧୯ରେ ଅଭିଯୋଗକାରୀ ରାଜନଙ୍କୁ ହୁଣ୍ଡାଇ ଡିଲରସିପ୍‌ଠାରୁ ୧ଲକ୍ଷ ୬୧ ହଜାର ୧୭୮ ଟଙ୍କା ପଇଠ କରିବାକୁ କଲ୍ ଆସିଲା । ସେମାନେ କହିଲେ ଯେ,ବୀମା କମ୍ପାନୀ ମରାମତି ବାବଦକୁ ହୋଇଥିବା ଟଙ୍କା ପଇଠ କରିବାକୁ ମନା କରିଦେଲେ । ଏଣୁ ତାଙ୍କୁ ୧ ଲକ୍ଷ ୬୧ ହଜାର ୧୭୮ କୋଟି ଟଙ୍କା ପଇଠ କରିବାକୁ ପଡ଼ିବ ।  ୨୨ମଇ ୨୦୧୯ରେ ତାଙ୍କୁ ଲେଟର ମିଳିଥିଲା ଯେଉଁଥିରେ କୁହାଯାଇଥିଲା ଯେ, ତାଙ୍କ ବୀମା କ୍ଳେମ୍ ଖାରିଜ କରାଗଲା, କାହିଁକି ନା ସେ ମଦ ପିଇ ଅବା ଡ୍ରଗ୍ସ ସେବନ କରି ଗାଡ଼ି ଚଳାଉଥିଲେ ।

ଏଥିସହିତ ପଢ଼ନ୍ତୁ: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବେ ଦିଲ୍ଲୀପ ଘୋଷ: ଦଳୀୟ ଅସ୍ତନ୍ତୋଷ ନେଇ ହୋଇପାରେ ଆଲୋଚନା

ଯୁକ୍ତି ଶୁଣିବା ପରେ ଆୟୋଗ କହିଛନ୍ତି ଯେ, ବୀମା କମ୍ପାନୀ ଅଭିଯୋଗକାରୀଙ୍କ ମେଡିକାଲ ଯାଞ୍ଚ ରିପୋର୍ଟ ଭାବେ କୌଣସି ଠୋସ୍ କିମ୍ୱା ବିଶ୍ୱସନୀୟ ପ୍ରମାଣ ମିଳିନାହିଁ । ଯାହା ଦ୍ୱାରା କି ସେ ମଦ ପିଇ ଗାଡ଼ି ଚଳାଉଥିବା ସମୟରେ ସେ ମଦ ନିଶାରେ ଚୂର ଥିଲେ, ଏଣୁ ସେ ନିଜ ଆୟତ୍ତରେ ନଥିଲେ ଏବଂ ଗାଡ଼ି ଚଳାଇବାକୁ ଅସମର୍ଥ ଥିଲେ । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ମଦର ମାତ୍ରା ଜାଣିବା ନେଇ  ରକ୍ତ ପରୀକ୍ଷା  ନ କରି ଅଭିଯୋଗକାରୀଙ୍କ ପଟୁ ଆସୁଥିବା କେବଳ କିଛି ଦୁର୍ଗନ୍ଧ ଆଧାରରେ ଏଭଳି କୌଣସି ସିର୍ଦ୍ଧାନ୍ତରେ ପହଞ୍ଚି ହେବନାହିଁ ।

ରାଉରକେଲା ଗ୍ୟାସ ଲିକ ଘଟଣା: ଏନଜିଟି ପକ୍ଷରୁ ଦିଆଯାଇଥିବା ଆଦେଶକୁ ସୁପ୍ରିମକୋର୍ଟଙ୍କ ରୋକ

ରାଉରକେଲା: ଇସ୍ପାତ କାରଖାନାର ସିସିଡି ବିଭାଗରେ ଗ୍ୟାସ ଲିକ ହୋଇ ୪ଜଣ ଠିକା ଶ୍ରମିକ ମୃତ୍ୟୁ ବରଣ କରିବା ଘଟଣାର ଏନଜିଟି ପକ୍ଷରୁ ଦିଆଯାଇଥିବା ଆଦେଶକୁ ସୁପ୍ରିମକୋର୍ଟ ରୋକ ଲଗାଇଥିବା ସୁଚନା ମିଳିଛି । ଗତ ଜାନୁଆରୀ ମାସ ୬ ତାରିଖ କାର୍ଵନ ମନୋଓକ୍ସାଇଡ ଗ୍ୟାସ ଲିକ୍ ହୋଇ ୪ଜଣ ଠିକା ଶ୍ରମିକ ମୃତ୍ୟୁ ବରଣ କରିବା ପରେ ଏନଜିଟି ନିଜ ଆଡୁ ଏକ ମକଦ୍ଦମା ରୁଜୁ କରିଵା ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆଦେଶ ଦେଇଥିଲେ। ଏହାସହ ୫ ଜଣିଆ କମିଟି ଗଠନ କରି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ଚଳିତ ମାସ ୬ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ କମିଟି ରାଉରକେଲା ସହରରେ ରହି ତଦନ୍ତ କରି ଫେରିଛନ୍ତି।

୫ ଜଣିଆ ଉଚ୍ଚସ୍ତରୀୟ କମିଟି ତିନି ଦିନ ଧରି ରାଉରକେଲା ସହରରେ ରହି ଦୁର୍ଘଟଣା ସ୍ଥଳ ଗସ୍ତ କରି ଗ୍ୟାସ ଲିକ ଘଟଣାର ତଦନ୍ତ କରିବା ସହ ମକଡ୍ରିଲ ଅନୁଧ୍ୟାନ କରିଥିଲେ। ଏହି ୫ ଜଣିଆ କମିଟିରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ପୁର୍ବାଞ୍ଚଳ ଯୋନର ବରିଷ୍ଠ ବୈଜ୍ଞାନିକ, କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର କୋଲକାତାର ଆଞ୍ଚଳିକ ନିର୍ଦେଶକ, ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ରାଉରକେଲା ଆଞ୍ଚଳିକ ମୁଖ୍ୟ ଓ ଦୁଇଜଣ ଇଣ୍ଡଷ୍ଟ୍ରିଆଲ ଏକ୍ସପର୍ଟ ଥିଲେ। ତେଵେ ଗତ ଫେବୃଆରୀ ମାସ ୧୧ ତାରିଖ ଏନଜିଟି ପକ୍ଷରୁ ଦିଆଯାଇଥିବା ଆଦେଶକୁ ସୁପ୍ରିମକୋର୍ଟ ରୋକ ଲଗାଇଥିବା ରାଉରକେଲା ଇସ୍ପାତ କାରଖାନା ପିଆର ଵିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବିଶ୍ୱ ଜନସଂଖ୍ୟା ଦିବସ: ୨୦୨୪ ସୁଦ୍ଧା ଚୀନ ଜନସଂଖ୍ୟାକୁ ଟପିପାରେ ଭାରତ

ନୂଆଦିଲ୍ଲୀ: ଆଜି ବିଶ୍ୱ ଜନସଂଖ୍ୟା ଦିବସ  । ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ପାଳନ କରାଯାଏ ଏହି ଦିବସ  । ତେବେ ଭାରତର  ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢାଇଛି । ବିଶ୍ୱର ଜନସଂଖ୍ୟା ଏବେ ରହିଛି ୭୭୯ କୋଟି । କେବଳ ଭାରତର ଜନସଂଖ୍ୟା ରହିଛି ୧୩୮ କୋଟି  । ଯାହାକି ୨୦୨୪ ସୁଦ୍ଧା ଚୀନର ଜନସଂଖ୍ୟାକୁ ଟପିପାରେ ଭାରତ  । ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ଜୀବନ ଜୀବିକା ଉପରେ ପକାଇପାରେ ବଡ ପ୍ରଭାବ ।

୨୦୨୦ରେ ବିଶ୍ୱର ଜନସଂଖ୍ୟା ୭୭୯ କୋଟି ଥିବାବେଳେ ଭାରତର ଜନସଂଖ୍ୟା ରହିଛି ୧୩୮ କୋଟି । ବିଶ୍ୱ ଜନସଂଖ୍ୟାର ଏହା ହେଉଛି ୧୭.୭ ପ୍ରତିଶତ । ସେପଟେ ଚୀନକୁ ଗୋଡ଼ାଉଛି ଭାରତ । ଚୀନର ମୋଟ ଜନସଂଖ୍ୟା ୧୪୧ କୋଟି ରହିଛି । ୨୦୨୪ ସୁଦ୍ଧା ଚୀନର ଜନସଂଖ୍ୟା ଠାରୁ ଟପିପାରେ ଭାରତ । ମୋଟ୍ ଜନସଂଖ୍ୟାର ୫୦ ପ୍ରତିଶତ ୨୯ ବର୍ଷରୁ କମ୍ ବୟସର ରହିଛନ୍ତି । ବର୍ତ୍ତମାନ ଭାରତର ପ୍ରଜନନହାର ରହିଛି ୨.୨ ପ୍ରତିଶତ  । ଚଳିତ ବର୍ଷର ଏହି ରିପୋର୍ଟ କିଛି ପରିମାଣରେ ଦେଶ ପାଇଁ ଆଶ୍ୱସ୍ତି ଆଣିଛି  । ଯଦି ଏହାଠାରୁ ବଢେ ତାହା ହେଲେ ଜୀବନ ଜୀବକା ଉପରେ ବଡ଼ ପ୍ରଭାବ ପକାଇବାର ସମ୍ଭାବନା ସୃଷ୍ଟି ହୋଇଛି  । ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ଜୀବନ ଜୀବିକା ଉପରେ ପକାଉଛି ପ୍ରଭାବ । ବିଶେଷ କରି କରୋନା କାଳରେ ଯୁବ ସମାଜ ପ୍ରତି ବଢିଛି ବିପଦ ।

ଏକ ରିପୋର୍ଟ ଅନୁଯାୟୀ ଭାରତରେ ଗତବର୍ଷ ଏପ୍ରିଲରେ ହିଁ ଦୁଇକୋଟି ୭୦ ଲକ୍ଷ ଲୋକଙ୍କୁ ନିଜ ଜୀବିକା ହରାଇବାକୁ ପଡିଥିଲା  । ଲକଡାଉନ, ସଟଡାଉନ ଆଦି ଯୋଗୁ ବନ୍ଦ ହୋଇଯାଇଥିଲା କଳକାରଖାନା, ଅଫିସ, ଦପ୍ତର । ପ୍ରଭାବ ପଡିଥିଲା ଯୁବ ଗୋଷ୍ଠୀ ଉପରେ । ସେପଟେ ଜନସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା ପାଇଁ  ଦୁଇ ସନ୍ତାନ ନୀତି ଆପଣାଇବା ଦିଗରେ ଆଗେଇଛନ୍ତି ଉତ୍ତରପ୍ରଦେଶ ଓ ଆସାମ ସରକାର  । ପ୍ରତ୍ୟେକ ରାଜ୍ୟ ଏହି ନୀତି ଆପଣାଇବାକୁ ଅପିଲ କରିଛନ୍ତି ବିଶେଷଜ୍ଞ  । ସେପଟେ ଜନସଂଖ୍ୟା ବୃଦ୍ଧି ସହ ବଢିଚାଲିଛି କ୍ଷୁଧାର ରାଜ୍ । ବିଶ୍ୱରେ ପ୍ରତି ମିନିଟରେ କ୍ଷୁଧାରେ ପ୍ରାଣ ହରାଉଛନ୍ତି ୧୧ ଜଣ । କରୋନାଠାରୁ ବି ଭୟଙ୍କର ସାଜିଛି କ୍ଷୁଧା । କରୋନାରେ ପ୍ରତି ମିନଟରେ ୭ଜଣ ପ୍ରାଣ ହରାଉଥିବାବେଳେ କ୍ଷୁଧାରେ ୧୧ ଜଣ ପ୍ରାଣ ହରାଉଛନ୍ତି ।  ବର୍ତ୍ତମାନ ବିଶ୍ୱରେ ୧୫ କୋଟି ୫୦ ଲକ୍ଷ ଲୋକ ଖାଦ୍ୟ ନିରପତ୍ତାରୁ ବଞ୍ଚିତ ହୋଇଛନ୍ତି । ଗତ ବର୍ଷଠାରୁ ଏହି ସଂଖ୍ୟା ୨ କୋଟି ଅଧିକ । ତେଣେ ସାମାଜିକ ନିରାପତ୍ତା ଅଭାବରୁ ବେଘର ହେଉଛନ୍ତି ଶିଶୁ । ସେମାନଙ୍କୁ ବିଭିନ୍ନ ଯୁଦ୍ଧରେ ବି ନିୟୋଜିତ କରାଯାଉଛି । ଜାରି ରହିଛି ସଚେତନତା । ତଥାପି କମୁନି ଜନସଂଖ୍ୟା ।

ଏଥିସହିତ ପଢ଼ନ୍ତୁ: ଲକ୍ଷ୍ନୌରେ ATSର ବଡ଼ ଅପରେସନ୍: ଗିରଫ ହେଲେ ୨ ଆତଙ୍କବାଦୀ ସନ୍ଦିଗ୍ଧ 

ପ୍ରେମ ପାଇଁ ବଡ଼ଭାଇକୁ ମାରିଦେଲେ ଦୁଇ ସାନ ଭାଇ

ସୁନ୍ଦରଗଡ଼: ପ୍ରେମ ପାଇଁ ଉନ୍ମକ୍ତ କାଣ୍ଡ । ଅନ୍ୟ ଜାତିରେ ବିବାହକୁ ବିରୋଧ କରିବାରୁ ବଡ଼ଭାଇକୁ ମାରିଦେଲେ ଦୁଇ ସାନଭାଇ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ବନ୍ଦଲ ଗାଁରେ।

ମୃତକ ଜଣକ ହେଉଛନ୍ତି ପାତ୍ରାସ ମୁଣ୍ଡା । ପାତ୍ରାସଙ୍କ ସାନଭାଇ ସମା ମୁଣ୍ଡା ଅନ୍ୟ ଜାତିର ଝିଅକୁ ପ୍ରେମ କରୁଥିଲେ । ଏବଂ ସେ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ  ଏହି ବିବାହକୁ ବିରୋଧ କରିଥିଲେ ସାମାଙ୍କ ବଡ଼ ଭାଇ ପାତ୍ରାସ। ଏଥିରେ ଉତ୍ତ୍ୟକ୍ତ ହୋଇ ସାନଭାଇ ସମା  ଓ ବିର୍କାନ ମିଶି ପାତ୍ରାସଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ,  ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ଫୋରେନସିକ୍ ଟିମ୍ ଆସିଲା ପରେ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ।

ଲକ୍ଷ୍ନୌରେ ATSର ବଡ଼ ଅପରେସନ୍: ଗିରଫ ହେଲେ ୨ ଆତଙ୍କବାଦୀ ସନ୍ଦିଗ୍ଧ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ୨ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ୨ଆତଙ୍କବାଦୀଙ୍କୁ ଗିରଫ କରିଛି ଲକ୍ଷ୍ନୌ-ୟୁପି ଆଣ୍ଟି ଟେରୋରିଜିମ୍ ସ୍କାଡ୍ । ଗିରଫ ୨ ସନ୍ଦିଗ୍ଧଙ୍କର ଆଲକାଏଦା ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି । ରାଜଧାନୀ ଲକ୍ଷ୍ନୌରେ ଆତଙ୍କବାଦୀ ଲୁଚି ରହିଥିବା ଖବରପାଇଁ ଆଣ୍ଟି ଟେରୋରିଜମ୍ ସ୍କାଡ୍ ଚଢ଼ାଉ କରିଥିଲା । କାକୋରା ଥାନା ଅଧୀନ ମୁସଲିମ ବହୁଳ ଅଞ୍ଚଳ ଠାକୁରଗଞ୍ଜରେ ଥିବା ଏକ କୋଠାରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେଠାରେ ଆଖପାଖ ଘର ଖାଲି କରାଯିବା ସହ ଘଟଣାସ୍ଥଳରେ ବୋମା ନିଷ୍କ୍ରୀୟକାରୀ ଦଳ ପହଞ୍ଚିଥିଲା । ଆଣ୍ଟି ଟେରୋରିଜ୍ ସ୍କାଡ୍ ପକ୍ଷରୁ ଏବେ ବି ବିଭନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଗିରଫ ୨ ସନ୍ଦିଗ୍ଧ ପାକିସ୍ତାନୀ ହ୍ୟାଣ୍ଡଲର ବୋଲି କୁହାଯାଉଛି । ୨ ଜଣଙ୍କୁ ATS ପଚରାଉଚରା କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିବା ବିଲ୍ଡିଂରୁ କେତେକ ଜରୁରୀ କାଗଜପତ୍ର କମାଣ୍ଡୋଙ୍କ ହାତରେ ଲାଗିଥିବା ସୂଚନା ରହିଛି ।

ଏଥିସହିତ ପଢ଼ନ୍ତୁ: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବେ ଦିଲ୍ଲୀପ ଘୋଷ: ଦଳୀୟ ଅସ୍ତନ୍ତୋଷ ନେଇ ହୋଇପାରେ ଆଲୋଚନା