ଇଂଲଣ୍ଡରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପ୍ରଦର୍ଶନ, ୭୮ରନରେ ଅଲ ଆଉଟ୍

1 min read

ଲିଡସ୍: ଭାରତ-ଇଂଲଣ୍ଡ ମଧ୍ୟ ଖେଳାଯାଉଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚର ପ୍ରଥମ ଦିନରେ ଭାରତ ଆଜି ଲଜ୍ଜାଜନକ ପ୍ରଦର୍ଶନ କରିଛି । ଟସ୍ ଜିତି ବ୍ୟାଟିଂ ବାଛିଥିବା କ୍ୟାପ୍ଟେନ୍ ବିରାଟ କୋହଲିଙ୍କ ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଛି । ଲିଡସ ମ୍ୟାଚର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ମାତ୍ର ୭୮ ରନ କରି ଅଲଆଉଟ୍ ହୋଇଛି । କ୍ୟାପ୍ଟେନ ବିରାଟ କୋହଲି ମାତ୍ର ୭ ରନ କରି ଆଉଟ୍ ହୋଇଛନ୍ତି ।

ବିରାଟ କୋହଲି,ଚେତେଶ୍ୱର ପୁଜାରା,ରୋହିତ ଶର୍ମା,ଅଞ୍ଜିକେୟ ରାହାଣେ,କେଏଲ ରାହୁଲ,ଋଷ ପନ୍ତ ଟିମ୍ ଇଣ୍ଡିଆର ଏହି ନାମି ଦାମି ଖେଳାଳୀ ଆଜି ଲିଡସ ହେଣ୍ଡିଗ୍ଲେ ମୈଦାନରେ ଶସ୍ତାରେ ଆଉଟ୍ ହୋଇଛନ୍ତି । ଜେମ୍ସ ଆଣ୍ଡରସନ୍ କେଏଲ ରାହୁଲଙ୍କୁ ଶୁନରେ ଆଉଟ୍ କରିବା ସହିତ ଟିମ୍ ଇଣ୍ଡିଆର ବାକି ଖେଳାଳୀ ଜଣକ ପରେ ଜଣେ ତାସ୍ ପତା ଭଳି ଖସିବାକୁ ଲାଗିଥିଲେ । କେବଳ ରୋହିତ ଶର୍ମା-୧୯ ଓ ଅଞ୍ଜିକେୟ ରହାଣେ -୧୮ ରନ୍ କରି ପାରିଥିଲେ । ବାକି କୌଣସି ଖେଳାଳୀ ଏକ ଅଙ୍କ ପାର କରି ପାରିନଥିଲେ । ପତ୍ରଝଡା ଦେଇ ଭାରତୀୟ ଖେଳାଳୀ ମାତ୍ର ୭୮ ରନ ସଂଗ୍ରହ କରି ପାରିଥିଲେ ।

ଲଂଚ୍ ଭିତରେ ୪ ୱିକେଟ୍
ଆକାଶରେ ବାଦଲ ଥିବା ସତ୍ୱେ ବିରାଟ ଟସ ଜିତି ବ୍ୟାଟିଂ ବାଛିଥିଲେ । ଆଣ୍ଡରସନ ତାଙ୍କର ଏହି ନିଷ୍ପତ୍ତିକୁ ମାତ୍ର ଅଳ୍ପ ସମୟ ଭିତରେ ଭୁଲ ବୋଲି ସାବ୍ୟସ୍ତ କରିଥିଲେ । ଲର୍ଡସରେ ଗଲା ମ୍ୟାଚରେ ଶତକ ମାରିଥିବା ରାହୁଲଙ୍କୁ ସେ ଶୁନରେ ଆଉଟ୍ କରିଥିଲେ । ପୁଜାରା ମଧ୍ୟ ପଂଚମ ଓଭରରେ ଆଣ୍ଡରସନଙ୍କ ଶିକାର ହୋଇଥିଲେ । ସେହିଭଳି କୋହଲିଙ୍କୁ ମଧ୍ୟ ଆଣ୍ଡରସନ୍ ଆଉଟ୍ କରିଥିଲେ । ଏଥରକୁ ମିଶାଇ ଆଣ୍ଡରସନ୍ କୋହଲିଙ୍କୁ ମୋଟ ୭ ଥର ଆଉଟ୍ କରିସାରିଲେଣି ।

Leave a Reply