spot_img
Home Blog Page 5051

୨ରୁ ୧୮ ବର୍ଷର ଶିଶୁଙ୍କୁ ଖୁବଶୀଘ୍ର ହେବ ଟିକାକରଣ, ଏଥିପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ପ୍ରଶିକ୍ଷଣ

ଭୁବନେଶ୍ୱର: ୨ରୁ ୧୮ ବର୍ଷ ଶିଶୁଙ୍କୁ ଖୁବଶୀଘ୍ର ହେବ ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଆସନ୍ତା କାଲିଠୁ ପ୍ରଶିକ୍ଷଣ ଆରମ୍ଭ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ୧କୋଟି ୪୦ ଲକ୍ଷ ୨ରୁ ୧୮ ବର୍ଷର ହିତାଧିକାରୀ ଅଛନ୍ତି। ସେମାନଙ୍କ ଟିକାକରଣ ପାଇଁ ଟିକାକରଣ କେନ୍ଦ୍ର ବୃଦ୍ଧି ସହ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ। ଶିଶୁଙ୍କୁ ଟିକା ଦେବାକୁ କୋଭାକ୍ସିନ ଓ ଜାଇକୋଭ-ଡିକୁ ମିଳିଛି ଅନୁମତି। କୋଭାକ୍ସିନର ୨ଟି ଡୋଜ୍ ଥିବା ବେଳେ ଜାଇକୋଭ -ଡି ଟିକା ନେଲେ ୩ଟି ଡୋଜ୍ ନେବାକୁ ପଡିବ।

କୋଭାକ୍ସିନର ପ୍ରଥମ ଡୋଜର ୪ ସପ୍ତାହ ପରେ ନେବେ ଦ୍ୱିତୀୟ ଡୋଜ୍। ସେପଟେ ଦେଶରେ ନୂଆ କରୋନା ଭୂତାଣୁ ଦେଖାଦେଇଛି। ମହାରାଷ୍ଟ୍ରରେ ଦେଖାଦେଇଥିବା ନୂଆ ଭୂତାଣୁର ନାଁ ଘୋଷଣା ହୋଇନି। ତେବେ ଏହାକୁ ନେଇ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଆଶ୍ୱସ୍ତିକର ଖବର ହେଉଛି, ତୃତୀୟ ଲହରୀ ଆସିବା ସମ୍ଭାବନା ବହୁତ କମ୍। ଯଦି ଲୋକମାନେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବେ, ତେବେ ତୃତୀୟ ଲହର ସମ୍ପୂର୍ଣ୍ଣ ଏଡାଇ ଦିଆଯାଇପାରିବ ବୋଲି ବିଜୟ ମହାପାତ୍ର କହିଛନ୍ତି।

 

ଆଜି ସରୁଛି ମନୀଷ ଅଭିଯୁକ୍ତଙ୍କ ୪ ଦିନିଆ ରିମାଣ୍ଡ ଅବଧି, ଆଉଥରେ ରିମାଣ୍ଡ ପାଇଁ ହୋଇପାରେ ଆବେଦନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ମନୀଷ ଅନୁରାଗ ହତ୍ୟା ମାମଲା। ଆଜି ସରୁଛି ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ୪ ଦିନିଆ ରିମାଣ୍ଡର ଅବଧି। ରିମାଣ୍ଡରେ ୩ ଅଭିଯୁକ୍ତଙ୍କୁ ଜେରା କରୁଛି ପୋଲିସ। ମନୀଷଙ୍କୁ କେମିତି ହତ୍ୟା କଲେ ? କିଏ ପ୍ରଥମେ ମନୀଷକୁ ମାରିଲା ? ପୋଖରୀ ପାଖକୁ ମନୀଷକୁ ନେଇ ଗଲେ କେମିତି ? ମନୀଷଙ୍କ ମୋବାଇଲ ଏବେ କେଉଁଠି ? ଏ ସମସ୍ତ ଦିଗକୁ ନେଇ ଖୋଳତାଡ କରୁଛି ପୋଲିସ। ହେଲେ ଏବେ ବି ମନୀଷଙ୍କ ମୋବାଇଲ୍ ପାଖରେ ପହଞ୍ଚି ପାରିନି ପୋଲିସ। ପୋଖରୀ ଭିତରେ ମୋବାଇଲ୍ ପଡିଥିବା ସନ୍ଦେହ କରାଯାଉଛି। ପଟିଆରୁ ପାତ୍ରପଡା ଅଭିଯୁକ୍ତମାନେ ଯେଉଁ ସ୍ଥାନକୁ ଯାଇଥିଲେ, ସେ ସମସ୍ତ ସ୍ଥାନକୁ ଯାଇ ପ୍ରମାଣ ଯୋଗାଡ କରିଛି ପୋଲିସ। ଗତ ୯ ତାରିଖରେ ୩ଟି ବାରକୁ ଯାଇଥିଲେ ମନୀଷ, ଅମ୍ରିତ, ମୃତ୍ୟୁଞ୍ଜୟ ଓ ଦିନେଶ। ବାରରେ ୬୭ ହଜାର ଟଙ୍କା ଖର୍ଚ୍ଚ କରିଥିବା ଜେରା ବେଳେ ମାନିଛନ୍ତି ଅଭିଯୁକ୍ତ। ଗିରଫ ପୂର୍ବରୁ ବୟାନ ଏବେର ବୟାନକୁ ନେଇ ତଜର୍ମା କରୁଛି ପୋଲିସ। କୋର୍ଟରେ ହାଜର କରିବା ପୂର୍ବରୁ ପ୍ରମାଣ ଯୋଗାଡ କରିବାରେ ଲାଗିଛି ପୋଲିସ। ତେବେ ଆଜି କୋର୍ଟରେ ପୋଲିସ୍‌ ଆଉଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ।

ଟିକାକରଣରେ ସୃଷ୍ଟି ହେଲା ନୂଆ କୀର୍ତ୍ତିମାନ, କରୋନା ଟିକାକରଣ ଟପିଲା ଶହେ କୋଟି

ନୂଆଦିଲ୍ଲୀ: କରୋନା ପାଇଁ ହନ୍ତସନ୍ତ ହେଉଛି ପୁରା ଭାରତ। ସବୁକିଛିକୁ ଦେଶରେ ପ୍ରଭାବିତ କରିଛି କିଲର କରୋନା। ତେବେ ଏହି କରୋନାରୁ ବଞ୍ଚିବା ପାଇଁ ଏକମାତ୍ର ସଞ୍ଜିବନୀ ହେଉଛି କରୋନା ଟିକା। ତେବେ ଦେଶରେ ଟିକାକରଣରେ ରେକର୍ଡ଼ ହୋଇଛି। ଟିକାକରଣରେ ସୃଷ୍ଟି ହୋଇଛି ନୂଆ କୀର୍ତ୍ତିମାନ। ଦେଶରେ ଶହେ କୋଟି ଟପିଛି କରୋନା ଭ୍ୟାକ୍ସିନେସନ। ଦେଶରେ ଶହେ କୋଟି ଡୋଜ୍ ଟପିଛି କରୋନା ଟିକାକରଣ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଭଳି ବଡ଼ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ସେପଟେ ଏଭଳି ବଡ଼ ସଫଳତା ପାଇଁ ଆଜି ସମ୍ମୁଖ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ।

ସେପ୍ଟେମ୍ବରରେ ସର୍ବାଧିକ ଟିକାକରଣ ହୋଇଛି। ଦିନକରେ ପ୍ରାୟ ୮୦ ଲକ୍ଷ ଡୋଜ୍ ଦିଆଯାଇଥିଲା। ଟିକାକରଣରେ ଦେଶର ଟପ୍ ୫ରାଜ୍ୟରେ ଅଛନ୍ତି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜରାଟ ଓ ମଧ୍ୟପ୍ରଦେଶ। ଜାନୁଆରୀ ୧୬ରେ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରଥମେ ପ୍ରଣ୍ଟଲାଇନ ୱାରିୟରଙ୍କୁ ଦିଆଯାଇଥିଲା ଟିକା। ଏହାପରେ ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଭ୍ୟାକ୍ସିନେସନ ଆରମ୍ଭ ହୋଇଥିଲା। ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ୪୫ ବର୍ଷରୁ ଅଧିକ ଗୁରୁତରଙ୍କୁ ଦିଆଯାଇଥିଲା ଟିକା। ୧ ଏପ୍ରିଲରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଦିଆଗଲା ଟିକା। ମେ ୧ରୁ ୧୮ରୁ ଅଧିକ ସମସ୍ତଙ୍କୁ ଦିଆଯାଇଛି ଟିକା। ୬୩ହଜାର ୪୬୭ ଟିକା ସେଣ୍ଟରରେ ଲଗାତର ଭାବେ ଚାଲିଛି ଟିକାକରଣ। ୬୧ହଜାର ୨୭୦ ସରକାରୀ ଓ ୨ହଜାର ୧୯୭ ଘରୋଇ ସେସନ ସାଇଟରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି।

ପୁଅ ଆର୍ଯ୍ୟନ୍‌କୁ ଦେଖିବା ପାଇଁ ଆର୍ଥର ରୋଡ ଜେଲକୁ ଗଲେ ଶାହାରୁଖ ଖାନ୍‌

ନୂଆଦିଲ୍ଲୀ: ଡ୍ରସ୍‌ ମାମଲାରେ ଏବେ ଜେଲରେ ରହିଛନ୍ତି ଶହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌। ଆଜି ବମ୍ବେ ହାଇକୋର୍ଟରେ ଆର୍ଯ୍ୟନଙ୍କୁ ମିଳିପାରେ ଜାମିନ୍ । ଏ ନେଇ ଆବେଦନ କରିଛନ୍ତି ଆର୍ଯ୍ୟନଙ୍କ ଆଇନଜୀବୀ। ତେବେ ଆର୍ଯ୍ୟନଙ୍କ ବେଲ୍ କୁ ବିରୋଧ କରିବ ଏନସିବି। ତେବେ ଏହାରି ଭିତରେ ଆର୍ଯ୍ୟନ୍‌ଙ୍କୁ ଆଶ୍ୱାସନା ଦେବା ପାଇଁ ଜେଲରେ ପହଞ୍ଚିଛନ୍ତି ବାପା ଶହାରୁଖ ଖାନ୍‌। ବାପା ଶାହାରୁଖ ଖାନ୍‌ ଆର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି।

ଶାହାରୁଖ ଖାନ ଗୁରୁବାର ସକାଳେ ପୁଅ ଆର୍ଯ୍ୟନ ଖାନଙ୍କୁ ଭେଟିବା ପାଇଁ ଆର୍ଥର ରୋଡର ଜେଲରେ ପହଞ୍ଚିଥିଲେ। ଏହାପୂର୍ବରୁ ଶାହରୁଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ଏକ ଭିଡିଓ କଲରେ ଆର୍ଯ୍ୟନଙ୍କ ସହ କଥା ହୋଇଥିଲେ। ଏହା କୁହାଯାଉଥିଲା ଯେ ଉଭୟ ପୁଅ ପାଇଁ ଚିନ୍ତିତ ଅଛନ୍ତି ଏବଂ ଜେଲ ଅଧିକାରୀଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଉଛନ୍ତି।

ଆର୍ଯ୍ୟନ ଖାନଙ୍କୁ ଗତ ୧୪ ଦିନ ଧରି ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯାଇଛି। ଡ୍ରଗ୍ସ ନେବା ଏବଂ ଆନ୍ତର୍ଜାତୀୟ ଡ୍ରଗ୍ କାରବାର ସହ ଜଡିତ ଥିବା ଏନସିବି ଅଭିଯୋଗ କରିଛି। ମାଜିଷ୍ଟ୍ରେଟ୍ କୋର୍ଟ ଏବଂ ସେସନ୍ କୋର୍ଟ ଦ୍ୱାରା ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଥିଲା।

କମିଶନରେଟ ପୋଲିସ ପକ୍ଷରୁ ୬୨ ତମ ପୁଲିସ ସହିଦ ଦିବସ ପାଳିତ

ଭୁବନେଶ୍ୱର: କମିଶନରେଟ ପୋଲିସ ପକ୍ଷରୁ ୬୨ ତମ ପୁଲିସ ସହିଦ ଦିବସ ପାଳିତ ହୋଇଛି। ଭୁବନେଶ୍ୱର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ଦେଶରେ ଚଳିତ ବର୍ଷ ୩୭୭ ଜଣ ପୁଲିସ ଅଧିକାରୀ ସହିଦ ହୋଇଥିବା ବେଳେ କରୋନା କାଳରେ ମଧ୍ୟ ୨୨ ଜଣ ପୁଲିସ ସହିଦ ହୋଇଛନ୍ତି। ରାଜ୍ୟ ତଥା ଦେଶର ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ସର୍ବଦା ନିଜ ଜୀବନକୁ ବାଜି ଲଗାଇଥାନ୍ତି।

ନିଜର କର୍ତ୍ତବ୍ୟ ନିଷ୍ଠା ଓ ପରାକାଷ୍ଠା ଦେଖାଇ ଅନେକ ପୁଲିସ କର୍ମଚାରୀ ଆତ୍ମବଳୀ ଦେଇଛନ୍ତି। ସମାଜ ତଥା ଦେଶ ଗଠନ ପାଇଁ ପୋଲିସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ପୋଲିସ କମିଶନର କହିଛନ୍ତି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ପୁଲିସ କର୍ମଚାରୀ ଏବଂ ସେମାନଙ୍କ ବଳିଦାନ ସମ୍ପର୍କରେ ଦେଇଥିବା ବାର୍ତ୍ତା ପାଠ କରିଥିଲେ ପୋଲିସ କମିଶନର।

ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପ, ଆଜିଠୁ ଶୁଖିଲା ରହିବ ପାଗ

ଭବନେଶ୍ୱର: ଥଣ୍ଡାର ଆଗମନ ସହ ଦୁର୍ବଳ ହେଲା ଲଘୁଚାପ। ଆଜିଠୁ ରାଜ୍ୟରେ ଶୁଖିଲା ରହିବ ପାଗ। ରାଜଧାନୀରେ ଝାପ୍ସା କୁହୁଡ଼ି ସ୍ୱାଗତ କରିଛି ଧିମା ଧିମା ଥଣ୍ଡାକୁ। ଗତ ରାତିରେ ରାଜଧାନୀରେ କିଛି ମାତ୍ରାରେ କୁହୁଡ଼ିର ବଳୟ ଦେଖିବାକୁ ମିଳିଥିଲା। ଯାହା ଆଜି ସକାଳ ପର୍ଯ୍ୟନ୍ତ ମଧ୍ୟ କୁହୁଡ଼ିର ପ୍ରଭାବ ରହିଥିଲା। ଆଗକୁ ଅଧିକ ଶୀତ ପଡ଼ିବ ବୋଲି ମଧ୍ୟ ସୂଚନା ଦେଇଛି ପାଣିପାଗ ବିଭାଗ। ସେପଟେ ଫେରିଯାଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହା ସହିତ ଲଘୁଚାପ ଦୁର୍ବଳ ହେବା ପରେ ଲାଗିରହିଥିବା ବର୍ଷାରେ ବିରାମ ଲାଗିଛି। ଆଜିଠୁ ରାଜ୍ୟରେ ଶୁଖିଲା ପାଗ ଦେଖାଦେଇଛି।

ତେବେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇ ନାହିଁ। ସେପଟେ ଆସନ୍ତା ୨୩ ତାରିଖ ମଧ୍ୟରେ ସଂପୂର୍ଣ୍ଣ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ବର୍ତ୍ତମାନ ମୌସୁମୀର ପ୍ରତ୍ୟାବର୍ତ୍ତନ ଏବଂ ଲଘୁଚାପ ଦୁର୍ବଳ ହେଉଥିବା ବେଳେ ଆସନ୍ତା ୨୫ ତାରିଖ ପରେ ରାଜ୍ୟରେ ଶୀତ ଅନୁଭୁତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ନଭେମ୍ବର ମାସ ପହିଲାରୁ ସଂପୂର୍ଣ୍ଣ ଭାରେ ଦିନ ଏବଂ ରାତ୍ରୀର ତାପାମତ୍ରା କମିବା ସହିତ ଶୀତ ହେବାର ସମ୍ଭାବନା ଅଧିକ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲା ମାଧବରିଦାରେ ୪୮.୮ ମିମି ବର୍ଷା ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ୪୦ ମିମି, ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦା ଓ ପାରାଦୀପରେ ୩୭ମିମି, ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ୩୪ମିମି, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ୩୩ ମିମି ବର୍ଷା ରେକର୍ଡ ହୋଇଛି।

ଅନ୍‌ଲାଇନ୍‌ ନୁହେଁ ଆଜିଠୁ ଶ୍ରେଣୀ ଗୃହରେ ବସି ପାଠ ପଢିବେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଉପରେ ବହୁତ ପ୍ରଭାବ ପକାଇଛି। କରୋନା ସ୍କୁଲ କଲେଜ୍‌ ମାନଙ୍କରେ ପାଠପଢ଼ାକୁ ଅଧିକ ପ୍ରଭାବିତ କରିଛି। ତେବେ ରାଜ୍ୟରୁ କରୋନାର ପ୍ରଭାବ ଧିରେ ଧିରେ କମିବା ସହ ସ୍କୁଲ କଲେଜ୍‌ ମଧ୍ୟ ଖୋଲିବାରେ ଲାଗିଲାଣି। ଯେଉଁଥିପାଇଁ ଚଳଚଞ୍ଚଳ ହୋଇଛି କ୍ୟାମ୍ପସ, ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ। ଅନଲାଇନ୍ ନୁହେଁ ଶ୍ରେଣୀ ଗୃହରେ ହେବ ପାଠପଢା। ଆଜିଠୁ ଶ୍ରେଣୀ ଗୃହରେ ବସି ପାଠ ପଢିବେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ।

ଏଥିପାଇଁ କ୍ୟାମ୍ପସରେ ହୋଇଛି ବ୍ୟାପକ ପ୍ରସ୍ତୁତି। ଶ୍ରେଣୀଗୃହ ପାଠପଢ଼ା ପୂର୍ବରୁ ଗଣଶିକ୍ଷା ବିଭାଗ ଜାରି କରିଥିଲା ଗାଇଡଲାଇନ୍। ଗାଇଡଲାଇନ ଅନୁସାରେ ଦୂରରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନ ଇଣ୍ଡକସନ ସେସନ କରାଯାଇଛି। ଏହି ସମୟରେ ପିଲାଙ୍କ ସହ ରହିବେ ଅଭିଭାବକ। କ୍ୟାମ୍ପସକୁ ସାନିଟାଇଜ୍ କରାଯିବା ସହତ ମାସ୍କ ଓ ସାନିଟାଇଜର ମାଧ୍ୟତାମୂଳକ କରାଯାଇଛି।

ପାଠ ପଢିଲା ବେଳେ ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରାଯିବ। ନଭେମ୍ବର ପହିଲାରୁ ପିଲାମାନ ୟୁନିଫର୍ମରେ ଆସିବେ। ଛାତ୍ରଛାତ୍ରୀଙ୍କୁ ଅସ୍ଥାୟୀ ପରିଚୟପତ୍ର ପ୍ରଦାନ କରାଯିବ। ଏଥିସହ ଛାତ୍ରଛାତ୍ରୀଙ୍କୁ ପିଡିଏଫ ଫର୍ମରେ ପୁସ୍ତକ ଯୋଗାଇ ଦିଆଯିବ। ସବୁଠି କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସେପଟେ ଆସନ୍ତା ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ।

ଝାପ୍ସା କୁହୁଡ଼ିର ଆଗମନ ସହ ଆରମ୍ଭ ହୋଇଛି କାର୍ତ୍ତିକ ମାସ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଝାପ୍ସା କୁହୁଡ଼ିର ଆଗମନ। ବର୍ଷା ପରେ ଧିରେ ଧିରେ ପାଦ ଥାପୁଛି ଥଣ୍ଡା। ଏହା ସହ ଆଜିଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ହିନ୍ଦୁଧର୍ମରେ ସବୁଠାରୁ ପବିତ୍ର ଏବଂ ଧର୍ମର ମାସ ହେଉଛି କାର୍ତ୍ତିକ ମାସ। ଆଜିଠୁ ଏକ ମାସ ଧରି ବ୍ରତ ପାଳିବେ ହବିଷ୍ୟାଳି। କାର୍ତ୍ତିକ ମାସ ନେଇ ଆଜିଠାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରେ ମଧ୍ୟ ଲୋକଙ୍କ ଗହଳି ଲାଗିବ। ତେବେ କାର୍ତ୍ତିକା ମାସ ଧର୍ମର ମାସ ହୋଇଥିବାରୁ ଏହି ମାସରେ ଆମିସ ଭୋଜନ ମଧ୍ୟ ଲୋକେ କରିନଥାନ୍ତି।

ପ୍ରତିବର୍ଷ ଏହି ମାସରେ ପୁରୀରେ ଭକ୍ତଙ୍କର ଭିଡ ଜମୁଥିବାବେଳେ ଚଳିତବର୍ଷ କରୋନା ପାଇଁ ସବୁ ଫିକା ପଡିଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ କଟକଣାରେ କାର୍ତ୍ତିକ ବ୍ରତ ପାଳନ କରାଯିବ। ଏଥିପାଇଁ ଜାରି ହୋଇଛି ଗାଇଡଲାଇନ୍। ହବିଷ୍ୟାଳିମାନେ ପୁରୀ ନଆସି ଘରେ ରହି ପାଳିବେ କାର୍ତ୍ତିକ ବ୍ରତ। ମଠବାଡି, ହୋଟେଲ, ଲଜିଂରେ ହବିଷ୍ୟାଳିଙ୍କୁ ରହିବାକୁ ଅନୁମତି ମିଳିବ ନାହିଁ।

ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଆଶଙ୍କାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଉଛି। ଭକ୍ତମାନେ କୋଭିଡ କଟକଣା ମାନି ଡବଲ ଡୋଜ କରୋନା ଟିକା ସାର୍ଟିଫିକେଟ କିମ୍ବା ୯୬ ଘଣ୍ଟା ପୂର୍ବର କୋଭିଡ ଆରଟିପିସିଆର ନେଗେଟିଭ ରିପୋର୍ଟ କିଓସ୍କୋରେ ଦେଖାଇ ଦର୍ଶନ କରିପାରିବେ। ସେହିଭଳି ଲିଙ୍ଗରାଜ ମନ୍ଦିରକୁ ହବିଷ୍ୟାଳିମାନେ ନ ଆସିବା ପାଇଁ କୁହାଯାଇଛି। ଏ ନେଇ ଗାଇଡଲାଇନ ଜାରି କରିଛି ବିଏମସି।

ଦେଶରେ ଶହେ କୋଟି ଛୁଇଁବ କୋଭିଡ୍ ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ଦେଶରେ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ନୂଆ ମାଇଲଖୁଣ୍ଟ ଛୁଇଁବ । ଆସନ୍ତାକାଲି ଗୁରୁବାର ସୁଦ୍ଧା ଦେଶରେ ୧୦୦ କୋଟି ଅର୍ଥାତ୍ ବିଲିଅନ ଡୋଜ୍ କୋଭିଡ୍ ଟିକାକରଣ ସମ୍ପନ୍ନ ହେବ । ଏହି ଅବସରରେ ଦେଶର ଶହେଟି ଐତିହ୍ୟ ସ୍ଥଳୀକୁ ତ୍ରିରଙ୍ଗାରେ ଆଲୋକିତ କରିବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ଏହାରି ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ବୈଜ୍ଞାନିକ, ଭ୍ଯାକ୍ସିନ୍ ନିର୍ମାତାଙ୍କୁ କୃତଜ୍ଞତା ଦିଆଯିବ ।

ଆଜି ସୁଦ୍ଧା ଦେଶରେ ୯୯ କୋଟି ୭୩ ଲକ୍ଷ ୯୯ ହଜାର ୩୨ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ୭୦ କୋଟି ୫୮ ଲକ୍ଷ ୪୬ ହଜାର ୨୩୫ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୨୯ କୋଟି ୧୫ ଲକ୍ଷ ୫୨ ହଜାର ୭୯୭ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ୫୧ କୋଟିରୁ ଅଧିକ ପୁରୁଷ ଟିକା ନେଇଥିବା ବେଳେ ୪୭ କୋଟି ମହିଳା ଟିକା ନେଇଛନ୍ତି ।

କୁନି କୁନି ପିଲାମାନଙ୍କ ପାଇଁ ଟ୍ରେସିଂ ଏବଂ ଲର୍ଣ୍ଣିଂ କନସେପ୍ଟକୁ ନେଇ ୨୧ଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭୁବନେଶ୍ୱରରେ କୁନି କୁନି ପିଲାମାନଙ୍କ ପାଇଁ ଏକାଥରକେ ୨୧ ଟି ପୁସ୍ତକ ଉନ୍ମୋଚିତ ହୋଇଛି । ଭୁବନେଶ୍ୱର ସ୍ଥିତ ମାଇକେଲ କିଚେନ୍ ରେଷ୍ଟୁରାଣ୍ଟ ଠାରେ ଏହି ପୁସ୍ତକ ଉନ୍ମୋଚିତ ହୋଇଯାଇଛି  । ଆଜିକାଲି ପିଲାମାନେ ଲେଖିବା ଅପେକ୍ଷା ମୋବାଇଲ ଓ କମ୍ପ୍ୟୁଟରରେ ପଢିବାକୁ ଅଧିକ ପସନ୍ଦ କରୁଛନ୍ତି । ଲେଖିବାକୁ କେହି ପସନ୍ଦ କରୁନାହାଁନ୍ତି । “ଟ୍ରେସିଂ ଏବଂ ଲର୍ଣ୍ଣିଂ କନସେପ୍ଟକୁ ନେଇ ବିଭିନ୍ନ ଥିମ ଉପରେ ପିଲାମାନଙ୍କ ପାଇଁ ଏହି ପୁସ୍ତକ ପ୍ରସ୍ତୁତ କରିଛନ୍ତି ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ସଫ୍ଟସ୍କିଲ୍ ଟ୍ରେନର୍ ସିନ୍ଧୁ ବ୍ରାଉନ । ତାଙ୍କୁ ଏହି ପୁସ୍ତକ ପବ୍ଲିକେସନ୍ ରେ ସହଯୋଗ କରିଛନ୍ତିି ମାନସ ରଞ୍ଜନ ଦାସ, ମାନବୀ ଟୌଙ୍କ୍, ଶ୍ରୀଦେବୀ ଓ କୁଞ୍ଜନ୍କ । ରୋନା ପାଇଁ ପାଠ୍ୟକ୍ରମ ଅନଲାଇନରେ ହେବାଦ୍ୱାରା ପିଲାମାନଙ୍କର ଲେଖିବା ସ୍କିଲ୍ ବହୁତ କମ୍ ହୋଇଯାଇଛି। ଛୋଟ ପିଲାମାନଙ୍କର ପିତାମାତା ସେମାନଙ୍କର ଲେଖାକୁ ନେଇ ବହୁତ ଚିନ୍ତିତ ।

ତେଣୁ ବିଭିନ୍ନ ବିଷୟ ବସ୍ତୁକୁ ନେଇ ଏହି ପୁସ୍ତକଗୁଡ଼ିକୁ ପିଲାମାନେ କିପରି ସହଜରେ ଶିଖିବାକୁ ଆଗ୍ରହୀ ହେବେ ସେଭଳି ଭାବରେ ଡିଜାଇନ୍ କରାଯାଇଛି । ଯେଉଁଥିରେ ପିଲାମାନେ କେବଳ ଜ୍ଞାନ ଆହରଣ କରନ୍ତି ନାହିଁ, ବରଂ ଶିକ୍ଷାର୍ଥୀର ଫଟୋଗ୍ରାଫିକ୍ ମେମୋରୀ ମଧ୍ୟ ବିକାଶ ହୋଇପାରିବ । ଏହି ପୁସ୍ତକ ଗୁଡ଼ିକ ପିମାଲାମାନଙ୍କ ମନକୁ ଜାଗ୍ରତ କରିବା ପାଇଁ ସ୍ଥିର ହୋଇଛି ଏବଂ ସେମାନଙ୍କର କଳ୍ପନାକୁ ବିସ୍ତାର କରିବା ଓ ଶିଖିବାକୁ ଆଗ୍ରହୀ କରିବ । ଏହାସହ ଅନେକ ଶିଶୁ ଏବଂ ପିତାମାତାଙ୍କୁ ଉଭୟ ଏକାଡେମିକ୍ ତଥା କଳାତ୍ମକ ଭାବରେ ସାହାଯ୍ୟ କରିବ, ଯେଉଁଥିରେ ପିଲାମାନଙ୍କୁ ପେନ୍ସିଲ୍ ଧରିବା ଏବଂ ମୋବାଇଲ୍ ଧରି ରଖିବା ପରିବର୍ତ୍ତେ ଏକ ବହିରେ ଲେଖିବା ପାଇଁ ଦିଆଯାଇଥାଏ ।

ଏହି ପୁସ୍ତକ ବିଶେଷ ଭାବରେ ସମସ୍ତ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ପାଇଁ ଡିଜାଇନ୍ କରାଯାଇଛି । ୩ ରୁ ୧୪ ବର୍ଷ ବୟସର ଶିଶୁଟି ଏହି ପୁସ୍ତକ ବ୍ୟବହାର କରିପାରି । ଉନ୍ନୋଚିତ ହୋଇଥିବା ଏହି ୨୧ ଟି ପୁସ୍ତକଗୁଡିକ ହେଲା, ଇଂରାଜୀ ବର୍ଣ୍ଣମାଳା, ଓଡିଆ ବର୍ଣ୍ଣମାଳା, ଇଂରାଜୀ ଫୋନିକ୍ସ, ସାଇଲେଣ୍ଟ ଶବ୍ଦ, ଦୃଶ୍ୟ ଶବ୍ଦ, ଗୀତ, ସକରାତ୍ମକ ନିଶ୍ଚିତତା, ବଣୁଆ ଜନ୍ତୁ, ଗୃହପାଳିତ ପଶୁ, ପରିବହନ, ପକ୍ଷୀ, ଫୁଲ, ଖାଦ୍ୟ, ଫଳ, ପନିପରିବା, ବାଦ୍ୟଯନ୍ତ୍ର, କ୍ରୀଡା, ବ୍ୟାୟାମ, ୟୋଗାସନ, ଗଣିତ ଏବଂ ମନ୍ତ୍ର । ଏହି ପୁସ୍ତକ ଗୁଡ଼ିକ ସମସ୍ତ ବହି ଦୋକାନରେ ସହଜରେ ଏବଂ କମ ଦାମରେ ମିଳିପାରିବ ଏବଂ ଖୁବ୍ ଶୀଘ୍ର ଅନଲାଇନ୍ ରେ ମଧ୍ୟ ଉପଲବ୍ଧ ହେବ ।

ପୁସ୍ତକ ଉନ୍ମୋଚିତ ଉତ୍ସବରେ ମଦର ପବ୍ଲିକ ସ୍କୁଲର ମୁଖ୍ୟ ପଲ୍ଲୀ ପଟ୍ଟନାୟକ, ଜଣାଶୁଣା ଡ୍ୟାନ୍ସର ଶାଶ୍ଵତ ଯୋଶୀ, ରୁଦ୍ରାକ୍ଷ ଫାଉଣ୍ଡେସନର ପ୍ରତିଷ୍ଠାତା ଗୁରୁ  ବିଚିତ୍ରାନନ୍ଦ ସ୍ୱାଇଁ, ଓଡ଼ିଶୀ ନୃତ୍ୟଗୁରୁ ଲିଙ୍ଗରାଜ ସ୍ୱାଇଁ, ନାଟ୍ୟ ଚେତନାର ପ୍ରତିଷ୍ଠାତା ଶ୍ରୀ ସୁବୋଧ ପଟ୍ଟନାୟକ, ଆଇନଜୀବୀ ଜ୍ଞାନ ଏସ୍ ସାମନ୍ତରାୟ , କେରଳ କଳା ସମିତିର ସଦସ୍ୟ ରାଦେ ରମେଶ ଓ ‘ଆମେ ସୋସିଆଲ୍’ର ସମ୍ପାଦକ ତଥା ସାମାଜିକ-ସାଂସ୍କୃତିକ ସଂଗଠକ ଗୁରୁପଦ ବଳିଆରସିଂହ ପ୍ରମୁଖ ସାମିଲ ଥିଲେ । ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ସିନ୍ଧୁ ବ୍ରାଉନ ଆଗାମୀ ଦିନରେ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଓ ମାନସିକ ଅକ୍ଷମ ଛାତ୍ରଛାତ୍ରୀ ପାଇଁ ଖୁବଶୀଘ୍ର ନୂଆ ବହି ଉନ୍ମୋଚିତ କରିବାକୁ ଯାଉଛନ୍ତି । ଶେଷରେ ସିନ୍ଧୁ ବ୍ରାଉନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।