ଦୁଇ ଡୋଜ କରୋନା ଟିକା ନେଇଥିଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ଆପଣ କରୋନା ଟିକାର ଦୁଇଟି ଡୋଜ ନେଇ ସାରିଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ଏଣିକି ଡବଲ ଡୋଜ୍ ନେଇଥିବା ଲୋକଙ୍କୁ ପୁରସ୍କୃତ କରିବେ ସରକାର । କିଏ ପୁରସ୍କାର ପାଇବେ ଲକି ଡ୍ରରେ ଚୟନ କରାଯିବ । ଯାହା ଜଣାପଡୁଛି ଏହି ଲକି ଡ୍ର ସାପ୍ତାହିକ କିମ୍ବା ମାସିକିଆ ଭିତ୍ତିରେ କରାଯିବ । ଯୋଗ୍ୟ ବ୍ୟକ୍ତିଙ୍କୁ ପୁରସ୍କାରରେ ରୋଷଇ ଉପକରଣ, ରାଶନ ସାମଗ୍ରୀ, ଯିବା ଆସିବା ପାଇଁ ପାସ୍ ଅଥବା ନଗଦ ପୁରସ୍କାର ଦିଆଯିବ ।

ମହାମାରୀ ପରେ ଦେଶରେ ଟିକାକରଣ ଜୋରସୋରରେ ଚାଲିଛି । ହେଲେ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ଆଜି ବି ଟିକାକରଣ ଧିମାଗତିରେ ଚାଲିଛି । ଏମିତି ସ୍ଥାନରେ ଲୋକଙ୍କ ମଧ୍ୟରେ ଟିକାକରଣକୁ ନେଇ ଉତ୍ସାହ ବଢ଼ାଇବାକୁ ପୁରସ୍କାର ଦିଆଯିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି ।

ଏହାସହ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ସଂସ୍ଥାଙ୍କ ପାଇଁ ମଧ୍ୟ କିଛି ଆଣିବା ଉପରେ କେନ୍ଦ୍ର ସ୍ଥାସ୍ଥ୍ୟ ମନ୍ତ୍ରାଳୟ ବିଚାର କରୁଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହାକୁ ନେଇ ଶୀଘ୍ର ସେମାନଙ୍କ ମତାମତ ଦେବେ । ପୂର୍ଣ୍ଣ ଟିକାକରଣ କରିଥିବା ସଂସ୍ଥାଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଜରିଆରେ ଟିକା ନେଇ ନଥିବା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ସରକାର ବିଚାର କରୁଛନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଦେଶରେ ୮୨ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି । ୪୩ ପ୍ରତିଶତ ଲୋକ ଦୁଇଟି ଡୋଜ ନେଇଛନ୍ତି । ୧୨ କୋଟିରୁ ଅଧିକ ଲୋକ ଅଛନ୍ତି ଯେଉଁମାନଙ୍କ ଦ୍ବିତୀୟ ଡୋଜ ନେବାରେ ବିଳମ୍ବ ହେଉଛି ।

Leave a Reply