spot_img
Home Blog Page 4993

ଟିକା ନେଇ ନଥିବା ଲୋକଙ୍କୁ ଘର ଘର ବୁଲି ଖୋଜିବେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି ଓ ଆଶା ଦିଦି

ଭୁବନେଶ୍ୱର: ଏଣିକି ରାଜ୍ୟରେ ନନଷ୍ଟପ୍ ଚାଲିବ ଟିକାକରଣ। ଟିକା ନେଇନଥିଲେ ଘରକୁ ଯିବେ ସ୍ୱାସ୍ଥ୍ୟ କମୀ। ଆଜିଠୁ ଘର ଘର ବୁଲି ଭ୍ୟାକ୍ସିନ ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀ। ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଲୋକ ଭୁଲିଯାଉଛନ୍ତି। ଦେଶରେ ୧୧କୋଟି ଓ ରାଜ୍ୟରେ ୩୦ ଲକ୍ଷ ଲୋକ ନେଇନାହାନ୍ତି ଦ୍ୱିତୀୟ ଡୋଜ। ଆଜିଠୁ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ଯେଉଁମାନେ ଟିକା ନେଇ ନାହାଁନ୍ତି, ସେମାନଙ୍କୁ ଟିକା ଦେବା ପାଇଁ ଅଭିଯାନ ଆରମ୍ଭ କରିବ ସ୍ୱାସ୍ଥ୍ୟ ବିଭାଗ।

ତୁରନ୍ତ ଏମାନଙ୍କର ତାଲିକା ପ୍ରସ୍ତୁତ କରି ଦ୍ୱିତୀୟ ଡୋଜ୍ ଟିକା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇନଥିବେ ସେଠାରେ ଟିକାଦାନ କେନ୍ଦ୍ର କରାଯିବ। ରାଜ୍ୟରେ ୨କୋଟି ୫୭ ଲକ୍ଷ ପ୍ରଥମ ଡୋଜ ଟିକା ନେଇଛନ୍ତି। ୩୦ଲକ୍ଷ ଲୋକ ଅବଧି ସମୟ ସରିବା ପରେ ବି ଦ୍ୱିତୀୟ ଡ଼ୋଜ ଟିକା ନେଇନାହାନ୍ତି। ଚଳିତମାସ ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା ଭିଡ଼ିଛି। ରାଜ୍ୟରେ ଦୈନିକ ୪ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ ରଖାଯାଇଛି।

ସେହି ଅନୁସାରେ ୧୬ଶହରୁ ଅଧିକ ଟିକାକରଣ କେନ୍ଦ୍ର କରାଯାଇଛି। ସେପଟେ ରାଜ୍ୟରେ ଏବେ କରୋନା ସ୍ଥିତି ଭଲ ଅଛି। ହେଲେ ପଡ଼ୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ। ବିଶେଷ ଭାବରେ ସୀମାବର୍ତ୍ତୀ ଅଞ୍ଚଳରେ ସତର୍କ ରହିବାକୁ ପଡ଼ିବ। ସେଠାରେ ସର୍ଭେଲାନ୍ସ ମଧ୍ୟ କଡ଼ାକଡ଼ି କରାଯିବ। ରାଜ୍ୟରେ ଏବେ ଟେଷ୍ଟ, ସର୍ଭେଲାନ୍ସ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି।

ପୁଅ ଫେରିବା ଖୁସିରେ ଝିଲମିଲ୍ ଆଲୋକରେ ଝଟକୁଛି ମନ୍ନତ

ମୁମ୍ବାଇ: ମୁମ୍ବାଇ କୋର୍ଡିଲିଆ ଡ୍ରଗ୍ସ ମାମଲାରେ ବେଲ୍ ପାଇ ଶନିବାର ଘରକୁ ଫେରିଛନ୍ତି ବଲିଉଡ୍ ବାଦ୍‌ଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ପୁଅ ଫେରିବା ଖୁସୀରେ ସେଦିନ କାନ୍ଦି ପକାଇଥିଲେ ଶାହରୁଖ। ଆଉ ଆଜି ଦୀପାବଳି ପୂର୍ବରୁ ବିଭିନ୍ନ ଦାମିକିଆ ଲାଇଟ୍‌ରେ ଜଲସୁଛି ବଲିଉଡ୍ କିଂଙ୍କ ବିଳାସମୟ ରାଜମହଲ। ଏହା ପୂର୍ବରୁ ଆର୍ଯ୍ୟନଙ୍କ ବେଲ୍ ମିଳିବା ପରେ ଶାହରୁଖ ଫ୍ୟାନମାନେ ଖୁସୀର ନାଚଗୀତ କରିବା ସହିତ ତାଙ୍କ ଘର ମନ୍ନତ ବାହାରେ ଉତ୍ସବ ପାଳନ କରିଥିଲେ। ନାଚ ଗୀତରେ ମସ୍‌ଗୁଲ ହେବା ସହ ଖାନ୍‌ଙ୍କ ଝଲକ୍ ପାଇବା ପାଇଁ ଘରା ବାହାରେ ଲୋକେ ଲାଇନ୍ ଲଗାଇଥିଲେ। ଆଉ ଆଜି ବି କିଂ ଖାନ୍‌ଙ୍କ ଘର ମନ୍ନତ ଆଲୋକମାଳାରେ ଝଲକୁଛି।

କ୍ରୁଜ୍ ଡ୍ରଗ୍ ମାମଲାରେ ମୁମ୍ବାଇର ଆର୍ଥର୍ ରୋଡ୍ ଜେଲରେ ୨୮ ଦିନ ଧରି କାଟିବା ପରେ ଶନିବାର ସକାଳେ ଜେଲରୁ ମୁକୁଳି ଥିଲେ ଆର୍ଯ୍ୟନ। ଗୁରୁବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ କାଗଜପତ୍ର ଠିକ୍ ସମୟରେ ଜେଲରେ ପହଞ୍ଚି ନ ଥିବାରୁ ତାଙ୍କୁ ଶୁକ୍ରବାର ଦିନ ମୁକ୍ତ କରାଯାଇପାରିନଥିଲା।

ଅନ୍ୟପକ୍ଷରେ, ଶନିବାର ସକାଳେ ଜେଲ କର୍ତ୍ତୃପକ୍ଷ ଜାମିନ ଆଦେଶ ନେବାକୁ ପ୍ରାୟ ସାଢ଼େ ୫ଟା ସମୟରେ ଆର୍ଥର ରୋଡ ଜେଲ ବାହାରେ ଜାମିନ ବାକ୍ସ ଖୋଲିଥିଲେ। ଗତକାଲି ଆର୍ଯ୍ୟନ ଖାନଙ୍କ ଜାମିନ ଆଦେଶର କପି ଏହି ବାକ୍ସ ଭିତରେ ରଖାଯାଇଥିଲା। ଆର୍ଯ୍ୟନଙ୍କ ମୁକ୍ତି ସମ୍ପର୍କରେ ଆର୍ଥର ରୋଡ ଜେଲ ଅଧୀକ୍ଷକ ନିତିନ ଭାୟାଲ କହିଥିଲେ ଯେ ଆର୍ଯ୍ୟନ ଖାନଙ୍କ ମୁକ୍ତି ପାଇଁ ଆମକୁ ନିର୍ଦ୍ଦେଶ ମିଳିଛି। ସେମାନଙ୍କର ରିଲିଜ୍ ପ୍ରକ୍ରିୟା ୧-୨ ଘଣ୍ଟା ମଧ୍ୟରେ ଶେଷ ହେବ ।

ପିତା ଶାହରୁଖ ଖାନଙ୍କ ବଡିଗାର୍ଡ ରବି ତାଙ୍କୁ ଘରକୁ ନେବା ପାଇଁ ଆର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି। ଆର୍ଯ୍ୟନ୍ ଖାନଙ୍କ ମୁକ୍ତି ସହିତ ତାଙ୍କ ପରିବାରରେ ଖୁସିର ମାହୋଲ ଖେଳିଯାଇଛି। ଶୁକ୍ରବାର ଠାରୁ ଶାହାରୁଖ ଖାନଙ୍କ ଘର ମନ୍ନତରେ ଉତ୍ସବର ପରିବେଶ ରହିଛି। ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ୨୮ ଦିନ ପରେ ଆର୍ଥର ରୋଡ ଜେଲରୁ ମୁକ୍ତ କରାଯାଇଛି। ଆର୍ଯ୍ୟ ତାଙ୍କ ପିତା ଶାହାରୁଖ ଖାନଙ୍କ କାରରେ ବସି ମନ୍ନତକୁ ଫେରିବେ।

ପ୍ରଶଂସକମାନେ ଆର୍ଯ୍ୟନ୍ ଖାନଙ୍କ ଘର ମନ୍ନତ ବାହାରେ ଏକାଠି ହେବା ଆରମ୍ଭ କରିଛନ୍ତି। ସମସ୍ତେ ଆର୍ଯ୍ୟଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି । ଏହି ସମୟରେ ଜଣେ ସାଧୁ ବାବା ମଧ୍ୟ ବାହାରେ ପହଞ୍ଚିଛନ୍ତି, ଯିଏ ଆର୍ଯ୍ୟଙ୍କ ପାଇଁ ହନୁମାନ ଚାଳିସା ପାଠ କରୁଛନ୍ତି।

ସ୍ୱାସ୍ଥ୍ୟ ସେବାରେ ଆଉ ପାଦେ ଆଗେଇବ ସମ୍ବଲପୁର, ଆଜି ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସ୍ମାର୍ଟ ହେଲ୍‌ଥ କାର୍ଡ

ସମ୍ବଲପୁର: ସୁସ୍ଥ ସମ୍ବଲପୁର ପାଇଁ ସ୍ମାର୍ଟ ବ୍ଲୁପ୍ରିଣ୍ଟ। ଉନ୍ନତି ପଥରେ ଆଉ ପାଦେ ଆଗେଇବ ସମ୍ବଲପୁର। ଆଜି ସମ୍ବଲପୁର କୁଚିଣ୍ଡାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ମାର୍ଟ ହେଲ୍‌ଥ କାର୍ଡରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଗରିବ ଲୋକେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଗୋଟିଏ କାର୍ଡରେ ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ।

ସମ୍ବଲପୁରର ପ୍ରତି ବ୍ଲକରେ ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ ଦାୟିତ୍ୱ ଦିଆଯାଇଛି। ୯ଟି ବ୍ଲକ ସହିତ ମହାନଗର ନିଗମ ଅଂଚଳର ମୋଟ ୨ଲକ୍ଷ ୨୮ହଜାର ୨୧୩ ଜଣ ବିଏସକେଓ୍ୱାଇ କାର୍ଡ ପାଇବେ। ୧୫୫୩ କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାଯ୍ୟକ୍ରମ ରହିଛି । ନବୀନଙ୍କ ଗସ୍ତକୁ ଆଖିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି ।

ଆଜି ପବିତ୍ର ଧନତେରାସ, କାର୍ତ୍ତିକ ତ୍ରୟୋଦଶୀ ତିଥିରେ ପାଳନ ହେଉଛି ଧନର ଦିବସ

ନୂଆଦିଲ୍ଲୀ: ଆଜି ପବିତ୍ର ଧନତେରାସ । କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରାଯାଏ । ଏହାକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହାକୁ ପାଳନ କରାଯାଏ । ଏହି ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ମୁଖ୍ୟ ଦ୍ବାରକୁ ସୁନ୍ଦର କରି ମାଙ୍କୁ ସ୍ବାଗତ କରାଯାଏ । ଆଜିର ଦିନରେ କିଛି ମୂଲ୍ୟବାନ ଜିନିଷ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି । ଆଜିର ଦିନରେ ସୁନା କିଣିଲେ ଘରକୁ ଭାଗ୍ୟଦେବୀ ଆସନ୍ତି ବୋଲି ଲୋକଙ୍କର ବିଶ୍ବାସ ରହିଛି । ଏହି ଦିନ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି ।

ତେବେ ଆପଣ ବି ଯଦି ଆଜି ସୁନା କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏ ସବୁ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ ।

(୧) ଶୁଦ୍ଧତା ଯାଞ୍ଚ କରନ୍ତୁ

ସୁନାର ଶୁଦ୍ଧତା ମୁଖ୍ୟତଃ କ୍ୟାରେଟରେ ମପା ଯାଇଥାଏ । ୨୪ କ୍ୟାରେଟ୍‌ ଗୋଲ୍ଡକୁ ୯୯.୦୯ ପ୍ରତିଶତ ଶୁଦ୍ଧ ମାନୁଥିବାବେଳେ ୨୨ କ୍ୟାରେଟକୁ ୯୨ ପ୍ରତିଶତ ଶୁଦ୍ଧ ସୁନା ବୋଲି ଗଣାଯାଏ । ସୁନାର ଶୁଦ୍ଧତା ଯାଞ୍ଚ ପୂର୍ବରୁ ସୁନା କିଣନ୍ତୁ ନାହିଁ  । ସୁନା କିଣିବା ପୂର୍ବରୁ ହଲମାର୍କର ଯାଞ୍ଚ ନିଶ୍ଚିତ ରୁପେ କରାନ୍ତୁ ।

(୨) ହଲମାର୍କ ଚେକ୍‌ କରିବାକୁ ଭୂଲନ୍ତୁ ନାହିଁ

ସୁନା କିଣିବା ପୂର୍ବରୁ ନିରପତ୍ତା ଦୃଷ୍ଟିରୁ ହଲମାର୍କ ଯାଞ୍ଚ କରନ୍ତୁ । ସୁନା ଉପରେ ହଲମାର୍କ ଚିହ୍ନ ସୁନାର ସୁଦ୍ଧତାକୁ ଦର୍ଶାଇଥାଏ  । ଯଦି ସୁନାର କୌଣସି ଅଂଶରେ ବିଆଇଏସର ଚିହ୍ନ ଅଛି ତେବେ ଆପଣ ନିଶ୍ଚିତ ହୋଇ ସୁନା କିଣି ପାରିବେ ।

(୩) ଗୋଲ୍ଡ ଜୁଏଲାରୀ ଉପରେ ଲାଗୁଥିବା ଅଲଗା ଚାର୍ଜ ଜାଣନ୍ତୁ

ସୁନା କିଣୁଥିବା ସମୟରେ ମଧ୍ୟ ଆପଣ ଏ ସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ସୁନା କିଣିଲା ବେଳେ କେବଳ ସୁନାର ଦର ସହ ଆପରଙ୍କୁ ଅଳଙ୍କାରର ମେକିଂ ଚାର୍ଜ ମଧ୍ୟ ଦେବାକୁ ପଡିବ । ସୁନାର ମୂଲ୍ୟ ଉପରେ ଆପଣଙ୍କୁ ୩ ପ୍ରତିଶତ ଜିଏସଟି ଦେବାକୁ ପଡୁଥିବାବେଳେ  ମେକିଂ ଚାର୍ଜ ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ ।

ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ନୂଆଦିଲ୍ଲୀ: ଶେଷରେ ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଦୀର୍ଘ ୧୨ ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୧୦୦ କୋଟି ଟଙ୍କାର ବଳପୂର୍ବକ ଅର୍ଥ ଆଦାୟ ଅଭିଯ଼ୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଜେରା ଲାଗି ତାଙ୍କୁ ବାରମ୍ବାର ସମନ ଜାରି କରାଯାଉଥିବାସତ୍ତ୍ୱେ ସେ ଏହାକୁ ଅଗ୍ରାହ୍ୟ କରିଆସୁଥିଲେ। ବିଭିନ୍ନ ସାକ୍ଷୀ, ପ୍ରମାଣ ଓ ଅଭିଯ଼ୋଗକୁ ଆଧାର କରି ତାଙ୍କୁ ଗିରଫ କରାଯାଇଥିଲା। ମୁମ୍ବାଇର ବିଭିନ୍ନ ହୋଟେଲ ଓ ବାରରୁ ମାସିକ ୧୦୦ କୋଟି ଟଙ୍କାର ବଟି ଆଦାୟ ଲାଗି ଅନୀଲ ଦେଶମୁଖ ବହିଷ୍କୃତ ସହକାରୀ ପୋଲିସ ଇନସପେକ୍ଟର ସଚିନ ଭାଜେଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ। ଏହି ଅଭିଯୋଗକୁ ପ୍ରଥମେ ଦେଶମୁଖ ଖଣ୍ଡନ କରିଥିବାବେଳେ ପରେ ବିଭିନ୍ନ ପ୍ରମାଣ ତାଙ୍କୁ ଅଡୁଆରେ ପକାଇଥିଲା।

ଗତ ଫେବ୍ରୁଆରୀ ୨୫ ତାରିଖରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ବୋଝେଇ ଗାଡି ଠାବ ପରେ ଏହି ସମସ୍ତ ରାକେଟର ପର୍ଦ୍ଦାଫାସ୍ ହୋଇଥିଲା। ଏହି ଘଟଣାରେ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କୁ ପଦରୁ ବାହାର କରିଦେଇଥିଲେ। ପରମବୀର ସିଂହଙ୍କ ଅଭିଯୋଗ କ୍ରମେ ଏହାର ସିବିଆଇ ତଦନ୍ତ ଲାଗି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଇଡିର ତଦନ୍ତ ଅନୁସାରେ ସଚିନ ଭାଜେ ଗତ ଡିସେମ୍ବର ୨୦୨୦ରୁ ଫେବ୍ରୁଆରୀ ୨୦୨୧ ମଧ୍ୟରେ ୪ କୋଟି ୭୦ଲକ୍ଷ ଟଙ୍କା ଆଦାୟ କରିଥିଲେ। ପରେ ଏହି ଅର୍ଥକୁ ଦେଶମୁଖଙ୍କୁ ଦିଆଯାଇଥିଲା। ଏହା ଛଡା ଦେଶମୁଖଙ୍କ ପରିବାର ମାଲିକାନାରେ ଥିବା ନାଗପୁରସ୍ଥିତ ଏକ ଦାତବ୍ୟ ସଂସ୍ଥା ଶ୍ରୀସାଇ ଶିକ୍ଷଣ ସଂସ୍ଥା ଦିଲ୍ଲୀଭିତ୍ତିକ ବିଭିନ୍ନ କମ୍ପାନୀଠାରୁ ୪ କୋଟି ୧୮ ଲକ୍ଷ ଟଙ୍କା ପାଇଥିଲା। ହାଓ୍ୱାଲା ଜରିଆରେ ଏହି ଅର୍ଥ ସଂସ୍ଥା ପ୍ରାପ୍ତ ହୋଇଥିଲା।

ରାଜସ୍ୱ ନିରୀକ୍ଷକ ମନୋଜ ପରିଡ଼ା କାର୍ଯ୍ୟରୁ ନିଲମ୍ୱିତ: ବିଜେପି ରାଲିରେ ସାମିଲ ହୋଇଥିଲେ

ପୁରୀ: ରାଜସ୍ୱ ନିରୀକ୍ଷକ ମନୋଜ ପରିଡା କାର୍ଯ୍ୟରୁ ନିଲମ୍ବିତ । ପୁରୀ ତହସିଲ ବେତାଳ ଆରଆଇ ସର୍କଲର ମନୋଜ ପରିଡ଼ା ନିଲମ୍ୱିତ । ବିଶୃଙ୍ଖଳିତ ଆଚରଣ ଓ ସରକାରୀ କାର୍ଯ୍ୟରେ ଅବହେଳା କାରଣ ଦର୍ଶାଇ ନିଲମ୍ୱନ କଲେ ଜିଲ୍ଲାପାଳ ସମର୍ଥ ବର୍ମା ।

ସୂଚନା ଯୋଗ୍ୟ ଯେ, କାକଟପୁର ମଣ୍ଡଳ ବିଜେପି ପକ୍ଷରୁ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା ।ଏଥିରେ କୁଶପୁତ୍ତଳିକା ଦାହ କରାଯାଇଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ନେତୃତ୍ୱରେ ହାତଗଣତି ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଆସି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଆରଆଇ ଜଣଙ୍କ ମଧ୍ୟ ଭାଗ ନେଇଥିଲେ । ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେବା ସହ ନିଶାସକ୍ତ ଅବସ୍ଥାରେ କୁଶପୁତ୍ତଳିକାକୁ ଗୋଇଠା ମାଡ଼ କରୁଥିବା ଦେଖିବାକୁ ମିଳିଥିଲା । ଗଣାମାଧ୍ୟମ ଆଗରେ ଏହି ଡ୍ରାମା ଧରାପଡିଯିବା ପରେ ଅନ୍ୟ ବିଜେପି କର୍ମୀ ତାଙ୍କୁ ଟାଣି ନେଇଥିଲେ । ସେପଟେ ଅନ୍ୟଜଣେ ବିଜେପି କର୍ମୀ ନିଶାରେ ଏତେ ଚୁର ଥିଲେ ଯେ ତାଙ୍କୁ ବିଜେପି କର୍ମୀମାନେ ବୋହି ନେଉଥିବା ଦେଖିବାକୁ ମିଳିଥିଲା ।

ଏଥିସହିତ ପଢ଼ନ୍ତୁ: ବିଜେପି ରାଲିରେ ହସିଲେ ରବି, ନିଶାଶକ୍ତ କର୍ମୀଙ୍କୁ ବୋହିନେଲେ ସାଥି

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ: ସିଲିଣ୍ଡର ବଦଳାଇବା ବେଳେ ଲାଗିଗଲା ନିଆଁ

ବ୍ରହ୍ମପୁର: ପୁରୁଣା ବସଷ୍ଟାଣ୍ଡ ନିକଟ ଚର୍ଚ୍ଚ ରୋଡ ଠାରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ । ଗ୍ୟାସ ସିଲିଣ୍ଡର ଫାଟି ଘରର ବୋହୂ ,ନଣନ୍ଦ ଓ ଗ୍ୟାସ୍ ମେକାନିକଲ ଗୁରୁତର ଭାବେ ଆହତ ହୋଇଛନ୍ତି । ଗ୍ୟାସ ହାଣ୍ଡି ସରିଯିବା ପରେ ଆଉ ଏକ ହାଣ୍ଡି ଲଗାଇବା ସମୟରେ ଗ୍ୟାସ ଲିକ ହୋଇ ବିସ୍ଫୋରଣ ଘଟିଥିବା ସୂଚନା । ତେବେ ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଘରର ଆସବାବପତ୍ର ଭାଙ୍ଗୁ ଚୁରମାର ହେବା ସହ ରାସ୍ତା ଉପରେ ଆସିପଡ଼ିଥିଲା । ଖବର ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଥିବା ଘର ମାଲିକ ହେଉଛନ୍ତି ଭାସ୍କର ପାତ୍ର । ଘରେ ଗ୍ୟାସ ସରିବା ପରେ ନୂଆଁ ଗ୍ୟାସ ହାଣ୍ଡି ସଂଯୋଗ କରାଯାଉଥିବା ବେଳେ ଲିକ ହୋଇ ସେଥିରୁ ନିଆଁ ନିର୍ଗତ ହୋଇଥିଲା । ଏହି ସମୟରେ ଉକ୍ତ ଘର ତଳେ ଭଡ଼ାରେ ଗ୍ୟାସ ମରାମତି କରୁଥିବା ସୁନିଲଙ୍କୁ ଘରର ଲୋକେ ଡାକିଥିଲେ । ସେ ସେଠାରେ ପହଞ୍ଚିବା ବେଳେ ହଠାତ୍ ଗ୍ୟାସ ହାଣ୍ଡି ଫୁଟିଥିଲା । ଏଥିରେ ସୁନିଲଙ୍କ ଶରୀରରୁ ପ୍ରବଳ ରକ୍ତ ବାହାରିବା ସହ ସେ ଏବେ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି ।  ତାଙ୍କ ଶରୀରର ୭୦ ଭାଗ ପୋଡି ଯାଇଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ।

ବଲାଙ୍ଗୀରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କଲା ପୋଲିସ

ବଲାଙ୍ଗୀର: ଜୟଭାରତଛକ ଠାରେ ଗ୍ୟାଙ୍ଗୱାର । ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ।  ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଟାଉନ ଥାନା ପୋଲିସ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛି । ଗୁରୁତର ଯୁବକ ଜଣକ ବଲାଙ୍ଗୀରର କୁଖ୍ୟାତ ଅପରାଧୀ ସୌମ୍ୟ ଦାସ । ଆଜି ସାନ୍ଧ୍ୟ ୮ଟା ୫୦ମିନିଟ ସମୟରେ ପଂସାରି ଷ୍ଟିଲ ଆଗରେ କୁଖ୍ୟାତ ଅପରାଧୀ ସୌମ୍ୟା ସହ କିଛି ଯୁବକ କୌଣସି କାମରେ ଛିଡା ହୋଇଥିଲେ ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ଏକତ୍ରିତ ହୋଇ କାଠ ଓ ପଥରରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗୁରୁତର ଯୁବକ ଜଣକ ଜଣେ ପୋଷାଦାର କୁଖ୍ୟାତ ଅପରାଧୀ ତା ନାଁରେ ବଲାଙ୍ଗୀରର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି ।

ଏଥିସହିତ ପଢ଼ନ୍ତୁ: ସବୁଜ ବାଣ ଫୁଟାଇବାକୁ ସର୍ତ୍ତମୂଳକ ଅନୁମତି ଦେଲେ ହାଇକୋର୍ଟ, ଜାଣନ୍ତୁ ସବୁଜ ବାଣ କ’ଣ…

ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗର ୧୧ତମ ପ୍ରତିଷ୍ଠା ଦିବସ: ଶିଶୁଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଥିବା କହିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୧ତମ ପ୍ରତିଷ୍ଠା ଦିବସ ପାଳିତ । ଏ ଅବସରରେ ଆୟୋଗର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଶିଶୁଙ୍କ ସୁରକ୍ଷା ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ରାଜ୍ୟର ସମ୍ବେଦନଶୀଳ ଶ୍ରେଣୀ ଶିଶୁଙ୍କ ସୁରକ୍ଷା ପାଇଁ ମଧ୍ୟ ସରକାର ଏକାଧିକ ଯୋଜନା କରିଛନ୍ତି ।

ଏ ଦିଗରେ ସରକାର ଜିରୋ ଟଲରାନ୍ସ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଭିନ୍ନ ସ୍ତରରେ ଶିଶୁଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ବିଜୁ ଶିଶୁ ସୁରକ୍ଷା ଯୋଜନା, ଆଶିର୍ବାଦ ଯୋଜନା, ବିଜୁ କନ୍ୟା ରତ୍ନ ଯୋଜନା ଭଳି ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିସହ ୩୪ଟି ପୋଲିସ ଜିଲ୍ଲାରେ ସ୍ବତନ୍ତ୍ର ଶିଶୁ ଅନୁକୂଳ ଥାନା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ସହ ଶିଶୁଙ୍କ ମାନସିକ ବିକାଶ ପାଇଁ ମଧ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏଥିସହିତ ପଢ଼ନ୍ତୁ: ଆରଟିଓ-୧ ସ୍ଥିତ ନୂଆ କୋଠା ଓ ଆଇଟିସି ଗ୍ରୁପର ଷ୍ଟାର୍‌ ହୋଟେଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କଲେଜରେ କ୍ଳାସ୍ କଲେ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀ: ଆସନ୍ତା ୧୫ରୁ ହେବ ପିଜି ପିଲାଙ୍କ କ୍ଳାସ୍

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଳାସ୍ । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରେ ସିଧା ଯୁକ୍ତ ତିନି ପ୍ରଥମ ବର୍ଷରେ ଶ୍ରେଣୀ ଗୃହରେ ବସି ପାଠ ପଢିବାର ସୁଯୋଗ ପାଇଛନ୍ତି ଛାତ୍ରଛାତ୍ରୀ । ଶ୍ରେଣୀଗୃହରେ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ନିୟମିତ ବ୍ୟବଧାନରେ ହାତ ସଫା କରିବା ସହ ଶ୍ରେଣୀ ଗୃହ, ପାଠାଗାର ତଥା ଲାବୋରଟୋରୀ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ । କେହି କଲେଜ ବା ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ବାହାରେ ଏଣେତେଣେ ଛେପ ପକାଇ ପାରିବେ ନାହିଁ । ତେବେ ପ୍ରଥମ ଦିନ କ୍ଳାସ ହୋଇନଥିବା ବେଳେ କେବଳ ଇଣ୍ଡକ୍ସନ କ୍ଳାସ କରି ପିଲାମାନଙ୍କୁ ଛାଡି ଦିଆଯାଇଛି ।

ଆସନ୍ତାକାଲି ଠାରୁ ବିଧିବଦ୍ଧ ଭାବରେ ପାଠପଢା ହେବ । ପ୍ରଥମ କରି ଅଫଲାଇନ ମାଧ୍ୟମରେ କ୍ଳାସ ଆରମ୍ଭ ହୋଇଥିବାରୁ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ହୋଇଛନ୍ତି । ଗଲା ଦେଢବର୍ଷ ହେବ ସବୁ ପିଲା ଅନ୍‌ଲାଇନ୍ ମାଧ୍ୟମରେ କ୍ଳାସ କରୁଥିଲେ ମଧ୍ୟ ତାହା ବୁଝିବା ଏତେ ସହଜ ହେଉନଥିଲା । ଏବେ କଲେଜ ଖୋଲିଥିବାରୁ ଭଲ ପାଠ ପଢିବା ସହ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ବୋଲି ଛାତ୍ରୀମାନେ କହିଛନ୍ତି । ସେପଟେ ଉଚ୍ଚଶିକ୍ଷା ପକ୍ଷରୁ ଆସିଥିବା ଗାଇଡଲାଇନ୍ ପାଳନ ପୂର୍ବକ ପାଠ ପଢାଇବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି । ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖରୁ ପିଜି ପ୍ରଥମ ବର୍ଷ ପିଲାଙ୍କ କ୍ଳାସ୍ ମଧ୍ୟ ଆରମ୍ଭ ହେବେ । ସେମାନେ ମଧ୍ୟ ସିଧା ସଳଖ କଲେଜ କ୍ଳାସ୍ ରୁମରେ ବସି ପାଠ ପଢ଼ିବେ ।