୨୧ ଛୁଇଁଲା ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

1 min read

ଭୁବନେଶ୍ବର: ବଢିବାରେ ଲାଗିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । କର୍ଣ୍ଣାଟକ, ଗୁଜରାଟ, ମୁମ୍ବାଇ ପରେ ଦିଲ୍ଲୀ ଓ ଜୟପୁରରୁ ଡେଇଁଛି କରୋନାର ନୂଆ ଭାଇରସ ଓମିକ୍ରନ । ରାଜସ୍ଥାନର ଜୟପୁରରୁ ୯ ଜଣ ଓ ମହାରାଷ୍ଟ୍ରରୁ ୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୨୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

ଦିଲ୍ଲୀରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ । ଆକ୍ରାନ୍ତ ଯୁବକ ନିକଟରେ ତାଞ୍ଜାନିଆରୁ ଫେରିଥିଲେ । ବିଦେଶରୁ ଫେରିଥିବା ୧୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଜିନୋମ ସିକ୍ବେନ୍ସିଂ ପାଇଁ ସାମ୍ପୁଲ ପଠାଯାଇଥିଲା । ସେଥିରୁ ଜଣଙ୍କ ସାମ୍ପୁଲରେ ଅତି ସଂକ୍ରାମକ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ଓମିକ୍ରନ ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । କାନପୁର ଆଇଆଇଟି ପ୍ରଫେସର ବୈଜ୍ଞାନିକ ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି, ୨୦୨୨ ଜାନୁଆରୀ କିମ୍ବା ଫେବୃଆରୀରେ ଦେଶରେ ଆସିପାରେ ତୃତୀୟ ଲହର । ତେବେ ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର କମ୍ ମାରାତ୍ମକ ହେବ । ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ପରେ ସାରା ବିଶ୍ବରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଅନେକ ଦେଶରେ ଓମିକ୍ରନ୍ ମାମଲା ଆସିବା ପରେ ଭାରତରେ ପହଞ୍ଚିବା ଆରମ୍ଭ କରିଛି । ସଂକ୍ରମଣ ବଢିବାରେ ଲାଗିଛି କିନ୍ତୁ ଅଧିକ ମୃତ୍ୟୁ ହୋଇନି । ନୂଆ ଅଧ୍ୟୟନରୁ ତୃତୀୟ ଲହର ଆସିବା ଆଶଙ୍କା ରହିଛି ବୋଲି ପ୍ରଫେସର ଅଗ୍ରଓ୍ବାଲ କହିଛନ୍ତି ।

Leave a Reply