ଆସନ୍ତାକାଲି ଭାରତ ଆସୁଛନ୍ତି ପୁଟିନ

1 min read

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆମେରିକା ସହ ଭାରତର ଘନିଷ୍ଠତା ବଢ଼ିବା ସହ ଚୀନ ଓ ପାକିସ୍ତାନ ସହ ସୀମା ବିବାଦ ଭିତରେ ପୁଟିନଙ୍କ ଏହି ଗସ୍ତ ଉପରେ ରହିଛି ପୂରା ବିଶ୍ବର ନଜର । ଭାରତର ସବୁଠାରୁ ଅଧିକ ବିଶ୍ବସ୍ତ ବନ୍ଧୁ ଋଷ ଦୁଇ ଦେଶ ମଧ୍ୟରେ ସମ୍ପର୍କର ପୁଣି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି । ଏହି ଅବସରରେ ସୁଇ ଦେଶ ମଧ୍ୟରେ ୧୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବ ।

ବାଣିଜ୍ୟ, ଶକ୍ତି, ସଂସ୍କୃତି, ପ୍ରତିରକ୍ଷା, ମହାକାଶ, ପ୍ରଯୁକ୍ତି ଆଦି କ୍ଷେତ୍ରରେ ଅନେକ ଚୁକ୍ତି ସ୍ବାକ୍ଷରିତ ହେବାର ଅଛି ।  ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଋଷିଆର ସହଭାଗିତାରେ ଭାରତରେ ତିଆରି ହେବ ଏକେ-୨୦୩ ରାଇଫଲ । ଉତ୍ତରପ୍ରଦେଶ ଆମେଠିର କୋରଓ୍ବା କାରଖାନାରେ ୬ ଲକ୍ଷ ୭୧ ହଜାର ଏକେ-୨୦୩ ତିଆରି ହେବ । ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଏହି ପ୍ରକଳ୍ପ ଲାଗି ୫ ହଜାର କୋଟି ଟଙ୍କା ମଞ୍ଜୁର ଦିଆଯାଇଥିଲା ।

ଏହାସହ ଦୁଇ ଦେଶ ମଧ୍ୟରେ ଆନୁପାତିକ ସାମଗ୍ରୀ ବିନିମୟ ରାଜିନାମା ବା ରେଲୋସ ସ୍ବାକ୍ଷରିତ ହେବ । ପୁଟିନଙ୍କ ଗସ୍ତର କିଛିଦିନ ପୂର୍ବରୁ ଭାରତକୁ ମହାଶକ୍ତିଶାଳୀ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଣ ଆରମ୍ଭ କରିଥିଲା ଋଷ । ଏହାକୁ ନେଇ ଆମେରିକାର କୋପ ଦୃଷ୍ଟିରେ ପଡିଥିଲା ଭାରତ ।

କ୍ବାଡ ରାଷ୍ଟ୍ରଗୋଷ୍ଠୀରେ ଆମେରିକା, ଜାପାନ, ଭାରତ ଓ ଅଷ୍ଟ୍ରେଲିଆ ସଦସ୍ୟ ରାଷ୍ଟ୍ର ଥିବାବେଳେ ଭାରତ ଓ ଋଷ ମଧ୍ୟରେ ସବୁଠାରୁ ଗଭୀର ସମ୍ପର୍କ ରହିଆସିଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏସିଆ-ପ୍ରଶାନ୍ତ ଅଞ୍ଚଳରେ ସ୍ଥିରତା, ନିରାପତ୍ତା ଆଦି ପ୍ରସଙ୍ଗରେ ଆଲୋଚନା ହେବ । ଭାରତ-ପ୍ରଶାନ୍ତ ଅଞ୍ଚଳରେ ଚେନ୍ନାଇ-ଭ୍ଲାଡିଭୋସ୍ତକ ସାମୁଦ୍ରିକ ପଥ ନେଇ ମଧ୍ୟ ଆଲୋଚନା ହେବ । ଏହି ସାମୁଦ୍ରିକ ପଥ ଖୋଲିଲେ ଦୁଇ ଦେଶ ମଧ୍ୟରେ ଯାତାୟାତ ୪୦ ଦିନରୁ ୨୪ ଦିନକୁ ହ୍ରାସ ପାଇବ । ଦୁଇ ଦେଶ ମଧ୍ୟରେ ୩୦ ବିଲିୟନ ଡଲାର ନିବେଶ ଲକ୍ଷ ରହିଥିବାବେଳେ ଏହି ଗସ୍ତରେ ଏନେଇ ବ୍ୟାପକ ଆଲୋଚନା ହେବ । ଆସନ୍ତା କାଲି ହେବାକୁ ଥିବା ୨୧ତମ ଭାରତ-ଋଷିଆ ସମ୍ମିଳନୀରେ ବି ଯୋଗ ଦେବେ ପୁଟିନ ।

Leave a Reply