spot_img
Home Blog Page 4983

୧୨ ଲକ୍ଷ ଦୀପ ଜଳାଇ ବିଶ୍ୱ ରେକର୍ଡ; ଆଲୋକ ମାଳାରେ ଝଲସୁଛି ଅଯୋଧ୍ୟା ନଗରୀ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଉଲ୍ଲସିତ ପୁରା ଦେଶ । ଅଯୋଧ୍ୟାରେ ଚାଲିଛି ଦୀପୋତ୍ସଭ କାର୍ଯ୍ୟକ୍ରମ । ପ୍ରଭୁ ରାମଚନ୍ଦ୍ର ଓ ଦେବୀ ସୀତାଙ୍କୁ ବନ୍ଦାପନା ସହିତ ଉତ୍ସବମୁଖର ହୋଇଛି ଅଯୋଧ୍ୟା ନଗରୀ। ପ୍ରତୀକାତ୍ମକ ଶୋଭାଯାତ୍ରାରେ ଭଗବାନ ରାମ ଏବଂ ମାତା ସୀତାଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କୁ ପୂଜାର୍ଚ୍ଚନା କରାଯାଇଛି ।

୧୨ଲକ୍ଷ ଦୀପ ଜାଳି ଚଳିତବର୍ଷ ଗିନିଜ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବ ଅଯୋଧ୍ୟା । ୧୨ ଲକ୍ଷ ଦୀପ ମଧ୍ୟରୁ କେବଳ ପ୍ରଭୁ ଶ୍ରୀରାମଙ୍କ ପାଦରେ ୯ ଲକ୍ଷ ଦୀପ ଜଳାଯାଇଛି। ବାକି ସ୍ଥାନରେ ୩ ଲକ୍ଷର ଦୀପ ପ୍ରଜ୍ୱଳିତ କରାଯାଇଥିଲା । ସେପଟେ ଛୋଟ ଛୋଟ ମଞ୍ଚ ପ୍ରସ୍ତୁତ କରାଯାଇ ଦୀପୋତ୍ସବ ହୋଇଛି। ଏଥିପାଇଁ ୩୬ ହଜାର ଲିଟରର ସୋରିଷ ତେଲକୁ ବ୍ୟବହାର କରାଯାଇଛି ।

ମଞ୍ଚରେ ଲଙ୍କା ଦହନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଭଗବାନ ରାମଙ୍କ ଲୀଳା ସମ୍ବଦ୍ଧିୟ ନାନା ନାଟକ ଅନୁଷ୍ଠିତ ହେଉଛି । ସେପଟେ ଉତ୍ତରାଖଣ୍ଡର କେଦାରନାଥ ମଧ୍ୟ ଦୀପାବଳି ପାଇଁ ଉତ୍ସବମୁଖର ହୋଇଛି ।

ପଶିଲା ଚେତା, ଏବେ ଭଙ୍ଗାଘର ସଜାଡ଼ିବ କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଚେତା ପଶିଲା । ଏବେ ବାଦବିବାଦ ନୁହେଁ କି ଚୌକି ପାଇଁ ଲଢେଇ ନୁହେଁ, ଦଳକୁ ଶୃଙ୍ଖଳିତ ଓ ସଂଗଠିତ କରିବାକୁ ଏକଜୁଟ ହୋଇ ମାନସ ମନ୍ଥନ ଆରମ୍ଭ କରିଛନ୍ତି ନେତାଏ । ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଦଳର ଗୋଷ୍ଠୀ ବିବାଦ ମୂଳପୋଛ କରାଯିବ ବୋଲି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଦିଆଯାଇଛି ପ୍ରସ୍ତାବ । ହେଲେ, ପ୍ରସ୍ତାବକୁ ନେଇ ଆସିଛି ଦ୍ଵିମତ । ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକଯୁଦ୍ଧ । ଯାହାକୁ ନେଇ ହାତ ଶିବିର ସରଗରମ ।

ଏକା ଲଢିଲେ, ବାରମ୍ବାର ହାରିଲେ । ଏପରିକି ରାଜ୍ୟରେ ଦଳ ଦ୍ଵିତୀୟ ପୋଜିସନରୁ ତୃତୀୟକୁ ଚାଲିଆସିଲା । ସାଧାରଣ ନିର୍ବାଚନ ଓ ଉପନିର୍ବାଚନରେ ବି ବିଫଳତାର ସ୍ୱାଦ ଚାଖିଲା ଦଳ । ଏବେ ମନ ଘର ଧରିଛି । ଅସଜଡ଼ା ଘରକୁ ସଜାଡ଼ିବ କଂଗ୍ରେସ । ଗୋଷ୍ଠୀ ବିବାଦ ଦୂର କରିବାକୁ ଗଠନ ହେବ ସ୍ୱତନ୍ତ୍ର କମିଟି । ଦଳର ପରିବର୍ଦ୍ଧିତ କାଯ୍ୟକାରିଣୀ ବୈଠକରେ ବରିଷ୍ଠ ନେତା ଓ ବିଧାୟକମାନେ ଏହି ପ୍ରସ୍ତାବ ଦେଇଛନ୍ତି । କମିଟି ଗଠନ ପୂର୍ବରୁ ଦଳରେ ଥିବା ଗୋଷ୍ଠୀ କନ୍ଦଳ ଦୂର କରିବା ପାଇଁ ପ୍ରଥମେ ବରିଷ୍ଠ ନେତାଙ୍କ ସହ ପିସିସି ସଭାପତିଙ୍କ ସହ ୱାନ ଟୁ ୱାନ କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଅନ୍ୟପଟେ ଦଳରେ ଯେଉଁମାନେ ବିଶୃଙ୍ଖଳା କରୁଛନ୍ତି ସେମାନଙ୍କୁ ତୁରନ୍ତ ବହିଷ୍କାର କରାଯିବା ଦରକାର ବୋଲି ତାରାଙ୍କୁ ସମଥର୍ନ କରି କହିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ।

କିନ୍ତୁ ତାରା ଓ ଦେବାଶିଷଙ୍କ ମନ୍ତବ୍ୟରେ ସହମତ ନୁହଁନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ । ସେ କହିଛନ୍ତି, ଦଳର ଶୃଙ୍ଖଳା ପ୍ରସ୍ତାବ ନେଇ ତାରା ଓ ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ବର୍ଷିଛନ୍ତି ସୁରେଶ । ଦଳର ଶୃଙ୍ଖଳା କଥା କେବଳ ହାଇକମାଣ୍ଡ କହିବେ ଓ ସ୍ଥିର କରିବେ । ବିଧାୟକ ତାରା ବାହିନୀପତି ଓ ସପ୍ତଗିରି ଉଲାକା ମଧ୍ୟରେ ହୋଇଥିବା ବିବାଦରେ ଉଲାକାକୁ ସମର୍ଥନ କରି ଏହି  ନିଆଁରେ ଘିଅ ଢାଳିଛନ୍ତି ସୁର । ଏହାସହ କଂଗ୍ରେସର ଥିବା ଗୋଷ୍ଠୀ କନ୍ଦଳର ପ୍ୟାଚ୍‌ ପଡ଼ିଯାଇଥିବା ସେ କହିଛନ୍ତି ।

୨୧ ବର୍ଷ ଧରି କ୍ଷମତା ବାହାରେ ରହିବା ଓ ଗୋଷ୍ଠୀର ପୁରୁଣା ବିବାଦ ଯୋଗୁଁ ରାଜ୍ୟରେ କଂଗ୍ରେସର ଭୋଟହାର କମିବା ସହ ତୃଣମୂଳସ୍ତରରୁ ରାଜ୍ୟ ମଙ୍ଗୁଆଳ ସାଜିଥିବା ନେତାଏ ଦଳ ଛାଡ଼ୁଛନ୍ତି । ଯାହା ହାତ ଶିବିରକୁ ଚିନ୍ତାରେ ପକାଇଛି । ଏଥିରୁ ମୁକୁଳିବା ପାଇଁ ଦଳର ସ୍ୱତନ୍ତ୍ର କମିଟି କେତେ ସଫଳତା ହାସଲ କରୁଛି ତାହା ଉପରେ ରହିବ ସମସ୍ତଙ୍କ ନଜର ।

ଉପନିର୍ବାଚନରେ ଭୋଟର ଦେଲେ ବିଜେପିକୁ ଦରଦାମ ବୃଦ୍ଧିର ଜବାବ

ଭୁବନେଶ୍ୱର: ବିଜେପିକୁ ‘ମହଙ୍ଗା’ ମାଡ଼ । ଉପନିର୍ବାଚନ ଫଳ କଲା ଫେଷ୍ଟିଭ ମୁଡ୍‌କୁ ଫିକା । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ମଉଳିଲା ପଦ୍ମ ପାଖୁଡା । ବିରୋଧୀ କଂଗ୍ରେସ ପାଇଁ ଅଚ୍ଛେ ଦିନ । କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଓ ହରିୟାଣା ଉପନିର୍ବାଚନରେ ବିଜେପି କ୍ଲିନ ବୋଲ୍ଡ । ଏହି ତିନି ରାଜ୍ୟରେ ବିଜେପି କ୍ଷମତାରେ ଥିଲେ ବି କଂଗ୍ରେସ ଚାଖିଛି ବିଜୟ ସ୍ୱାଦ । ପଶ୍ଚିମବଙ୍ଗରେ ତ ଦିଦିଙ୍କୁ ହାତ ମାରିବା ବିଜେପି ପାଇଁ ମୁସକିଲ ହୋଇ ପଡ଼ିଲାଣି । ଗତକିଛି ମାସ ମଧ୍ୟରେ ଉପନିର୍ବାଚନ ଫଳାଫଳ ବିଜେପିକୁ ଆଇନା ଦେଖାଇଛି ।

ଆଞ୍ଚଳିକ ଦଳର ଦବ୍‌ଦବା ବଢୁଥିବା ବେଳେ କଂଗ୍ରେସ ପାଇଁ ଆଣିଛି ଶୁଭ ସଙ୍କେତ । ଦର ବୃଦ୍ଧି ନେଇ ଜନ ଅସନ୍ତୋଷ ଉପନିର୍ବାଚନରେ ବଡ଼ କାରଣ ଭାବେ ଉଭା ହୋଇଛି । ସବକା ସାଥ୍ ସବକା ବିକାଶର ଗାଥା ଗାଉଥିବା ବିଜେପି ଉପରୁ ଆସ୍ଥା ହରାଇଛନ୍ତି ଲୋକେ । ନୂଆ କୃଷି ଆଇନ ସାଙ୍ଗକୁ ଦରଦାମ ବୃଦ୍ଧି ପାଇଁ ବିଜେପିଠୁ ମୁହଁ ମୋଡିଛନ୍ତି ଭୋଟର । ବିଜେପି ସରକାରଙ୍କ କର୍ପୋରେଟ ପ୍ରୀତି, ଚାଷୀ ମାରଣ ନୀତି ସାବ୍ୟସ୍ତ ହେଲାଣି । ସେଥିପାଇଁ ଭୋଟର ବିରୋଧୀଙ୍କୁ ଆଗକୁ ଆଣିଛନ୍ତି । ଦରଦାମ ବଢୁଥିବା ବେଳେ ବିଜେପିର ଦମ ଖସୁଥିବା ବିଜେଡି ଓ କଂଗ୍ରେସ ନେତା କହିଛନ୍ତି ।

ଦେଶର ଉପନିର୍ବାଚନ ଫଳ ବିଜେପି ବିରୋଧରେ ଯାଉଛି । ବିଜେପି ବିରୋଧୀ ହାଓ୍ବା ବହୁ ପୂର୍ବରୁ ଓଡ଼ିଶାରେ ଦେଖିବାକୁ ମିଳିଥିଲା । ୨୦୧୯ ନିର୍ବାଚନରେ ବିଜେପି ଜିତିଥିବା ବାଲେଶ୍ୱର ବିଧାନସଭାକୁ ଉପନିର୍ବାଚନରେ ହରାଇଥିଲା । ତିର୍ତ୍ତୋଲ ଓ ପିପିଲିରେ ସମଦଶା ଭୋଗିଛି ଗେରୁଆ ଦଳ । ସେପଟେ ପରାଜୟର ସମୀକ୍ଷା କଥା କହି ଦରଦାମ ବୃଦ୍ଧିର କାରଣକୁ ଏଡ଼ାଇ ଯାଇଛି ବିଜେପି ।

ଦର ବୃଦ୍ଧି ପାଇଁ ଭୁଶୁଡିଥିଲା କଂଗ୍ରେସ ସରକାର । ତାକୁ ହିଁ ମୁଖ୍ୟ ପ୍ରସଙ୍ଗ କରି କ୍ଷମତାକୁ ଦୁଇ ଦୁଇ ଥର ଆସିଲାଣି ଏନଡିଏ । ହେଲେ ଏଥର ଲୋକେ ବିଜେପିର ପ୍ରକୃତ ଚେହେରା ଦେଖିସାରିଲେଣି । ଯାହା ଦଳ ପାଇଁ ଦୁର୍ଗତି ଡାକି ଆଣିଛି । ତ୍ରୁଟିପୂର୍ଣ୍ଣ ନୀତିର ଓକିଲାତି ଛାଡ଼ି ଦେଶ ନସଜାଡ଼ିଲେ ଆଗକୁ ବିଜେପି ବ୍ୟାକଫୁଟକୁ ଆସିବା ନେଇ ବିଶେଷଜ୍ଞ ଅନୁମାନ କଲେଣି ।

ଦୀପାବଳିରେ ଏହି ଜିନିଷ ଖାଇଲେ ଭାଗ୍ୟରେ କରିପାରିବେ ଉନ୍ନତି

ଧନତେରସ ପରେ ଆଜିର ଦିନକୁ ଛୋଟ ଦୀପାବଳି ଭାବେ ପାଳନ କରାଯାଏ  । ୪ ନଭେମ୍ବର ଦୀପାବଳି ଉତ୍ସବ ପାଳନ କରାଯାଉଥିବା ବେଳେ ୫କୁ ଗୋବର୍ଦ୍ଧନ ପୂଜା ଓ ୬ରେ ଭାଇ ଟିକା ପାଳନ ହୁଏ  । ଏସବୁକୁ ଓଡ଼ିଶାରେ ପାଳନ କରାଯାଉ ନଥିବା ବେଳେ ଭାରତର ଅନ୍ୟ ରାଜ୍ୟମାନଙ୍କରେ ବହୁ ଜାକଜମକରେ ପାଳନ କରାଯାଏ  । ଆପଣ ଜାଣିଛନ୍ତି କି ଏହି ସବୁ ପୂଜାରେ କିଛି ଏମିତି ଜିନିଷ ଅଛି ଯାହାକୁ ଖାଇଲେ ଶୁଭ ଫଳପ୍ରଦ ହୋଇଥାଏ । ଏହା କୁହାଯାଏ କି ଏହା ଖାଇବା ଦ୍ୱାରା ସବୁ କାମ ଭଲରେ ସମ୍ପୂର୍ଣ୍ଣ ହୁଏ  ।

ଓଡ଼ିଶାରେ ପର୍ବପର୍ବାଣୀର ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଚଳିତ ସପ୍ତାହଟି ଉତ୍ସବର ସପ୍ତାହ  । ଧନତେରସ ପରେ ଆଜିର ଦିନକୁ ଛୋଟ ଦୀପାବଳି, ୪ ନଭେମ୍ବରକୁ ଦୀପାବଳି ଉତ୍ସବ ପାଳନ କରାଯାଉଥିବା ବେଳେ ୫କୁ ଗୋବର୍ଦ୍ଧନ ପୂଜା ଓ ୬ରେ ଭାଇ ଟିକା ପାଳନ କରାଯିବ  ।

ତେବେ ଆସନ୍ତୁ ଜାଣିବା କେଉଁ ପର୍ବରେ କ,ଣ ଖାଇଲେ ଶୁଭ ହୁଏ ?

ଧନତେରସ :

ଧନତେରସରେ ଉତ୍ତର ଭାରତରେ ଛୋଟ ଝିଅମାନଙ୍କୁ ‘ଦହି ବତାଶା’ (ଏକ ପ୍ରକାର ମିଠା ଖାଦ୍ୟ) ଖୁଆ ଯାଉଥିବା ବେଳେ ଏହାକୁ ବତାଶା ଗୁପଚୁପ୍ ମଧ୍ୟ କୁହାଯାଏ  । ମାତ୍ର ଏଥିରେ ତେନ୍ତୁଳି ପାଣି ଜାଗାରେ ଦହିର ବ୍ୟବହାର କରାଯାଏ  । ଏହା ବ୍ୟତୀତ ଧନତେରସରେ ଗୁଡ଼ କ୍ଷୀରି ଓ ପଞ୍ଚାମୃତ ଭୋଗକୁ ଶୁଭ ମାନିଥାନ୍ତି  ।

ଛୋଟ ଦୀପାବଳି :

ହିନ୍ଦୁ ଧର୍ମ ଅନୁଯାୟୀ କାର୍ତ୍ତିକ ମାସ କୃଷ୍ନ ଚତୁର୍ଦ୍ଦଶୀରେ ପବନ ପୁତ୍ର ହନୁମାନଙ୍କ ଜନ୍ମ ହୋଇଥିଲା  । ହନୁମାନଙ୍କ ପ୍ରିୟ ଖାଦ୍ୟ ବୁନ୍ଦି ଲଡ଼ୁ  । ଏଥିପାଇଁ ଏହିଦିନ ବୁନ୍ଦିଲଡ଼ୁ ଖାଇବା ଶୁଭ ହୋଇଥାଏ  । ଭଗବାନଙ୍କ ନିକଟରେ ବୁନ୍ଦିଲଡ଼ୁର ଭୋଗ ଲଗାଇ ଏହି ପ୍ରସାଦ ବିତରଣ ମଧ୍ୟ କରାଯାଏ  ।

ଦୀପାବଳି :

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ଭୋଗ ଲଗାଇ ଏହାର ପ୍ରସାଦ ପାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ  ।

ଗୋବର୍ଦ୍ଧନ ପୂଜା :

ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା ପାଳନ କରାଯାଏ  । ଏହି ଦିନ ମାଲପୁଆ ଖାଇବାର ପରମ୍ପରା ରହିଛି  । ଏହି ପୂଜାରେ ଘରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ତିଆରି କରାଯାଇଥାଏ  । ଏହା ଭିତରୁ ମାଲପୁଆ ସ୍ୱତନ୍ତ୍ର  । ଗୋବର୍ଦ୍ଧନ ପୂଜାରେ ଏହାର ଭୋଜନ ଅତ୍ୟନ୍ତ ଶୁଭ  ।

ଭାଇ ଟିକା/ଭାଇ ପୂଜା :

ଭାଇ ପୂଜା ଓ ଭାଇ ଟିକା ଓଡ଼ିଶାର ପର୍ବ ହୋଇନଥିଲେ ମଧ୍ୟ ଗୁଜୁରାଟ, ହରିୟାଣା, ମହାରାଷ୍ଟ୍ର ଆଦି ରାଜ୍ୟମାନଙ୍କରେ ପାଳନ ଧୁମଧାମରେ ପାଳନ ହୁଏ । ଠିକ୍ ରାକ୍ଷୀ ପୂର୍ଣ୍ଣିମା ଭଳି ଏହି ପର୍ବ ମଧ୍ୟ ଭାଇଭଉଣୀଙ୍କ ପର୍ବ  । ଏହି ଦିନ ଭାତ ଖାଇବା ଶୁଭ ମାନିଥାନ୍ତି  । ଭଉଣୀଟିଏ ଭାଇକୁ ସିନ୍ଦୁର ଓ ଚନ୍ଦନ ଟିକା ଲଗାଇବା ଦ୍ୱାରା ଭାଇର ଭାଗ୍ୟଦୋୟ ହୋଇଥାଏ ବୋଲି ବିଶ୍ୱାସ କରାଯାଏ  ।

ଟସ୍ ଜିତିଲା ଆଫଗାନିସ୍ତାନ, ବ୍ୟାଟିଂ କରିବ ଇଣ୍ଡିଆ

ଦୁବାଇ: ପୁଣି ଟସ୍ ହାରିଲେ ବିରାଟ କୋହଲି । ଚଳିତ ଟି-୨୦ ବିଶ୍ବକପରେ ଭାରତ ଆଜି ତା’ର ତୃତୀୟ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ।  ଆଜିର ମ୍ୟାଚ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବ । ତେବେ ଆଜିର ମ୍ୟାଚରେ ମଧ୍ୟ ଟସ୍ ହାରିଛନ୍ତି ଅଧିନାୟକ ବିରାଟ କୋହଲି । ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବୋଲିଂର ନିଷ୍ପତି ନେଇଛି । ଏଥିସହ ଚଳିତ ଟି-୨୦ ବିଶ୍ବକପରେ ଲଗାତର ଭାବରେ ତିନୋଟି ମ୍ୟାଚରେ ଟସ୍ ହାରିଛନ୍ତି ବିରାଟ । ପ୍ରଥମ ଦୁଇଟି ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ ଏବଂ ଦୁଇଟି ମ୍ୟାଚକୁ ଶୋଚନୀୟ ଭାବରେ ପରାଜୟ ମଧ୍ୟ ବରଣ କରିଥିଲା । ତେବେ ଆଜିର ମ୍ୟାଚରେ ଭାରତ ପକ୍ଷରୁ ଦୁଇଟି ପରିବର୍ତ୍ତନ କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଇଶାନ କିଶାନଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଦଳର ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିଛି ।

ଯଦି ଭାରତ ଚଳିତ ବିଶ୍ବକପର  ସେମିଫାଇନାଲକୁ ଯିବାକୁ ଚାହେଁ ତାହାଲେ ଏହି ମ୍ୟାଚରେ ଭାରତକୁ ଜିତିବା ଅତ୍ୟନ୍ତ ଜରୁରୀ । ଖାଲି ବିଜୟ ଲାଭ କଲେ ହେବ ନାହିଁ ବରଂ ଏକ ବଡ଼ ବ୍ୟବଧାନରେ ଆଜିର ମ୍ୟାଚକୁ ଜିତିବାକୁ ପଡ଼ିବ ଟିମ୍ ଇଣ୍ଡିଆକୁ । ତେବେ ଏହି ମ୍ୟାଚରେ ଭାରତ ବିଜୟଲାଭ କରିବା ପରେ ଆସନ୍ତା ନଭେମ୍ବର ୭ରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ । ତେବେ ଟି-୨୦ ବିଶ୍ବକପରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଦୁଇଥରେ ମୁହାଁମୁହିଁ ହୋଇଥିଲେ । ତେବେ ଏହି ଦୁଇଟି ମ୍ୟାଚରେ ଭାରତ ବିଜୟଲାଭ କରିଥିଲା ।

ଲୁଟିଲେ ଅଧିକାରୀ: ଚାଷୀଙ୍କୁ ଜଣାନାହିଁ ତାଙ୍କ ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ଋଣ ବୋଝ

ବଲାଙ୍ଗିର: କାହାକୁ ମିଳିଛି ୩ ହଜାର ତ ଆଉ କାହାକୁ ମିଳିଛି ୫ ହଜାର ଟଙ୍କା । କିନ୍ତୁ ବ୍ୟାଙ୍କ ଖାତାରେ ଗଡୁଛି ଲକ୍ଷାଧିକ ଟଙ୍କାର ଋଣ । ଖାତା ଦେଖି ତାଜୁବ ଚାଷୀ । ଚାଷୀଙ୍କୁ ଜଣାନାହିଁ ସେମାନେ କେବେ କଲେ ଋଣ । ଏବେ ଋଣ ସୁଝିବା ଚିନ୍ତା । ଚାଷୀଙ୍କ ଦସ୍ତଖତ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଛନ୍ତି ପେକ୍ସ ସମ୍ପାଦକ ଓ କର୍ମାଚାରୀ । ଏମିତି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର ୩ଟି କୃଷି ସମବାୟ ସମିତିରୁ । ଘଟଣା ଜଣାପଡ଼ିବା ପରେ ଉତ୍ତ୍ୟକ୍ତ ଚାଷୀ ବ୍ୟାଙ୍କ ଘେରାଉ କରି ଓ ରାସ୍ତା ଅବରୋଧ କରିବା ସହ ୭ ଦିନ ଭିତରେ ଘଟଣା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଚାଷୀଙ୍କୁ ଢାଲ କରି ଲୁଟିଛନ୍ତି ପେକ୍ସ କର୍ମଚାରୀ । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେମାନଙ୍କ ଅଜାଣତରେ ଉଠିଛି ଲକ୍ଷ ଲକ୍ଷ ଟଙ୍କାର କୃଷି ଋଣ । ଜଣେ ନୁହେଁ କି ଦୁଇଜଣ ନୁହେଁ, ୩୭୦ ଚାଷୀଙ୍କ ଆକାଉଣ୍ଟରୁ ଉଠିଛି ଟଙ୍କା । ଚାଷୀଙ୍କ ଅଜାଣତରେ ଦସ୍ତଖତ ଜାଲିଆତି କରି ୨ କୋଟି ୫୦ଲକ୍ଷ ଉଠିଯାଇଥିବା ହୋଇଛି ଅଭିଯୋଗ ।

ବୁବେଳ ପେକ୍ସ ଅନ୍ତର୍ଗତ ବାହାଲବୁକା ଗାଁର ଚାଷୀ ଉମାକାନ୍ତ ବକୁଳ ଏବଂ ତାଙ୍କ ସ୍ତ୍ରୀ ସୌଦାମିନୀ କୃଷି ଋଣ ବାଦଦକୁ ୨୦ରୁ ୩୦ ହଜାର ଟଙ୍କା ପାଇଥିବାବେଳେ ଉମାକାନ୍ତଙ୍କ ନାଁରେ ୧ ଲକ୍ଷ ୩୦ହଜାର ଏବଂ ତାଙ୍କ ସ୍ତ୍ରୀ  ନାଁରେ ୧ ଲକ୍ଷ ୩୭ ହଜାର ଟଙ୍କା ଉଠିଛି । ବିମଳା ରାଣା ମାତ୍ର ୩ ହଜାର ଟଙ୍କା ପାଇଛନ୍ତି ହେଲେ ତାଙ୍କ ନାଁରେ ଉଠିଛି ୧ ଲକ୍ଷ ୪୭ ହଜାର ଟଙ୍କା । ଚାଷୀ ବାଗଦଳ ଗୁରୁ ମାତ୍ର ୮ ହଜାର ଟଙ୍କା ପାଇଛନ୍ତି । ହେଲେ ତାଙ୍କ ନାଁରେ ଗଡୁଛି ଦେଢ଼ ଲକ୍ଷ ଟଙ୍କାର ଋଣ । ସେହିପରି ବଟକୃଷ୍ଣ ଡ଼ାଙ୍ଗ ୧୨ ହଜାର ଟଙ୍କା କୃଷି ଋଣ ପାଇଥିଲା ବେଳେ ତାଙ୍କ ନାଁରେ ଉଠିଛି ୧ ଲକ୍ଷ ୩୦ହଜାର ଟଙ୍କା । ଜମାଖାତା ଅପଡେଟ୍ କରିବାକୁ ଯାଇ ଜାଲିଆତି ବିଷୟରେ ଜାଣିବାକୁ ପାଇଥିଲେ ସେମାନଙ୍କ ମୁଣ୍ଡ ଉପରେ ରହିଛି ଏତେ ବଡ଼ ଋଣ ବୋଝ । ଏନେଇ ବୁବେଲ ପେକ୍ସର ସମ୍ପାଦକ ଟିକେଶ୍ବର ସାଏ, ବୈରାସରର ଉପେନ୍ଦ୍ର ମେହେର ଓ ଜାମଗାଁର ସମ୍ପାଦକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ଚାଷୀ । ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ।

୨୧ ବର୍ଷରେ କିଣିଲେ ୮୭ ଲକ୍ଷର ଘର; ଦେଲେ ସଞ୍ଚୟ ଟିପ୍ସ…

ନୂଆଦିଲ୍ଳୀ: ବ୍ରିଟେନ୍ ବାସିନ୍ଦା ବେକା ଥମ୍ପସନ୍ ମାତ୍ର ୨୧ ବର୍ଷ ବୟସରେ ୮୭ ଲକ୍ଷ ଟଙ୍କାରେ ନିଜର ଏକ ଘର କିଣିଛନ୍ତି ।  ଆଉ ଘର କିଣିବା ପାଇଁ ସେ କୌଣସି ଲୋନ୍ କିମ୍ବା କରଜ କରିନାହାଁନ୍ତି ବରଂ ନିଜ ସଞ୍ଚୟ ଅର୍ଥରେ କିଣିଛନ୍ତି। ସିକ୍ରେଟ୍ ମଧ୍ୟ ସାେସିଆଲ୍ ମିଡିଆରେ ଶେୟାର କରିଛନ୍ତି।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବେକା ଥମ୍ପସନ୍ ନିଜ ଟିକଟକ୍ ଆକାଉଣ୍ଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ୧୬ ବର୍ଷ ବୟସରୁ କିଭଳି ସଞ୍ଚୟ କରିବା ଆରମ୍ଭ କରିଥିଲେ ଏବଂ ଏଥିପାଇଁ ତାଙ୍କୁ କେମିତି ପ୍ଲାନିଂ କରିବାକୁ ପଡିଥିଲା ସେନେଇ କହିଛନ୍ତି । ପ୍ରଥମେ ପ୍ରଥମେ ଆୟ କମ୍ ଥିଲା, ଏମିତିକି ଘଣ୍ଟା ପ୍ରତି ୩୦୪ ଟଙ୍କା ମିଳୁଥିଲା । କିନ୍ତୁ ୫ ବର୍ଷ ମଧ୍ୟରେ ହୋଇଥିବା ସଞ୍ଚୟରେ ସେ ଘର କିଣିବାରେ ସଫଳ ହୋଇଥିଲେ ।

କିଭଳି କରିବେ ସଞ୍ଚୟ, ଦେଲେ ଟିପ୍ସ-

କରୋନା ସଙ୍କଟ ମଧ୍ୟରେ ୮୭ ଲକ୍ଷ ଟଙ୍କାରେ ୨ ବେଡରୁମ୍ ବିଶିଷ୍ଟ ଏକ ଫ୍ଲାଟ୍ ମିଳିଛି ବୋଲି କହିଛନ୍ତି ବେକା। ଏଥିସହ ସେ ସଞ୍ଚୟର ଟିପ୍ସ ମଧ୍ୟ କହିଛନ୍ତି। ବେକାଙ୍କ କହିବାନୁଯାୟୀ, ଯେବେବି କିଛି ଖର୍ଚ୍ଚ କରୁଥିଲି ସେତିକି ଟଙ୍କା ସଞ୍ଚୟ ଆକାଉଣ୍ଟରେ ରଖିଦିଏ । ଘର କିଣିବା ପାଇଁ ଚିନ୍ତା କରିବା ପରେ ପ୍ରତି ମାସରେ ପାଖାପାଖି ୮୦ ହଜାର ଟଙ୍କା ସଞ୍ଚୟ କରିବା ଆରମ୍ଭ କରିଥିଲି ।

ସଞ୍ଚୟ ମୂଳ ମନ୍ତ୍ର ହେଉଛି- ଯେତିକି ଟଙ୍କା ଖର୍ଚ୍ଚ କରିବ, ଠିକ୍ ସେତିକି ଟଙ୍କାକୁ ସଞ୍ଚୟ କରିବ। ଜଣେ ୟୁଜର୍ସଙ୍କୁ ଉତ୍ତର ଦେବାକୁ ଯାଇ ବେକା କହିଛନ୍ତି ଯେ, ମୋ ପିତା-ମାତା ଖର୍ଚ୍ଚ ପାଇଁ ମୋ ଠୁ ଟଙ୍କା ନିଅନ୍ତି ନାହିଁ । ଫଳରେ ମୋର ସବୁ ଟଙ୍କା ବଞ୍ଚିଯାଏ । ଆଉ ମୋ ଖର୍ଚ୍ଚ ମଧ୍ୟ ବେଶୀ ନୁହେଁ । ଧିରେ ଧିରେ ଆୟ ବଢିବା ସହ ସଞ୍ଚୟ ମଧ୍ୟ ବଢିଥିଲା । ପରିଶେଷରେ ମୁଁ ନିଜ ପାଇଁ ଘର କିଣିପାରିଛି ।

ଅବହେଳିତ ସୁଲେଇପାଟ ଡ୍ୟାମର ଭାଗ୍ୟ ବଦଳିବ କେବେ ?

ବାରିପଦା:  ଖୋଲିଲାଣି ଶିମିଳିପାଳ ଜାତୀୟ ଉଦ୍ୟାନ ପଦଦେଶରେ ଥିବା ସୁଲେଇପାଟ ଡ୍ୟାମ । ନିକଟରୁ ଡ୍ୟାମର ମନୋରମ ଦୃଶ୍ୟ ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ । ଦୁଇଟି ପାହାଡ଼ର ସବୁଜ ବଳୟ ଭିତରେ ନିର୍ମାଣ ହୋଇଛି ବନ୍ଧ । କାଚକେନ୍ଦୁ ପାଣି ସାଙ୍ଗକୁ ଡ୍ୟାମ ଚର୍ତୁପାର୍ଶ୍ବର ପ୍ରାକୃତିକ ପରିବେଶ ପ୍ରକୃତି ପ୍ରେମୀଙ୍କୁ କରୁଛି ବିଭୋର । ହେଲେ ପର୍ଯ୍ୟଟନ ଏଠି ଅବହେଳିତ । ଡ୍ୟାମ ନିକଟରେ ଆନୁଷଙ୍ଗିକ ସୁବିଧା ନଥିବାରୁ ନାନା ସମସ୍ୟା ଭୋଗୁଛନ୍ତି ପର୍ଯ୍ୟଟକ । ନିକଟରେ ଖଣିଜ ଉତ୍ତୋଳନ ଡ୍ୟାମ ଉପରେ ସୃଷ୍ଟି କରିଛି ବିପଦ ।

ସ୍ଥାନୀୟ ଅଞ୍ଚଳରେ କୃଷିର ବିକାଶ ପାଇଁ ୧୯୭୯ ମସିହାରେ ଏହି ଡ୍ୟାମ ନିର୍ମାଣ ହୋଇଥିଲା । ପରେ ପ୍ରକୃତିର ବରଦାନ ପାଇଁ ଏହି ସ୍ଥାନ ପର୍ଯ୍ୟସ୍ଥଳରେ ପରିଣତ ହୋଇଛି । ମାତ୍ର ଡ୍ୟାମ ନିକଟରେ ଖଣିଜ ସମ୍ପଦ ଉତ୍ତୋଳନ ହେଉଥିବାରୁ ଡ୍ୟାମର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ସେପଟେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି କହିଛନ୍ତି ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର କୁଦୁମାସିଂ ।

ଦୁର୍ଗମ ଟାଙ୍ଗିଲିପଦର: ଅଭିଶପ୍ତ ଜୀବନ ଜୀଉଁଛନ୍ତି କୁଇ କନ୍ଧ ସମ୍ପ୍ରଦାୟ ଲୋକେ

ମୋହନା: ସତେକି ଜୀବନ ଅଭିଶପ୍ତ । ଗାଁକୁ ନାହିଁ ଘଣ୍ଡେ ରାସ୍ତା । ସାମାନ୍ୟ ରାସନ ସାମଗ୍ରୀ ପାଇଁ ଦୁଇଟି ନାଳ ଓ ୫ କିମି ପାଡାଡ଼ିଆ ରାସ୍ତା କରିବାକୁ ପଡ଼ିଥାଏ ଅତିକ୍ରମ । ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଟାଙ୍ଗିଲିପଦର କଥା । ବିକାଶ ଆଜି ବି ଏଠି ସାତସପନ ପାଲଟିଛି । ଅଭିଶପ୍ତ ଜୀବନ କାଟୁଛନ୍ତି କୁଇ କନ୍ଧ ସମ୍ପ୍ରଦାୟର ଗରିବ ଆଦିବାସୀ । ରାସ୍ତାଟିଏ ନଥିବାରୁ ପ୍ରତିଦିନ ପଥୁରିଆ ରାସ୍ତାରେ ଜୀବନକୁ ବାଜି ଲଗାଇ ଏମାନଙ୍କୁ ଯାତାୟତ କରିବାକୁ ପଡ଼ିଥାଏ ।

ଦୁର୍ଗମ ଟାଙ୍ଗିଲିପଦର ଗାଁରେ ଦୁଇ ଶହରୁ ଅଧିକ ଲୋକ ରହନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ଓ ଚାଷ ଏମାନଙ୍କ ଗୁଜୁରାଣର ଏକମାତ୍ର ମାଧ୍ୟମ । ଯାତାୟତର ସୁବିଧା ନଥିବାରୁ ବିକାଶ ଏମାନଙ୍କ ପାଖରେ ପହଞ୍ଚି ପାରୁନାହିଁ । ଶିକ୍ଷା, ସ୍ବାସ୍ଥ୍ୟ ସବୁ ଅପହଞ୍ଚ ହୋଇଛି । ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଏଠିକାର ଲୋକେ । ସାଧାରଣ ମୌଳିକ ସୁବିଧା ଯୋଗାଇ ଦେବାକୁ ବାରମ୍ବାର ଦାବି ହେଉଥିଲେ ବି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଗାଁ ଉପରେ ପଡୁ ନଥିବା ଅଭିଯୋଗ ହେଉଛି ।

ଟାଙ୍ଗିଲିପଦର ସମସ୍ୟାକୁ ନେଇ ମୋହନା ବିଡ଼ିଓ ସାର୍ଥକ ସୌରଭ ମହାପାତ୍ରଙ୍କୁ ଯୋଗଯୋଗ କରାଯିବାରେ ଗମନାଗମନର ସୁବିଧା କରାଇ ଶୀଘ୍ର ବିକାଶମୂଳକ କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଅଭିନନ୍ଦନଙ୍କୁ ମିଳିଲା ଦୀପାବଳି ଗିପ୍ଟ; ବାୟୁ ସେନାରେ ହେଲେ ଗ୍ରୁପ କ୍ୟାପଟେନ

ନୂଆଦିଲ୍ଲୀ: ଅଭିନନ୍ଦନଙ୍କୁ ମିଳିଲା ପଦୋନ୍ନତି । ବାଲାକୋଟ ଏୟାର ଷ୍ଟ୍ରାଇକ ହିରୋ ଅଭିନନ୍ଦନ ବର୍ଦ୍ଧମାନଙ୍କ ହୋଇଛି ପ୍ରମୋସନ । ଭାରତୀୟ ବାୟୁ ସେନାର ଏହି ଦୁର୍ଦ୍ଦଶ ପାଇଲଟଙ୍କୁ ଗ୍ରୁପ କ୍ୟାପଟେନ ପଦରେ ନିଯୁକ୍ତି ଦିଆଯାଇଛି । ପୁଲଓ୍ବାମାରେ ପାକିସ୍ତାନ ଆକ୍ରମଣ ପରେ ପାକିସ୍ତାନର ବାଲାକୋଟରେ ଆତଙ୍କୀ ଶିବିର ଉପରେ ଭାରତ କରିଥିଲା ଏୟାର ଷ୍ଟ୍ରାଇକ । ଏହା ପରେ ପାକିସ୍ତାନର ଯୁଦ୍ଧ ବିମାନ ଏଫ-୧୬ ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲା । ଏହି ସମୟରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ମାରି ଖସାଇ ଦେଇଥିଲେ । ତେବେ ପାକିସ୍ତାନ ବିମାନ ଏଫ-୧୬ ସହ ଯୁଦ୍ଧ ସମୟରେ ଅଭିନନ୍ଦନ ମଧ୍ୟ ପିଓକେରେ ପଡ଼ିଯାଇଥିଲେ । ଏହାପରେ ପାକିସ୍ତାନୀ ସୈନିକ ତାଙ୍କ ବନ୍ଦୀ କରିଥିଲେ । କିନ୍ତୁ ଭାରତର କୂଟନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ । ଯାହା ଫଳରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିଥିଲା ପାକିସ୍ତାନ ।

ପାକିସ୍ତାନ ଫାଇଟର ଜେଟ ଏଫ-୧୬କୁ ମାରି ଖସାଇ ଦେବା ଫଳରେ ତାଙ୍କୁ ସୂର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା । ଆଉ ଏବେ ତାଙ୍କୁ ଓ୍ବିଙ୍ଗ କମାଣ୍ଡରରୁ  ଗ୍ରୁପ କ୍ୟାପଟେନ ପଦରେ ନିଯୁକ୍ତି ଦିଆଯାଇଛି । ତାଙ୍କୁ ଖୁବଶୀଘ୍ର ନୂତନ ରାଙ୍କ ପ୍ରଦାନ କରାଯିବ ।  ବାୟୁ ସେନାରେ ଗ୍ରପ କ୍ୟାପଟେନ ରାଙ୍କ ଆର୍ମିରେ କର୍ଣ୍ଣେଲ ରାଙ୍କର ବରାବର ଅଟେ ।