ଶିକ୍ଷାନୁଷ୍ଠାନରେ କଳଙ୍କ : ପ୍ରଧାନଶିକ୍ଷକ ସମେତ ୩ ଶିକ୍ଷକ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ଅଲୱର : ରାଜସ୍ଥାନର ଏକ ସ୍କୁଲରେ ଛାତ୍ରୀ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣ ଶିକ୍ଷକ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାଟି ଅଲୱର ଜିଲ୍ଲାର ବୋଲି ଜଣାପଡ଼ିଛି । ପୀଡ଼ିତା ଜଣକ ଏଠାକାର ଏକ ସରକାରୀ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲର ୪ ଜଣ ଶିକ୍ଷକ ଦୁଷ୍କର୍ମ କରୁଥିବା ସମୟରେ ଅନ୍ୟ ଦୁଇ ମହିଳା ଶିକ୍ଷୟତ୍ରୀ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଏସବୁ ଘଟଣା ବାବଦରେ ପୀଡ଼ିତା ଜଣକ ନିଜ ବାପାଙ୍କୁ କହିବା ପରେ ଥାନାରେ ସେ ଅଭିଯୋଗ କରିଥିଲେ ।

ପୀଡ଼ିତାଙ୍କ ବାପା ଜଣେ ଟ୍ରକ୍ ଡ୍ରାଇଭର ଥିବାରୁ ସେ ଅଧିକାଂଶ ବାହାରେ ରହୁଥିବାର ଜଣାପଡ଼ିଛି । ଏଥିସହ ପୀଡ଼ିତାଙ୍କ ମା’ ଜଣେ ମୁକ ଓ ବଧିର  । ବାପା ଘରକୁ ଫେରିବା ପରେ ଝିଅଠୁ ଏସବୁ ବିଷୟରେ ଜାଣି ତାଜୁବ ହୋଇଯାଇଥିଲେ । ପରେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ କହିବାନୁସାରେ ମହିଳା ଶିକ୍ଷୟତ୍ରୀ ଜଣକ ତାଙ୍କୁ ଭଲ ଡ୍ରେସ୍, ବହିପତ୍ର ଦେବା ସହ ବିଦ୍ୟାଳୟର ସମସ୍ତ ଖର୍ଚ୍ଚ ବହନ କରିବାର ପ୍ରଲୋଭନ ଦେଖାଇ ବିଦ୍ୟାଳୟ ନିକଟରେ ରହୁଥିବା ଜଣେ ଶିକ୍ଷକଙ୍କ ଘରକୁ ସାଙ୍ଗରେ ନେଇ ଯାଇଥିଲେ । ସେଠାରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ସ୍କୁଲର ଅନ୍ୟ ୩ ଜଣ ଶିକ୍ଷକ ଉପସ୍ଥିତ ଥିଲେ । ଏହା ପରେ ଜଣେ ମହିଳା ଶିକ୍ଷୟତ୍ରୀ ପୀଡ଼ିତାଙ୍କ ପୋଷାକ ବାହାର କରିବା ପରେ ସମସ୍ତ ଶିକ୍ଷକ ଗଣଦୁଷ୍କର୍ମ କରିବା ସହ ଦୁଇ ମହିଳା ଶିକ୍ଷୟତ୍ରୀ ଏହାର ଭିଡିଓ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।

କେବଳ ଏତିକି ନୁହେଁ ଗଣଦୁଷ୍କର୍ମ କରିବା ପରେ ଏ ବାବଦରେ କାହାକୁ କହିଲେ ପରୀକ୍ଷାରେ ଫେଲ କରାଇଦେବାର ଧମକ ଦେବା ସହ ଭିଡିଓ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲେ । ଏହା ପୂର୍ବରୁ ଅନ୍ୟ କେତେକ ଛାତ୍ରୀଙ୍କ ସହ ଏହି ଶିକ୍ଷକମାନେ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି ।

 

Leave a Reply