spot_img
Home Blog Page 4842

ଅବପାତରେ ପରିଣତ ହେଲା ଲଘୁଚାପ, ୨୪ ଘଣ୍ଟାରେ ନେବ ବାତ୍ୟା ‘ଜୱାଦ’ର ରୂପ

ଭୁବନେଶ୍ୱର: ଅବପାତର ରୂପ ନେଲା ଚିହ୍ନିତ ଲଘୁଚାପ କ୍ଷେତ୍ର । ଏବେ ଅବପାତ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି । ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇପାରେ ।  ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋପାଳପୁର ଠାରୁ ୧୦୨୦ କିମି ଦକ୍ଷିଣପୂର୍ବରେ ଅବସ୍ଥିତ ରହିଥିବାବେଳେ ପାରାଦ୍ୱୀପ ଠାରୁ ଦକ୍ଷିଣ ଓ ଦକ୍ଷିଣପୂର୍ବ ଦିଗରେ ୧୦୬୦ କିଲୋମିଟର ଦିଗରେ ରହିଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।

ଅବପାତ, ବାତ୍ୟା ‘ଜୱାଦ’ରେ ପରିଣତ ହେବା ପରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ୪ ତାରିଖ ସକାଳେ ମାଡ଼ ହୋଇପାରେ । ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ । ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ । ୩ ତାରିଖରେ ଗଞ୍ଜାମ, ଗଜପତି ସହ କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ହେବ । ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଉପକୂଳ ଜିଲ୍ଲାରେ ୨୨୫ଟି ଟିମ୍ ମୁତୟନ

୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ସେହିଭଳି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୫ ତାରିଖରେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ବଢ଼ିବ । ୩ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଆଜି ଅବପାତ, କାଲି ବାତ୍ୟା; ୪ ଜିଲ୍ଲାକୁ ରେଡ୍ ଆଲର୍ଟ  

୨ ତାରିଖ ସନ୍ଧ୍ୟାରୁ ଦକ୍ଷିଣପୂର୍ବ ଓ ସଂଲଗ୍ନ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିବ । ୩ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ରହିପାରେ । ପରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ମହଙ୍ଗା ହେଲା ଜିଓ ଫୋନ୍ ପ୍ଲାନ୍ସ; ଜାଣନ୍ତୁ ନୂଆ ପ୍ଲାନ୍ସର ମୂଲ୍ୟ…

ନୂଆଦିଲ୍ଲୀ: ଡିସେମ୍ବର ୧ରୁ ବଢ଼ିଛି ଜିଓ ପ୍ରିପେଡ ପ୍ଲାନ୍ସ । ମୋବାଇଲ ପ୍ରିପେଡ ପ୍ଲାନ୍ସ ମହଙ୍ଗା ହେବା ପରେ ଏବେ ଜିଓ ଫୋନ ପ୍ଲାନ ବି ମହଙ୍ଗା ହୋଇଛି । କମ୍ପାନୀ ଜିଓ ଫୋନ ରିଚାର୍ଜ ପ୍ଲାନର ମୂଲ୍ୟ ମଧ୍ୟ ବୃଦ୍ଧି କରିଛି । ଜିଓ ଫୋନ ପ୍ରିପେଡ ପ୍ଲାନର ନୂଆ ମୂଲ୍ୟ ଜିଓ ତା’ର ଓ୍ୱେବସାଇଟରେ ଅପଡେଟ କରିଛି । ରିଲିଆନ୍ସ ଜିଓ ପୂର୍ବରୁ ଥିବା ତିନୋଟି ଜିଓ ଫୋନ ପ୍ଲାନ୍ସର ମୂଲ୍ୟ ବଢ଼ାଇଛି । ଏହା ବ୍ୟତୀତୀ କମ୍ପାନୀ ଏକ ନୂଆ ପ୍ଲାନ ବି ଉପଭୋକ୍ତାଙ୍କ ପାଇଁ ଆଣିଛି । ଏଥିପାଇଁ ଆପଣଙ୍କ ଜିଓ ଫୋନ ରିଚାର୍ଜ କରିବା ପୂର୍ବରୁ ନୂଆ ପ୍ଲାନ ସବୁ ଜାଣିନେବା ଜରୁରୀ । ଜିଓ ଫୋନ ପ୍ଲାନର ମୂଲ୍ୟ ଏବେ ୭୫ ଟଙ୍କାରୁ ଆରମ୍ଭ ହେଉଛି । କମ୍ପାନୀ ତିନୋଟି ପ୍ଲାନକୁ ମହଙ୍ଗା କରିଛି । ଜିଓ ଫୋନର ଅଲ ଇନ ଓ୍ୱାନ ପ୍ଲାନ ଯାହାର ମୂଲ୍ୟ ୭୪୯ ଟଙ୍କା ଥିଲା, ସେହି ପ୍ଲାନ ଏବେ ବଢ଼ି ୮୯୯ ଟଙ୍କା ହୋଇଯାଇଛି ।

ଜିଓ ଫୋନର ୧୮୬ ଟଙ୍କାର ଥିବା ପ୍ଲାନ ଏବେ ୨୨୨ ଟଙ୍କା ହୋଇଛି । ଏହା ବ୍ୟତୀତ ୧୫୫ ଟଙ୍କା ଥିବା ପ୍ଲାନ ଏବେ ୧୮୬ ଟଙ୍କା ହୋଇଯାଇଛି । ଜିଓ ଫୋନର ୮୯୯ ଟଙ୍କାର ଥିବା ପ୍ଲାନର ଭାଲିଡିଟି ୩୩୬ ଦିନ ରହିଛି । ଏଥିସହ ଏହି ପ୍ଲାନରେ ୨ଜିବି/୨୮ ଡାଟା ଦିଆଯାଇଛି । ଏହି ପ୍ଲାନରେ ମୋଟ ୨୪ ଜିବି ଡାଟା ମିଳିଥାଏ । ଏହି ପ୍ଲାନ ମଧ୍ୟରେ ଅନଲିମିଟେଡ୍ କଲ୍, ୫୦ SMS/୨୮ ଦିନ ପାଇଁ ସାମିଲ ଅଛି । ଏହି ପ୍ଲାନ ସହିତ ଉପଭୋକ୍ତାଙ୍କୁ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଏବଂ ଜିଓ କ୍ଲାଉଡର ଏକ୍ସେସ ମଧ୍ୟ ଦିଆଯାଉଛି ।

ସେହିପରି ଭାବରେ ୨୨୨ ଅଲ ଇନ ଓ୍ୱାନ ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ପ୍ରଦାନ କରିଥାଏ । ଏଥିସହ ଅନଲିମିଟେଡ କଲ୍ ଏବଂ ପ୍ରତିଦିନ ୧୦୦ ଏସଏମଏସ୍ ଦିଆଯାଇଥାଏ । ଏହି ପ୍ଲାନରର ଭାଲିଡିଟି ୨୮ ଦିନ ରହିଛି । ସେହିପରି ଭାବରେ ୧୮୬ ଟଙ୍କିଆ ପ୍ଲାନରେ ପ୍ରତିଦିନ ୧  ଜିବି ଡାଟା ଦେଇଥାଏ । ଏହି ପ୍ଲାନ ମଧ୍ୟରେ ୨୮ ଦିନ ପାଇଁ ପ୍ରତିଦିନ ୧୦୦ ମେସେଜ ଏବଂ ଅନଲିମିଟେଡ କଲ୍ ସୁବିଧା ମିଳିଥାଏ । ଏଥିସହ ଜିଓ ଆଉ ଏକ ୧୫୨ ଟଙ୍କିଆ ପ୍ଲାନ ଉପଭୋକ୍ତାଙ୍କ ପାଇଁ ଆଣିଛି । ଏହି ପ୍ଲାନର ଭାଲିଡିଟି ୨୮ ଦିନ ରହିଛି । ଏହି ପ୍ଲାନ ମଧ୍ୟରେ ପ୍ରତିଦିନ ୦.୫ ଜିବି ଡାଟା ଦେଇଥାଏ । ଏହି ପ୍ଲାନରେ ମଧ୍ୟ ଅନଲିମିଟେଡ କଲ୍ ସୁବିଧା ଦିଆଯାଇଛି ।

‘ସକାଳ’ର ପ୍ରଥମ ଜନ୍ମବାର୍ଷିକୀ, ‘ଖବରକାଗଜ ଭିନ୍ନମତକୁ ସମ୍ମାନ ଦେଉ’

ଭୁବନେଶ୍ୱର: ଖବରକାଗଜଟିଏ ଖବର ପରିବେଷଶ ଶୈଳୀକୁ ନେଇ ପାଠକ ମନରେ ଉନ୍ମାଦନା ସୃଷ୍ଟି କରେ । ଯଦି ଗୋଟିଏ ସମ୍ବାଦପତ୍ର ‘ଭିନ୍ନମତ’କୁ ସମ୍ମାନ ଦିଏ, ତେବେ ତାର ଭବିଷ୍ୟତ ବେଶ୍ ଉଜ୍ୱଳ । କାହା ମାଲିକାନାରେ ଖବରକାଗଜ ପ୍ରକାଶିତ ହେଉଛି ତାହା ବଡ଼ ନୁହେଁ । ଯଦି ଖବରରରେ ତଥ୍ୟ ଓ ନିରପେକ୍ଷତା ଥିବ ତେବେ ତାହା ଗ୍ରହଣୀୟ ହେବ । ଏହା କହିଛନ୍ତି ଦେଶର ବିଶିଷ୍ଟ ସାମ୍ବାଦିକ ପଦ୍ମଭୂଷଣ ଶେଖର ଗୁପ୍ତା ।

1st Anniversary Of Odia Daily Sakala News Paper (2)

ଦୈନିକ ଖବରକାଗଜ ‘ସକାଳ’ର ପ୍ରଥମ ବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଗୁପ୍ତା କହିଲେ, ଏବେ ଓଡ଼ିଶାକୁ ଶାସନ କରୁଥିବା ବିଜେଡି ବେଶ୍ ଶକ୍ତିଶାଳୀ । ଏହା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଦଳ । ଲୋକସଭା ଆସନ ଦୃଷ୍ଟିରୁ କର୍ଣ୍ଣାଟକ ସହିତ ଓଡ଼ିଶା ପ୍ରାୟ ସମାନ । ଏଠାରେ ଗୋଟିଏ ଦଳ ବିଜେଡିର ରାଜନୈତିକ ପ୍ରଭାବ ରହିଛି । ଲୋକସଭାରେ ଦୁଇ ଅଙ୍କ ବିଶିଷ୍ଟ ପ୍ରତିନିଧି ରହିଛନ୍ତି । ଏହି ଦୃଷ୍ଟିରୁ ଜାତୀୟ ରାଜନୀତିରେ ବିଜେଡିର ଗୁରୁତ୍ୱ ରହିଛି । ସେ କହିଲେ, ଓଡ଼ିଶା ବାବଦରେ ସମସ୍ତଙ୍କୁ ଜାଣିବାର ଆବଶ୍ୟକତା ରହିଛି । ଏହା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠି ସରକାର ଭଲ କାମ କରୁଛନ୍ତି । ବାତ୍ୟା ଆସିବା ମାତ୍ରେ ଜାତୀୟ ଗଣମାଧ୍ୟମର ଫୋକସ୍ ଓଡ଼ିଶା ଆଡ଼କୁ ଢ଼ଳେ । ବାତ୍ୟା ମୁକାବିଲାରେ ଓଡ଼ିଶା ପୂର୍ଣ୍ଣ ସଫଳ ହେବା ବଡ଼ କଥା । ଏହା କେବଳ ନବୀନ ବାବୁଙ୍କ ସଫଳ ନେତୃତ୍ୱରୁ ହୋଇପାରିଛି । ବିଜୁ ପଟ୍ଟନାୟକଙ୍କ କଥା ମନେ ପକାଇ ସେ କହିଥିଲେ, ବିଜୁ ହେଉଛନ୍ତି  ଜାତୀୟସ୍ତରର ନେତା । ରାଷ୍ଟ୍ର ବିକାଶ ପାଇଁ ସେ ଅନେକ କିଛି କରିଛନ୍ତି ।

1st Anniversary Of Odia Daily Sakala News Paper (2)

ଅନ୍ୟତମ ଅତିଥି ଓଡ଼ିଶା ଦକ୍ଷତା ବିକାଶ ସଂସ୍ଥାର ଅଧ୍ୟକ୍ଷ ସୁବ୍ରତ ବାଗଚୀ କହିଲେ, ଖବରକାଗଜ ଉପରେ ପାଠକଙ୍କର ବଡ଼ ଭରସା । ଏ ବିଶ୍ୱାସ ଅତୁଟ ରଖିବାକୁ ଗୁଣାତ୍ମକ ମାନ, ସୃଜନଶୀଳତା, ଖବର ଲେଖିବାର ଶୈଳୀ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଗୋଟିଏ ସମ୍ବାଦପତ୍ରର ବ୍ରାଣ୍ଡ ଭାଲ୍ୟୁ ହିଁ ଅଧିକରୁ ଅଧିକ ଲୋକଙ୍କୁ ନିଜ ସହ ଯୋଡ଼େ । ମାନବ ସମ୍ବଳ ହେଉଛି ଖବରକାଗଜର ଆତ୍ମା । ତେଣୁ ସେମାନଙ୍କ ଦକ୍ଷତାର ପୂର୍ଣ୍ଣ ବିନିଯୋଗ ହେବା ଦରକାର ।

1st Anniversary Of Odia Daily Sakala News Paper (2)

ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସାମିଲ ହେବା ସହ ଶ୍ରୀ ଗୁପ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ’ସକାଳ’ ସମ୍ପାଦକ ଡ. ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ ଓ କାର୍ଯ୍ୟକାରୀ ସମ୍ପାଦକ ସମରେନ୍ଦୁ ଦାସ ଯୋଗ ଦେଇ ’ସକାଳ’ ଓଡ଼ିଶାର ଜନଜୀବନ ସହ ଯୋଡ଼ି ହୋଇ ରହିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

1st Anniversary Of Odia Daily Sakala News Paper (2)

ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା, ବୈଜ୍ଞାନିକ ଜ୍ଞାନଦେବ ମହାରଣା ଏବଂ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସକାଳ’ର ସ୍ୱତନ୍ତ୍ର ସ୍ୱନକ୍ଷତ୍ର ବିଶେଷାଙ୍କ ’ସୃଷ୍ଟି’ ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ସଚିବ ବିଷ୍ଣୁପଦ ସେଠୀ, ‘ନନ୍ଦିଘୋଷ ଟିଭି’ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସିଓଓ ଜବର ସିଂହ ପନୱର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ‘ସକାଳ’ର ପ୍ରକାଶକ ଅମିତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ‘ସକାଳ’ର ସହକାରୀ ବାର୍ତ୍ତା ସମ୍ପାଦକ ମହେଶ୍ୱର ସାହୁ, ବ୍ୟୁରୋ ମୁଖ୍ୟ ରଞ୍ଜିତ କୁମାର ମହାନ୍ତି ଯୋଗ ଦେଇଥିଲେ । ‘ସକାଳ’ ପରିବାରର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

କାଶ୍ମୀରୀ ମାନବାଧିକାର କର୍ମୀଙ୍କୁ ମୁକ୍ତ କରିବା ପାଇଁ ଜାତିସଂଘର ଦାବି, ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଆତଙ୍କବାଦ କାର୍ଯ୍ୟକଳାପ ଅଭିଯୋଗରେ ଗିରଫ କାଶ୍ମୀରର ଖୁରମ ପରଭେଜଙ୍କୁ ଛାଡିବା ପାଇଁ ଦାବି କରିଥିଲା ଜାତିସଂଘ। ଏପରିକି ଖୁରମଙ୍କ ଗିରଫଦାରୀକୁ ନେଇ ମିଳିତ ଜାତିସଂଘ ଉଦବେଗ ପ୍ରକାଶ କରିଥିଲେ । ମିଳିତ ଜାତିସଂଘର ମନ୍ତବ୍ୟକୁ ଭାରତ ଦୃଢ ବିରୋଧ କରିବା ସହ ଜାତିସଂଘ ହାଇ କମିଶନ ର ମୁଖପାତ୍ରଙ୍କ ବିବୃତ୍ତିକୁ ଭିତ୍ତିହୀନ କହିଛି।

ଭାରତର ବୖେଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ସୀମା ପାର୍ ଆତଙ୍କବାଦୀଙ୍କୁ ଭାରତ ଯେଉଁଭଳି ସାମ୍ନା କରୁଛି ଏବଂ  ଆମ ଲୋକମାନଙ୍କ ମାନବାଧିକାର ଯେଉଁଭଳି ପ୍ରଭାବିତ ହେଉଛି । ସେମାନଙ୍କୁ ତାହାର କିଂଚିତ୍ ଧାରଣା ମଧ୍ୟ ନାହିଁ । ଏଥିପାଇଁ ମାନବାଧିକାର ଓ ଆତଙ୍କବାଦଙ୍କୁ ନେଇ ନିଜ ଜ୍ଞାନକୁ ଆହୁରି ବିକଶିତ କରିବାକୁ ପଡିବ।

ଖୁରମଙ୍କୁ UNLAWFUL ACTIVITIES (PREVENTION) ACT ଅନ୍ତର୍ଗତ  ଗତ ନଭେମ୍ବର ୨୨ ତାରିଖରେ ଗିରଫ କରାଯାିଥିଲା । ମିଳିତ ଜାତିସଂଘର ମାନବିକ ଅଧିକାର ଉଚ୍ଚ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଥିଲା ଯେ, କାଶ୍ମୀରୀ ମାନବାଧିକାର କାର୍ଯ୍ୟକର୍ତ୍ତା ଖୁରମ ପରବେଜଙ୍କୁ ଆତଙ୍କବାଦୀ ନିରୋଧି ଆଇନ (UAPA) ଅଧିନରେ ଗିରଫ କରାଯାଇଛି । ଯାହାକୁ ନେଇ ଆମେ ଖୁବ୍ ଚିନ୍ତିତ ।

ଆରେଷ୍ଟ ମେମୋ ଅନୁସାରେ, ଖୁରମ୍ ପରବେଜ୍ ନାଁରେ UNLAWFUL ACTIVITIES (PREVENTION) ACT ଅନୁଯାୟୀ  ଅନେକ ଗମ୍ଭୀର ମାମଲା ରୁଜୁ କରାଯାଇଛ।

ବାତ୍ୟା ‘ଜୱାଦ’କୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ପ୍ରସ୍ତୁତ ରହିଛନ୍ତି ୩୩ NDRF ଟିମ୍

ନୂଆଦିଲ୍ଲୀ: ବାତ୍ୟାକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀମାନେ ଯୋଗେଦଇ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଏନଡିଆରଏଫ୍ ୩୩ଟି ଟିମ୍ ନିୟୋଜିତ କରିଛି । ଆଉ ୩୩ଟି ଟିମ୍ ପ୍ରସ୍ତୁତ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଓ ରିଲିଫ ଯୋଗାଣ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଟିମ୍ ନିୟୋଜିତ ହୋଇଛନ୍ତି । ବାୟୁସେନା ଓ ସ୍ଥଳସେନା ଟାସ୍କଫୋର୍ସ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ପୂର୍ବତଟ ଅଞ୍ଚଳରେ ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ଓ ସ୍ବାସ୍ଥ୍ୟକର୍ମୀ ଟିମ୍ ପ୍ରସ୍ତୁ ଅଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ଜାତୀୟ ପାଣିପାଗ ନିର୍ଦ୍ଦେଶକ ତଥା ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ବୈଠକରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ଜୱାଦର ଗତିପଥ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ  । ସେହିପରି ବୈଠକରେ ଏନଡ଼ିଆରଏଫ ଡ଼ିଜି ଯୋଗଦେବା ସହ ବାତ୍ୟା ମୁକାବିଲା ନେଇ ୩୩ଟି ଟିମକୁ ପ୍ରସ୍ତୁତ କରି ରଖାଯାଇଥିବା ନେଇ ବୈଠକରେ ସ୍ଥିର କରିଛନ୍ତି  । ଯେହେତୁ ଆନ୍ଧ୍ରପ୍ରଦେଶ କିମ୍ବା ଓଡ଼ିଶା ଉପକୂଳରେ ବାତ୍ୟା ଜୱାଦ ଅତିକ୍ରମ କରିବାରେ ଅଛି, ତେଣୁ ଏହି ଦୁଇ ରାଜ୍ୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ  ।

ହଟ୍ଟଗୋଳ କରୁଛନ୍ତି ବିରୋଧୀ, ଦ୍ୱିତୀୟ ଦିନ ବି ଚାଲି ପାରିଲାନି ବିଧାନସଭା

ଭୁବନେଶ୍ୱର: ଆଜି ବି ଚାଲିପାରିଲାନି ବିଧାନସଭା । ବିରୋଧୀ ବିଜେପି ଓ କଂଗ୍ରେସର ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ଦିନରେ ମାତ୍ର ୧୪ମିନିଟ୍ ଚାଲିଲା ଗୃହ । ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ବିରୋଧୀଙ୍କ ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିଲେ ମଧ୍ୟ ବିଧାନସଭା ଆରମ୍ଭରୁ ପ୍ଲାକାର୍ଡ, ବ୍ୟାନର ଧରି ହଟ୍ଟଗୋଳ କରିଥିଲେ ବିରୋଧୀ । ଫଳରେ ଗୃହକୁ ପ୍ରଥମେ ୪ଟା ପରେ ଆସନ୍ତାକାଲି ଯାଏଁ ମୁଲତବି କରିଥିଲେ ବାଚସ୍ପତି । ବିରୋଧୀଙ୍କ ଏପରି ଆଭିମୁଖ୍ୟକୁ ନାପସନ୍ଦ କରିଛି ବିଜେଡି ।

Odisha Assembly Adjourned For Opposition Party In Second Day

ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ନିୟମ ଭାଙ୍ଗି କରୁଛନ୍ତି ହଟ୍ଟଗୋଳ । ଆଜି ଗୃହ ଆରମ୍ଭ ହେଉ ହେଉ ବିରୋଧୀ କରିଥିଲେ ହୋହଲ୍ଲା । ଗୃହ ମଧ୍ୟ ଭାଗକୁ ପ୍ଲାକାର୍ଡ, ବ୍ୟାନର ଧରି ପ୍ରତିବାଦ କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି କରିଥିଲେ । ବିରୋଧୀଙ୍କ ଏପରି ଆଭିମୁଖ୍ୟକୁ ସମାଲୋଚନା କରିଛି ଶାସକ ବିଜେଡି । ଲୋକଙ୍କ ସମସ୍ୟା କଥା ନଉଠାଇ ଶସ୍ତା ରାଜନୀତିରେ ମାତିଛନ୍ତି ବିରୋଧୀ । ମମିତା ହତ୍ୟା ମାମଲା ନେଇ ବିରୋଧୀ ମୁଲତବି ପ୍ରସ୍ତାବ ଦେଇଥିବା ବେଳେ କାହିଁକି ଆଲୋଚନା କରୁନାହାନ୍ତି ବୋଲି ଦଳ ପ୍ରଶ୍ନ କରିଛି ।

Odisha Assembly Adjourned For Opposition Party In Second Day

ଗ୍ୟାସ ଓ ଦରଦାମ ବୃଦ୍ଧିକୁ ବିରୋଧ କରି ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । କେନ୍ଦ୍ରର ଗରିବ ମାରଣ ନୀତି ବିରୋଧରେ ନାରାବାଜି କରିଥିଲେ । ତୁରନ୍ତ କେନ୍ଦ୍ର ସରକାର ଗ୍ୟାସ ଦର କମାଇବା ସହ ଦରଦାମ୍‌ ନିୟନ୍ତ୍ରଣ କରିବା ପାଇଁ ଶାସକ ଦଳ ଦାବି କରିଛି । ନହେଲେ ଦିଲ୍ଲୀରୁ ପଲ୍ଲୀ ଯାଏଁ ବିଜେଡି ଆନ୍ଦୋଳନ ଜୋରଦାର କରିବ ବୋଲି ଚେତାବନୀ ଦେଇଛି । ସେପଟେ ବିଜେପି କରିଛି ବିତଣ୍ଡା ଯୁକ୍ତି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ଦିନରେ ବେକାର ଯାଇଛି ପ୍ରଶ୍ନକାଳ ।

ଜୁନିଅର ହକି ବିଶ୍ୱକପ: କ୍ଲାସିଫିକେସନ ମ୍ୟାଚରେ କାନାଡା, ଚିଲି ଓ ଦକ୍ଷିଣ ଆଫ୍ରିକା ବିଜୟୀ

ଭୁବନେଶ୍ୱର: ପୁରୁଷ ଜୁନିଅର ହକି ବିଶ୍ୱକପରେ ଗୁରୁବାର ଖେଳାଯାଇଥିଲା କ୍ଲାସିଫିକେସନ ମ୍ୟାଚ । ଗୁରୁବାର ଚାରୋଟି ମ୍ୟାଚ ଖେଳାଯିବାରଥିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କାନାଡା ଏବଂ ୟୁନାଇଟେଡ ଷ୍ଟେଟ୍ସ । ଏହି ମ୍ୟାଚକୁ ୪-୦ରେ ନିଜ ନାମରେ କରିଥିଲା କାନାଡା । ପ୍ରଥମ ମ୍ୟାଚରେ କାନାଡାର ଆଲେକଜେଣ୍ଡର ବାର୍ଡ଼ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେହିପରି ଭାବରେ ଆଜିର ଦ୍ୱିତୀୟ କ୍ଲାସିଫିକେସନ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଇଜିପ୍ଟ ଓ ଚିଲି । ଏହି ମ୍ୟାଚକୁ ୧-୦ରେ ନିଜ ନାମରେ କରିଥିଲା ଚିଲି ।

ସେହିପରି ଭାବରେ ତୃତୀୟ କ୍ଲାସିଫିକେସନ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ଉପରେ ଭାରି ପଡ଼ିଥିଲା ପାକିସ୍ତାନ । ଦ୍ୱିତୀୟ କ୍ୱାଟର ଶେଷ ସୁଦ୍ଧା ପାକିସ୍ତାନ ଦୁଇଟି ଗୋଲ ସ୍କୋର କରିଥିଲା । କିନ୍ତୁ ତୃତୀୟ କ୍ୱାଟର ପରେ ଦମଦାର ପ୍ରଦର୍ଶନ କରିଥିଲା ଦକ୍ଷିଣ ଆଫ୍ରିକା । ମ୍ୟାଚ ଶେଷ ହେବା ବେଳକୁ ଉଭୟ ଦଳ ୩-୩ ଗୋଲ ସ୍କୋର କରିଥିଲେ । ଯାହା ଫଳରେ ସୁଟ ଆଉଟ ହୋଇଥିଲା । ତେବେ ସୁଟ୍ ଆଉଟରେ ପାକିସ୍ତାନକୁ ୪-୧ରେ ପରାସ୍ତ କରିଥିଲା ଦକ୍ଷିଣ ଆଫ୍ରିକା । ଅନ୍ୟପକ୍ଷରେ ଶେଷ କ୍ଲାସିଫିକେସନ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ପୋଲାଣ୍ଡ ଓ କୋରିଆ । ଏହି ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

 

ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଉପକୂଳ ଜିଲ୍ଲାରେ ୨୨୫ଟି ଟିମ୍ ମୁତୟନ

ଭୁବନେଶ୍ୱର: ଆଜି ଅବପାତର ରୂପ ନେବ ଚିହ୍ନିତ ଲଘୁଚାପ କ୍ଷେତ୍ର । ଆସନ୍ତାକାଲି ନେଇପାରେ ସାମୁଦ୍ରିକ ବାତ୍ୟାର ରୂପ । ସମ୍ଭାବ୍ୟ ବାତ୍ୟା ନେଇ ପ୍ରେସମିଟ୍ କରିଛନ୍ତି ଏସଆରସି ପ୍ରଦୀପ ଜେନା । ୪ ତାରିଖ ସକାଳେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗକୁ ରିକର୍ଭ କରିପାରେ । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଉପକୂଳବର୍ତ୍ତୀ ଜିଲ୍ଲାରେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ଘଣ୍ଟା ପ୍ରତି ରହିବ । ପବନ ସହ ବର୍ଷା ହେବ । ୩ ତାରିଖ ରାତିରୁ ବର୍ଷା ହେବ ।

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ୧୪ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ସଜାଗ କରିଛନ୍ତି ସରକାର । ମତ୍ସ୍ୟ ସମ୍ପଦ ଓ କୃଷି ବିଭାଗକୁ ସତର୍କ କରାଯାଇଛି । ୨ ତାରିଖ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଉପକୂଳକୁ ଫେରି ଆସିଛନ୍ତି । ଚିଲିକାରେ କିଛି ମତ୍ସ୍ୟଜୀବୀ ଅଛନ୍ତି, ସେମାନଙ୍କୁ କୂଳକୁ ଆଣିବାକୁ ଚେଷ୍ଟା କରାଯାଉଛି । ୫ ତାରିଖ ଯାଏଁ ମାଛମରାକୁ ବନ୍ଦ କରାଯାଇଛି ।

Odisha Mobilized 225 Team To 14 Districts For Cyclone Jawad

ବର୍ଷା ଓ ପବନ ଦ୍ୱାରା ଫସଲ କ୍ଷତିଗ୍ରସ୍ତ ହେବ । ଏଥିପାଇଁ ଜିଲ୍ଲାସ୍ତରରେ ମାଇକ୍ ଯୋଗେ ଫସଲ ଅମଳ ପାଇଁ ପ୍ରଚାର କରାଯାଇଛି । ଦକ୍ଷିଣ ଉପକୂଳ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ । ଓଡ୍ରାଫର ୬୦ଟି ଟିମ୍, ଏନଡିଆରଏଫର ୩୪ଟି ଟିମ୍, ଅଗ୍ନିଶମ ବାହିନୀର ୧୭୨ଟି ଟିମ୍ । ସର୍ବମୋଟ ୨୬୬ଟି ଟିମ୍ ଗଠନ କରାଯାଇଛି । ଏବେ ସୁଦ୍ଧା ୨୨୫ଟି ମୁତୟନ କରାଯାଇଛି । ଗଞ୍ଜାମରେ ଓଡ୍ରାଫର ୯ଟି ଟିମ୍, ଏନଡିଆରଏଫର ୬ଟି ଟିମ୍, ଫାୟାରର ୩୦ଟି ଟିମ୍ ମୋଟ ୪୫ଟି ଟିମ୍ ମୁତୟନ କରାଯାଇଛି ।

ସେହିଭଳି ଗଜପତି ଜିଲ୍ଲାରେ ଓଡ୍ରାଫର ୬ଟି ଟିମ୍, ଏନଡିଆରଏଫର ୨ଟି ଟିମ୍, ଅଗ୍ନିଶମ ବାହିନୀର ୧୦ଟିମ୍ ମୋଟ ୧୮ଟି ଟିମ୍ । ପୁରୀରେ ଓଡ୍ରାଫର ୩ଟି ଟିମ୍, ଏନଡିଆରଏଫର ୨ଟି ଟିମ୍, ଅଗ୍ନିଶମ ବାହିନୀର ୧୮ଟିମ୍ ମୋଟ ୨୩ଟି ଟିମ୍ । ଖୋର୍ଦ୍ଧାରେ ଓଡ୍ରାଫର ୨୧ଟି ଟିମ୍, କଟକରେ ୧୯ଟି ଅଗ୍ନିଶମ ବାହିନୀ, ଜଗତସିଂହପୁରରେ ୧୯ଟି ଟିମ୍, କେନ୍ଦ୍ରାପଡ଼ାରେ ୧୯ଟି, ଯାଜପୁରରେ ୧୬ଟି ଟିମ୍, ଭଦ୍ରକରେ ୧୭ଟି ଟିମ୍, ବାଲେଶ୍ୱରରେ ୧୭ଟି ଟିମ୍ ନିୟୋଜନ କରାଯାଇଛି । ୫୧ଟି ଟିମ୍ ଷ୍ଟାଣ୍ଡବାଏ ଥିବାବେଳେ ଆବଶ୍ୟକତା ଅନୁସାରେ ମୁତୟନ କରାଯିବ ।

ଏଥିସହ ପଢ଼ନ୍ତୁ: ଆଜି ଅବପାତ, କାଲି ବାତ୍ୟା; ୪ ଜିଲ୍ଲାକୁ ରେଡ୍ ଆଲର୍ଟ  

ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିବ । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରରେ ଉଚ୍ଚ ଜୁଆରକୁ ଲକ୍ଷ୍ୟରେ ରଖି ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା କରାଯିବ । ଛୋଟ ଛୁଆଙ୍କୁ ଶିଶୁ ଖାଦ୍ୟ ଦିଆଯିବ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସଆରସି । କୌଣସି ନେଟୱର୍କ ସମସ୍ୟା ରହିବ ନାହିଁ । ଗୋଟିଏ ଟାୱାର କ୍ଷତିଗ୍ରସ୍ତ ହେଲେ କମ୍ପାନୀ ଟାୱାର ଯୋଗାଇ ଦେବ । ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ସ୍ଥାନାନ୍ତରଣରେ ପ୍ରାଥମିକତା ଦିଆଯିବ । ଡିସେମ୍ବର ୧୦ ସୁଦ୍ଧା ଗର୍ଭପାତ ତାରିଖ ଥିବା ପ୍ରସୂତିଙ୍କୁ ମଧ୍ୟ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରାଯିବ ।

ବରଯାତ୍ରୀରେ ନାଚୁଥିବା ଶିଶୁ କନ୍ୟାକୁ ପ୍ରଥମେ ଅପହରଣ, ପରେ ଦୁଷ୍କର୍ମ ଓ ହତ୍ୟା

ଲକ୍ଷ୍ନୌ: ଶିଶୁ ବଳତ୍କାର ଘଟଣାରେ ଦେଶରେ ଶୀର୍ଷରେ ଥିବା ଉତ୍ତରପ୍ରଦେଶରୁ ଆସିଛି ଆଉ ଏକ ଛାତିଥରା ଘଟଣା । ଏକ ନିରୀହ ଶିଶୁ କନ୍ୟା ସହ ଯାହା ଘଟିଛି, ତାହା ବିଚଳିତ କରିଦେଲାଭଳି  । ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇ ବରଯାତ୍ରୀଙ୍କ ସହ ନାଚୁଥିବା ପାଞ୍ଚବର୍ଷର ଶିଶୁ କନ୍ୟାକୁ ବଳତ୍କାର ପରେ ହତ୍ୟା  ।  ମିଳିଥି୍ବା ସୂଚନା ମୁତାବକ ବାପା-ମାଆଙ୍କ ସହ ଜଣେ ପରିଜନଙ୍କ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲା ପାଞ୍ଚ ବର୍ଷର ନାବାଳିକା   । ଡିଜେର ତାଳେ ତାଳେ ନାଚରେ ମସଗୁଲ ଥିଲା କୁନି ଝିଅ  ।  ସମକ୍ଷକ ପିଲାଙ୍କ ମେଳରେ ରାତି ୧୨ଟାରେ ଡ୍ୟାନ୍ସ କରୁଥିବା ନାବାଳିକା କେଉଁଆଡ଼େ ନିଖୋଜ ହୋଇଯାଇଥିଲା  । ପରେ ଏକ ଧାନ କ୍ଷେତରେ ଶିଶୁର ମୃତ ଶରୀର ପଡ଼ିଥିବାବେଳେ ଶିଶୁକନ୍ୟାକୁ ବଳତ୍କାର କରାଯାଇଥିବା ଅଭିଯୋଗ ହୋଇଛି  ।

ଘଟଣା ଆଗ୍ରାର ମଲାପୁର ଥାନା ଅଞ୍ଚଳରେ ଘଟିଛି  । ବୁଧବାର ରାତିରେ ଗ୍ରାମର ଜଣେ ସମ୍ପର୍କୀୟଙ୍କ ବିବାହ ଅନୁଷ୍ଠିତ ହେଉଥାଏ  । ତେଣୁ ଦମ୍ପତ୍ତି ନିଜ ପାଞ୍ଚ ବର୍ଷର ଝିଅ ସହ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ  । ବରଗାଡ଼ି ରୋଷଣୀରେ ଯାଉଥିବାବେଳେ ସମସ୍ତେ ନାଚଗୀତରେ ମସଗୁଲ ରହିଥିଲେ  । ଏହି ସମୟରେ ଉକ୍ତ ଶିଶୁକନ୍ୟା ସେଠାରେ ଉପସ୍ଥିତ ରହିଥିଲା  । ରାତି ପ୍ରାୟ ୧୨ ଟା ସମୟରେ ମଧ୍ୟ ଶିଶୁ କନ୍ୟାଟି ନାଚୁଥିବା ନଜର ଆସିଥିଲା  । ପରେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା  । ବାପା-ମାଆ ମଧ୍ୟ ବିବାହ କାର୍ଯ୍ୟରେ ବେସ ବ୍ୟସ୍ତ ରହିଥିଲେ  । ତେଣୁ ଝିଅଟି ସମ୍ପର୍କୀୟଙ୍କ ପାଖରେ ଶୋଇଥିବା ନେଇ ଅନୁମାନ କରିଥିଲେ  । ବୁଧବାର ଯାଇ ଗୁରୁବାର ହୋଇଥିଲା  । ସମସ୍ତେ ଉଠିଥିଲେ କିନ୍ତୁ ନାବାଳିକର କୌଣସି ସୂଚନା ମିଲିନଥିଲା  । ପରିବାର ଓ ସମ୍ପର୍କୀୟ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳି ନଥିଲା  । ରାତି ୧୨ ଟା ପରେ ଶିଶୁ କନ୍ୟାକୁ କେହି ଦେଖନଥିବା ମଧ୍ୟ କହିଥିଲେ  । ଶେଷରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ  ।

ମଲାପୁର ପୋଲିସ ଘଟଣା ସ୍ଥଳରେ ପହଁଚି ସମସ୍ତ ବିଷୟରେ ପଚାରି ବୁଝିଥିଲେ  । ବିବାହ କାର୍ଯ୍ୟର ବ୍ୟସ୍ତତା ଭିତରେ ନାବାଳିକାର ବାପା-ମାଆ ପିଲାକୁ ଦେଖିନଥିବା କହିଥିଲେ  । ରାତି ୧୨ଟାରେ ଝିଅ ବରଯାତ୍ରୀଙ୍କ ମେଳରେ ନାଚୁଥିବା ଶେଷଥର ପାଇଁ ଦେଖିଥିବା କହିଥିଲେ ଅଭିଭାବକ  । ତେବେ ଏହା ପରେ ଝିଅକୁ ଆଉ ଦେଖନଥିଲେ  । ପରିଜନଙ୍କ ସହ ଶୋଇପଡିଥିବା ଅନୁମାନ କରିଥିଲେ, ତେଣୁ ଆଉ ଖୋଜିନଥିବା କହିଥିଲେ  । ସେପଟେ ବନ୍ଧୁ ପରିଜନଙ୍କ ସହ ଗ୍ରାମରେ ସର୍ଚ୍ଚ ଅପରେସନ ଜୋରଦାର କରିଥିଲା ସ୍ଥାନୀୟ ପୋଲିସ  । ପ୍ରାୟ ୨ ଘଣ୍ଟା ଖୋଜାଖୋଜି କରିବା ପରେ ଡ୍ୟାନ୍ସ କରୁଥିବା ସ୍ଥାନର ୨୦୦ ମିଟର ଦୂରରେ ଝିଅର ମୃତ ଶରୀର ପଡ଼ିଥିବା ପାଇଥିଲା ପୋଲିସ  ।  ସେପଟେ ଉଦ୍ଧାର ସମୟରେ ଶିଶୁ କନ୍ୟାଟି ଦେହରେ ନଥିଲା କପଡ଼ା  । ତେଣୁ ଶିଶୁ କନ୍ୟାଟିକୁ ବଳତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି  ।

ସେପଟେ ଏପରି ସାଙ୍ଘାତିକ ଅଭିଯୋଗ ପରେ ଏସଏସପି ସୁଧୀର କୁମାର ସିଂଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଁଚିଛନ୍ତି  । ଏସଏସପି କହିଛନ୍ତି ଏହି ଘଟଣା ଯଥା ଶୀଘ୍ର ପର୍ଦ୍ଦାଫାସ କରାଯିବ  । ଯେଉଁ ଅଭିଯୁକ୍ତ ଏହି ଘଟଣାରେ ସଂଶ୍ଲିଷ୍ଟ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ପୋଲିସର ସନ୍ଦେହରେ ରହିଛନ୍ତି ନାବାଳିକାର ସଂପର୍କୀୟ  । କାରଣ କୌଣସି ପରିଚିତ ଲୋକ ହିଁ ଘଟଣାରେ ଜଡିତ ଥିବା ଅନୁମାନ କରିଛି ପୋଲିସ  । ରାତି ୧୨ ଟାରେ ଡ୍ୟାନ୍ସ କରୁଥିବା ଝିଅକୁ ଅପହରଣ ଏବଂ ହତ୍ୟା କରିବା ପଛରେ କାହାର ହାତ ରହିଛି ତାହାର ସନ୍ଧାନ ଚଳାଇଛି  । ଭିଡ଼ିଓ ସୁଟ ହୋଇଥିବା କ୍ଲିପକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ନାବାଳିକା ନାଚୁଥିବା ବେଳେ କେଉଁମାନେ ପାଖରେ ଥିଲେ, ସେମାନଙ୍କୁ ଚିହ୍ନଟ କରୁଛି ପୋଲିସ  ।

‘Marakkar’: ରିଲିଜ୍ ପୂର୍ବରୁ ୧୦୦ କୋଟି ଟଙ୍କା ଆୟ କଲା ଏହି ଫିଲ୍ମ…

ମୁମ୍ବାଇ: Marakkar ଫିଲ୍ମ ଉପରେ ଦୀର୍ଘ ଦିନ ଧରି ନିର୍ଦ୍ଦେଶକ ପ୍ରିୟଦର୍ଶନ ଓ ସୁପରଷ୍ଟାର ମାେହନଲାଲ୍ କାମ କରିଥିଲେ । ଆଉ ଯେଉଁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ପ୍ରାୟ ୧୦୦ କୋଟି ଟଙ୍କାର ବିଜନେସ୍ କରିପାରିଛି । ଫିଲ୍ମଟି ସମସ୍ତ ସିନେମା ହଲରେ ଆଜି ରିଲିଜ୍ ହୋଇଥିବା ବେଳେ ସୋସିଆଲ୍ ମିଡିଆରେ ନିଜ ଖୁସି ଜାହିର କରିଛନ୍ତି ମାେହନଲାଲ୍ । ଏକ ପୋଷ୍ଟରେ ସେ ଲେଖିଛନ୍ତି, ପ୍ରଥମ ଭାରତୀୟ ଫିଲ୍ମ ଯାହା ରିଲିଜ୍ ପୂର୍ବରୁ ୧୦୦ କୋଟି ଟଙ୍କାର ବିଜନେସ୍ କରିଛି।

‘MarakkarArabikadalinteSimham’ ଫିଲ୍ମଟି ୪୧୦୦ ସ୍କ୍ରିନରେ ରିଲିଜ ହୋଇଛି। ଯେଉଁଥିରେ ୧୬୦୦୦ ଶୋ ପ୍ରତମରୁ ହିଁ ବୁକ୍ ହୋଇସାରିଛି । ତେବେ ପ୍ରି ରିଜର୍ଭେସନ୍ ବୁକିଂ ପାଇଁ ଚଳଚ୍ଚିତ୍ରଟି ରିଲିଜ୍ ପୂର୍ବରୁ ୧୦୦ କୋଟି ଟଙ୍କାର ବିଜନେସ୍ କରିପାରିଛି ।

ପୋଷ୍ଟ ପ୍ରଡକ୍ସନ୍ ପାଇଁ ଲାଗିଥିଲା ୧୪ ମାସ-

ଏହି ଏପିକ୍ ୱାର୍ ଫିଲ୍ମରେ ସୁନିଲ୍ ସେଟ୍ଟୀ, ଅର୍ଜୁନ ସାରଜା, ପ୍ରଭୁ, ଅଶୋକ ସିଲଭନ୍, ମଞ୍ଜୁ ୱାରିୟର୍, କୀର୍ତ୍ତି ସୁରେଶ, ନେଡୁମୁଡି ବେଣୁ, ସିଦ୍ଦିକି, ମୁକେଶ, ପ୍ରଣବ ମୋହନଲାଲ୍, ଜୟ ଜେ, ଜାକୃତମ ମେକ୍ସ କବେନହମ୍ ଓ ଟବି ସାରୁବେକ୍ ରହିଛନ୍ତି । ଏହି ଫିଲ୍ମର ସୁଟିଂ ପାଇଁ ୧୦୪ ଦିନ ଲାଗିଥିବା ବେଳେ ପୋଷ୍ଟ ପ୍ରଡକ୍ସନ୍ ପାଇଁ ୧୪ ମାସ ଲାଗିଥିଲା । ଏହି ଫିଲ୍ମ ମଲୟାଲମ୍ ବ୍ୟତୀତ ତାମିଲ୍, ତେଲୁଗୁ, କନ୍ନଡ ଓ ହିନ୍ଦୀ ଭାଷାରେ ରିଲିଜ୍ ହୋଇଛି ।