ଭୁବନେଶ୍ୱରର ଲଲାଟ୍ କେଶର ପୃଷ୍ଟି, ୩୫ ବର୍ଷ ହେଲା ଦୃଷ୍ଟିହୀନଙ୍କୁ କରୁଛନ୍ତି ସାହାୟତା

ଭୁବନେଶ୍ୱର: ମାନବ ସେବା ହିଁ ମାଧବ ସେବା । ରାଜଧାନୀରେ ଗରିବଙ୍କ ସେବା ଅନେକ ବ୍ୟକ୍ତି ବା ଅନୁଷ୍ଠାନ କରୁଛନ୍ତି । ହେଲେ ପ୍ରତି ମାସ ୩ ଶହରୁ ଅଧିକ ଦୃଷ୍ଟିହୀନଙ୍କ ପାଇଁ ପଂକ୍ତି ଭୋଜନର ବ୍ୟବସ୍ଥା ସାଙ୍ଗକୁ ସେମାନଙ୍କୁ ଲୁଗାପଟା, କମ୍ବଳ ବଣ୍ଟନ ସହ ରାସ୍ତା ଖର୍ଚ୍ଚ ୨ଶହ ଟଙ୍କା ଲେଖାଏଁ ଦେବାର ଦୃଶ୍ୟ ବିରଳ । ବିନା କୌଣସି ସ୍ୱାର୍ଥ, ବିନା ପ୍ରଚାର ପ୍ରସାରରେ ଦୀର୍ଘ ୩୫ ବର୍ଷ ହେଲା ଏଭଳି ମହନୀୟ କାମ କରି ଚାଲିଛନ୍ତି ରାଜଧାନୀର ଜଣେ ଓଡ଼ିଆ ବ୍ୟବସାୟୀ ।

ରାଜଧାନୀରେ ଗରିବଙ୍କ ସେବା କରୁଛନ୍ତି ଅନେକ ବଦାନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନ । ହେଲେ କେବଳ ଦୃଷ୍ଟିହୀନଙ୍କୁ ସାମଗ୍ରୀକ ସେବା ଯୋଗାଉଥିବା ବ୍ୟକ୍ତି ବିରଳ । ତାହା ପୁଣି ବିନା ପ୍ରଚାର ପ୍ରସାରରେ । ଏମିତି ଜଣେ ଓଡ଼ିଆ ବ୍ୟବସାୟୀ ହେଲେ ଭୁବନେଶ୍ୱରର ଲଲାଟ କିଶୋର ପୃଷ୍ଟି । ପ୍ରତିମାସ ରାଜଧାନୀ ଏବଂ ଆଖପାଖ ଅଞ୍ଚଳର ପ୍ରାୟ ୩ଶହ ଦୃଷ୍ଟିହୀନଙ୍କୁ ପଂକ୍ତିଭୋଜନ କରାନ୍ତି ସେ । ଖାଲି ଖାଇବାକୁ ନୁହେଁ ଭୋଜନ ସହ ଲୁଗାପଟା, କମ୍ବଳ ଏବଂ ବାଟ ଖର୍ଚ୍ଚ ପାଇଁ ଜଣକା ନଗଦ ୨ଶହ ଟଙ୍କା ଦେଇ ଆପ୍ୟାୟିତ କରୁଛନ୍ତି । ପୁଣି ବର୍ଷକୁ ଥରେ ହଜାରେରୁ ଅଧିକ ଦୃଷ୍ଟିହୀନଙ୍କ ଖାଇବା ପିଇବା ସହ ଆବଶ୍ୟକୀୟ ଘର ସାମଗ୍ରୀ ଯୋଗାଇ ଦେଉଛନ୍ତି । ଦୀର୍ଘ ୩୫ ବର୍ଷ ହେଲା ନିସ୍ୱାର୍ଥପର ସେବା ଜାରି ରଖିଛନ୍ତି ।

ଛୋଟ ବ୍ୟବସାୟରୁ ନିଜ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଆଜି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପାଲଟିଥିବା ଲଲାଟ ମାନବ ସେବାକୁ ଆଦରିଛନ୍ତି । ମାସକୁ ପ୍ରାୟ ଏଥିପାଇଁ ପ୍ରାୟ ୮ରୁ ୧୦ଲକ୍ଷ ଖର୍ଚ୍ଚ କରୁଛନ୍ତି । ଅନ୍ୟର ଗରିବଟିଏ ସମସ୍ୟାରେ ପଡ଼ିଥିଲେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି ଲଲାଟ । ତାଙ୍କ ସହଯୋଗୀମାନେ ମଧ୍ୟ ତାଙ୍କରି ପ୍ରେରଣାରେ ଅନୁପ୍ରାଣୀତ ହୋଇଛନ୍ତି । ଦୃଷ୍ଟିହୀନମାନେ ମଧ୍ୟ ସେମାନଙ୍କ ପରିବାର ସହ ଏଠାରେ ଖୁସିରେ ଖୁସିରେ ଯୋଗଦେଇ ଦାତାଙ୍କୁ ଆଶୀର୍ବାଦ ଦେଉଛନ୍ତି ।

Leave a Reply