ପୁଣି ଲେଉଟିଲା ଶୀତ: ୫ଦିନ ଯାଏଁ ଜାଡ଼ରେ ଅସ୍ତବ୍ୟସ୍ତ ହେବ ଜନଜୀବନ

ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ । କମିଲା ତାପମାତ୍ରା, ବଢିଲା ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଫଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାଡ ସହ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ଏବେ ଓଡ଼ିଶା ଉପରେ କୌଣସି ପାଣିପାଗର ପ୍ରଭାବ ନ ଥିବାରୁ ୧୯ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଆସନ୍ତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ।

ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଓଡ଼ିଶା ଉପରେ ଗୁରୁଚାପ ବଳୟର ପ୍ରଭାବ ଅଧିକ ରହିବା ସହ ଶୀତ ବଢିବ । ବାୟୁମଣ୍ଡଳର ସ୍ଥିରତା ଏବଂ ଜଳୀୟବାଷ୍ପର ଉପସ୍ଥିତି ପାଇଁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦେଖାଦେବା ସମ୍ଭାବନା ରହିଛି । ଏଥିପାଇଁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୮ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଏବଂ ସୋନପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିପରି ୧୮ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ କଟକ, ନୟାଗଡ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସତର୍କତା ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ ୨ଶହ ମିଟର ତଳେ ଦୃଶ୍ୟମାନ ରହିବ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ଏହି ସମୟରେ ଗାଡି ଚାଳନା ଉପରେ ସତର୍କତା ଅବଲମ୍ବନ କରିବା ପାଇଁ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି । ସେପଟେ ଘନ କୁହୁଡି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥିବାରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆରସି ।

Leave a Reply