ପଦିଏ କଥା ଆଣିଦେଲା ବିରାଟ ପରିବର୍ତ୍ତନ: ଅପରାଧୀ ସାଜିଲେ ଅତର ବ୍ୟବସାୟୀ

କଟକ: ଦୃଢ଼ ଇଛାଶକ୍ତି ଓ ଜଣେ ଭଲ ମଣିଷର ଉପଦେଶ ଜଣେ ଅପରାଧୀର ଜୀବନର ମୋଡ଼ ବି ବଦଳାଇ ଦେଇପାରେ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଦରଘା ବଜାର ଅଞ୍ଚଳରେ । ୧୯୯୦ ଦଶକରେ ଅପରାଧ ଜଗତରେ ଆତଙ୍କ ସୃଷ୍ଟି କରୁଥିଲେ ବାବା ଖାନ୍ । ହେଲେ ଆଜି ସେ ଜଣେ ଅତର ବ୍ୟବସାୟୀ ଭାବେ ପାଲଟି ଯାଇଛନ୍ତି ସମସ୍ତଙ୍କ ପ୍ରିୟ ବାବା ଭାଇ । ଅପରାଧ ଜଗତର ନର୍କରୁ ସମାଜ ମୁଖ୍ୟସ୍ରୋତକୁ ଫେରିଆସିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଭୂମିକା ରହିଥିବା ନନ୍ଦିଘୋଷ ଟିଭିକୁ କହିଛନ୍ତି ବାବା ।

କଟକ ସହରରେ ସେ ଥିଲେ ଆତଙ୍କର ଅନ୍ୟନାମ । ବୋମା ମାଡ଼ ହେଉ କି ବିଚ ରାସ୍ତାରେ ହତ୍ୟାକାଣ୍ଡ, ଏହାଥିଲା ତାଙ୍କର ନିତିଦିନିଆ କାମ । ୨୪ ଘଣ୍ଟା ବୁଡି ରହୁଥିଲେ ନିଶାରେ । ହେଲେ ଏବେ ଜୀବନର ମୋଡ ବଦଳିଛି । ୧୯୯୦ ଦଶକର ଦୁର୍ଦ୍ଦାନ୍ତ ଅପରାଧୀ ଏବେ ସମସ୍ତଙ୍କ ପ୍ରିୟ ଭାଇ ପାଲଟି ଯାଇଛନ୍ତି । ଆମେ କହୁଛୁ କଟକ ଦରଘା ବଜାର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ବାବା ଖାଁନଙ୍କ କଥା । ଆଜି ଅତୀତକୁ ଭୁଲି ସେ ଅତର ଦୋକାନ ଖୋଲି ପରିବାର ପ୍ରତିପୋଷଣ କରୁଛନ୍ତି । ଏବେ ସେ ପାଲଟି ଯାଇଛନ୍ତି ସମସ୍ତଙ୍କ ଆଦରର ବାବା ଭାଇ ।

ଏହି ହାର୍ଡକୋର କ୍ରିମିନାଲର ଜୀବନ ବଦଳାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୫ ସୁବାଷ ବୋଷ ଜୟନ୍ତୀରେ ବାବା ଖାନଙ୍କୁ ପାଖକୁ ଡାକି ଖରାପ କାମ ଛାଡି ଭଲବାଟକୁ ଆସିବାକୁ ଉପଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କର ଏହି ଆଶୀର୍ବାଦ ଭରା କଥା ଦୁଇ ପଦ ଅପରାଧ ଜଗତର ନର୍କରୁ ସମାଜ ମୁଖ୍ୟସ୍ରୋତକୁ ଫେରାଇ ଆଣିବାରେ ବାବାଙ୍କୁ ଯଥେଷ୍ଟ ସାହାଯ୍ୟ କରିଛି । ସେହିଦିନ ଠାରୁ ୧୫ ବର୍ଷ ହେଲା ସେ ନିଜର ଛୋଟ ବ୍ୟବସାୟ ଖୋଲି ସମ୍ମାନର ସହ ବଞ୍ଚିଛନ୍ତି । ବାବା ଖାଁନଙ୍କ ନାମରେ ପୁରୀଘାଟ ଓ ଦରଘାବଜାର ପୋଲିସ ଷ୍ଟେସନରେ ରହିଛି ୧୩୨ ଟି ଅପରାଧିକ ମାମଲା । ଦୁଇଟି ମାମଲାକୁ ଛାଡି ଆଉ ସମସ୍ତ ମାମଲାରୁ ସେ ମୁକ୍ତ ହୋଇସାରିଲେଣି ।

Leave a Reply