spot_img
Home Blog Page 4805

ଶିକ୍ଷାନୁଷ୍ଠାନରେ ଶିକ୍ଷକଙ୍କୁ ଦଣ୍ଡ; ଗୁଟଖା କାହିଁକି ଖାଉଛ ପଚାରିବାରୁ ରାଗିଲେ ଛାତ୍ର

କର୍ଣ୍ଣାଟକ: ଗୁରୁଙ୍କୁ ଦଣ୍ଡ ଦେଲେ ଛାତ୍ର । ଭୁଲିଗଲେ ଗୁରୁ-ଶିଷ୍ୟ ପରମ୍ପରା । ଛାତ୍ରମାନେ ଶେଷରେ ସେମାନଙ୍କ ଜୀବନ ଗଢୁଥିବା ସାରଙ୍କ ମୁଣ୍ଡରେ ଲଦି ଦେଲେ ଡଷ୍ଟବିନ୍ । ଏହି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ । କର୍ଣ୍ଣାଟକର ଦେବନାଗରୀ ଜିଲ୍ଲା ଚନ୍ନଗିରି ଅନ୍ତର୍ଗତ ନାଲୁରର ଏକ ସ୍କୁଲରେ କିଛି ପିଲା ଉତ୍ତ୍ୟକ୍ତ ହୋଇ ଶିକ୍ଷକଙ୍କ ମୁଣ୍ଡରେ ଡଷ୍ଟବିନ୍ ଲଦି ଦେଇଥିଲେ ।

ଏହା ଘଟଣାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ଶିକ୍ଷାମନ୍ତ୍ରୀ ବି.ସି. ନାଗେଶ ଉଦବେଗ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷକଜଣଙ୍କ ଶ୍ରେଣୀରେ ଶିକ୍ଷାଦାନ ଆରମ୍ଭ କରିବା ମାତ୍ରେ ପିଲାମାନେ ସାରଙ୍କୁ ଏହି ଦଣ୍ଡ ଦେଇଥିଲେ । ଶିକ୍ଷକଜଣଙ୍କ ଉପାୟ ହୀନ ହୋଇ କେବଳ ବସିରହିଥିଲେ । ପିଲାଙ୍କ ନିକଟରେ ସେ ଅସହାୟ ହୋଇଯାଇଥିଲେ । ଶିକ୍ଷକଜଣକ ଶ୍ରେଣୀରେ ପ୍ରବେଶ କରିବା ବେଳେ ଦେଖିଥିଲେ କି ତଳେ ଗୁଟଖା ପ୍ୟାକେଟ ପଡିଛି ଏବଂ ପିଲାମାନେ ପାଟିତୁଣ୍ଡ କରୁଛନ୍ତି । ଏହାକୁ ନେଇ ମନା କରିବା ପରେ ପିଲାମାନେ ଉତ୍ତ୍ୟକ୍ତ ହୋଇ ଏହି ଅମାନୁଷିକ କାଣ୍ଡ ଘଟାଇଥିଲେ ।

କାଲି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତ, ହିଞ୍ଜିଳିକାଟୁରେ ବାଣ୍ଟିବେ BSKY କାର୍ଡ

ବ୍ରହ୍ମପୁର: ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଦିନିକିଆ ଗଞ୍ଜାମ ଗସ୍ତରେ ଆସି ନିଜ ନିର୍ବାଚନ ମଣ୍ଡଳିର ହିଞ୍ଜିଳିକାଟୁରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ସକାଳ ୧୦ଟାରେ ମା’ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବା ସହ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ପରେ ହିଞ୍ଜିଳିରୁ ବାହାରି ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବେ । କାର୍ଯ୍ୟକ୍ରମରେ ଜିଲ୍ଲାର ୧୨ଟି ନିର୍ବାଚନ ମଣ୍ଡଳିର ପ୍ରାୟ ୨୦ଟି ପଞ୍ଚାୟତର ସମିତିର ସଦସ୍ୟ, ପ୍ରତି ବ୍ଲକରୁ ୨୫ ଜଣ ସ୍ୱୟଂ ସହାୟିକା ସଦସ୍ୟା, ବିଧାୟକ, ବିଧାୟିକା, ସାଂସଦ ଯୋଗଦେବେ ।

CM Naveen Patnaik To Distributes BKSY Card In Ganjam Tomorrow

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯିବା ସହ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ । ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିରୁ ଆଜି ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିର୍ଦ୍ଦେଶରେ ତାରାତାରିଣୀ ମନ୍ଦିର ପରିସରରେ ମକ ଡ୍ରିଲ୍ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସ୍‌ପି, ୧୮ ଜଣ ଇନ୍ସପେକ୍ଟର, ୧୦୦ ଜଣ ହୋମଗାର୍ଡ, ୬୪ ଜଣ କନେଷ୍ଟବଳ, ୩୬ ସବ-ଇନ୍ସପେକ୍ଟର, ୧୬ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ନେତା, କର୍ମୀ ବିଜେଡି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି ।

ସ୍ଥଳ ସେନା ମୁଖ୍ୟ ହୋଇପାରନ୍ତି ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ହୋଇପାରନ୍ତି ପରବର୍ତ୍ତୀ ସେନା ମୁଖ୍ୟ । ବର୍ତ୍ତମାନ ଚଣ୍ଡୀ ପ୍ରସାଦ ଅଛନ୍ତି ସେନାର ଉପମୁଖ୍ୟ ପଦରେ ଅଛନ୍ତି । ଗତ ଜାନୁଆରୀରେ ସେ ଏହି ଦାୟିତ୍ବ ନେଇଥିଲେ । ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ବର୍ତ୍ତମାନର ସେନାମୁଖ୍ୟ ଏମଏମ ନରଓ୍ବାଣେଙ୍କୁ ନିଯୁକ୍ତି ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ନରଓ୍ବାଣେ ପରବର୍ତ୍ତୀ ସିଡିଏସ ହୁଅନ୍ତି ତେବେ ଚଣ୍ଡୀ ପ୍ରସାଦ ପରବର୍ତ୍ତୀ ସେନାମୁଖ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ସହ ନର୍ଦର୍ଣ୍ଣ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଓ୍ବାଇକେ. ଯୋଶୀ ମଧ୍ୟ ସେନାମୁଖ୍ୟ ଦୌଡରେ ଅଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ମହାନ୍ତି ଓ ଯୋଶୀ ଗୋଟିଏ ବ୍ୟାଚର ହୋଇଥିବାବେଳେ ନରଓ୍ବାଣେଙ୍କ ପରେ ଦୁହିଁଙ୍କ ରାଙ୍କ ସର୍ବୋଚ୍ଚ ।

ସେନାଉପମୁଖ୍ୟ ଚଣ୍ଡୀ ପ୍ରସାଦଙ୍କ ଏଲଏସି ସମ୍ପର୍କରେ ଗଭୀର ଅଭିଜ୍ଞତା ରହିଥିବାବେଳେ ତାଙ୍କୁ ପରବର୍ତ୍ତୀ ସେନାମୁଖ୍ୟ ଲାଗି ଅଧିକ ଦାବିଦାର ମନେ କରାଯାଉଛି । ଚଣ୍ଡୀ ପ୍ରସାଦ ପରମବୀର ସେବା ସମ୍ମାନ, ଅତିବିଶିଷ୍ଟ ସେବା ସମ୍ମାନ ଆଦି ଉପାଧିରେ ଭୂଷିତ । ସେ ଗତ ଫେବ୍ରୁଆରୀ ୧ ରେ ସେନାର ଉପମୁଖ୍ୟ ଭାବରେ ନିଯୁକ୍ତି ହୋଇଥିଲେ । ଜଗତସିଂହପୁରରେ ଜନ୍ମିତ ଚଣ୍ଡୀ ପ୍ରସାଦ ଜାତୀୟ ସ୍ତରରେ ଅନେକ ସମ୍ମାନ ସାଉଁଟିଛନ୍ତି । ସାଧାରଣ ଶିକ୍ଷା ଶେଷ କରିବା ପରେ ସେ ଡେରାଡୁନ ରାଷ୍ଟ୍ରୀୟ ଭାରତୀୟ ସାମରିକ କଲେଜରେ ପଢିଥିଲେ । ଏନଡିଏରେ ଶିକ୍ଷା ହାସଲ ପରେ ସେ ଓ୍ବେଲିଂଟନସ୍ଥିତ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜରେ ପଢିଥିଲେ । ସେ ୧୯୮୨ରେ ରାଜପୁତ ରେଜିମେଣ୍ଟର ଦ୍ବିତୀୟ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟ କରିଥିଲେ । ଜାମ୍ମୁ ଓ କାଶ୍ମୀର ଏବଂ ଉତ୍ତରପୂର୍ବାଞ୍ଚଳରେ ସେ ଗୁରୁ ଦାୟିତ୍ବ ସମ୍ଭାଳିଥିଲେ । ପରେ ସେ କଙ୍ଗୋରେ ଜାତିସଂଘ ବ୍ରିଗେଡରେ ସାମିଲ ହୋଇଥିଲେ ।

ଆସେସ୍ ସିରିଜ: ଗାବା ଟେଷ୍ଟକୁ ୯ ଓ୍ୱିକେଟରେ ନିଜ ନାମରେ କଲା ଅଷ୍ଟ୍ରେଲିଆ

ଗାବା: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇସାରିଛି ଆସେସ୍ ଟେଷ୍ଟ ସିରିଜ୍ । ଆସେସର ପ୍ରଥମ ମ୍ୟାଚ ବ୍ରିସବେନର ଗାବାରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ଧୂଳି ଚଟାଇଛି ଅଷ୍ଟ୍ରେଲିଆ । ଉଭୟ ବ୍ୟାଟିଂ, ବୋଲିଂରେ ଇଂଲଣ୍ଡକୁ ମାତ୍ ଦେଇଥିଲା କଙ୍ଗାରୁ। ଯାହା ଫଳରେ ପ୍ରଥମ ମ୍ୟାଚକୁ ୯ ଓ୍ୱିକେଟରେ ନିଜ ନାମରେ କରିଛି ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚରେ ବିଜୟ ସହ ଏହି ୫ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ ।

ଗାବାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା ଇଂଲଣ୍ଡ । ଟସ୍ ଜିତି ବ୍ୟାଟିଂ କରୁଥିବା ଇଂଲଣ୍ଡ ମାତ୍ର ୧୪୭ ରନରେ ଅଲଆଉଟ ହୋଇଥିଲା । ଅଷ୍ଟ୍ରେଲିଆ ତରଫରୁ କ୍ୟାପଟେନ ପ୍ୟାଟ କମିନ୍ସ ୫ ଓ୍ୱିକେଟ ହାସଲ କରିଥିଲେ । ୧୪୭ ରନରେ ଇଂଲଣ୍ଡକୁ ଅଲଆଉଟ କରିବା ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଥିଲେ । ଡେଭିଡ ଓ୍ୱାର୍ଣ୍ଣର ଓ ଟ୍ରାଭିସ୍ ହେଡଙ୍କ ବ୍ୟାଟିଂ ଆଗରେ ହାର ମାନିଥିଲେ ଇଂଲଣ୍ଡ ବୋଲର । ଟ୍ରାଭିସ୍ ହେଡଙ୍କ ୧୫୨ ରନ ଓ ଡେଭିଡ ଓ୍ୱାର୍ଣ୍ଣରଙ୍କ ୯୪ ରନ ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୨୫ ରନର ବଡ଼ ସ୍କୋର କରିଥିଲେ । ଯାହା ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୭୮ ରନର ଲିଡ୍ ନେଇଥିଲା ।

ପ୍ରଥମ ଇନିଂସରେ ୧୪୭ ରନରେ ଅଲଆଉଟ ପରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲା ଇଂଲଣ୍ଡ । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଅଧିନାୟକ ଜୋ ରୁଟ୍ ଏବଂ ଡେଭିଡ ମଲାନ ପାରି ସମ୍ଭାଳିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ତୃତୀୟ ଓ୍ୱିକେଟ ପାଇଁ ୧୬୨ ରନ କରିଥିଲେ । କିନ୍ତୁ କଙ୍ଗାରୁ ସ୍ପିନର ନାଥନ ଲାୟନଙ୍କ ଆଗରେ ତିଷ୍ଠି ପାରିନଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ । ଯାହା ଫଳରେ ଇଂଲଣ୍ଡ ମାତ୍ର ୨୯୭ ରନରେ ଅଲଆଉଟ ହୋଇଥିଲା । ୨୯୭ ରନରେ ଅଲଆଉଟ ହେବା ଫଳରେ ଅଷ୍ଟ୍ରେଲିଆକୁ ଏହି ମ୍ୟାଚକୁ ଜିତିବାକୁ ହେଲେ ଆବଶ୍ୟକ ଥିଲା ମାତ୍ର ୨୦ ରନ । ଏହି ଲକ୍ଷ୍ୟକୁ କଙ୍ଗାରୁ ୯ ଓ୍ୱିକେଟରେ ହାସଲ କରିଥିଲା । ଏହି ମ୍ୟାଚରେ ବିଜୟ ସହ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ । ପ୍ରଥମ ଇନିଂସରେ ୧୫୨ ରନର ଦମଦାର ଇନିଂସ ଫଳରେ ଟ୍ରାଭିସ୍ ହେଡଙ୍କୁ ମିଳିଛି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ।

ଘସିପୁରା ବିଜେଡି ବିଧାୟକ ବଦ୍ରି ପାତ୍ର ଗୁରୁତର

ଭୁବନେଶ୍ୱର: ଘସିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଛାତିରେ ବ୍ଲକେଜ ସହ ରକ୍ତ ବାନ୍ତି ହେଉଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏୟାର ଆମ୍ବୁଲାନ୍ସ ଯୋଗେ ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ରଙ୍କୁ ହାଇଦ୍ରାବାଦ ନିଆଯାଇପାରେ ।

ଏଥିସହ ପଢ଼ନ୍ତୁ: ମାର୍ଚ୍ଚ ଯାଏ ଅତିରିକ୍ତ ୫ କେଜି ମାଗଣା ଚାଉଳ ପାଇବେ ହିତାଧିକାରୀ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ବଢ଼ିଲା ବିଜେଡିର ବଳ । ଶଙ୍ଖ ଫୁଙ୍କିଲେ ପୂର୍ବତନ କଂଗ୍ରେସ ବିଧାୟକ ତଥା ବିଜେପି ନେତା ଧନୁର୍ଜୟ ସିଧୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ଧନୁର୍ଜୟ । ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ଧନୁର୍ଜୟ ବିଧିବଦ୍ଧ ଭାବେ ଆଜି ଦଳରେ ସାମିଲ୍ ହୋଇଛନ୍ତି ।

EX Congress MLA Dhanurjay Sidu Joins BJD

ସେ କହିଛନ୍ତି, ବିଜେପି ଓ କଂଗ୍ରେସ ବିକାଶ ଚାହୁଁ ନାହାନ୍ତି । ତେଣୁ ସେ ବିଜେଡିରେ ମିଶିଲେ ବୋଲି କହିଛନ୍ତି ଧନୁର୍ଜୟ । ତାଙ୍କୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ୱାଗତ କରିଥିଲେ । ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିବା ବିଜେପି କର୍ମୀଙ୍କୁ ସ୍ୱାଗତ କରିଥିଲେ । କହିଥିଲେ, ଲୋକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ପ୍ରଗତି ଆହୁରି ହେବ । କେନ୍ଦୁଝର ବିଜେଡି ଆହୁରି ସଶକ୍ତ ହୋଇଛି । ଯାହା ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବ । ବିଜେଡିରେ ଆପଣ ସମ୍ମାନ ପାଇବେ, ଏଥିରେ ସନ୍ଦେହ ନାହିଁ ।

EX Congress MLA Dhanurjay Sidu Joins BJD

ଧନୁର୍ଜୟ ୨୦୦୪ରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଭାବେ ତେଲକୋଇ ଆସନରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ । ପରେ ବିଜେପିରେ ଯୋଗଦେଇ ୨୦୧୯ରେ ସେ ତେଲକୋଇ ଆସନରୁ ପ୍ରାର୍ଥୀ ହୋଇଥିଲେ, ହେଲେ ହାରି ଯାଇଥିଲେ । କିଛିଦିନ ପୂର୍ବରୁ ସେ ବିଜେପି ଛାଡ଼ିଥିଲେ, ଆଜି ଧନୁର୍ଜୟ ସିଧୁ ବିଜେଡିରେ ମିଶିଛନ୍ତି ।

ଭୁବନେଶ୍ୱର ବିମାନବନ୍ଦରରେ ସହିଦ ଯବାନଙ୍କ ମରଶରୀର, ଦିଆଗଲା ଗାର୍ଡ ଅଫ୍ ଅନର

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ସହିଦ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ସ୍ୱତନ୍ତ୍ର ବିମାନରେ ମରଶରୀର ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିଛି । ବିମାନ ବନ୍ଦରରେ ଦିଆଯାଇଛି ଗାର୍ଡ ଅଫ ଅନର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ରାଣାପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସହିଦ ରାଣାପ୍ରତାପ ଦାସଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତିର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

CM Naveen Patnaik Pays Tribute To Martyr Rana Pratap

ଏହାପରେ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯିବ । ଜନ୍ମମାଟି ଅନୁଗୁଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଣାପ୍ରତାପଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ବୁଧବାର ସିଡିଏସ ବିପିନ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣ ସହିଦ ହୋଇଥିଲେ । ଏଥିରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ରାଣାପ୍ରତାପ ଦାସ । ଭାରତୀୟ ବାୟୁସେନାରେ ସେ ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ ।

CM Naveen Patnaik Pays Tribute To Martyr Rana Pratap

୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ବର୍ଷକର ପୁଅଟିଏ ଅଛି । ସେ ବିହାରର ଗୟାରେ ବିବାହ କରିଥିଲେ । ରାଣାଙ୍କ ପତ୍ନୀ ଏୟାରଫୋର୍ସରେ ଡେଣ୍ଟିଷ୍ଟ ଥିଲେ । ୨ବର୍ଷ ହେବ ଚାକିରି ଛାଡ଼ିଛନ୍ତି । ଆଉ କେଇଟା ବର୍ଷ ପରେ ଚାକିରିରୁ ଅବସର ନେଇ ବାପାମାଆଙ୍କ ସେବା କରିବେ ବୋଲି ମନସ୍ଥ କରିଥିଲେ ରାଣା ପ୍ରତାପ । ହେଲେ ବିଧିର ବିଧାନ ଥିଲା ଅଲଗା । ଆଜି ବାପାମାଆଙ୍କ ଆଖି ଆଗରେ ଜଳିବ ପୁଅର ଜୁଇ ।

ଦିଲ୍ଲୀରେ ଓମିକ୍ରନର ଦ୍ୱିତୀୟ ମାମଲା, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩କୁ ବୃଦ୍ଧି

ଦିଲ୍ଲୀ: ଡରାଉଛି ଓମିକ୍ରନ, ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । ଓମିକ୍ରନ ସଂକ୍ରମିତ ଜଣଙ୍କ ଜିମ୍ବାୱେରୁ ଫେରିଥିଲେ । ଜିନୋମ ସିକ୍ୱେନ୍ସିଂ ରିପୋର୍ଟରେ ସେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥସହ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି ।

ବିଦେଶରୁ ଦିଲ୍ଲୀ ଫେରିଥିବା ୨୭ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମସ୍ତଙ୍କ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠା ଯାଇଥିଲା । ୨ ଜଣଙ୍କ ରିପୋର୍ଟ ଓମିକ୍ରନ ପଜିଟିଭ୍ ଥିବାବେଳେ ୨୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଦେଶେରେ ଏବେ ଯାଏ ୩୩ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ୧୭ ଆକ୍ରାନ୍ତ ମହାରାଷ୍ଟ୍ରରୁ ଆସିଛି ।

ଶୁକ୍ରବାର ଗୋଟିଏ ଦିନରେ ଦେଶରେ ଓମିକ୍ରନର ୯ଟି ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଜଣେ ସାଢ଼େ ୩ ବର୍ଷର ଛୁଆ ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି । ମୁମ୍ବାଇରେ ଓମିକ୍ରନ ମାମଲା ବଢ଼ୁଥିବାରୁ ସେଠାରେ ୧୪୪ ଧାରା ଲାଗୁ କରାଯାଇଛି । ୧୨ ତାରିଖ ଯାଏ ୧୪୪ ଧାରା ବଳବତ୍ତର ରହିବ । ସମସ୍ତ ପ୍ରକାର ସଭା, ସମାବେଶ ଓ ରାଲି ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ମାର୍ଚ୍ଚ ଯାଏ ଅତିରିକ୍ତ ୫ କେଜି ମାଗଣା ଚାଉଳ ପାଇବେ ହିତାଧିକାରୀ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର । ୨୦୨୨ ମାର୍ଚ୍ଚ ମାସ ଯାଏ ପ୍ରତିମାସ ୫ କେଜି ଚାଉଳ ମାଗଣାରେ ହିତାଧିକାରୀଙ୍କୁ ଦିଆଯିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ରାଜ୍ୟର ୯.୧୫ ଲକ୍ଷ ଲୋକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ୬୮.୧୩ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ ।

CM Directs Extension of Additional Rice Distribution for Four Months for State Food Security Beneficiaries

ଡିସେମ୍ବରରୁ ମାର୍ଚ୍ଚ ଯାଏଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ମୁଣ୍ଡ ପିଛା ଅତିରିକ୍ତ ୫ କେଜି ମାଗଣା ଚାଉଳ ଯୋଗାଇ ଦିଆଯିବ । କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୨ ଲକ୍ଷ ୮୮ ହଜାର ୫୨୮ ପରିବାରର ୯ ଲକ୍ଷ ୧୫ ହଜାର ୫୩୨ ଜଣ ଉପକୃତ ହେବେ ।

ଏଥିପାଇଁ ମାସିକ ୪,୫୮୭ ଟନ ଚାଉଳ ଯୋଗାଇ ଦିଆଯିବ । ୪ ମାସରେ ରାଜ୍ୟ କୋଟାରୁ ମୋଟ ୧୮, ୩୧୦.୬୪୦ ଟନ ଚାଉଳ ଯୋଗାଣ ପାଇଁ ରାଜ୍ୟ ସରକାର ୬୮.୧୩ କୋଟି ଟଙ୍କା ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିବେ ।

ଦିଲ୍ଲୀ ସୀମାରୁ ଘର ବାହୁଡ଼ୁଛନ୍ତି କୃଷକ

ନୂଆଦିଲ୍ଲୀ: ସଡ଼କରେ ତମ୍ବୁ ତଳେ ବର୍ଷେ । ଖରା, ବର୍ଷା ଓ ଶୀତରେ ଖୋଲା ଆକାଶରେ ବର୍ଷେ କାଟିଥିବା କୃଷକ ଆଜି ଘରକୁ ଫେରୁଛନ୍ତି । କେନ୍ଦ୍ର ସରକାର କୃଷି ଆଇନ୍ ପ୍ରତ୍ୟାହାର କରିବା ପରେ ଆନନ୍ଦ ଉଲ୍ଲାସରେ ଦିଲ୍ଲୀ ସୀମା ଛାଡ଼ିୁଛନ୍ତି ଅନ୍ନଦାତା । କୃଷକଙ୍କ ଏହି ବିଜୟକୁ ନେଇ ଆଜି ସାରା ଦେଶରେ ବିଜୟ ଉତ୍ସବ ପାଳନ ନେଇ ଘୋଷଣା କରାଯାଇଛି ।

Farmers From Delhi Border Returning Home

ଦିଲ୍ଲୀରୁ ହରିୟାଣା, ପଞ୍ଜାବକୁ ଫେରୁଛନ୍ତି କୃଷକ । ଦିଲ୍ଲୀ ସୀମାର ସଡ଼କରେ ଲାଗିଥିବା ଅସ୍ଥାୟୀ ଟେଣ୍ଟ ଭଙ୍ଗା ଚାଲିଛି । ଟ୍ରାକ୍ଟରରେ ରାତି ବିତାଉଥିବା କୃଷକ ଏବେ ଘରମୁହାଁ ହୋଇଛନ୍ତି । କୃଷକ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା ସହ ୧୧ ଓ ୧୨ ତାରିଖରେ ଚାଷୀ ଘରକୁ ଫେରିବେ ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀରୁ ଫେରୁଥିବା କୃଷକଙ୍କୁ ସ୍ୱାଗତ କରିବା ପାଇଁ ପଞ୍ଜାବ ସରକାର ନିଷ୍ପତ୍ତି ନେଇଛନ୍ତି ।

Farmers From Delhi Border Returning Home

ନଭେମ୍ବର ୧୯ ତାରିଖରେ କେନ୍ଦ୍ର ସରକାର କୃଷି ଆଇନ୍ ପ୍ରତ୍ୟାହାର ପାଇଁ ଘୋଷଣା କରିଥିଲେ । ଏହା ପରେ ଏମଏସପିକୁ ଆଇନରେ ପରିଣତ କରିବା, ମୃତ ଚାଷୀଙ୍କ ପରିବାରକୁ ସହାୟତା, ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ସହମତି ପ୍ରକାଶ ପାଇବାରୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଚାଷୀ ସଙ୍ଗଠନ ।