ଆଜି ବସିବ ଛତିଶା ନିଯୋଗ ବୈଠକ, ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ଖୋଲିବ କି ଶ୍ରୀମନ୍ଦିର । ମିଳିବ କି ଜଗା ଦର୍ଶନ । କୋହଳ ହେବ କି କୋଭିଡ କଟକଣା । ଆଜି ଛତିଶା ନିଯୋଗ ବୈଠକରେ ଏବେଇ ଆଲୋଚନା ହେବ । ଆଜି ଅପରାହ୍ନ ସାଢେ ୪ଟାରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଭିଡିଓ କନଫେରେନସିଂ ମାଧ୍ୟମରେ ଏହି ବୈଠକ ହେବ । ମୁଖ୍ୟ ପ୍ରଶାସକ କ୍ରିଶନ କୁମାରଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସମସ୍ତ ସେବାୟତ ନିଯୋଗର କର୍ମକର୍ତ୍ତା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏହି ବୈଠକରେ ଉପସ୍ଥିତ ରହିବେ । ବିଶେଷକରି କୋଭିଡ୍ ସଂକ୍ରମଣ ସମୟରେ ଶ୍ରୀମନ୍ଦିର ଖୋଲିବା କିମ୍ବା ଆଗକୁ ବନ୍ଦର ସମୟ ସୀମା ବୃଦ୍ଧି ନେଇ ମଧ୍ୟ ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଗତ ୭ତାରିଖ ଦିନ ସ୍ୱର୍ଗଦ୍ୱାରରେ ଲାଗିଥିଲା କଟକଣା । ସେହିଦିନ ଛତିଷା ନିଯୋଗ ବୈଠକରେ ଜାନୁଆରୀ ୧୦ତାରିଖରୁ ଜାନୁଆରୀ ୩୧ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରିବାକୁ ନିଆଯାଇଥିଲା ନିଷ୍ପତି । ତେବେ ଧିରେ ଧିରେ କରୋନା ସଂକ୍ରମଣ ଦୁର୍ବଳ ହେବାରୁ ସ୍ୱର୍ଗଦ୍ୱାର ଉପରୁ କଟକଣା କୋହଳ କରିଛି ପ୍ରଶାସନ । ଏଣୁ ଆଜି ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଉପରେ ଲାଗିଥିବା କଟକଣା ହଟିଯିବ ବୋଲି ଆଶା କରାଯାଉଛି । ତଥାପି ସେବାୟତ ନିଯୋଗ ଓ ପରିଚାଳନା କମିଟିର ସଦସ୍ୟ, ଜିଲ୍ଲା ପ୍ରଶାସନ, ଏସ୍‌ପି ଆଦି ସମସ୍ତଙ୍କ ସହ ଆଲୋଚନା କରି ନିଆଯିବ ନିଷ୍ପତ୍ତି ।

Leave a Reply