ନିଜ ଟଙ୍କା ପାଇଁ ସୁପ୍ରିମକୋର୍ଟ ଯିବେ ବ୍ୟାଙ୍କ ଗ୍ରାହକ

1 min read

ନୂଆଦିଲ୍ଲୀ: ଚିନ୍ତାରେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କର ୧୦ ଲକ୍ଷ ଗ୍ରାହକ । ସରକାରଙ୍କ ନିଷ୍ପତ୍ତିରେ ଅସୁଖି । ନିଜ ଟଙ୍କା ପାଇବାକୁ ସୁପ୍ରିମକୋର୍ଟଙ୍କ ଶରଣକୁ ଯିବାକୁ ହେଉଛନ୍ତି ପ୍ରସ୍ତୁତ । ସରକାର ପିଏମସି ବ୍ୟାଙ୍କକୁ ୟୁନିଟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସହ ମିଶାଇବାକୁ ମଞ୍ଜୁରୀ ଦେଇଚନ୍ତି । ହେଲେ ଏହାକୁ ନେଇ ପିଏମସି ବ୍ୟାଙ୍କ ଗ୍ରାହକ ଖୁସି ନାହାନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ଗ୍ରାହକ ହେଉଛନ୍ତି ପ୍ରସ୍ତୁତ ।

କୋଅପରେଟିଭ ସୋସାଇଟର ସଂଗଠନ ସହକାର ଭାରତୀ ନେତୃତ୍ବରେ ପିଏମସି ବ୍ୟାଙ୍କ ଗ୍ରାହକ ସୁପ୍ରିମକୋର୍ଟରେ ଆବେଦନ କରିବେ । ସରକାର ନିଷ୍ପତ୍ତିକୁ ଏକ ତରଫା ବୋଲି କହିଛନ୍ତି ସହକାରୀ ଭାରତୀ ଓ ବ୍ୟାଙ୍କ ଗ୍ରାହକ । ପିଏମସି ବ୍ୟାଙ୍କ ମାମଲା କୌଣସି ନେଣଦେଣ ବିଫଳତା ନୁହେଁ ବରଂ ଠକେଇ ବୋଲି ସହକାରୀ ଭାରତୀ ଅଭିଯୋଗ କରିଛି ।

ସଂଗଠନ ପକ୍ଷରୁ କୁହାଯାଇଛି, ପିଏମସି ବ୍ୟାଙ୍କ ଗ୍ରାହକଙ୍କ ନିବେଶ ଉପରେ ୧୦ ବର୍ଷ ଲକ୍-ଇନ୍-ପିରିୟଡ ଲଗାଯାଇଛି । ଏହାସହ ଜମାରାଶି ଉପରେ ସର୍ବାଧିକ ସୁଧ ୨.୭୫ ପ୍ରତିଶତ ରଖାଯାଇଛି । ଏହାଦ୍ବାରା ପିଏମସି ବ୍ୟାଙ୍କ ଗ୍ରାହକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବେ । ଏହାକୁ ନଜରରେ ରଖି ସରକାର ଏବଂ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତିର ପୁନଃବିଚାର କରିବାର ଆବଶ୍ୟକତା ରହିଛି ।

ଅନ୍ୟପକ୍ଷରେ ପିଏମସି ବ୍ୟାଙ୍କ ଆକାଉଣ୍ଟ ହୋଲ୍ଡର ଫୋରମ ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ଅଲଗା ହାଇକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛି । ଫୋରମ ପକ୍ଷରୁ କୁହାଯାଇଛି, ଏହି ସ୍କିମରେ କେବଳ ଏସଏଫବିକୁ ଲାଭ ମିଳିବ । ବ୍ୟାଙ୍କର ଗ୍ରାହକଙ୍କ ସ୍ଥିତି ଆହୁରି ଖରାପ ହୋଇଯିବ । ଏହାଦ୍ବାରା ଏସଏଫବିକୁ ବସି ବସି ଲାଇସେନ୍ସ ପାଇଯିବ । ଏପରିକି ପିଏମସି ବ୍ୟାଙ୍କର ସମ୍ପତ୍ତି ବି ମିଳିଯିବ । ଅନ୍ୟପକ୍ଷରେ ଗ୍ରାହକଙ୍କୁ ନିଜ ଟଙ୍କା ପାଇବାକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।

ସରକାରଙ୍କ ସ୍କିମ ଅନୁସାରେ ପ୍ରଥମ ପର୍ଯ୍ୟାୟ ପ୍ରେମେଣ୍ଟରେ ଗ୍ରାହକଙ୍କୁ ଡିଆଇସିଜିଏସ ଅନୁସାରେ ସର୍ବାଧିକ ୫ ଲକ୍ଷ ଟଙ୍କା ମିଳିପାରିବ । ଯେଉଁମାନଙ୍କ ଖାତାରେ ଏହାଠାରୁ ଅଧିକ ଟଙ୍କା ଜମା ଥିବା ପରେ ଏହାକୁ ଉଠାଇବାକୁ ସମସ୍ୟାରେ ପଡିବେ । ଏମିତି ଗ୍ରାହକଙ୍କୁ ନିଜ ଟଙ୍କା ଉଠାଇବାକୁ ୧୦ ବର୍ଷ ଅପେକ୍ଷା କରିବାକୁ ପଡିବ । ପ୍ରଥମ ୫ ବର୍ଷରେ ଗ୍ରାହକଙ୍କୁ ବାର୍ଷିକ ୫୦ ହଜାରରୁ ୫.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ଏହାପରେ ବଳକା ଯଙ୍କା ୧୦ ବର୍ଷ ପରେ ମିଳିବ । ଏହି ସମୟରେ ପ୍ରଥମ ୫ ବର୍ଷରେ ବାର୍ଷିକ ୨.୭୫ ପ୍ରତିଶତ ହିସାବରେ ସୁଧ ମିଳିବ ।

Leave a Reply