spot_img
Home Blog Page 4800

ଜେଲ ଗଲେ ଦୁଇ କଣ୍ଟ୍ରାକ୍ଟ କିଲର

ଭୁବନେଶ୍ବର: ଭୁବନେଶ୍ବର ନୟାପଲ୍ଲୀରୁ ଗିରଫ କଣ୍ଟ୍ରାକ୍ଟ କିଲର ଗଲେ ଜେଲ । ଦୁଇ ଅଭିଯୁକ୍ତ ସମ୍ପଦ ସାହୁ ଏବଂ ପ୍ରଶାନ୍ତ ଦାସର ୪ ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଚାରି ଦିନ ମଧ୍ୟରେ ଦୁଇ ଅଭିଯୁକ୍ତଙ୍କଠାରୁ ଅନେକଗୁଡିଏ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ୍ । ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଫାଇନାନ୍ସର କିଏ ତାର ସୁରାକ ପୋଲିସ୍ ହାତରେ ଲାଗିଛି । ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ଏହି ଦୁଇ ଅଭିଯୁକ୍ତକୁ ବ୍ୟବହାର କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜାଲ ବିଛାଇଛି ପେଲିସ୍ ।

ରିମାଣ୍ଡ ବେଳେ ପୋଲିସକୁ ମିଳିଛି ମୁଖ୍ୟ ମାଷ୍ଟରମାଇଣ୍ଡର ସୁରାକ୍ । କିଏ କରିଥିଲା କଣ୍ଟ୍ରାକ୍ଟ କିଲର ସମ୍ପଦକୁ ମୋହରା ? ବ୍ୟବସାୟୀଙ୍କୁ ହତ୍ୟା ପାଇଁ କେତେ ଟଙ୍କା ଦେଇଥିଲା ଫାଇନାନ୍ସର ? ସୁପାରି ପଛରେ କ’ଣ ଥିଲା କାରଣ ? ଘଟଣାରେ କେବଳ ସମ୍ପଦ ଏବଂ ପ୍ରଶାନ୍ତ ସଂପୃକ୍ତ ନା ଆଉ କିଏ ସାମିଲ ? କଣ୍ଟ୍ରାକ୍ଟ ପଛରେ ବ୍ୟବସାୟୀକ ଶତ୍ରୁତା କି ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦୁଇ ଅଭିଯୁକ୍ତ ସମ୍ପଦ ସାହୁ ଏବଂ ପ୍ରଶାନ୍ତ ଦାସକୁ ରିମାଣ୍ଡରେ ଆଣିଥିଲା ନୟାପଲ୍ଲୀ ଥାନା ପୋଲିସ୍ ।

୪ ଦିନ ରିମାଣ୍ଡ ମଧ୍ୟରେ ଅଭିଯୁକ୍ତ ଦୁଇଜଣଙ୍କଠାରୁ ପୋଲିସ ଆଦାୟ କରିଥିବା ତଥ୍ୟ ଅନୁସାରେ ସୁପାରୀ ଦେଇଥିବା ଫାଇନାନ୍ସର ଜଣେ ଚୋରା କୋଇଲା ବେପାରୀ ବୋଲି ଜାଣିବାକୁ ପାଇଛି । ଏହି ଚୋରା କାରବାର ସମୟରେ ସମ୍ପଦ ଏବଂ ପ୍ରଶାନ୍ତ କୋଇଲା ଗାଡିକୁ ଏସକର୍ଟ ଦେଉଥିଲେ । ମୁଖ୍ୟ ଅଭିଯୁକ୍ତ କେବଳ ସମ୍ପଦକୁ ନିୟୋଜିତ କରିଥିବା ବେଳେ କାମ ସମୟରେ ପ୍ରଶାନ୍ତକୁ ଡାକି ନେଉଥିଲା ସମ୍ପଦ । ପୂର୍ବରୁ ସମ୍ପଦ ଏବଂ ପ୍ରଶାନ୍ତ ଜେଲରେ ଭେଟାଭେଟି ହୋଇଥିଲେ । ଜେଲରୁ ବାହାରିବା ପରେ ଦୁଇଜଣ ମିଶି ଅପରାଧ ଜଗତରେ ପାଦ ଦେଇଥିଲେ । ସମ୍ପଦ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଥିବା ବେଳେ ପ୍ରଶାନ୍ତ ନାଁରେ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି । ତେବେ ରିମାଣ୍ଡ ସମୟରେ ପୋଲିସର କିଛି ପ୍ରଶ୍ନରେ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି ଦୁଇ ସୁପାରି କିଲର । ତେବେ କୌଶଳ କ୍ରମେ ମୁଖ୍ୟ ଫାଇନାନ୍ସରର ଠିକଣା ହାତେଇ ନେଇଛି ପୋଲିସ୍ । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ  ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଆବଶ୍ୟକ ପଡିଲେ ପୁଣି ଦୁଇଜଣଙ୍କୁ ପୁଣିଥରେ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ନୟାପଲ୍ଲୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଆସନ୍ତାକାଲି କଟକ ଓ ଖୋର୍ଦ୍ଧାରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଏସକେଓ୍ବାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୦ଟା ୪୫ରେ କଟକ ଯାଇ ସ୍ବାସ୍ଥ୍ୟ ଓ ବିକାଶର ନୂଆ କାହାଣୀ ଲେଖିବେ ମୁଖ୍ୟମନ୍ତ୍ରୀ । ଉପର ବାଲିଯାତ୍ରା ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ BSKY ସ୍ମାର୍ଟକାର୍ଡ ବଣ୍ଟନ କରିବେ ନବୀନ । ଏହା ସହିତ କଟକ ଜିଲ୍ଲାବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ପରେ ୧୧ଟା ୪୦ରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ ସହିତ ବିଭିନ୍ନ ଜନହିତକର କାର୍ଯ୍ୟର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି  । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କଟକରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।

ଜାଣିଛନ୍ତି କି ବିରୁଷ୍କାଙ୍କ ବଡ଼ିଗାର୍ଡ କେତେ ନିଅନ୍ତି ଦରମା ?

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡର ଆଗ ଧାଡିର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଇଣ୍ଡଷ୍ଟ୍ରିର ପାଓ୍ୱାର ଫୁଲ ଦମ୍ପତି କୁହାଯାଏ । ଉଭୟ ଉଭୟଙ୍କ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏହି ଦୁଇ ସେଲିବ୍ରେଟିଙ୍କ ଜୀବନ ଏତେ ବ୍ୟସ୍ତବହୁଳ ଥାଏ କି ଉଭୟ ଏକାଠି ଦେଖା ବି କରିପାରନ୍ତି ନାହିଁ । ଏହି ଦୁଇ ସେଲିବ୍ରେଟିଙ୍କ ସିକ୍ୟୁରିଟି କିଏ ସମ୍ଭାଳୁଛନ୍ତି ଆପଣ ଜାଣିଛନ୍ତି କି? ସିକ୍ୟୁରିଟି ସମ୍ଭାଳୁଥିବା ବଡିଗାର୍ଡଙ୍କ ଦରମା କେତେ ଆପଣ ଜାଣିଛନ୍ତି କି ?

ଏକ ରିପୋର୍ଟ ଅନୁସାରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ସିକ୍ୟୁରିଟି ସମ୍ଭାଳୁଛନ୍ତି ପ୍ରକାଶ ସିଂ ଓରଫ ସୋନୁ । ଏହି ପାଓ୍ୱାର ଫୁଲ ଦମ୍ପତି ଦେଶରେ ରୁହନ୍ତୁ କିମ୍ବା ବିଦେଶରେ ସୋନୁ ସବୁବେଳେ ତାଙ୍କ ପାଖରେ ଛାଇ ପରି ରହିଥାନ୍ତି । ବିରାଟ ଓ ଅନୁଷ୍କା ସୋନୁଙ୍କୁ ମୋଟା ଅଙ୍କର ଦରମା ଦେଇଥାନ୍ତି । ସୋନୁଙ୍କୁ ବିରାଟ-ଅନୁଷ୍କା ବର୍ଷକୁ ୧.୨ କୋଟି ଟଙ୍କା ଦେଇଥାନ୍ତି । ଏତିକି ଟଙ୍କା କିଛି କମ୍ପାନୀର ସିଇଓ ମଧ୍ୟ ପାଉନାହାନ୍ତି ଯେତିକି ଟଙ୍କା ପାଉଛନ୍ତି ବିରୁଷ୍କାଙ୍କ ବଡିଗାର୍ଡ । ଅନୁଷ୍କା ଶର୍ମା ତାଙ୍କ ବଡିଗାର୍ଡଙ୍କ ଜନ୍ମଦିନ ମଧ୍ୟ ପ୍ରତିବର୍ଷ ପାଳନ କରିଥାନ୍ତି । ଅନୁଷ୍କା ଶର୍ମା ସୋନୁଙ୍କୁ ତାଙ୍କ ପରିବାରର ସଦସ୍ୟ ପରି ଭାବନ୍ତି । ବିରାଟ କୋହଲିଙ୍କୁ ମଧ୍ୟ ସିକ୍ୟୁରିଟି ଦେଇଥାନ୍ତି ସୋନୁ ।

ଆଫସ୍ପାକୁ ନେଇ ଅମିତ ଶାହାଙ୍କ ମିଥ୍ୟା ବିବୃତିକୁ ବିରୋଧ; ନାଗାଲାଣ୍ଡରେ ତେଜିଲା ଆଫସ୍ପା ହଟାଅ ଆନ୍ଦୋଳନ

କୋହିମା: ବିବାଦୀୟ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ ବା ଆଫସ୍ପା ବିରୋଧରେ ନାଗାଲାଣ୍ଡରେ ବିଦ୍ରୋହ । ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ମିଥ୍ୟା ବିବୃତି ଦେଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକ । ନିଜର ମିଥ୍ୟା ବୟାନ ଯୋଗୁ କେନ୍ଦ୍ର ଗୃହମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ । ସଂସଦରେ ପୁଣି ଥରେ ଗୃହମନ୍ତ୍ରୀ ସଂଶୋଧିତ ବୟାନ ଦେବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି । ମନ୍ ଜିଲ୍ଲାରେ କୋନ୍ୟକ ୟୁନିଅନ ପକ୍ଷରୁ ଡାକରା ଦିଆଯାଇଥିବା ଏହି ରାଲିରେ ଆବାଳ ବୃଦ୍ଧବନୀତା ସାମିଲ ହୋଇଥିଲେ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ୟୁନିଅନ ଉପସଭାପତି ହୋନାଙ୍ଗ କୋନ୍ୟକ କହିଛନ୍ତି ସେମାନେ ନ୍ୟାୟ ଚାହିଁଛନ୍ତି । ସେମାନେ କାହାର ଦୟାର ପାତ୍ର ନୁହନ୍ତି । କେନ୍ଦ୍ର ନିକଟରେ ଉପସ୍ଥାପିତ କରାଯାଇଥିବା ଦାବି ପୂରଣ  ହୋଇନାହିଁ । ଯେ ପର୍ଯ୍ୟନ୍ତ ଏହି ଦାବି ପୂରଣ ହୋଇନାହିଁ ସେଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ସେ କହିଛନ୍ତି । ସେପଟେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ରାଜ୍ୟରେ ଆଫସ୍ପାକୁ ହଟାଇ ଦିଆଯିବ ବୋଲି ଘୋଷଣା କରିଛି ମଣିପୁର କଂଗ୍ରେସ । ଏନେଇ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ରିଲିଜ ହେଲା ‘ଭୋକ’

ଭୁବନେଶ୍ବର: କରୋନା ମହାମାରୀ କାଳରେ ଭୋକ ଉପାସରେ ଦିନ କାଟିଥିବା ଗରିବ ଖଟିଖିଆର ନିଚ୍ଛକ କାହାଣୀକୁ ନେଇ ନିର୍ମାଣ ହୋଇଛି କଳାତ୍ମର ଚଳଚ୍ଚିତ୍ର ‘ଭୋକ’ । ଜ୍ୟୋତି ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାରେ ରହିଛି ସାଧାରଣ ମଣିଷର ବାସ୍ତବ ଜୀବନର କଥା ।

କରୋନା କାଳରେ ସୁରଟରେ ଚାକିରି ହରାଇଥିବା ଜଣେ ପ୍ରବାସୀ ଓଡ଼ିଆର ପରିବାର ଖାଇବା ନପାଇ କିପରି ସାମାଜିକ ଯନ୍ତ୍ରଣାରେ ଛଟପଟ ହୋଇଛି ତାହାକୁ ଚଳଚ୍ଚିତ୍ରରେ ଅତି ନିଖୁଣ ଭାବେ ଚିତ୍ରଣ କରାଯାଇଛି । ଦର୍ଶକ ଦେଖିବା ପାଇଁ ପିଲ୍ମରେ ରହିଛି ଅନେକ ବାସ୍ତବଧର୍ମୀ ଚିତ୍ର ଆଉ ସଙ୍ଗୀତ । ଓଡ଼ିଆ ଦର୍ଶକ ନିଚ୍ଛକ କାହାଣୀକୁ ଅତୀତରେ ବହୁତ ଭଲପାଇବା ଦେଇଛନ୍ତି । ତେଣୁ ଏହି ପିଲ୍ମକୁ ଗ୍ରହଣ କରିବା ସହିତ ଅନେକ ଭଲପାଇବା ଦେବେ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ ।

ମୃତ୍ୟୁର ନୂଆ ଠିକଣା ‘ରେଳ ଧାରଣା’

ଭୁବନେଶ୍ବର: ଭାରତୀୟ ଗମନାଗମନର ମୁଖ୍ୟ ମାଧ୍ୟମ ହେଉଛି ରେଳ । ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଯାତାୟତ ପାଇଁ ରେଳ ଉପରେ ନର୍ଭର କରିଥାନ୍ତି । ଦୁର୍ଘଟଣା ଘଟି ଜୀବନ ଯିବା ଭିନ୍ନ କଥା । ହେଲେ ଦୁଃସାହସିକ ଭିଡିଓ, ଟ୍ରେନ ବଗିରେ ଷ୍ଟଣ୍ଟ ଓ ଅନ୍ୟାନ୍ୟ କାରଣ ପାଇଁ ମୃତ୍ୟୁର ଠିକଣା ପାଲଟିଛି ରାଜଧାନୀର ରେଳ ଧାରଣା । ଲିଙ୍ଗରାଜ ଷ୍ଟେସନ ରୋଡ଼ଠାରୁ ମଞ୍ଚେଶ୍ବର ମଧ୍ୟରେ ଏହି କାରଣରୁ ୫ ବର୍ଷରେ ଯାଇଛି ୩୮୨ ମୁଣ୍ଡ ।

ମରଣକୁ ଡାକୁଛି ରାଜଧାନୀର ରେଳଧାରଣା । ୫ ବର୍ଷରେ ୩୮୨ ଜଣଙ୍କ ଜୀବନ ଯାଇଥିବା ବେଳେ ରହସ୍ୟ ଘେରରେ ରହିଛି ୧୪୩ ଜଣଙ୍କ ମୃତ୍ୟୁ ଘଟଣା । ସବୁ ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଚୁପ୍ । ସ୍ବାମୀ ସ୍ତ୍ରୀ ମନୋମାଳିନ୍ୟ ହଉ ବା ପାରିବାରିକ ଅଶାନ୍ତି, ସାମାନ୍ୟ କଥାରେ ରେଳ ଧାରଣାକୁ ମୃତ୍ୟୁର ରାସ୍ତାକୁ ବାଛୁଛନ୍ତି ରାଜଧାନୀବାସୀ ।

ଆଉ କିଛି ଯୁବକ ଦୁଃସାହସିକ ଷ୍ଟଣ୍ଟ ଓ ଭିଡିଓ ବନାଇବାକୁ ଯାଇ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଟ୍ରେନ୍ ଲାଇନ କଡରେ ଛତୁ ଫୁଟିବା ଭଳି ବସ୍ତି ଗଢି ଉଠିବା ମଧ୍ୟ ଵିପଜ୍ଜନକ ସାବ୍ୟସ୍ତ ହେଉଛି । ଚଳନ୍ତା ଟ୍ରେନରୁ କୋଇଲା ଚୋରି, ଶୌଚ ହେବାକୁ ଯିବା ବେଳେ ଗଡୁଛି ମୁଣ୍ଡ । ଲିଙ୍ଗରାଜ ଷ୍ଟେସନ ରୋଡ଼ରୁ ମଞ୍ଚେଶ୍ବର ମଧ୍ୟରେ ୧୧ଟି ସ୍ଥାନକୁ ବ୍ଲାକସ୍ପଟ୍ ଚିହ୍ନଟ କରାଯାଇଛି ।

ଗମ୍ଭୀର ବିଷୟ ହେଉଛି ଏହି ୫ ବର୍ଷ ମଧ୍ୟରେ ୧୪୩ ଜଣଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ରେଳଧାରଣାକୁ ଫିଙ୍ଗା ଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜିଆରପି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସୁଛି । ହତ୍ୟା ପ୍ରମାଣ ମିଳିଲେ ମଧ୍ୟ ଅଭିଯୁକ୍ତ ପାଖରେ ପହଞ୍ଚି ପାରୁନାହିଁ ପୋଲିସ୍ । ଅନ୍ୟ କେତେକ କ୍ଷେତ୍ରରେ କମିଶନରେଟ ପୋଲିସ ଅନ୍ତର୍ଗତ ବିଭିନ୍ନ ଥାନା ଓ ଜିଆରପି ମଧ୍ୟରେ ସୀମା ବିବାଦ କାରଣରୁ ଦୋଷୀକୁ ଦଣ୍ଡ ମିଳିବା ତ ଦୂରର କଥା, ଖଣ୍ଡ ବିଖଣ୍ଡିତ ଶବ ମଧ୍ୟ ରେଳ ଧାରଣାରୁ ଉଠିପାରୁନାହିଁ ।

ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରଶାସନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ଏହାର ଚତୁଃପାର୍ଶ୍ଵ କିଭଳି ଅପରାଧ ମୁକ୍ତ ରହିବ, ସେ ନେଇ ଚିନ୍ତାର ସମୟ ଆସିଛି ।

କୋହଲିଙ୍କ ବିନା ଭାରତ ଏସିଆ କପ୍ ଜିତିଥିଲା: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଆରମ୍ଭ ହେବାକୁ ଯାଉଛି ରୋହିତ ଯୁଗ । ଗତ ବୁଧବାର ଦିନିକିଆରେ ବିରାଟ କୋହଲିଙ୍କ ପରିବର୍ତ୍ତେ ରୋହିତ ଶର୍ମାଙ୍କୁ ମିଳିଛି ଅଧିନାୟକ ଦାୟିତ୍ୱ । ଟି-୨୦ ଅଧିନାୟକ ପଦ ପୂର୍ବରୁ ଛାଡି ସାରିଥିଲେ ବିରାଟ । ଏବେ କେବଳ ଟେଷ୍ଟ କ୍ରିକେଟରେ ଭାରତର ନେତୃତ୍ୱ ନେଉଛନ୍ତି ବିରାଟ କୋହଲି । ଟି-୨୦ରେ ଅଧିନାୟକ ପଦ ଛାଡିବା ପରେ ବିରାଟ କୋହଲି କହିଥିଲେ କି ସେ ଟେଷ୍ଟ ଓ ଦିନିକିଆରେ ଅଧିନାୟକତ୍ୱ ଜାରି ରଖିବେ । କିନ୍ତୁ ବିସିସିଆଇ ସୀମିତ ଓଭର କ୍ରିକେଟରେ ଦୁଇ ଜଣ ଅଧିନାୟକଙ୍କୁ ରଖିବା ସପକ୍ଷରେ ନଥିଲେ ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି କି ଟି-୨୦ରୁ ଅଧିନାୟକ ପଦ ନ ଛାଡିବା ପାଇଁ ଆମେ ବିରାଟ କୋହଲିଙ୍କୁ ଅନୁରୋଧ କରିଥିଲୁ । କିନ୍ତୁ ବିରାଟ ଟି-୨୦ରୁ ଅଧିନାୟକ ପଦ ଛାଡିଥିଲେ । ଗାଙ୍ଗୁଲି ରୋହିତଙ୍କ ଅଧିନାୟକତ୍ୱ ଦକ୍ଷତା ନେଇ ମଧ୍ୟ କହିଛନ୍ତି । ଗାଙ୍ଗୁଲି କହିଛନ୍ତି ଅଧିନାୟକ ଭାବରେ ରୋହିତ ଶର୍ମାଙ୍କ ଦମଦାର ରେକର୍ଡ ରହିଛି । ଯେଉଁଥି ପାଇଁ ରୋହିତ ଶର୍ମାଙ୍କୁ ଚୟନ କର୍ତ୍ତା ଦିନିକିଆରେ ଅଧିନାୟକ ପଦରେ ନିଯୁକ୍ତି ଦେଇଛନ୍ତି । ଗାଙ୍ଗୁଲି ଆହୁରି କହିଛନ୍ତି କି ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମାଙ୍କ ଦମଦାର ରେକର୍ଡ ରହିଛି । ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୫ ଥର ଟ୍ରଫି ଜିତିଛି । କିଛି ବର୍ଷ ପୂର୍ବେ ରୋହିତ ଏସିଆ କପରେ ମଧ୍ୟ ଭାରତର ନେତୃତ୍ୱ ନେଇଥିଲେ ଏବଂ ଭାରତ ଏହି ଟ୍ରଫି ମଧ୍ୟ ଜିତିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲି ଖେଳୁନଥିଲେ । ବିରାଟଙ୍କ ଅନୁପସ୍ଥିତିରେ ମଧ୍ୟ ଭାରତ ଟ୍ରଫି ଜିତିଥିଲା । ତେଣୁ ରୋହିତଙ୍କ ପାଖରେ ଏବେ ଏକ ଭଲ ଟିମ୍ ରହିଛି । ଆଶା କରାଯାଉଛି କି ରୋହିତ ଏହି ଟିମକୁ ନେଇ ଆଗକୁ ଯାଇପାରିବେ ।

 

ଶବ ବ୍ୟବଚ୍ଛେଦ ଘରେ ପଶି ମୃତଦେହ ଖାଇଲା କୁକୁର

ରାଉରକେଲା: ରାଉରକେଲା ସରକାରୀ ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ । ଶବ ବ୍ୟବଚ୍ଛେଦ ଗୃହରେ ପଶି ଯୁବକଙ୍କ ମୃତଦେହ ଝୁଣି ଖାଇବା ସହ ଖଣ୍ଡିଆଲା କୁକୁର । ଏମିତି ସ୍ଥିତି ହେଲା ଯେ,  ମୃତକଙ୍କୁ ତାଙ୍କ ପରିବାର ଲୋକେ ବି ଚିହ୍ନିବା କଷ୍ଟକର ହୋଇଗଲା ।

ଏବେ ପ୍ରଶ୍ନ ଉଠୁଛି ବ୍ୟବଚ୍ଛେଦ ଗୃହକୁ କୁକୁର ପଶି ଖାଇଲା କେମିତି । ଏହାର ତଦନ୍ତ କରାଯିବା ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ରାଉରକେଲା ସହରର ଗୋପବନ୍ଧୁପାଲି ବସ୍ତିର ଦୁର୍ଗେଶ ଯାଦଵଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଗତ ୯ ତାରିଖ ତାଙ୍କ ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନା ବ୍ୟବଚ୍ଛେଦ ଗୃହରେ ରଖାଯାଇଥିଲା । ଅଭିଯୋଗ ପରେ ହସ୍ପିଟାଲ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ମାମୁଁ ଭଣଜା ପାହାଡ଼କୁ କେବେ ମିଳିବ ମାନ୍ୟତା ?

ନୟାଗଡ଼: ରାଜ୍ୟରେ ବହୁ ପର୍ଯ୍ୟଟନ ସ୍ଥଳ ରହିଛି । ଯାହା ଦେଶ, ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ନୟାଗଡ଼ ଏମିତି ଏକ ଜିଲ୍ଲା ଯେଉଁଠି ରହିଛି ଏକାଧିକ ପର୍ଯ୍ୟଟନ ସ୍ଥଳ । ଏହା ମଧ୍ୟରୁ ଗୋଟିଏ ହେଉଛି ମାମୁଁ ଭଣଜା ପାହାଡ଼ । ଏହି ପାହାଡ଼କୁ ଛୁଟି କଟାଇବାକୁ ଧାଇଁ ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ । କେବଳ ପିକନିକର ମଜା ନୁହେଁ, ପୌରାଣିକ କଥାବସ୍ତୁର ଜ୍ଞାନ ମଧ୍ୟ ଆହରଣ କରିଥାନ୍ତି । ହେଲେ ବିଡମ୍ବନା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେବାକୁ ମାମୁଁ ଭଣଜା ପାହାଡ଼କୁ ସଂଘର୍ଷ କରିବାକୁ ପଡୁଛି ।

ପ୍ରାୟ ଏକ ହଜାର ଫୁଟ ଉଚ୍ଚା । ନାଁ ମାମୁଁ ଭଣଜା ପାହାଡ । ପାହଡରେ ଶୋଭା ପାଉଛି ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି । ମନେ ପକାଉଛନ୍ତି ପୌରାଣିକ ଯୁଗର ଗାଥା । ଦ୍ରୌପଦୀଙ୍କ ସ୍ବୟଂମ୍ବର ସଭା ହେଉ କି କପିଦ୍ବଜ ରଥରେ ଭୀଷ୍ମଙ୍କ ଗର୍ବ ଗଞ୍ଜନର ଦୃଶ୍ୟ ପ୍ରତିକୃତି ଭାରତର ଐତିହ୍ୟକୁ ଜୀବନ୍ତ କରୁଛି ।

ନୟାଗଡ ଜିଲ୍ଲାର ଖଣ୍ଡପଡା ବ୍ଳକ ମର୍ଦ୍ଦରାଜପୁର ନିକଟରେ ରହିଛି ଏହି ପାହାଡ । ପାହାଡ ମୁଣ୍ଡିଆରେ ଥିବା ହନୁମାନ ହେଉଛନ୍ତି ଏଠାକାର ମୂଳ ଆରାଧ୍ୟ ଠାକୁର । ଦେବାଦେବୀଙ୍କ ପ୍ରତୀମା, ପୌରାଣିକ ଗାଥା ସହ ପ୍ରାକୃତିକ ଶୋଭାରାଜି ଟାଣି ଆଣିଥାଏ ପର୍ଯ୍ୟଟକଙ୍କୁ । ବିଶେଷ କରି ଶୀତଦିନେ ଏଠାରେ ଜମେ ପିକନିକ ପାଇଁ ଭିଡ଼ । ଏଠାରେ କିଛି ସମୟ ବିତାଇବା ସହ ପ୍ରାକୃତି ସହ ମିଶି ଯିବାକୁ ଦୂର ଦୂରାନ୍ତରୁ ଧାଇଁ ଆସିଥାନ୍ତି ପର୍ଯ୍ୟଟକ ।

ପାହାଡରେ ୧୦୮ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ପ୍ରୟାସ କରାଯାଉଛି l ନିସନ୍ତାନ ଦମ୍ପତି ପାହାଡରେ ଥିବା ଗୁମ୍ପା ଦେଇ ଗଲେ ସନ୍ତାନ ପ୍ରାପ୍ତି ହେବାର ବିଶ୍ବାସ ରହିଛି । ଏଭଳି କିଛି ବିଶ୍ବାସ ଓ ଭକ୍ତି ପାଇଁ ବର୍ଷ ତମାମ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟଙ୍କ ଭିଡ଼ି ଜମୁଛି ।

ହେଲେ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇନାହାନ୍ତି ମାମୁଁ ଭଣଜା ପାହାଡ଼ । ସରକାରଙ୍କ ତରଫରୁ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆଯିବା ସହ ଏହାର ଉନ୍ନତି ପ୍ରତି ଦୃଷ୍ଟଇ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ମାଓନେତ୍ରୀ

କୋରାପୁଟ: ପୋଲିସ୍ ଡିଜି ଅଭୟଙ୍କ ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତ ଅବସରରେ ଆତ୍ମ ସମର୍ପଣ କଲେ ମାଓନେତ୍ରୀ । ଡିଜିପିଙ୍କ କୋରାପୁଟ ଜିଲ୍ଲା ଗସ୍ତବେଳେ ସୁନାବେଡାଠାରେ ଆତ୍ମ ସମର୍ପଣ କରିଛନ୍ତି ଫୁଲବତୀ ଉସେଣ୍ଡି । କନ୍ଧମାଳ ଥାନା ଗୁମୁଡି ଗାଁର ଫୁଲବତୀ ଏସିଏମର ସଦସ୍ୟ ଥିଲେ । ରାଜ୍ୟ ସରକାରଙ୍କ  ନିୟମାନୁଯାୟୀ ଆତ୍ମ ସମର୍ପଣ ମାଓବାଦୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଡିଜିପି ।

କୋରାପୁଟ ଏସପି ବରୁଣ ଗୁଣ୍ଠପାଲି ଓ ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାଶଙ୍କୁ ଡିଜିପି ଡିସ୍କ ଆଓ୍ବାର୍ଡରେ ସମ୍ମାନୀତ କରିବା ସହ ବହୁ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ । ଆଗାମୀ ଦିନରେ ଗଞ୍ଜେଇ ଚାଷ ଓ ଚୋରାଚାଲାଣକୁ ମୂଳପୋଛ କରିବାରେ ପୋଲିସକୁ ସଫଳତା ମିଳିବ ବୋଲି ଆଶା ରଖିଥିବା କହିଛନ୍ତି ସେ ।

କୋରାପୁଟ ଜିଲ୍ଲା ଗସ୍ତ ପୂର୍ବରୁ ମାଲକାନଗିରି ଗସ୍ତ କରିଥିଲେ ଡିଜିପି । ଚିତ୍ରକୋଣ୍ଡା ଘନବେଡାରେ ନବନିର୍ମିତ ବିଏସଏଫ କ୍ୟାମ୍ପ ଶୁଭାରମ୍ଭ କରିଥିଲେ ଡିଜିପି । ଉଭୟ ଜିଲ୍ଲା ଗସ୍ତ ସମୟରେ ପୋଲିସ ଡିଜିଙ୍କ ସହ ଆଇଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିଦ୍ଦେର୍ଶକ ଲଳିତ ଦାସ, ଏଆଇଡବ୍ଲୁ ମୁଖ୍ୟ ଅନିରୁଦ୍ଧ ସିଂ ସମେତ ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାସ ଏବଂ କୋରାପୁଟ ଏସପି ବରୁଣ ଗୁଣ୍ଠପାଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।