ଶ୍ରମିକ ସାଜି ଯାଇଥିଲେ, ଶବ ହୋଇ ଫେରିଲେ

ଗଞ୍ଜାମ: ଶ୍ରମିକ ସାଜି ସୁରଟ ଯାଇଥିଲେ ଶବ ହୋଇ ସ୍ବଦେଶ ଫେରିଲେ । ହେଲେ ମୃତ୍ୟୁ ପରେ ବି ସେ ହୋଇଗଲେ ଅମର । ୫ଜଣଙ୍କୁ ନୂଆ ଜୀବନ ଦେଇ ସମସ୍ତଙ୍କ ହୃଦୟରେ ବଞ୍ଚି ରହିଛନ୍ତି ଗଞ୍ଜାମ ଅଲାଣ୍ଡି ଅଞ୍ଚଳର ସୁଶୀଲ ସାହୁ । ସୁଶୀଲ ସୁରଟରେ ଏକ କମ୍ପାନୀରେ କାମ କରୁଥିଲେ । କାମ କରୁଥିବା ସମୟରେ ହଠାତ ସେ ଟଳିପଡିଥିଲେ । ପରେ ଡାକ୍ତରଖାନାରେ ସୁଶୀଲଙ୍କର ବ୍ରେନ୍ ଡେଡ୍ ହୋଇଯାଇଥିବା ଡାକ୍ତର କହିଥିଲେ । ୩୬ ଘଣ୍ଟା ଅବଜରଭେସନରେ ରଖିଲା ପରେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା ।

ଏହା ପରେ ସୁଶୀଲଙ୍କର ଅଙ୍ଗ ଦାନ କରିବାକୁ ପରିବାର ବର୍ଗ ନିଷ୍ପତ୍ତି ନେଇଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ସୁଶୀଲଙ୍କର ହାର୍ଟ, ଲିଭର, କିଡନୀ ବିଭିନ୍ନ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି । ଏହା ସହିତ ତାଙ୍କର ଦୁଇଟି ଆଖିକୁ ମଧ୍ୟ ଦାନ କରିଛନ୍ତି ପରିବାର ଲୋକ । ଫଳରେ ୫ଜଣ ବ୍ୟକ୍ତି ଏବେ ନୂଆ ଜୀବନ ପାଇଛନ୍ତି । ଆଉ ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି ସୁଶୀଲ । ଓଡ଼ିଶା ମୋ ପରିବାରର ସହାୟତାରେ ସୁଶୀଲଙ୍କର ମୃତଦେହକୁ ଓଡ଼ିଶା ଅଣାଯାଇଛି ।

Leave a Reply