ବୋହୂ ଡରରେ ନିର୍ବାଚନ ଲଢିଲେନି ୪ଥରର ମୁଖ୍ଯମନ୍ତ୍ରୀ

ପାଣାଜୀ: ଫେବୃଆରୀ ୧୪ରେ ପଡିବ ଭୋଟ  । ୪୦ ଆସନ ପାଇଁ ହେବ ମତଦାନ  । ଇଲେକ୍ସନ ପୂର୍ବରୁ ପାଣାଜୀରେ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ  । ଭାଜପା ଗୋଟିଚାଳନାରେ ପଛଘୁଞ୍ଚା ଦେଉଛି କଂଗ୍ରେସ । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରତାପ ସିଂ ରାଣେ ଏଥର ଲଢିବେ ନାହିଁ ନିର୍ବାଚନ । ପୂର୍ବରୁ ନିର୍ବାଚନ ଲଢିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିସାରିଥିବାବେଳେ ଶେଷ ସମୟରେ ଓହରି ଯାଇଛନ୍ତି ଏହି ବରିଷ୍ଠ ନେତା  ।  ଯେଉଁ ଆସନରୁ ଲଗାତାର ପ୍ରାର୍ଥୀ ହୋଇଆସୁଥିଲେ ପ୍ରତାପ ସିଂ, ଠିକ୍ ସେହି ଆସନରୁ ପ୍ରତାପ ସିଂଙ୍କ ବୋହୂକୁ ପ୍ରାର୍ଥୀ କରିଛି ବିଜେପି । ପୋରିଏମ ବିଧାନସଭା କ୍ଷେତ୍ରରେ ବୋହୂ ଦିବ୍ୟା ରାଣେ ପ୍ରାର୍ଥୀ ହେବାପରେ ଶ୍ୱଶୁର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛନ୍ତି  ।

ଗୋଆରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା  । ଗତବର୍ଷ ଡିସେମ୍ବରରେ ପ୍ରାର୍ଥୀ ଘୋଷଣା ହୋଇଥିଲେ  । କିନ୍ତୁ ନିର୍ବାଚନର ଠିକ ଦୁଇ ସପ୍ତାହ ପୂର୍ବରୁ ମନା କରିଦେଲେ  । 87 ବର୍ଷୀୟ ପୁରୁଖା ନେତା ପ୍ରତାପ ସିଂ ରାଣେଙ୍କୁ ଦଳ ପୋରିଏମ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଥିଲେ  । ଗତ ସପ୍ତାହରେ ଭାଜପା ପକ୍ଷରୁ ତାଙ୍କ ବୋହୂ ଦିବ୍ୟ ବିଶ୍ୱଜିତ ରାଣେଙ୍କୁ ଟିକେଟ ଦିଆଯିବା ପରେ ପ୍ରତାପ ସିଂ ଆଉ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି  । ସେ ନିଜ ବୋହୂଙ୍କୁ ଡରି ପ୍ରତିଦ୍ୱନ୍ଦିତାରୁ ଓହରିଯାଇଥିବା କୁହାଯାଉଛି  । ପ୍ରତାପ ସିଂ ରାଣେ ପୋରିଏମ ଆସନରୁ ପ୍ରାର୍ଥୀ ହୋଇ ଆସୁଛନ୍ତି  । ଉକ୍ତ ଆସନରୁ ହିଁ ୧୧ ଥର ବିଧାୟକ ହୋଇଛନ୍ତି ପ୍ରତାପ ସିଂ ରାଣେ  । ଏମିତିକି କେବେ ମଧ୍ୟ ସେହି ଆସନରୁ ପରାଜିତ ହୋଇନାହାଁନ୍ତି ପ୍ରତାପ ସିଂ ରାଣେ  ।

ପ୍ରତାପ ସିଂ ରାଣେଙ୍କ ପୁଅ ବିଶ୍ୱଜିତ ରାଣେ ହେଉଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ କ୍ୟାବିନେଟ୍ ମନ୍ତ୍ରୀ  । ପୂର୍ବରୁ କଂଗ୍ରେସରେ ଥିବା ପୁଅ ବିଶ୍ୱଜିତ ୨୦୧୭ ମସିହାରେ ବିଜେପି ଶିବିରରେ ଶରଣ ପସିଥିଲେ  । ୧୯୮୭ ମସିହାରୁ ୨୦୦୭ ମସିହା ମଧ୍ୟରେ ୪ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପ୍ରତାପ ସିଂ ରାଣେ  । ସେପଟେ ଏଥର ମଧ୍ୟ ନିର୍ବାଚନ ଲଢିବା ନେଇ ଘୋଷଣା କରିଥିଲେ ପ୍ରତାପ ସିଂ  । ୪୫ ବର୍ଷ ଧରି ପୋରିଏମ ଆସନକୁ ନିଜ ହାତରେ ରଖୁଥିବା ନେତା ଏବେ ବୋହୂ ପାଇଁ ନିର୍ବାଚନରୁ ଓହରିଯାଇଛନ୍ତି  । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତି ଦଳକୁ ନିରାଶ କରିଥିବା କହିଛନ୍ତି ବରିଷ୍ଠ ନେତା ପି. ଚିଦାମ୍ବରମ  । ଯଦି ପ୍ରତାପ ସିଂ ପ୍ରାର୍ଥୀ ହେବେ ନାହିଁ ତେବେ ଜଣେ ଦକ୍ଷ ଓ ଅଭିଜ୍ଞତା ସମ୍ପନ୍ନ ନେତାଙ୍କ ନାମ ଦଳକୁ ଦିଅନ୍ତୁ ବୋଲି ସେ କହିଛନ୍ତି  । ତେବେ ପୋରିଏମରୁ ଏଥର ବୋହୂ ଦିବ୍ୟା ରାଣେକୁ ବାଟ ଛାଡିବା ପରେ କଂଗ୍ରେସର ସ୍ଥିତି କଣ ହେଉଛି, ତାହା 10 ମାର୍ଚ୍ଚରେ ହିଁ ଜଣା ପଡିବ  ।

 

Leave a Reply