ଓ୍ୱାର୍ଣ୍ଣରଙ୍କଠାରୁ ଆୟରଙ୍କ ପର୍ଯ୍ୟନ୍ତ, ଆଇପିଏଲ ନିଲାମରେ ମାଲାମାଲ ହୋଇପାରନ୍ତି ଏହି ଖେଳାଳି…

1 min read

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ । ଆଇପିଏଲ ସିଜିନ୍-୧୫ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି ବିସିସିଆଇ । ଚଳିତ ଆଇପିଏଲରେ ଆଉ ଦୁଇଟି ନୂଆ ଟିମ୍ ଯୋଡି ହୋଇଛି । ଅର୍ଥାତ ଆଇପିଏଲ ସିଜିନ-୧୫ରେ ୧୦ଟି ଟିମ୍ ଖେଳିବ । ଚଳିତ ବର୍ଷ ମେଗା ଅକ୍ସନ ଫେବ୍ରୁଆରୀ ୧୨ ଓ ୧୩ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ । ଅର୍ଥାତ ଆଇପିଏଲ-୨୦୨୨ ପାଇଁ ହେବାକୁ ଥିବା ମେଗା ନିଲାମକୁ ଆଉ କିଛି ଦିନ ବାକି ରହିଛି । ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମ୍ ସେମାନଙ୍କ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ଆଇପିଏଲରେ ଦୁଇଟି ନୂଆ ଟିମ୍ ସେମାନଙ୍କ ଡ୍ରାଫ୍ଟ ଖେଳାଳିଙ୍କ ନାଁ ଘୋଷଣା କରିବା ପରେ ମେଗା ନିଲାମରେ ଅନେକ ବଡ଼ ବଡ଼ ଖେଳାଳିଙ୍କ ଉପରେ ଫ୍ରାଞ୍ଚାଇଜଙ୍କ ନଜର ରହିଛି । ତେବେ ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ବିଷୟରେ ଯାହାଙ୍କ ଉପରେ ଚଳିତ ମେଗା ନିଲାମରେ ହୋଇପାରେ ଟଙ୍କା ବର୍ଷା…

ଡେଭିଡ ଓ୍ୱାର୍ଣ୍ଣର

ଫେବ୍ରୁଆରୀ ୧୨ ଓ ୧୩ରେ ହେବାକୁ ଥିବା ମେଗା ନିଲାମରେ ସମସ୍ତ ଫ୍ୟାନଙ୍କ ନଜର ରହିବ ଅଷ୍ଟ୍ରେଲିଆ ଓପନର ବ୍ୟାଟ୍ସମ୍ୟାନ ଡେଭିଡ ଓ୍ୱାର୍ଣ୍ଣରଙ୍କ ଉପରେ । ଓ୍ୱାର୍ଣ୍ଣରଙ୍କୁ ଗତ ବର୍ଷ ସନ ରାଇଜର୍ସ ହାଇଦ୍ରାବାଦ ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପ୍ରଥମେ ତାଙ୍କୁ ଅଧିନାୟକ ପଦରୁ ହଟାଇଥିଲେ ଏବଂ ପରେ ତାଙ୍କୁ ହାଇଦ୍ରାବାଦ ଦଳରୁ ରିଲିଜ୍ କରିଦେଇଥିଲେ । ତିନି ଥର ଅରେଞ୍ଜ କ୍ୟାପ ବିଜେତା ଓ୍ୱାର୍ଣ୍ଣର ଆଇପିଏଲ ଇତିହାସରେ ସବୁଠାରୁ ସଫଳତମ ବ୍ୟାଟ୍ସମ୍ୟାନ ମଧ୍ୟରୁ ଅନ୍ୟତମ ଅଟନ୍ତି । ଏଥିସହ ହାଇଦ୍ରାବାଦ ଓ୍ୱାର୍ଣ୍ଣରଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଥିଲା । ଏପରିସ୍ଥିତିରେ ଚଳିତ ମେଗା ଅକ୍ସନରେ ଓ୍ୱାର୍ଣ୍ଣରଙ୍କ ଉପରେ ସର୍ବାଧିକ ଟଙ୍କାର ବିଡିଂ ହୋଇପାରେ ।

ଶ୍ରେୟସ ଆୟର

ଆଇପିଏଲ ମେଗା ନିଲାମ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଶ୍ରେୟସ ଆୟରଙ୍କୁ ଦଳରୁ ରିଲିଜ୍ କରିଦେଇଛି । ଆଇପିଏଲ ସିଜିନ-୧୫ରେ କିଛି ଟିମ୍ ଅଛନ୍ତି ଯିଏକି ନୂଆ ଅଧିନାୟକ କରିବାକୁ ଚାହୁଁଛନ୍ତି । ଏପରିସ୍ଥିତିରେ ଶ୍ରେୟସ ଆୟର ସେହି ଦଳ ପାଇଁ ଏକ ବଡ଼ ବିକଳ୍ପ ହୋଇପାରେ । ଆଇପିଏଲରେ ଅଧିନାୟକ ଭାବରେ ଶ୍ରେୟସଙ୍କର ଭଲ ଅଭିଜ୍ଞତା ମଧ୍ୟ ରହିଛି । ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦୨୦ରେ ହୋଇଥିବା ଆଇପିଏଲରେ ଉପ ବିଜେତା ହୋଇଥିଲା ।

ହର୍ଷଲ ପଟେଲ

ହର୍ଷଲ ପଟେଲ ବିଗତ ୧୦ ବର୍ଷ ହେବ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ ଖେଳୁଛନ୍ତି । କିନ୍ତୁ ୨୦୨୧ ଆଇପିଏଲ ସିଜିନ୍ ତାଙ୍କ ପାଇଁ ବହୁତ ଖାସ୍ ରହିଥିଲା । କାହିଁକି ନା ୨୦୨୧ ସିଜିନରେ ହର୍ଷଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ପାଇଁ ଦମଦାର ବୋଲିଂ କରିଥିଲେ । ତେବେ ଫେବ୍ରୁଆରୀ ୧୨ ଓ ୧୩ରେ ହେବାକୁ ଥିବା ମେଗା ନିଲାମରେ RCB ତାଙ୍କୁ ଦଳକୁ ନେବା ପାଇଁ ମୋଟା ଅଙ୍କରେ ଟଙ୍କା ଖର୍ଚ୍ଚ କରି ପାରନ୍ତି । RCB ବ୍ୟତୀତ ଅନ୍ୟ ଟିମ୍ ମଧ୍ୟ ତାଙ୍କୁ ଦଳରେ ସାମିଲ କରିବା ପାଇଁ ଚେଷ୍ଟା କରିବେ ।

ଆଭେଶ ଖାନ

୨୦୨୧ ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଶାନଦାର ବୋଲିଂ ପ୍ରଦର୍ଶନ କରିଥିଲେ ଯୁବ ଦ୍ରୁତ ବୋଲର ଆଭେଶ ଖାନ । ସେ ତାଙ୍କ ବୋଲିଂରେ ଓ୍ୱିକେଟ ନେବା କ୍ଷମତାକୁ ମଧ୍ୟ ବୃଦ୍ଧି କରିଥିଲେ ଯାହା ଫଳରେ ଗତ ସିଜିନରେ ବେଶ୍ ସଫଳ ହୋଇଥିଲେ ଆଭେଶ । ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୬ଟି ମ୍ୟାଚ ଖେଳି ୨୪ ଓ୍ୱିକେଟ ଅକ୍ତିଆର କରିଥିଲେ । ତେଣୁ ଚଳିତ ମେଗା ଅକ୍ସନରେ ତାଙ୍କୁ ନିଜ ଦଳକୁ ନେବା ପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ଚେଷ୍ଟା କରିବେ । ଯାହା ଫଳରେ ଚଳିତ ଅକ୍ସନରେ ଆଭେଶଙ୍କ ଉପରେ ହୋଇପାରେ ଟଙ୍କା ବର୍ଷା ।

କେଏସ ଭରତ

କେଏସ ଭରତ ଗତ ଆଇପିଏଲ ସିଜିନରେ ଏକ ପ୍ରତିଭାଶାଳୀ ଖେଳାଳି ଭାବରେ ସାମ୍ନାକୁ ଆସିଥିଲେ । ଦୁବାଇରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚର ଶେଷ ବଲରେ ଛକା ମାରି RCBକୁ ଶାନଦାର ବିଜୟ ଭେଟି ଦେଇଥିଲେ । ବ୍ୟାଟିଂ ସହ ଭରତ ତାଙ୍କ ଓ୍ୱିକେଟ କିପିଂ କ୍ଷମତାରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଗତ ସିଜିନରେ ଦମଦାର ପ୍ରଦର୍ଶନ ଫଳରେ ଚଳିତ ନିଲାମରେ ତାଙ୍କୁ କିଛି ଫ୍ରାଞ୍ଚାଇଜ୍ କିଣିବା ପାଇଁ ଆଗ୍ରହ ଦେଖାଇପାରନ୍ତି ।

ଦେବିଦତ୍ତ ପାଡ଼ିକଲ

୨୦୨୦ରେ ଆଇପିଏଲରେ ପଦାର୍ପଣ କରିଥିବା ଦେବିଦତ୍ତ ପାଡିକଲ RCB ପାଇଁ ଗତ ଦୁଇ ସିଜିନରେ ଭଲ ପ୍ରଦର୍ଶନ କରିଥିଲେ । ଆଇପିଏଲ ୨୦୨୧ ସିଜିନରେ ଦେବିଦତ୍ତ RCB ପାଇଁ ସର୍ବାଧିକ ରନ କରିବାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ତାଙ୍କୁ ନିଲାମ ପୂର୍ବରୁ RCB ରିଲିଜ୍ କରିଦେଇଥିଲା । ତେବେ ମେଗା ଅକ୍ସନରେ ତାଙ୍କୁ ଦଳରେ ନେବା ପାଇଁ କିଛି ଟିମ୍ ଚେଷ୍ଟା କରିପାରନ୍ତି ।

ଡାନିଏଲ ସାମ୍ସ

ଅଷ୍ଟ୍ରେଲିଆ ଅଲରାଉଣ୍ଡର ଡାନିଏଲ ସାମ୍ସ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୨୦୨୦ରେ ପଦାର୍ପଣ କରିଥିଲେ । କିନ୍ତୁ ଗତ ବର୍ଷ ସେ ଦିଲ୍ଲୀ ଛାଡି RCBରେ ଯୋଗ ଦେଇଥିଲେ । ଗତ ବର୍ଷ ଆଇପିଏଲରେ ସାମ୍ସ ମାତ୍ର ଦୁଇଟି ମ୍ୟାଚ ଖେଳିଥିଲେ । କିନ୍ତୁ ଏବେ ଅଷ୍ଟ୍ରେଲିଆରେ ହେଉଥିବା ବିଗ୍ ବାସ୍ ଲିଗରେ ଦମଦାର ପ୍ରଦର୍ଶନ କରିଛନ୍ତି । ସାମ୍ସଙ୍କ ଅଲରାଉଣ୍ଡର କ୍ଷମତାକୁ ଦୃଷ୍ଟିରେ ରଖି ତାଙ୍କୁ କିଛି ଫ୍ରାଞ୍ଚାଇଜ୍ ତାଙ୍କ ଦଳରେ ନେବାକୁ ଚେଷ୍ଟା କରିପାରନ୍ତି । ଯାହା ଫଳରେ ଚଳିତ ମେଗା ଅକ୍ସନରେ ତାଙ୍କ ଉପରେ ଟଙ୍କା ବର୍ଷା ହୋଇପାରେ ।

Leave a Reply