spot_img
Home Blog Page 4798

ଓମିକ୍ରନ୍ ଆତଙ୍କ: ବ୍ରିଟେନରେ ହୋଇପାରେ ୭୫ ହଜାର ମୃତ୍ୟୁ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ସାରା ବିଶ୍ୱରେ ଦିନକୁ ଦିନ ବୃଦ୍ଧି ପାଉଛି । ସର୍ବାଧିକ ଥର ମ୍ୟୁଟେସନ ହୋଇଥିବା କରୋନାର ଏହି ଷ୍ଟ୍ରେନକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳାଇଛି ଓମିକ୍ରନ୍ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ଭାରିଆଣ୍ଟ ଅଫ୍ କନର୍ସନ ବୋଲି ଘୋଷଣା କରିଛି । କରୋନାର ନୂଆ ଭାରିଆଣ୍ଟକୁ ନେଇ UK ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି କି ଏହି ଭାରିଆଣ୍ଟ ଆଗାମୀ ଦିନରେ UK ପାଇଁ ଏକ ବଡ଼ ବିପଦ ଆଣିପାରେ ।

ବ୍ରିଟେନରେ ନୂଆ ଭାରିଆଣ୍ଟ ଅତି ଭୟଙ୍କର ସ୍ଥିତି ଆଣିପାରେ ବୋଲି ଆଶଙ୍କା କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଆଗାମୀ କିଛି ମାସ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ହସ୍ପିଟାଲରେ ଭର୍ତ୍ତି ହେବା ଆକ୍ରାନ୍ତଙ୍କ ସଂଖ୍ୟା ବି ବୃଦ୍ଧି ପାଇବ ବୋଲି ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ ମେଡିସିନ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣା ପଡ଼ିଛି । ସ୍ଥିତି ବିଗିଡ଼ିବା ପୂର୍ବରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆସନ୍ତା ଏପ୍ରିଲ ସୁଦ୍ଧା ଓମିକ୍ରନ୍ ଭାରିଆଣ୍ଟ ମୃତକଙ୍କ ସଂଖ୍ୟା ୨୫ରୁ ୭୫ହଜାର ଛୁଇଁପାରେ ବୋଲି ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ ମେଡିସିନ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି ।

ଅନ୍ୟଦେଶ ତୁଳନାରେ ବ୍ରିଟେନରେ ଓମିକ୍ରନ ଭରିଆଣ୍ଟ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ବ୍ରିଟେନରେ ପ୍ରତିଦିନ ୬ ଶହରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ଅଧ୍ୟୟନରୁ ଜଣା ପଡ଼ିଛି କି ଇଂଲଣ୍ଡରେ ଓମିକ୍ରନର B.1.1.1.529 କାରଣରୁ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯଦି ଏହାକୁ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଯାଏ ତାହାଲେ ସ୍ଥିତି ବିଗିଡିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଦକ୍ଷିଣ ଆଫ୍ରିକା ଓ UKର ଡାଟା ଅନୁସାରେ ଏହି ଭାରିଆଣ୍ଟ ଛୋଟ ପିଲାଙ୍କ ପାଇଁ ଅଧିକ ବିପଦ ଆଣିପାରେ ।

ଏହି ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାରା ବିଶ୍ୱକୁ ସତର୍କ କରାଇ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ଲୋକମାନଙ୍କୁ ସଂକ୍ରମିତ କରୁଛି । ଏଥି ସହ ଟିକାର ପ୍ରଭାବକୁ ମଧ୍ୟ କମ୍ କରୁଛି କରୋନାର ନୂଆ ଭରିଆଣ୍ଟ ଓମିକ୍ରନ୍ ।

କାଶୀ ବିଶ୍ୱନାଥ ମନ୍ଦିରରେ ନରେନ୍ଦ୍ର ମୋଦି

0

କାଶୀ : ଧାର୍ମିକ ଏବଂ ସାଂସ୍କୃତିକସ୍ଥଳ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ବିଶ୍ୱନାଥ କରିଡରର ଉଦଘାଟନ ନିମନ୍ତେ ବାରଣାସୀ ଗସ୍ତ କରିଥିବା ଦେଖାଯାଇଛି । ଏୟାରପୋର୍ଟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋଦିଙ୍କୁ ସ୍ୱାଗତ ଜଣାଇବା ସହ ଦୀର୍ଘ ୫ ସ୍କୋୟାରଫୁଟର କାଶୀଧାମ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ୨୩ ଟି ଛୋଟ ବଡ଼ ଅଟ୍ଟାଳିକା ଏବଂ ୨୭ ଟି ମନ୍ଦିର ବିଶିଷ୍ଟ ଏହି କରିଡରର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କରିଡର ୫୦ ହଜାର ବର୍ଗ ମିଟର ପରିସର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହାକୁ ୩ ଭାଗରେ ବିଭକ୍ତ କରାଯାଇଛି । ଏଠାରେ ୪ଟି ବଡ଼ ପ୍ରବେଶ ଦ୍ୱାର ଥିବା ବେଳେ ୨୨ଟି ଶିଳାଲେଖ ନିର୍ମାଣ କରାଯାଇଛି ଯେଉଁଥିରେ କାଶୀଧାମର ମହିମା ଉଲ୍ଲେଖ ଅଛି ।

ପ୍ରଧାନମନ୍ତ୍ରୀ କାଶୀସ୍ଥିତ ଲଳିତ ଘାଟରେ ପହଞ୍ଚି ଗେରୁଆ ବସ୍ତ୍ର ଧାରଣ କରି ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇଥିଲେ । ଏହାପରେ କାଶୀଧାମସ୍ଥିତ ବାବା ବିଶ୍ୱନାଥଙ୍କ ଜଳାଭିଷେକ ନିମିତ୍ତ ଗଙ୍ଗାଜଳ ସଂଗ୍ରହ କରିଥିବା ସୂଚନା ମିଳିଛି । ବାବା ବିଶ୍ୱନାଥଙ୍କ ଜଳାଭିଷେକ ପରେ କରିଡରର ଶୁଭାରମ୍ଭ କରାଯିବ । କରିଡର ପାଇଁ ପ୍ରଥମ ପର୍ଯ୍ୟାୟରେ ୩ ଶହ ୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୋଦିଙ୍କ ଆଗମନ ପାଇଁ କେନ୍ଦ୍ର ସରକାର ଏବଂ ୟୁପି ସରକାର ବିଶାଳ ଆୟୋଜନ କରିଥିବାର ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବିଜେପି ଶାସିତ ରାଜ୍ୟର ୧୨ ଜଣ ମୁଖ୍ୟମନ୍ତ୍ରୀ ଏବଂ ୯ ଜଣ ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି ।

ପଞ୍ଚାୟତ ନିର୍ବାଚନ ପାଇଁ ଚଳିତ ମାସ ଶେଷକୁ ତାରିଖ ଘୋଷଣା

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ଚଳିତ ମାସ ଶେଷ ସପ୍ତାହରେ ଘୋଷଣା ହେବ ତାରିଖ । ଆଉ ୩ ଦିନ ପରେ ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ପାଖାପାଖି ୬ ହଜାର ୭୯୪ ସରପଞ୍ଚ ଓ ସମିତି ସଭ୍ୟ, ୯୨ ହଜାର ୱାର୍ଡ ମେମ୍ବର, ୮୫୩ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ହେବ ନିର୍ବାଚନ ।

ରାଜ୍ୟ ନିର୍ବାଚନ କମିଶନ ଚଳିତ ବର୍ଷ ୱାର୍ଡ ସଦସ୍ୟଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଦସ୍ୟଙ୍କ ପର୍ଯ୍ୟନ୍ତ ଖର୍ଚ୍ଚ ସୀମା ବୃଦ୍ଧି କରିଛନ୍ତି । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହୋଇଥିବା ସମସ୍ତ ନୂଆ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ୍ କରାଯାଇଛି । ଆସନ୍ତା ନିର୍ବାଚନରେ ଅଧାରୁ ଅଧିକ ସରପଞ୍ଚ ହେବେ ମହିଳା । ମୋଟ ଆସନ ମଧ୍ୟରୁ ୩ ହଜାର ୫ ଶହ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆବର୍ଗ ମହିଳାଙ୍କ ପାଇଁ ୪୨୯ଟି ଆସନ ସଂରକ୍ଷିତ ଥିବା ବେଳେ, ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ୫୨୫ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୭୬ ଆସନ ସଂରକ୍ଷିତ ରହଛି ।

ଏହା ସହିତ ୧୧୭୦ଟି ଆସନ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ସମିତି ସଭ୍ୟ ପ୍ରାର୍ଥୀ ପାଇଁ ୩ ହଜାର ୫୩୮ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଜିଲ୍ଲା ପରିଷଦରେ ୪୩୩ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । ଏଥିପାଇଁ ତିନି ଦଳ ଆରମ୍ଭ କରିଛନ୍ତି ସଜବାଜ ।

ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷା ପାଇଁ ମାଗଣା କୋଚିଂ

ଭୁବନେଶ୍ୱର: ରାଜ୍ୟ ସରକାର ଯୋଗାଇବେ ମାଗଣା ପ୍ରିଶକ୍ଷଣ । ୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ । ଏକାଦଶ ଶ୍ରେଣୀର ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ବିଦ୍ୟାର୍ଥୀଙ୍କୁ ଏହି ପ୍ରଶିକ୍ଷଣ ମିଳିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ(ନିଟ୍‌), ଆଇଆଇଟି, ଜେଇଇ(ଇଞ୍ଜିନିୟରିଂ) ଓ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପ୍ରବେଶିକା ପରୀକ୍ଷାରେ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଦିଆଯିବ । ଏଥିପାଇଁ ଆସନ୍ତା ୧୫ ତାରିଖରୁ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିପାରିବେ । unacadiy.com/scholarship/odisha-scholarship-test ରେ ଲଗଇନ୍‌ କରି ନାମ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରିବା ପରେ ପ୍ରଶିକ୍ଷଣ ପାଇଁ ମନୋନୟନ କରାଯିବ ।

Odisha To Provide Free Coaching To Students For National Entrance Exam

ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାର ୫୦% ମାର୍କ ଏବଂ ହେବାକୁ ଥିବା ପ୍ରବେଶିକାର ୫୦% ମାର୍କକୁ ବିଚାରକୁ ନେଇ ଯୋଗ୍ୟତା ଭିତ୍ତିରେ ବିଦ୍ୟାର୍ଥୀ ମନୋନୟନ କରାଯିବ । ପ୍ରଶିକ୍ଷଣ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ଜାନୁଆରୀ ୧୫ ତାରିଖ ଦିନ ୧୧ଟାରେ ପରୀକ୍ଷା ହେବ ।

ଅର୍ଥାଭାବ ଯୋଗୁଁ ମେଡିକାଲ ଓ ଇଞ୍ଜିନିୟରିଂ ଭଳି ଶିକ୍ଷାରୁ ଗରିବ ମେଧାବୀ ଛାତ୍ରଛାତ୍ରୀ ବଞ୍ଚିତ ନହେବେ ସେଥିପ୍ରତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଧ୍ୟାନ ଦିଆଯାଉଛି । ଦେଶର ଅଗ୍ରଣୀ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା ଅନ୍‌ ଏକାଡେମୀ ଏହି ପ୍ରଶିକ୍ଷଣ ଦେବ । ଅଭିଭାବକଙ୍କର ବାର୍ଷିକ ୬ ଲକ୍ଷରୁ କମ୍‌ ରୋଜଗାର ଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ । +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ସୁଯୋଗ ମିଳିବ । ୩୦ ଜିଲ୍ଲାରେ ୨୦୨୧-୨୨ ଶିକ୍ଷାବର୍ଷରେ ମୋଟ ୧ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ମୋଟ ୩ ହଜାର ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀ ପ୍ରଶିକ୍ଷଣ ନ ନେଲେ ଅପେକ୍ଷା ତାଲିକାରେ ଥିବା ପ୍ରାର୍ଥୀଙ୍କୁ ଦିଆଯିବ ।

WHOର ସତର୍କବାଣୀ: ଦ୍ରୁତ ଗତିରେ ମାଡୁଛି ଓମିକ୍ରନ୍, କମୁଛି ଭ୍ୟାକ୍ସିନ ପ୍ରଭାବ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ବିଶ୍ୱ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିଛି । ଭାରତରେ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାରତରେ ଏପର୍ଯ୍ୟନ୍ତ ୩୮ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇସାରିଛନ୍ତି । ଏସବୁ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ ହେଉଛି ବୋଲି ସତର୍କ କରିଛି । ଏହା ସହିତ ଓମିକ୍ରନ ଫଳରେ ଯେଉଁମାନେ ଟିକା ନେଇଥିବେ ବ୍ୟକ୍ତିଙ୍କ ମଧ୍ୟରେ ଟିକାର ପ୍ରଭାବ ମଧ୍ୟ କମିଛି ।

ଭାରତରେ ଆତଙ୍କ ଖେଳାଇଥିବା କରୋନାର ଡେଲଟା ଭାରିଆଣ୍ଟ ପୂରା ବିଶ୍ୱରେ ଭୟ ସୃଷ୍ଟି କରିଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କି ଡେଲଟା ଭାରିଆଣ୍ଟଠାରୁ କମ୍ କ୍ଷତିକାରକ ଓମିକ୍ରନ୍ ଭାରିଆଣ୍ଟ । ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ଓମିକ୍ରନ ଭାରିଆଣ୍ଟ ଭୟ ଫଳରେ କିଛି ଦେଶ ଆଫ୍ରିକାର ଦେଶ ଉପରେ ଯାତ୍ରାର  ପ୍ରତିବନ୍ଧତା ଲଗାଇଛି ।

More 7 Omicron Variant Detected In Maharastra

ଡିସେମ୍ବର ୯ରେ ସୁଦ୍ଧା ୬୩ ଦେଶରେ ଓମିକ୍ରନ୍ ପହଞ୍ଚିସାରିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । WHO ଆହୁରି କହିଛି କି ଯେଉଁ ଲୋକମାନେ କରୋନାର ଦୁଇଟି ଡୋଜ ଟିକା ନେଇଥିବେ ସେମାନେ ମଧ୍ୟ ଓମିକ୍ରନ ଦ୍ୱାରା ସଂକ୍ରମିତ ହେଉଛନ୍ତି । ଗୋଷ୍ଠୀ ସଂକ୍ରମଣ କଥା ଯଦି କହିବା ତାହାଲେ ଏହା ଡେଲଟା ଭାରିଆଣ୍ଟଠାରୁ ଦ୍ରୁତ ଗତିରେ ଲୋକମାନଙ୍କୁ ସଂକ୍ରମିତ କରୁଛି ଓମିକ୍ରନ୍ ।

୪ ଦିନ ହେଲା ସୁମିତଙ୍କୁ ଖୋଜି ଖୋଜି ତପସ୍ୱିନୀ ନୟାନ୍ତ

ଆସିକା: କୁଆଡ଼େ ଗଲେ ସୁମିତ୍ ? ଆଉ ୭ ଦିନ ଲାଗି ତପସ୍ୱିନୀଙ୍କ ସହ ଏକାଠି ରହିବା ନେଇ କୋର୍ଟଙ୍କ ରାୟ ପରଠାରୁ ସୁମିତ୍ ନାହାଁନ୍ତି । କେଉଁ ଆଡ଼େ ଯାଇଛନ୍ତି ସେନେଇ ତପସ୍ୱିନୀଙ୍କ ପାଖରେ କିଛି ଖୋଜ୍ ଖବର ନାହିଁ । ସୁମିତଙ୍କ ଫୋନ୍ ବି ଲାଗୁନି । ସବୁଆଡ଼ୁ ନିରାଶ ହେବା ପରେ ତପସ୍ୱିନୀ ଓରଫ ଡିମ୍ପଲ ପୁଣି କୋର୍ଟକୁ ବାହାରିଛନ୍ତି ଅଭିଯୋଗ କରିବା ପାଇଁ ।

Brahmapur Bride Tapaswini Again In SDJM Court

ପୂର୍ବରୁ ସ୍ୱାମୀ ନିଖୋଜ ନେଇ ତପସ୍ୱିନୀ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ଅନ୍ୟପଟେ ସୁମିତଙ୍କ ଓକିଲ କହିଛନ୍ତି ସେ ତାଙ୍କ ସାଙ୍ଗ ଘରେ ଅସୁସ୍ଥତା ଯୋଗୁଁ ଅଛନ୍ତି । ହେଲେ ଏନେଇ ସୁମିତଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ କି ସେ କାହା ନଜରକୁ ଆସୁ ନାହାଁନ୍ତି । ୪ ଦିନ ହେଲା ସ୍ୱାମୀଙ୍କ ଖୋଜ ଖବର ନାହିଁ, ଫଳରେ ପୁଣି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ । ନ୍ୟାୟ ମିଳିବା ଯାଏ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ସେ ।

ପ୍ରଥମ ପର୍ଯ୍ୟାୟରେ ସ୍ୱାମୀ, ସ୍ତ୍ରୀଙ୍କୁ ଏକାଠି ପୋଲିସ ହେପାଜତରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆସିକା ଚିନିକଳ ଅତିଥି ଭବନରେ ସୁମିତ୍, ତପସ୍ୱିନୀ ଏକାଠି ରହିବା ପରେ କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ ଥାନା ଅଧିକାରୀ । ଏହା ପରେ ଦମ୍ପତିଙ୍କୁ ଭଡ଼ା ଘରେ ୭ ଦିନ ରହିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ, କୋର୍ଟଙ୍କ ନିର୍ଦ୍ଦେଶ ପରଦିନ ଠାରୁ ସୁମିତଙ୍କ କୌଣସି ଖୋଜ ଖବର ନାହିଁ ।

ଛେଳି ଚରାଉଥିବା ବେଳେ ନାବାଳିକାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ, ଛେଚା ଖାଇଲେ ଯୁବକ

ଭବାନୀପାଟଣା: ଛେଳି ଚରାଉଥିବା ବେଳେ ନାବାଳିକାଙ୍କୁ ଅପହରଣ ଅଭିଯୋଗ । ଯୁବକଙ୍କୁ ଧରି ଛେଚିଲେ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ନାବାଳିକା ଅପହରଣ ଅଭିଯୋଗରେ ଜଣେ କ୍ରସର କର୍ମଚାରୀଙ୍କୁ ଅଟକ ରଖିଛି ବିଶ୍ୱନାଥପୁର ପୋଲିସ । ଜଣେ ୧୧ ବର୍ଷିଆ ନାବାଳିକା ଆଜି ନିଜ ଗାଁ ନିକଟରେ ଛେଳି ଚରାଉଥିଲେ । ସେହି ସମୟରେ ପୋଖରୀବନ୍ଧସ୍ଥିତ ରାଧେଶ୍ୟାମ ଅଗ୍ରୱାଲଙ୍କ ଷ୍ଟୋନ୍ କ୍ରସରର ଜଣେ କର୍ମଚାରୀ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

Villagers Beaten Youth In Kalahandi In Attempt To Kidnap Minor Girl

ଚିତ୍କାର ଶୁଣି ପାଖ ଜଙ୍ଗଲରେ କାଠ କାଟୁଥିବା ନାବାଳିକାର ବାପା ପହଞ୍ଚି ଅଭିଯୁକ୍ତ ବିହାର ରାଜ୍ୟର ବୁଧାମ ସାହାଣୀକୁ ଧରିଥିଲେ । ପରେ ଗାଁ ଲୋକଙ୍କୁ ଡାକ ପକାଇ ବୁଧାମଙ୍କୁ ନିର୍ଧୁମ୍ ମାଡ଼ ମାରିବା ସହ ବିଶ୍ୱନାଥପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଲୋକଙ୍କ କବଳରୁ ବୁଧାମକୁ ଉଦ୍ଧାର କରିଛି । ନାବାଳିକାଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ କରୁଛି ।

ସିଲଭର ସିଟିରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

କଟକ: ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହେଲା ସିଲଭର ସିଟି । କଟକରେ ଲେଖା ହେଲା ସେବା ଆଉ ବିକାଶର ନୂଆ କାହାଣୀ । ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସକେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଜିଲ୍ଲାର ୧୮ ଲକ୍ଷ ଲୋକ ଉପକୃତ ହେବେ । ଜିଲ୍ଲା ପାଇଁ ୧୫୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

CM Naveen Distribute BSKY Card In Cuttack

ସବୁକ୍ଷେତ୍ରରେ କଟକର ସ୍ୱତନ୍ତ୍ରତା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବାକୁ କାମ ଚାଲିଛି । ଖୁବଶୀଘ୍ର ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଷ୍ଟୋନ୍ ହେବ ଏସସିବି । କଟକବାସୀଙ୍କ ପ୍ରିୟ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ଲାଇବ୍ରେରୀକୁ ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ସ୍ଥାପନ କରାଯିବ । ଏହାକୁ ଷ୍ଟେଟ ଅଫ ଦ୍ ଆର୍ଟ ଲାଇବ୍ରେରୀର ମାନ୍ୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

WHOର ସତର୍କବାଣୀ; ଜାନୁଆରିରେ ଆସିବ ବଡ଼ ପ୍ରବାହ

ନୂଆଦିଲ୍ଲୀ: ସାରା ବିଶ୍ବକୁ କବଳିତ କରିବ ଓମିକ୍ରନ । ସାରା ଦେଶକୁ ବ୍ୟାପିଯିବ କରୋନାର ଏହି ନୂଆ ଭ୍ୟାରିଆଣ୍ଟ । ଏହି ଭ୍ୟାରିଆଣ୍ଟ ଯୋଗୁ ୟୁକେରେ ଜାନୁଆରିରେ ଏକ ବଡ ଲହର ଆସିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ଦଳ ଆଶଙ୍କା କରିଛନ୍ତି  । ସେପଟେ ଅତ୍ୟଧିକ ସଂକ୍ରାମକ କାରଣରୁ ଏହି ଭାରିଆଣ୍ଟକୁ ନେଇ ସତର୍କ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏବେ ସୁଦ୍ଧା ୫୯ ଦେଶକୁ ବ୍ୟାପି ସାରିଥିବା ଓମିକ୍ରନ୍ ପାଇଁ ପୁଣି ଲକଡାଉନ୍ ଓ ସଟଡାଉନ୍ ଭଳି ସ୍ଥିତି ଫେରିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ।

ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ସ୍ପେଶାଲ କିଟ୍ ପ୍ରସ୍ତୁତ କରିଛି ICMR । ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି କିଟ୍ ବଜାରରେ ଉପଲବ୍ଧ ହୋଇପାରେ । ଏହା‌ ସାହାଯ୍ୟରେ ମାତ୍ର ୨ଘଣ୍ଟାରେ ଓମିକ୍ରନ ଷ୍ଟ୍ରେନ୍‌ ଠାବ କରାଯାଇପାରିବ । ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଭାରତର ୮ଟି ରାଜ୍ୟରେ ପହଞ୍ଚି ସାରିଲାଣି କରୋନାର ସୁପର ମ୍ୟୁଟାଣ୍ଟ ଓମିକ୍ରନ୍‌ । ମହାରାଷ୍ଟ୍ର, ରାଜସ୍ଥାନ, ଦିଲ୍ଲୀ, କେରଳ, ଗୁଜରାଟ ଓ କର୍ଣ୍ଣାଟକ ପରେ ଚଣ୍ଡିଗଡ଼ ଓ ଆନ୍ଧ୍ରରେ ଚିହ୍ନଟ ହୋଇଛି ଓମିକ୍ରନ୍ । ଏବେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । ଗତକାଲି କେରଳ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, କର୍ଣ୍ଣାଟକ ଓ ନାଗପୁରରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗୋଟିଏ ଦିନରେ ଓମିକ୍ରନ୍ ପଜିଟିଭ୍ ଓ ନେଗେଟିଭ୍

ନୂଆଦିଲ୍ଲୀ: ଓମିକ୍ରନ୍ ସଂକ୍ରମଣକୁ ନେଇ ପ୍ରଶ୍ନ । ଜଣେ ବ୍ୟକ୍ତି ଓମିକ୍ରନ୍ ପଜିଟିଭ ଚିହ୍ନଟ ହେବା ଏବଂ ସେହିଦିନ ସେ କୋଭିଡ-୧୯ ନେଗେଟିଭ ପ୍ରମାଣିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ ନଭେମ୍ବର ୨୨ ତାରିଖରେ ଇଟାଲୀରୁ ଫେରିଥିଲେ ଚଣ୍ଡୀଗଡର ଜଣେ ୨୦ ବର୍ଷ ବୟସ୍କ ଯୁବକ । ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ଗତକାଲି ସେ ଓମିକ୍ରନ୍ ସଂକ୍ରମିତ ଥିବା ଜଣାପଡିଥିଲା । ମାତ୍ର ଗତକାଲି ବି ତାଙ୍କର ହୋଇଥିଲା କୋଭିଡ ଟେଷ୍ଟ । ଆଶ୍ଚର୍ଯ୍ୟର କଥା ସେ କୋଭିଡ ନେଗେଟିଭ ଥିବା ପ୍ରମାଣିତ ହୋଇଥିଲା । ସେ ଫାଇଜରର ସମ୍ପୂର୍ଣ୍ଣ ଡୋଜ ନେଇଥିଲେ ବି ସଂକ୍ରମିତ ହୋଇଥିଲେ ।

ସେହିପରି ଆର୍ୟଲାଣ୍ଡରୁ ଆନ୍ଧ୍ରପ୍ରଦେଶକୁ ଆସିଥିବା ଜଣେ ୩୪ ବର୍ଷ ବୟସ୍କ ଯୁବକ ଓମିକ୍ରନ ସଂକ୍ରମିତ ଥିଲେ । ପରେ ତାଙ୍କର ଟେଷ୍ଟ ହେବା ପରେ ସେ କୋଭିଡ ନେଗେଟିଭ ଥିବା ଜଣାପଡିଥିଲା । ସେପଟେ ଓମିକ୍ରନକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି କି ଏହି ଭାରିଆଣ୍ଟ ଟିକାର ପ୍ରଭାବ ହ୍ରାସ କରିଥାଏ ଏବଂ ଡେଲଟା ତୁଳନାରେ ଅଧିକ ସଂକ୍ରମିତ ହୋଇଥାଏ । ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲଟା ଯେଉଁ ବେଗରେ ସାରା ବିଶ୍ବକୁ ଖେଳିଗଲା ତାହାଠାରୁ ଅଧିକ ବେଗରେ ଓମିକ୍ରନ ସଂକ୍ରମଣ ସୃଷ୍ଟି କରିବ ବୋଲି ସଂଗଠନ ଚେତାବନୀ ଦେଇଛି । ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା ଓମିକ୍ରନର ଇତିମଧ୍ୟରେ ଅନେକ ମ୍ୟୁଟେସନ ଘଟିଥିବା କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ୬୩ ଦେଶକୁ ଓମିକ୍ରନ୍ ବ୍ୟାପିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସୂଚନା ଦେଇଛି ।