ପୂର୍ବ ଓ ଉତ୍ତର ଆମେରିକାରେ ବରଫ ରଚିଲା ତାଣ୍ଡବ, ପ୍ରଭାବିତ ହେଲେ ୭ କୋଟି ଲୋକ

ଓ୍ୱାସିଂଟନ: ଆମେରିକାରେ ଭୟଙ୍କର ବରଫ ତାଣ୍ଡବ । ବରଫ ଝଡ଼ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୂର୍ବ ଓ ଉତ୍ତର ଆମେରିକାର ଝଡରେ ପ୍ରଭାବିତ ହୋଇଛନ୍ତି ପ୍ରାୟ ୭ କୋଟି ଲୋକ । ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ଏହି ବରଫ ଝଡ଼ ଯୋଗୁ ବିଭିନ୍ନ ସ୍ଥାନରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ଘଣ୍ଟା ପ୍ରତି ୧୨୮ରୁ ୧୯୩ କିଲୋମିଟର ବେଗରେ ବରଫ ଝଡ଼ ପ୍ରବାହିତ ହେବାର ଆଶଙ୍କା ରହିଛି ବୋଲି ସତର୍କ କରିଛି ପାଣିପାଗ ବିଭାଗ । ଏହି ଝଡ ଯୋଗୁ ଭୟଙ୍କର ଥଣ୍ଡା ଅନୁଭୂତ ହେବା ସହ ଅନେକ କ୍ଷତି ଘଟାଇବା ଆଶଙ୍କା କରାଯାଉଛି ।

ପ୍ରତି ଏକ ଘଣ୍ଟାରେ ଚାରି ଇଞ୍ଚର ବରଫ ଆସ୍ତରଣ ସୃଷ୍ଟି ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ୪ ହଜାରରୁ ଅଧିକ ବିମାନ ବାତିଲ ହୋଇଥିବାବେଳେ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଥିବା ସୂଚନା ମିଳିଛି । ଲକ୍ଷାଧିକ ଘରକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ପରିବହନ ବ୍ୟବସ୍ଥା ମଧ୍ୟ ଠପ୍  ହୋଇଯାଇଛି । ନ୍ୟୁୟର୍କ ଓ ବୋଷ୍ଟନରେ ସ୍ଥିତି ସାଂଘାତିକ ହୋଇଛି । ଏହା ଏକ ବରଫଝଡ ନୁହେଁ ବରଂ ବରଫ ବୋମାର ଘୂର୍ଣ୍ଣିଝଡ଼ ବୋଲି କହିଛି ଜାତୀୟ ପାଣିପାଗ ସେବା ବିଭାଗ । ପ୍ରାୟ ସମସ୍ତ ଉପକୂଳ ଅଞ୍ଚଳରେ ଏକ ଫୁଟ ବହଳର ବରଫ ଆସ୍ତରଣ ସୃଷ୍ଟି ହୋଇଥିବାବେଳେ ମାସାଚୁସେଟେସରେ ୩ ଫୁଟ ବହଳର ବରଫ ଆସ୍ତରଣ ସୃଷ୍ଟି ହୋଇଛି । ଫ୍ଲୋରିଡାରେ ବି ସ୍ଥିତି ସାଂଘାତିକ  ହୋଇଛି । ବରଫ ଝଡ଼ ଯୋଗୁ ଲୋକେ ଘରୁ ପଦାକୁ ବାହାରିବା ସମ୍ଭବ ହୋଇପାରୁନାହିଁ । ଘରୁ ପଦାକୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଥିବାବେଳେ ମନହଟ୍ଟନ ଅନ୍ତର୍ଗତ ଲଙ୍ଗ ଆଇଲାଣ୍ଡରେ ଏକ କାର୍ ଭିତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

 

ବରଫ ଝଡ ଫଳରେ ରେଳଲାଇନ ପୋତି ହୋଇଯିବା ଯୋଗୁ ଟ୍ରେନ ଚଳାଚଳ ବାତିଲ ହୋଇଛି । ବିଭିନ୍ନ ସ୍ଥାନରେ ବରଫ ସଫେଇ ଅଭିଯାନ ଜାରି ରହିଥିବା ସତ୍ତ୍ୱେ ବାରମ୍ବାର ବରଫ ଝଡ଼ ଅତି ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ଭୟଙ୍କର ବରଫ ଝଡ ଫଳରେ ନ୍ୟୁୟର୍କ, ବୋଷ୍ଟନ ଓ ନ୍ୟୁଜର୍ସିରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିବା ବେଳେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ।

Leave a Reply