spot_img
Home Blog Page 4797

ଅଧିନାୟକ ହେବା ପରେ ପ୍ରଥମ ଥର ମୁହଁ ଖୋଲିଲେ ରୋହିତ, ବିରାଟଙ୍କୁ ନେଇ କହିଲେ ଏମିତି କିଛି…

ନୂଆଦିଲ୍ଲୀ: ଗତ ବୁଧବାର ବିସିସିଆଇ ଏକ ବଡ଼ ନିଷ୍ପତି ନେଇଛି । ଭାରତୀୟ କ୍ରିକେଟ ଦଳର ଦିନିକିଆ ଅଧିନାୟକ ପଦରୁ ବିରାଟ କୋହଲିଙ୍କୁ ବାହାର କରି ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବରେ ନିଯୁକ୍ତି କରିଛି । ଚଳିତ ବର୍ଷ ଦୁବାଇରେ ହୋଇଥିବା ଟି-୨୦ ବିଶ୍ୱକପ ପୂର୍ବରୁ ବିରାଟ କୋହଲି ଘୋଷଣା କରିଥିଲେ କି ସେ ଟି-୨୦ ବିଶ୍ୱକପ ପରେ ଟି-୨୦ରେ ଆଉ ଅଧିନାୟକତ୍ୱ କରିବେ ନାହିଁ। ଟି-୨୦ରୁ ଅଧିନାୟକ ପଦ ଛାଡିବା ପରେ ଏବେ ଦିନିକିଆରୁ ମଧ୍ୟ ଯାଇଛି ବିରାଟଙ୍କ ଅଧିନାୟକ ପଦ । ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତଠାରୁ ଦିନିକିଆରେ ଅଧିନାୟକତ୍ୱ ଭାର ତୁଲାଇବେ ରୋହିତ ଶର୍ମା ।

ରୋହିତ ଶର୍ମା ଅଧିନାୟକ ହେବା ପରେ ପ୍ରଥମ ଥର ପାଇଁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ମୁହଁ ଖୋଲିଛନ୍ତି । ରୋହିତ ଶର୍ମା ବିଶ୍ୱକପ, ରାହୁଲ ଦ୍ରାବିଡ ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ନୂଆ କରି ଅଧିନାୟକ ହୋଇଥିବା ରୋହିତ ବିରାଟଙ୍କୁ ପ୍ରଶଂସା କରିବା ସହ ବ୍ୟାଟ୍ସମ୍ୟାନ ଭାବରେ ଦଳରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କହିଛନ୍ତି । BCCIକୁ ଦେଇଥିବା ସାକ୍ଷାତକାରରେ ରୋହିତ କହିଥିଲେ କି ବିରାଟ ଚତ୍ମକାର ଭାବରେ ୫ ବର୍ଷ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ବିରାଟ ଭାରତୀୟ ଦଳକୁ ଯେଉଁଠାରେ ପହଞ୍ଚାଇଛନ୍ତି ସେଠାରୁ ଆଉ ଦଳ ପଛକୁ ଫେରିବ ନାହିଁ । କୋହଲିଙ୍କ ନେତୃତ୍ୱରେ ଦଳରେ ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା ତାହା ହେଉଛି କିପରି ବିଜୟ ଲାଭ କରାଯିବ ।

ଅଧିନାୟକ ରୋହିତ ଶର୍ମା କହିଛନ୍ତି କି ମୁଁ ବିରାଟ କୋହଲିଙ୍କ ସହ ବହୁତ କ୍ରିକେଟ ଖେଳିଛି । ଆମକୁ ଏକ ଦଳ ଭାବରେ ଆଗକୁ ବଢ଼ିବାକୁ ହେବ ଏବଂ ଉନ୍ନତି ମଧ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି ରୋହିତ ଶର୍ମା । ଟି-୨୦ରେ ଅଧିନାୟକ ପଦ ପାଇବା ପରେ ମଧ୍ୟ ରୋହିତ ଶର୍ମା ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ କି ବିରାଟ କୋହଲି ବିଶ୍ୱର ସବୁଠାରୁ ଭଲ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ । କେବଳ ଜଣେ ଭଲ ବ୍ୟାଟ୍ସମ୍ୟାନ ନୁହଁ ଜଣେ ଭଲ ଲିଡର ମଧ୍ୟ । ବ୍ୟାଟ୍ସମ୍ୟାନ ଭାବରେ ଭାରତୀୟ ଦଳ ପାଇଁ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ରୋହିତ ଶର୍ମା ।

କରିନା କପୁରଙ୍କୁ କରୋନା, ସୁପରସ୍ପେଡର ଆଶଙ୍କା

ମୁମ୍ବାଇ: ସାରା ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ଏବେ କରୋନାରେ ସଂକ୍ରମିତ ହେଲେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଗତ କିଛି ଦିନ ତଳେ ସାଉଥ୍ ଆକ୍ଟର କମଲ ହାସନ୍ କରୋନା ପଜିଟିଭ୍ ହୋଇଥିବା ବେଳେ ଏବେ ବଲିଉଡ ବେବୋ କରିନା କରୋନା ପଜିଟିଭ୍ । କରୋନାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ତାଙ୍କ ବ୍ୟତୀତ ଅଭିନେତ୍ରୀ ଅମୃତା ଅରୋରା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି

ଦୁଇ ଦିନ ତଳେ କରିନା ଭଉଣୀ କରିସ୍ମା କପୁରଙ୍କ ସହ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ ଫିଲ୍ମକଭି ଖୁସି କଭି ଗମ୍‌’ ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ପାର୍ଟି ଆୟୋଜନ କରାଯାଇଥିଲା କରିନା ଏବଂ କରିସ୍ମାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଆରଟିପିସି ପରୀକ୍ଷା କରିବା ପାଇଁ ବିଏମସି ଆଦେଶ ଦେଇଛି । କରିନା କରୋନା ପଜିଟିଭ୍ ହୋଇଥିବା ନେଇ ଏଏନଆଇ ସୂଚନା ଦେଇଛି ।

କରିନା କପୁର ଏବଂ ଅମୃତା ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବା ସମସ୍ତେ ଜାଣନ୍ତି । ନିକଟରେ ଉଭୟେ କରଣ ଜୋହରଙ୍କ ଏହି ପାର୍ଟିର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ବେଳେ ଉଭୟେ ଆୟୋଜିତ ପାର୍ଟିରେ କରୋନା ନିୟମ ଉଲଙ୍ଘନ କରିଥିବା କଥା ସୂଚନା ମିଳିଛି । କେବଳ ଏତିକି ନୁହେଁ ଉଭୟ ସୁପରସ୍ପେଡର ହେବାର ଆଶଙ୍କା ରହିଥିବା କୁହାଯାଉଛି ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

0

ଭୁବନେଶ୍ୱର: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ସ୍ଥଗିତାଦେଶ । ହାଇକୋର୍ଟ ଏହି ସ୍ଥଗିତାଦେଶ ଜାରି କରିଛନ୍ତି । ଆସନ୍ତାକାଲି ଏହି ପୁରସ୍କାର ପ୍ରଦାନ କରାଯିବାର ଥିଲା । ପୁରସ୍କାର ଚୟନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ପୁରସ୍କାର ପ୍ରଦାନ ପାଇଁ ପୁନର୍ବିଚାର ଓ ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ୨୭ଟି ଯାକ ବର୍ଗରେ ପୁରସ୍କାର ଚୟନର ପୁନର୍ବିଚାର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ପୁରସ୍କାର ଚୟନ ଉପରେ ଅସନ୍ତୋଷ ପ୍ରକାଶ କରି ଛବିରାଣୀ ଫିଲ୍ମର ନିର୍ଦ୍ଦେଶକ ବବି ଇସଲାମ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଆସନ୍ତା ଜାନୁଆରୀ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଚଳିତ ବର୍ଷ ଘୋଷଣା ହୋଇଥିବା ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାରକୁ ନେଇ କଳାକାର ସଂଘ ଓ ନିର୍ଦ୍ଦେଶକ, ପ୍ରଯୋଜକମାନଙ୍କ ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଚଳଚ୍ଚିତ୍ର ‘ଛବିରାଣୀ’ଟିମ୍‌ କଟକ ଠାରେ ପୁରସ୍କାରକୁ ନେଇ ବର୍ଷିଥିଲାବେଳେ ପୁଣି ଭୁବନେଶ୍ୱର ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ପୁରସ୍କାର ମନୋନୟନରେ ଜୁରୀମାନେ ପାତରଅନ୍ତର ଓ ପକ୍ଷପାତିତା କରିଥିବା ଅଭିଯୋଗ କରିଥିଲେ ।

ସିଧାସଳଖ ଜଣେ ଜୁରୀଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରିଥିଲେ । ଚଳଚ୍ଚିତ୍ର ନିର୍ମାଣରେ ତାଙ୍କ ୟୁନିଟ୍‌ର ସହାୟତା ନନେବାରୁ ସେ ରାଗ ରଖି ଏଭଳି କରିଛନ୍ତି ବୋଲି କହିଥିଲେ । ତେଣୁ ଏହାର ଏକ ନିରପେକ୍ଷ ତଦନ୍ତ ହେବା ଦରକାର । ପୂରା ପ୍ରକିୟାକୁ ବାତିଲ କରାଯାଇ ଆଉଥରେ ପୁରସ୍କାର ଚୟନ କରାଯାଉ ବୋଲି ଅଭିଯୋଗ ହୋଇଥିଲା ।

ଚିତ୍ତ ରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ: କହିଲେ, ଧାର ଟଙ୍କାକୁ ନେଇ ହତ୍ୟାକାଣ୍ଡ

ପୁରୀ: ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ତା’ର ବନ୍ଧୁ ଜଗାକୁ ଦାୟୀ କରାଯାଇଛି  । ୫ ମାସ ତଳେ ଚିତ୍ତଙ୍କ ବାହାଘର ହୋଇଥିଲା । ପରିବାରର ଅଭିଯୋଗ ଅନୁଯାୟୀ, ଚିତ୍ତଙ୍କଠାରୁ ଜଗା କିଛି ଅର୍ଥ ଧାର୍‌ ନେଇଥିଲା । ଧାର୍‌ ଅର୍ଥ ଫେରାଇବା ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳରୁ ଚିତ୍ତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି  । ଗତ ଶନିବାର ଚିତ୍ତ ତାଙ୍କ ଘରୁ ଆଉ ଜଣେ ବନ୍ଧୁ ଦିଲ୍ଲୀପ ଜରିଆରେ ପ୍ୟାଣ୍ଟସାର୍ଟ ମଗାଇଥିଲେ । ସେମାନେ ଜଗା ଘରକୁ ଭୋଜି ପାଇଁ ଯାଇଥିଲେ । ଭୋଜିରେ ଚିତ୍ତଙ୍କୁ ଅତ୍ୟଧିକ ମଦ ପିଆଇ ଦିଆଯାଇଥିଲା । ପରେ ଧାର ଅର୍ଥକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଚିତ୍ତଙ୍କୁ ଜଗା ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ପରିବାର ଲେକ ଅଭିଯୋଗ କରିଛନ୍ତି  । ଚିତ୍ତଙ୍କ ମୃତ୍ୟୁ ନେଇ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଚି ହୋଇଛି । ପରିବାର ପକ୍ଷରୁ ଚିତ୍ତଙ୍କ  ହତ୍ୟାକାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ  ପୁରୀ ଏସପିଙ୍କ ପାଖରେ ଦାବି କରାଯାଇଛି ।

ଅନ୍ୟପକ୍ଷରେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା । ଚିତ୍ତରଞ୍ଜନଙ୍କ ଅକାଳ ବିୟୋଗରେ ସେ ଗଭୀର ଭାବେ ମର୍ମାହତ ହୋଇଥିବା କହିଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତଦନ୍ତ ହେଲେ ସତ୍ୟ ଉନ୍ମୋଚିତ ହେବ ବୋଲି କହିଛନ୍ତି ଶ୍ରୀ ଦାସବର୍ମା ।

ସୂଚନା ଯୋଗ୍ୟ, ସଦର ଥାନା ଗଡ଼ ମୃଗଶିରା ବ୍ରିଜ୍‌ ନିକଟ ନୂଆ ନଈପଠାରୁ ବ୍ରହ୍ମଗିରି ସାନ ବନ୍ଧକେରା ଗାଁର ୨୮ବର୍ଷୀୟ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ପୁରୀ ସଦର ଥାନାରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ପୋଲିସ । ଚିତ୍ତରଞ୍ଜନ ଗତକାଲି ତାଙ୍କର କିଛି ବନ୍ଧୁଙ୍କ ସହ ଭୋଜି କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଗଡ଼ ମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ପଡ଼ିଥିବା ବେଳେ ତାଙ୍କ ଜୋତା ଓ ମୋବାଇଲ ଇତ୍ୟାଦି ପୋଲିସ ଜଵତ କରିଛି । ପାରିପାର୍ଶ୍ୱିକ ସ୍ଥିତି ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗତ କିଛି ମାସ ତଳେ ବିବାହ କରିଥିଲେ ଚିତ୍ତରଂଜନ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିବ ।

ଏଥିସହିତ ପଢ଼ନ୍ତୁ: ୪ ଦିନ ହେଲା ସୁମିତଙ୍କୁ ଖୋଜି ଖୋଜି ତପସ୍ୱିନୀ ନୟାନ୍ତ

କ୍ଷମା ମାଗିଲା CBSE, ବିବାଦୀୟ ପ୍ରଶ୍ନରେ ମିଳିବ ଫୁଲ ମାର୍କ

ନୂଆଦିଲ୍ଲୀ: ମୁଣ୍ଡ ନୁଆଁଇଲା ସିବିଏସଇ । ଦଶମ ଶ୍ରେଣୀ ପରୀକ୍ଷାରେ ବିବାଦୀୟ ପ୍ରସଙ୍ଗକୁ ନେଇ ତମ୍ବିତୋଫାନ ସୃଷ୍ଟି ହେବା ପରେ ଏହି ପ୍ରଶ୍ନକୁ ହଟାଇଛି ସିବିଏସଇ । ବୋର୍ଡ ପକ୍ଷରୁ ଏହି ନାରୀ ବିଦ୍ବେଷୀ ପ୍ରସଙ୍ଗକୁ ହଟାଇ ଦିଆଯାଇଥିବାବେଳେ ଏହି ପ୍ରଶ୍ନରେ ଫୁଲ୍ ମାର୍କ ସମସ୍ତ ପିଲାଙ୍କୁ ଦିଆଯିବ ବୋଲି କହିଛି ସିବିଏସଇ । ଏହି ପ୍ରସଙ୍ଗକୁ ନେଇ ଆଜି ସଂସଦରେ ଝଡ ସୃଷ୍ଟି ହୋଇଥିଲା । ସରକାରଙ୍କ ନାରୀ ବିଦ୍ବେଷୀ ନୀତି ବିରୋଧରେ ଗର୍ଜିଥିଲେ କଂଗ୍ରେସ ସାଂସଦ । କଂଗ୍ରେସ, ଡିଏମକେ, ଆଇୟୁଏମଏଲ, ଏନସିପିର ଓ ନ୍ୟାସନାଲ କଂଗ୍ରେସର ସାଂସଦମାନେ ଏହି ପ୍ରସଙ୍ଗରେ ଲୋକସଭା ଅଧିବେଶନ ବର୍ଜନ କରିଥିଲେ । ଏହି ପ୍ରସଙ୍ଗ ପ୍ରଥମେ ସୋନିଆ ଗାନ୍ଧୀ ଉଠାଇବା ପରେ ଅନ୍ୟ ସାଂସଦମାନେ ଗୃହ ବର୍ଜନ କରିଥିଲେ ।

ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବି ଏହା ଏକ ଆରଏସଏସ-ବିଜେପିର କୁତ୍ସିତ ଅଭିପ୍ରାୟ ବୋଲି ଦର୍ଶାଇଥିଲେ । ପୂର୍ବରୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ପ୍ରଶ୍ନପତ୍ରରେ ଲିଙ୍ଗଗତ ସମାନତା ଉପରେ ପ୍ରଶ୍ନ ଉଠିବା ସହ ଏହା ପ୍ରତିକ୍ରିୟାଶୀଳ ଚିନ୍ତାର ଏକ ନମୁନା ବୋଲି କହିଛନ୍ତି ପ୍ରିୟଙ୍କା । ଇଂରାଜୀ ପ୍ରଶ୍ନପତ୍ରର ଏକ ଅନୁଚ୍ଛେଦରେ ରହିଛି- ମହିଳାଙ୍କୁ ଘରେ ଅଧିକ ଅଧିକାର ଦେବା ହେତୁ ପିଲାମାନେ ଖରାପ ହେଉଛନ୍ତି । କେବଳ ସ୍ୱାମୀଙ୍କ ପଥ ଗ୍ରହଣ କରି ଜଣେ ମାତା ପିଲାମାନଙ୍କ ସମ୍ମାନ ହାସଲ କରିପାରନ୍ତି । ଅନେକ ମହଲରୁ ଏହାକୁ ନେଇ ନିନ୍ଦା କରାଯାଇଥିବାବେଳେ ଏହି ମତ ନାରୀ ବିଦ୍ବେଷୀ ବୋଲି କୁହାଯାଇଛି । ପ୍ରଶ୍ନ ପତ୍ରରେ ଆହୁରି କୁହାଯାଇଛି- ଶିଶୁ ଓ ସେବକମାନଙ୍କୁ ସେମାନଙ୍କ ସ୍ଥାନ ସମ୍ପର୍କରେ ଶିକ୍ଷା ଦେବା ଆବଶ୍ୟକ । ଏହାସହ ନାରୀମାନଙ୍କୁ ଅଧିକ ସ୍ବାଧୀନତା ଦେବା ଦ୍ବାରା ସନ୍ତାନମାନଙ୍କ ଉପରେ ଥିବା ପିତାମାତାଙ୍କ କର୍ତ୍ତୃତ୍ବ ଧୂଳିସାତ୍ ହୋଇଛି ।

ଏହା ପୂର୍ବରୁ ମଧ୍ୟ ସିବିଏସଇ ଦ୍ବାଦଶ ଶ୍ରେଣୀର ସୋସିଓଲୋଜି ପେପରରେ ଏକ ଚିନ୍ତାଜନକ ପ୍ରଶ୍ନ ପକାଇଥିଲା । ସୋସିଓଲୋଜି ପେପରରେ ଆସିଥିଲା ଯେ- ୨୦୦୨ରେ ଗୁଜରାଟରେ ମୁସଲିମ ବିରୋଧୀ ହିଂସା ପଛରେ ଥିବା ଦଳର ନାଁ କ’ଣ । ଏପରି ପ୍ରଶ୍ନ ଆସିବା ପରେ ଏହାକୁ ନେଇ ସେ ସମୟରେ ବହୁ ବିବାଦ ଦେଖା ଦେଇଥିଲା । ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ପରେ ସିବିଏସଇ ପକ୍ଷରୁ ନେଇ ସ୍ପଷ୍ଟୀକରଣ ଦିଆଯାଇଥିଲା ।

 

ବିମାନରେ କାହିଁକି ଲାଗେ ବ୍ଲାକ ବକ୍ସ, ଦୁର୍ଘଟଣା ଘଟିଲେ କିପରି କରେ ସାହାଯ୍ୟ

ନୂଆଦିଲ୍ଲୀ: ବ୍ଲାକବକ୍ସ । ଏହାର ନାମ କେବଳ ବ୍ଲାକ ବକ୍ସ କିନ୍ତୁ ପ୍ରକୃତରେ ଏହା କଳା ରଙ୍ଗର ହୋଇନଥାଏ । ବ୍ଲାକ ବକ୍ସ ନାରଙ୍ଗୀ ରଙ୍ଗର ହୋଇଥାଏ । ରଙ୍ଗ ନାରଙ୍ଗୀ ହେବା ପଛର କାରଣ ହେଉଛି ଦୁର୍ଘଟଣା ପରେ ଏହାକୁ ଯେମିତି ସହଜରେ ଠାବ କରିହେବ । ତେବେ ଏହାର ନାଁ ବ୍ଲାକବକ୍ସ କାହିଁକି ରହିଲା? କାରଣ କିଛି ଲୋକଙ୍କ କହିବା ଅନୁସାରେ ଏହାର ରଙ୍ଗ ଆରମ୍ଭରୁ କଳା ରଙ୍ଗର ଥିଲା । ଆଉ କିଛି ଲୋକଙ୍କ କହିବା କଥା ଏହା ଦୁର୍ଘଟଣା ସହ ଜଡିତ ଥାଏ ତଣେୁ ଏହାକୁ ‘ବ୍ଲାକ’ ବୋଲି କୁହାଯାଇଥାଏ । ବିମାନ ଦୁର୍ଘଟଣାରେ ବହୁତ କମ୍ ଜିନିଷ ସୁରକ୍ଷିତ ରହିପାରେ । ତେଣୁ ଆମକୁ କିଛି ପ୍ରମାଣ ମିଳିପାରେ ନାହିଁ କି ଏହି ବିମାନ ଦୁର୍ଘଟଣା ପଛର କାରଣ କ’ଣ ? ଏବଂ ଭବିଷ୍ୟତରେ ଏହିପରି ଦୁର୍ଘଟଣାକୁ କିପରି ଏଡାଇ ଦିଆଯାଇପାରିବ । ତେଣୁ ବିମାନରେ ଦୁଇଟି ଜିନିଷକୁ ବହୁତ ସୁରକ୍ଷିତ ଭାବରେ ରଖାଯାଇଥାଏ । ଯେପରିକି ଏହା ଯେକୌଣସି ପରିସ୍ଥିତିରେ ନଷ୍ଟ ହେବ ନାହିଁ । ଏହି ଦୁଇଟି ଡିଭାଇସକୁ ବ୍ଲାକବକ୍ସ କୁହାଯାଇଥାଏ ।

ଏହି ଦୁଇଟି ଡିଭାଇସ୍ ମଧ୍ୟରୁ ଗୋଟିଏ ହେଉଛି FDR । ଅର୍ଥାତ ଫ୍ଲାଇଟ ଡାଟା ରେକଡର । ଏହି ଫ୍ଲାଇଟ ଡାଟା ରେକଡର ମଧ୍ୟମରେ ତମାମ ଯାନ୍ତ୍ରିକ ସୂଚନା ମିଳିଥାଏ । ଯେପରିକି ବିମାନ ଉଡୁଥିବା ସମୟରେ ଏହାର ଇଞ୍ଜିନ କିପରି କାମ କରିଥାଏ । ଏହାର ଏରିଓନିକ୍ କିପରି କାମ କରୁଛି । ବିମାନରେ କେତେ ପରିମାଣର ଇନ୍ଧନ ରହିଛି । ବିମାନର ସମସ୍ତ ଯାନ୍ତ୍ରିକ ସୂଚନା ଦେଇଥାଏ FDR । ଏହି ଦୁର୍ଘଟଣା ପାଇଲଟଙ୍କ ଭୁଲ ପାଇଁ ହୋଇଛି ନା କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ହୋଇଛି ତାହାର ସୂଚନା ମଧ୍ୟ ଦେଇଥାଏ FDR ।

FDR ମାଧ୍ୟମରେ ଜଣାପଡ଼ିଥାଏ କି ଦୁର୍ଘଟଣା ସମୟରେ ବିମାନ କେତେ ଉଚ୍ଚତାରେ ଉଡୁଥାଏ । ବିମାନର ଫ୍ଲାଇଂ ପାଥ୍ କ’ଣ ଥିଲା । ବିମାନର ଗତି କେତେ ଥିଲା । ବିମାନର ଇଞ୍ଜିନ କାମ କରୁଥିଲା କି ନାହିଁ ତାହାର ସୂଚନା ମଧ୍ୟ ଦେଇଥାଏ FDR । ଅର୍ଥାତ କିଛି ଯାନ୍ତ୍ରିକ ତ୍ରୁଟି ଥିଲେ ତାହା FDR ଦ୍ୱାରା ସହଜରେ ଜାଣିହେବ ।

ବ୍ଲାକବକ୍ସ ମଧ୍ୟରେ FDR ପରି ଆଉ ଏକ କମ୍ପୋନେଣ୍ଟ ରହିଥାଏ । ତାହା ହେଉଛି CVR । ଅର୍ଥାତ କକ୍ ପିଟ୍ ଭଏସ୍ ରେକଡର । ଏହି CVR ମାଧ୍ୟମରେ କକ୍ ପିଟ୍ ମଧ୍ୟରେ ହୋଇଥିବା ତମାତ ଆଲୋଚନାକୁ ରେକର୍ଡ କରାଯାଇଥାଏ । ଏହାସହ ବ୍ଲାକବକ୍ସରୁ ଏହା ମଧ୍ୟ ଜଣା ପଡ଼ିବ କି ଦୁର୍ଘଟଣା ସମୟରେ କକ୍ ପିଟରେ କ’ଣ ହେଉଥିଲା । ଦୁର୍ଘଟଣା ପୂର୍ବରୁ ପାଇଲଟ କ’ଣ କମାଣ୍ଡ ଦେଇଥିଲେ । ବିମାନରେ କିଛି ତ୍ରୁଟି ଆସିବା ନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ କହିଥିଲେ କି? CVRରେ ଦୁର୍ଘଟଣା ହେବାର ଦୁଇଘଣ୍ଟା ପୂର୍ବର ସମସ୍ତ କଥାବାର୍ତ୍ତାକୁ ରେକର୍ଡ କରିଥାଏ ।

ତେବେ ପ୍ରଶ୍ନ ଏବେ ଉଠୁଛି କି ଏତେ ବଡ଼ ବିମାନ ଦୁର୍ଘଟଣା ପରେ କିପରି ଏହି ବ୍ଲାକ ବକ୍ସ ସୁରକ୍ଷିତ ରହିଥାଏ । ବ୍ଲାକ ବକ୍ସ ମଧ୍ୟରେ ଥିବା ଏହି ଦୁଇଟି ଡିଭାଇସ ବିମାନର ପଛ ଭାଗରେ ଲାଗିଥାଏ । କାହିଁକି ନା ବିମାନର ପଛ ଭାଗ ସୁରକ୍ଷିତ ହୋଇଥାଏ । ବ୍ଲାକ ବକ୍ସ ତିଆରି ହିଁ ଏଥିପାଇଁ ହୋଇଛି କି ଏହା ବଡ଼ ବଡ଼ ଦୁର୍ଘଟଣାକୁ ଯେପରି ସହି ପାରିବ ।ଏହି ବକ୍ସ ଟାଇଟାନିୟମରେ ତିଆରି ହୋଇଥାଏ । ଏହି ବକ୍ସଟି ଚାରି ଲେୟାରରେ ତିଆରି ହୋଇଥାଏ । ଆଲୁମିନିୟମ, ଲୁହା, ଷ୍ଟେନଲେସ୍ ଷ୍ଟିଲ, ଟାଇଟାନିୟମରେ ଏହା ତିଆରି ହୋଇଥାଏ । ଏହି ବ୍ଲାକ ବକ୍ସ ୧ ଘଣ୍ଟା ପର୍ଯ୍ୟନ୍ତ  ୧୧ ହଜାର ଡିଗ୍ରୀ ତାପମାତ୍ରାକୁ ଏବଂ ଅତିକମରେ ୧୦ ଘଣ୍ଟା ପର୍ଯ୍ୟନ୍ତ ୨୫୦ ଡିଗ୍ରୀ ତାପମାତ୍ରା ସହିବାର କ୍ଷମତା ରଖିଥାଏ । ସମୁଦ୍ରରେ ଯଦି ବିମାନ ଦୁର୍ଘଟଣା ଘଟେ ।ତେବେ ୧୪ ହଜାର ଫୁଟ ଗଭୀରରେ ପାଣି ମଧ୍ୟରେ ଏହା ସୁରକ୍ଷିତ ରହିଥାଏ । ବ୍ଲାକ ବକ୍ସ ମଧ୍ୟରୁ ଏକ ଅଲଟ୍ରା ରେ’ ସାଉଣ୍ଡ ବାହାରି ଥାଏ । ୩୦ ଦିନ ପର୍ଯ୍ୟନ୍ତ ଏହି ସାଉଣ୍ଡ ବାହାରିଥାଏ । ଯାହା ଫଳରେ ବ୍ଲାକ ବକ୍ସ ଖୋଜିବାରେ ସହଜ ହୋଇଥାଏ ।

ଡ୍ୟାନ୍ସ ବାରର ସିକ୍ରେଟ୍ ଚାମ୍ବରରୁ ୧୭ ମହିଳା ଉଦ୍ଧାର

ମୁମ୍ୱାଇ : ମୁମ୍ୱାଇ ଅନ୍ଧେରିର ଏକ ଡ୍ୟାନ୍ସ ବାରରୁ ୧୭ ଜଣ ମହିଳା ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଏଠାରେ ଥିବା ମେକଅପ୍ ରୁମର ଏକ ସିକ୍ରେଟ୍ ଚାମ୍ବରରେ ମହିଳାଙ୍କୁ ରଖାଯାଇଥିଲା । ଦୀର୍ଘ ୧୫ ଘଣ୍ଟା ପରେ ପୋଲିସ ସମସ୍ତ ମହିଳାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ମହିଳାଙ୍କୁ ଗୋପନ ରଖାଯାଇଥିବା ସ୍ଥାନରେ ଖାଦ୍ୟପେୟର ସମସ୍ତ ସୁବିଧା କରାଯାଇଥିଲା ।

ସମାଜ ସେବା ଶାଖା ଏନଜିଓ ଜରିଆରେ ମୁମ୍ବାଇ ପୋଲିସ ନିକଟରେ ଏହି ଖବର ମିଳିଥିବା ଜଣାପଡ଼ିଛି । ବାରରେ କୋଭିଡ ନିୟମର ଉଲଙ୍ଘନ ହେଉଥିବା ବେଳେ ପ୍ରତିଦିନ ଲୋକଙ୍କ ଭିଡ଼ ଜମୁଥିବା ଏହି ଏନଜିଓ ସଂସ୍ଥା ପୋଲିସକୁ ସୂଚନା ଦେଇଥିଲେ । ସାରା ରାତି ଏହା ଖୋଲାରହୁଥିବା ବେଳେ ପୋଲିସକୁ ଏଯାଏ ଏହାର ସୁରାଖ ମିଳିନଥିଲା । ଖବର ପାଇ ଗତ ଶନିବାର ପୋଲିସ ବାରରେ ଚଢ଼ାଉ କରିଥିଲା । ଘଣ୍ଟା ଘଣ୍ଟା ଧରି ଖୋଜାଖୋଜି କରିବା ପରେ ମଧ୍ୟ ପୋଲିସ କୈାଣସି ଟେର୍ ପାଇନଥିଲା । ଏହାପରେ ପୋଲିସ ବାରର ବାଥରୁମ୍ ସମେତ ରୋଷେଇ ଘର ଓ ଷ୍ଟୋରେଜ ରୁମ୍ ଆଦି ଛାନଭିନ୍ କରିବା ପରେ ମଧ୍ୟ ପୋଲିସ ହାତରେ କିଛି ପ୍ରମାଣ ଲାଗିନଥିଲା ।

ରବିବାର ସମାଜ ସେବା ଶାଖା ଡିସିପି ଘଟଣାସ୍ଥଳରେ ପହଞ୍ଚି ପୁଣିଥରେ ଖୋଲତାଡ଼ ଆରମ୍ଭ କରିଥିଲେ । ବାରର ମେକଅପ୍ ରୁମରେ ଥିବା ଦର୍ପଣ ଉପରେ ପୋଲିସର ସନ୍ଦେହ ହୋଇଥିଲା । ହାତୁଡ଼ି ସାହାଯ୍ୟରେ ଦର୍ପଣ ଭାଙ୍ଗିବା ପରେ ଏହା ପଛରେ ରିମୋର୍ଟ ଚାଳିତ ଏକ କବାଟ ଥିବା ଦେଖିବାକୁ ମିଳିଥିଲା । କବାଟ ଖୋଲିବା ପରେ ଏଥିରୁ ୧୭ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାରେ ଜଡ଼ିତ ୨୦ ଜଣଙ୍କୁ ଗିରଫ କରାଯିବା ସହ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ପୋଲିସ ସୂଚନା ଦେଇଛି ।

ଭାରତ ଇତିହାସର କଳା ଦିନ; ଜାଣନ୍ତୁ ସଂସଦ ଆକ୍ରମଣର ଘଟଣାକ୍ରମ…

ନୂଆଦିଲ୍ଲୀ: ଡିସେମ୍ବର ୧୩, ୨୦୦୧ ମସିହା । ଭାରତ ଇତିହାସରେ ଯୋଡି ହୋଇଥିଲା ଏକ କଳା ଦିନ । ଏହି ଦିନ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ମନ୍ଦିର ସଂସଦ ଭବନ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। କେହି କିଛି ବୁଝିବା ଆଗରୁ ଗଣତନ୍ତ୍ରର ମନ୍ଦିର ଉପରେ ହୋଇଥିଲା ସବୁଠାରୁ ବଡ଼ ହମଲା । ଲସ୍କର-ଇ-ତୋଇବା ଓ ଜୈଶ-ଇ-ମହମ୍ମଦର ୫ ଜଣ ଆତଙ୍କବାଦୀ ସଂସଦ ଭବନ ଉପରେ କରିଥିଲେ ଆକ୍ରମଣ । ଏହି ଆକ୍ରମଣରେ ୯ ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା । ୯ ଜଣଙ୍କ ମଧ୍ୟରୁ ୬ ଜଣ ଦିଲ୍ଲୀ ପୋଲିସର ଥିବାବେଳେ ଦୁଇ ଜଣ ସଂସଦ ଭବନର ସିକ୍ୟୁରିଟି ଓ ଜଣେ ଥିଲେ ସଂସଦ ଭବନର ମାଳି । ସଂସଦ ଉପରେ ହୋଇଥିବା ଆକ୍ରମଣକୁ ଆଜି ପୂରିଛି ୨୦ ବର୍ଷ । ଏ ଭିତିରେ ୨୦ ବର୍ଷ ବିତି ଯାଇଛି ସତ କିନ୍ତୁ ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ଭୟଙ୍କର ଦୃଶ୍ୟ । ସଂସଦ ଭବନ ଉପରେ ଏତେ ବଡ଼ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଥିଲା ଅଫଜଲ ଗୁରୁ ।

୧୩ ଡିସେମ୍ବର ୨୦୦୧, ସମୟ  ପ୍ରାୟ ୧୧.୨୮ ମିନିଟ । ସ୍ଥାନ ସଂସଦ ଭବନ । ସଂସଦରେ ଚାଲିଥିଲା ଶୀତ ଅଧିବେସନ । କିଛି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ସଂସଦର ଉଭୟ ସଦନକୁ ୪୦ ମିନିଟ୍ ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା । ଗୃହ ମୁଲତବି ହେତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ବିରୋଧୀଦଳ ନେତ୍ରୀ ସୋନିଆ ଗାନ୍ଧୀ ଦିଲ୍ଲୀ ସ୍ଥିତ ବାସଭବନକୁ ଚାଲି ଯାଇଥିଲେ । କିନ୍ତୁ ସଂସଦରେ ଉପସ୍ଥିତ ଥିଲେ ଗୃହ ମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ । ଗୃହ ମୁଲତବି ହେତୁ କିଛି ସାଂସଦ ମଧ୍ୟ ତାଙ୍କ ବାସଭବନ ଯିବା ପାଇଁ ସଂସଦରୁ ବାହାରକୁ ଆସୁଥିଲେ । ସଂସଦରେ ଶୀତ ଅଧିବେସନ ଚାଲୁଥିବା ହେତୁ ସଂସଦ ବାହାରେ ଉପସ୍ଥିତ ଥିଲେ ତମାମ ଗଣମାଧ୍ୟମର ପ୍ରତିନିଧି ।

ସମୟ ୧୧.୨୯ ମିନିଟ । ସ୍ଥାନ ସଂସଦ ଭବନ ଗେଟ୍ ନମ୍ବର-୧୧ । ଉପରାଷ୍ଟ୍ରପତି କୃଷ୍ଣକାନ୍ତ ଶର୍ମାଙ୍କ ସୁରକ୍ଷା କର୍ମୀମାନେ କାରକେଡ ସହ ଉପରାଷ୍ଟ୍ରପତି ବାହାରକୁ ଆସିବା ପାଇଁ ଅପେକ୍ଷା କରିଥିଲେ । ଠିକ୍ ଏହି ସମୟରେ ଏକ ଧଳା ରଙ୍ଗର ଆମ୍ବାସେଡର ଦ୍ରୁତ ଗତିରେ ଉପରାଷ୍ଟ୍ରପତିଙ୍କ କାରକେଡ ଆଡକୁ ଆସୁଥିଲା । ଏହି କାର ପଛରେ ସଂସଦ ଭବନର ସିକ୍ୟୁରିଟି ଗାର୍ଡ ଜଗଦୀଶ୍ ଯାଦବ ଦୈଡୁଥିବାର ଦେଖାଯାଇଥିଲା । ଜଗଦୀଶ ଯାଦବ ଏହି କାର ପଛରେ ଏପରି ଦୈଡୁଥିବାର ଦେଖି ଉପରାଷ୍ଟ୍ରପତିଙ୍କୁ ଅପେକ୍ଷା କରିଥିବା ସୁରକ୍ଷା କର୍ମୀମାନେ ଏହି ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସୁରକ୍ଷା କର୍ମୀ କାର ପାଖକୁ ଆସୁଥିବା ଦେଖି ସନ୍ଦିଗ୍ଧ କାରକୁ ଦ୍ରୁତ ଗତିରେ ଗେଟ ନମ୍ବର ୮ ଆଡ଼କୁ ମୁହାଁଇଥିଲା । ଯାହା ଫଳରେ କାରଟି ଭାରସ୍ୟାମ ହରାଇ ଉପରାଷ୍ଟ୍ରପତିଙ୍କ କାରରେ ମାଡ ହୋଇଥିଲା । ସୁରକ୍ଷା କର୍ମୀ କାର ନିକଟରେ ପହଞ୍ଚିବା ପୂର୍ବରୁ କାରର ଚାରୋଟି ଡୋର ଏକା ସଙ୍ଗରେ ଖୋଲିଥିଲା ଏବଂ କାର ମଧ୍ୟରୁ ବାହାରିଥିଲେ ପାଞ୍ଚ ଜଣ ସଶସ୍ତ୍ର ଆତଙ୍କବାଦୀ । ଯାହାଙ୍କ ପାଖରେ ଥିଲା AK-47 ବନ୍ଧୁକ ଏବଂ କାନ୍ଧରେ ଗୋଳା ବାରୁଦରେ ପୂର୍ଣ୍ଣ ବ୍ୟାଗ । କାରରୁ ଓହ୍ଲାଇ ଆତଙ୍କବାଦୀମାନେ ଆରମ୍ଭ କରିଦେଇଥିଲେ ଆଖିବୁଜା ଗୁଳି ବର୍ଷା ।

ପ୍ରଥମ ଥର ପାଇଁ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ମନ୍ଦିରରେ ହୋଇଥିଲା ଆତଙ୍କବାଦ ଆକ୍ରମଣ । ଆତଙ୍କବାଦଙ୍କ ଆକ୍ରମଣରେ ଥରି ଉଠିଥିଲା ପୂରା ସଂସଦ ଭବନ। ଆତଙ୍କବାଦୀଙ୍କ ପ୍ରଥମ ଟାର୍ଗେଟ ହୋଇଥିଲେ ସେହି ଚାରି ଜଣ ସୁରକ୍ଷାକର୍ମୀ ଯେଉଁମାନେ ସେହି କାରକୁ ପିଛା କରୁଥିଲେ । ସଂସଦ ଭବନ ବାହାରେ ଆରମ୍ଭ ହୋଇଯାଇଥିଲା ଗୁଳି ବର୍ଷା କିନ୍ତୁ ସଂସଦ ଭବନରେ ଥିବା ସାଂସଦ ଏପର୍ଯ୍ୟନ୍ତ କିଛି ଜାଣିନଥିଲେ । କେହି ବି କେବେ ବିଶ୍ୱାସ କରିପାରୁନଥିଲେ ଯେ ସଂସଦ ଭବନରେ ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରିବ । ଗୁଳି ଶବ୍ଦ ଶୁଣି ସାଂସଦମାନେ ପ୍ରଥମେ ଏହା ବାଣ ଫୁଟୁଛି ବୋଲି ଭାବିଥିଲେ । କିନ୍ତୁ ଏହି ସମୟରେ ହଠାତ ହୋଇଥିଲା ଏକ ବଡ଼ ଧରଣର ବିସ୍ଫୋରଣ । ଯାହା ପୂରା ସଂସଦ ଭବନର ଚିତ୍ର ବଦଳାଇ ଦେଇଥିଲା ।

ସଂସଦ ଭବନର ଗେଟ ନମ୍ବର-୧୧ରେ ହେଉଥିଲା ଅନ୍ଧାଧୁନ୍ ଗୁଳି ବର୍ଷା । ସେହି ଆମ୍ବାସେଡର କାର ପାଖରେ ରହି ଆତଙ୍କବାଦୀମାନେ କରୁଥିଲେ ଆଖିବୁଜା ଗୁଳି ଚାଳନା ଓ ଗ୍ରେନେଡ ମାଡ । ସଂସଦ ଭବନରେ ଆତଙ୍କବାଦୀ ଆକ୍ରମଣ ହେବା ଖବର ଗଣମାଧ୍ୟମ ମାଧ୍ୟମରେ ବ୍ୟାପି ଯାଇଥିଲା ସାରା ଦେଶରେ। ସଂସଦ ଭବନରେ ଆତଙ୍କବାଦୀ ଆକ୍ରମଣ ହେବା ଖବର ଗୃହ ମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ପାଖରେ ମଧ୍ୟ ପହଞ୍ଚିସାରିଥିଲା । ଗେଟ ନମ୍ବର ୧୧ ପାଖରୁ ଅତ୍ୟଧିକ ଗୁଳି ବର୍ଷା ହେଉଥିବା ଜାଣିବା ପରେ ସଂସଦର ସୁରକ୍ଷାରେ ଥିବା ଦିଲ୍ଲୀ ପୋଲିସ ଏବଂ ସିଆରପିଏଫ ଯବାନ ଗେଟ୍ ନମ୍ବର ୧୧ ଆଡକୁ ଯାଇଥିଲେ । ଅନ୍ୟପଟେ ଆତଙ୍କବାଦୀମାନେ କିପରି ସଂସଦ ଭିତରକୁ ପ୍ରବେଶ ନକରିବେ ସେଥିପାଇଁ ସମସ୍ତ ପ୍ରବେଶ ପଥକୁ ବନ୍ଦ କରିବା ସୁରକ୍ଷା କର୍ମୀ ସଜାଗ ହୋଇଯାଇଥିଲେ । ସୁରକ୍ଷା କର୍ମୀ ଗେଟ୍ ନମ୍ବର-୧୧ ଆଡକୁ ଯିବା ଫଳରେ ଆତଙ୍କବାଦୀମାନେ ସେମାନଙ୍କ ସ୍ଥିତି ବଦଳାଇଥିଲେ । ୫ ଜଣଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ଗୁଳି ଚଳାଇ ଗେଟ ନମ୍ବର-୧ ଆଡକୁ ଅଗ୍ରସର ହୁଏ ଏବଂ ବାକି ଚାରି ଜଣ ଆତଙ୍କବାଦୀ ଗେଟ ନମ୍ବର ୧୨ ଆଡକୁ ଯିବା ପାଇଁ ଚେଷ୍ଟା କରନ୍ତି । ସେମାନଙ୍କ ଲକ୍ଷ୍ୟ ଥିଲା କିପରି ସଂସଦ ମଧ୍ୟରେ ପ୍ରବେଶ କରି ଅଧିକରୁ ଅଧିକ ମନ୍ତ୍ରୀ ଓ ସାଂସଦଙ୍କୁ କ୍ଷତି ପହଞ୍ଚାଇବେ । ସେମାନେ ସଂସଦରେ ପହଞ୍ଚିଯାଇଥିଲେ ସତ କିନ୍ତୁ ସଂସଦ ଭବନ ମଧ୍ୟକୁ ପ୍ରବେଶ ପଥ ସେମାନଙ୍କୁ ଜଣା ନଥିଲା । ଯାହା ଫଳରେ ସେମାନେ କେବଳ ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାର୍ଶ୍ୱକୁ ଗୁଳି ବର୍ଷା କରି ଦୈଡୁଥିଲେ ।

ଗଟେ୍ ନମ୍ବର-୧ ଆଡକୁ ଆସୁଥିବା ଜଣେ ଆତଙ୍କବାଦୀ ସଂସଦର ପ୍ରବେଶ ପଥରେ ପହଞ୍ଚି ସାରିଥିଲା । କିନ୍ତୁ ସେଠାରେ ପୂର୍ବରୁ ସଜାଗ ଥିବା ଯବାନ ତାଙ୍କୁ ଗୁଳି କରି ତଳେ ପକାଇ ଦେଇଥିଲା । କିନ୍ତୁ ଏର୍ପଯ୍ୟନ୍ତ ସେହି ଆତଙ୍କବାଦୀ ମରିନଥିଲା । ତଳେ ପଡ଼ିଥିବା ସେହି ଆତଙ୍କବାଦୀ ପାଖକୁ କେହି ଯାଉନଥିଲେ । କାରଣ ଭୟ ଥିଲା ସେ ନିଜକୁ ବିସ୍ଫୋରଣ କରିପାରେ । ଯାହା ଆଶଙ୍କା କରାଯାଉଥିଲା ତାହା ସତ ହେଲା । ଆଉ ବଞ୍ଚିପାରିବନି ଜାଣିବା ପରେ ଉକ୍ତ ଆତଙ୍କବାଦୀ ନିଜ ଦେହରେ ଲଗାଇଥିବା ବମର ରିମୋଟ ଦବାଇ ଦେଇଥିଲା । ଯାହା ଫଳରେ ଗେଟ୍ ନମ୍ବର-୧ରେ ହୋଇଥିଲା ଏକ ବଡ଼ ବିସ୍ପୋରଣ । ଏହି ବିସ୍ପୋରଣ କରି ପ୍ରଥମ ଆତଙ୍କବାଦୀ ସଂସଦ ଆକ୍ରମଣର ଟ୍ରେଲର ଦେଖାଇ ଦେଇଥିଲା ।

ଜଣେ ଆତଙ୍କବାଦୀ ମୃତ୍ୟୁ ପରେ ଆଉ ୪ ଜଣ ଆତଙ୍କବାଦୀ ଗୁଳି ବର୍ଷା ଜାରି ରଖିଥିଲେ । ଏହି ସବୁ ମଧ୍ୟରେ NSG ଓ ସେନା ପାଖରେ ମଧ୍ୟ ଖବର ପହଞ୍ଚି ସାରିଥିଲା । ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାରିଥିଲା । ଆତଙ୍କବାଦୀମାନେ ଲୁଚିବା ପାଇଁ ଗୋଟିଏ ପରେ ଗୋଟିଏ ଗେଟ୍ ଆଡକୁ ଯିବା ପାଇଁ ଚେଷ୍ଟା କରୁଥିଲେ । ଏସବୁ ଭିତିରେ ଆଉ ଏକ ଭଲ ଖବର ଗେଟ୍ ନମ୍ବର-୫ରୁ ଆସିଥିଲା । ଗେଟ୍ ନମ୍ବର-୫ରେ ଆଉ ଏକ ଆତଙ୍କବାଦୀଙ୍କୁ ମାରିଥିଲେ ସୁରକ୍ଷା କର୍ମୀ । ଏ ଭିତରେ ଆକ୍ରମଣ କରିବାର ୨୦ ମିନିଟ ବିତିଯାଇଥିଲା । ଏହି ୩ ଜଣ ଭଲ ଭାବରେ ଜାଣିଥିଲେ କି ସେମାନେ ସଂସଦରୁ ଜୀବନ୍ତ ଫେରିପାରିବେନି । ତେଣୁ ସଂସଦ  ଭିତରେ ପଶିବା ପାଇଁ ଶେଷ ଥର ପାଇଁ ଚେଷ୍ଟା କରି ଗେଟ ନମ୍ବର ୯ ଆଡକୁ ଯାଇଥିଲେ । କିନ୍ତୁ ଗେଟ୍ ନମ୍ବର ୯ରେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ୩ ଆତଙ୍କବାଦୀ ।

ସମୟ ୧୨.୧୦ । ସ୍ଥାନ ସଂସଦ ଭବନ ଗେଟ୍ ନମ୍ବର-୯ । ୫ ଜଣ ଆତଙ୍କବାଦୀ ମୃତ୍ୟୁ ବରଣ କରିଥିଲେ କିନ୍ତୁ ସଂସଦ ଭବନରୁ ବିପଦ ଏପର୍ଯ୍ୟନ୍ତ ଟଳି ନଥିଲା । ସଂସଦ ଭବନ ଚାରି ପାଖରେ ଆତଙ୍କବାଦୀମାନେ ପକାଇଥିବା ବୋମା ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେଉଥିଲା । କାହିଁକି ନା ଆତଙ୍କବାଦୀମାନେ ସାଙ୍ଗରେ ଅନେକ ଗ୍ରେନେଡ ଓ ବ୍ୟାଗରେ ଅନେକ ପରିମାଣର ବିସ୍ଫୋରକ ଆଣିଥିଲେ । ଭାରତୀୟ ସେନା, NSG କମାଣ୍ଡ ଓ ବମ୍ ନିରୋଧକ ଦଳ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗ୍ରେନେଡକୁ ନିଷ୍କ୍ରିୟ କରି ସଂସଦ ଭବନକୁ ସୁରକ୍ଷିତ ଘୋଷଣା କରିଥିଲେ ।

ତେବେ ଇତିମଧ୍ୟରେ ଏହି ଆକ୍ରମଣକୁ ବିତିଯାଇଛି ୨୦ ବର୍ଷ । କିନ୍ତୁ ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ମନରେ ଏହି ଘଟଣା ଏକ ଖରାପ ସ୍ୱପ୍ନ ଭଳି ତାଜା ରହିଛି । ଏହି ଆତଙ୍କବାଦୀ ଆକ୍ରମଣରେ ଦିଲ୍ଲୀ ପୋଲିସର ୬ ଜଣ ଅଧିକାରୀଙ୍କ ସହ ସଂସଦର ୨ ଜଣ ସୁରକ୍ଷା କର୍ମୀ ଓ ଜଣେ ମାଳି ସହିଦ ହୋଇଥିଲେ ।

 

 

କଣ୍ଟ୍ରାକ୍ଟ କିଲିଂ ପାଇଁ ସୁପାରି ଦେଇଥିବା ନକଲି ସାମ୍ବାଦିକ ଗିରଫ

ଭୁବନେଶ୍ୱର: ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲାରେ ତନାଘନା । ହତ୍ୟା ଷଡ଼ଯନ୍ତ୍ର ପଛରେ ଅଛନ୍ତି ନକଲି ସାମ୍ବାଦିକ । ନକଲି ସାମ୍ବାଦିକ ତଥା ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ରାଜେନ୍ଦ୍ରଠାରୁ କାର ସହ ୫ ଲକ୍ଷ ଟଙ୍କା, ୧୦୦ଟି ଏଟିଏମ୍ ଓ କ୍ରେଡିଟ୍ କାର୍ଡ, ୨୦ଟି ମୋବାଇଲ୍ ଜବତ କରିଛି ପୋଲିସ । ରାଜେନ୍ଦ୍ର ମଲ୍ଲିକ ଓ ବ୍ୟବସାୟୀଙ୍କ ମଧ୍ୟରେ ୩୦ ହଜାର ଟଙ୍କାକୁ ନେଇ ବିବାଦ ଥିଲା ।

 Police Arrested Fake Journalist In Nayapalli Contract Killer Case

ବ୍ୟବସାୟୀଙ୍କୁ ହତ୍ୟା ପାଇଁ ସମ୍ପଦ ଓ ପ୍ରଶାନ୍ତକୁ ରାଜେନ୍ଦ୍ର ସୁପାରି ଦେଇଥିଲା । ହେଲେ ଘଟଣା ପୂର୍ବରୁ ସମ୍ପଦ ଓ ତା’ ସହଯୋଗୀକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ରିମାଣ୍ଡ ବେଳେ ପୋଲିସ ଆଗରେ ସବୁ ସତ ଉଗାରିଥିଲା ସମ୍ପଦ । ସମ୍ପଦଠାରୁ ସଂଗ୍ରହ କରାଯାଇଥିବା ତଥ୍ୟ ଓ ପ୍ରମାଣକୁ ଆଧାର କରି ରାଜେନ୍ଦ୍ରକୁ ଗିରଫ କରାଯାଇଛି । ରାଜେନ୍ଦ୍ରକୁ ଅଧିକ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ଆଣିବ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେଲା କଟକ ଓ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କଟକର ୧୮ ଲକ୍ଷ  ଲୋକ ଏହି ସୁବିଧା ପାଇବେ । ସେହିଭଳି ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡ । ଏଥିସହିତ ରାଜ୍ୟର ୨୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାରେ ୨୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ନିଦର୍ଶନ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ  ସ୍ମାର୍ଟ ହେଲଥ କାର୍ଡ । ସ୍ୱାସ୍ଥ୍ୟ ହିଁ ସମ୍ପଦ । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହି କାର୍ଡ ରକ୍ଷା କବଚ ଭଳି ସେବା ଯୋଗାଇ ଚାଲିବ । କଟକର ଏସସିବି ମେଡିକାଲ କଲେଜକୁ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଭାବରେ ଗଢିବା ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହୋଇ ରହିବ । କଟକବାସୀଙ୍କ ପ୍ରିୟ ଶ୍ରମିକ ନେତା ବିଶ୍ୱନାଥ ପଣ୍ଡିତଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀକୁ ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ପୁନଃସ୍ଥାପିତ କରାଯାଇ ଏକ ଅତ୍ୟାଧୁନିକ ଲାଇବ୍ରେରୀ ଭାବରେ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ।

CM Naveen Patnaik Distribute BSKY Card In Cuttack And Khordha

ସେହିପରି ବେଗୁନିଆଠାରେ ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧା ମାଟି  ହେଉଛି ପ୍ରଥମ ସ୍ୱାଧୀନତା ସଂଗ୍ରାମର ଭୂମି। ଓଡ଼ିଆ ସ୍ୱାଭିମାନ ପାଇଁ ଲଢେଇ କରିଥିବା ବୀର ପାଇକମାନଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଆ ଜାତିକୁ ତାର ହକ୍‌ ଦେବା ପାଇଁ ଆମର ଲଢେଇ ଜାରି ରହିବ ।

CM Naveen Patnaik Distribute BSKY Card In Cuttack And Khordha

ମିଶନ ଶକ୍ତିର ମାଆମାନେ ହେଉଛନ୍ତି ନୂଆ ଯୁଗର ସାରଥି । ଖୋର୍ଦ୍ଧାର ମିଶନ ଶକ୍ତିର ମାଆମାନେ ଭଲ କାମ କରୁଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧାରେ ୨୬  ହଜାରରୁ ଅଧିକ ମିଶନ ଶକ୍ତିର ମାଆମାନେ ୪୩୨ କୋଟିରୁ ଅଧିକ ଟଙ୍କା ଋଣ ନେଇ ସାରା ରାଜ୍ୟରେ ରେକର୍ଡ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଉଭୟ ଜିଲ୍ଲାରେ ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ସ୍ମାର୍ଟ ହେଲଥ କାର୍ଡ ରାଜ୍ୟବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିବା ସହିତ ବିକାଶ କ୍ଷେତ୍ରରେ ସମସ୍ତଙ୍କର ଯୋଗଦାନ ବୃଦ୍ଧି ପାଇବ । ଏହାଦ୍ୱାରା ରାଜ୍ୟ ବିକାଶର ଶିଖର ଛୁଇଁବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଛନ୍ତି ।

CM Naveen Patnaik Distribute BSKY Card In Cuttack And Khordha

ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ ବିଏସକେୱାଇ କାର୍ଡରେ ସେବା ପ୍ରଦାନ ଆରମ୍ଭ ହୋଇଛି । ସେହି ଦିନ ଠାରୁ ଓଡ଼ିଶାର ସ୍ୱାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡ଼ି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢ଼ା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ ହବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦  ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା, ସମସ୍ତେ  ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

CM Naveen Patnaik Distribute BSKY Card In Cuttack And Khordha

ଏହି କାର୍ଯ୍ୟକ୍ରମରେ କଟକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧାରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟରେ ବିକାଶର ନୂତନ ଧାରା ସାରା ଦେଶକୁ ରାସ୍ତା ଦେଖାଇଛି ବୋଲି ସେମାନେ କହିଥିଲେ। ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଡି କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।