spot_img
Home Blog Page 4790

ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆରମ୍ଭ, ଭର୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ଚଳିତ ବର୍ଷର ଇକୋ ରିଟ୍ରିଟ୍ । ଭର୍ଚୁଆଲରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଇକୋ ରିଟ୍ରିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତବର୍ଷ ପରି ୫ଟି ସ୍ଥାନ ସହ ଚଳିତ ବର୍ଷ ଆଉ ୨ଟି ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟର ମଜା । ପ୍ରଥମ କରି କୋରାପୁଟ ଓ ଗଞ୍ଜାମରେ ଇକୋ ରିଟ୍ରିଟ୍ ଓଡ଼ିଶା-୨୦୨୧ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଣାର୍କ, ଦାରିଙ୍ଗବାଡ଼ି, ଭିତରକନିକା, ସମ୍ବଲପୁର, ସାତକୋଶିଆ ସମେତ କୋରାପୁଟ ଓ ଗଞ୍ଜାମରେ ନିଆରା ଉତ୍ସବର ମଜା ନେଇ ପାରିବେ ।

CM Naveen Patnaik Inaugurates Eco Retreat In 7 Places

କୋଭିଡ୍ କଟକଣାରେ ପ୍ରକୃତି କୋଳରେ ପ୍ରକୃତିର ମଜା ନେଇପାରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ପାଇଁ କଟେଜ୍ ସହିତ ବିଳାସପୂର୍ଣ୍ଣ ଟେଣ୍ଟ, ଖେଳ ସହ ଭଳିକି ଭଳି ଦେଶୀ, ବିଦେଶୀ ଖାଦ୍ୟ ଏବଂ ମନୋରଞ୍ଜନ ପାଇଁ ଭରପୂର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । କୋଣାର୍କର ରାମଚଣ୍ଡୀ ନିକଟ କୁଶଭଦ୍ରା ନଦୀ ମୁହାଣରେ ୭୦ଟି ଅତ୍ୟାଧୁନିକ ଟେଣ୍ଟ ନିର୍ମାଣ ହୋଇଛି । ସେହିପରି ଭିତରକନିକା ପେଣ୍ଠ ବେଳାଭୂମିରେ ହୋଇଛି ଇକୋ ରିଟ୍ରିଟ୍ । ଦାରିଙ୍ଗବାଡ଼ି, ସମ୍ବଲପୁର ଆଦି ସ୍ଥାନରେ ହୋଇଥିବା ଇକୋ-ରିଟ୍ରିଟ୍‌ର ମଜା ନେଇ ପାରିବେ ପର୍ଯ୍ୟଟକ ।

ରାଜ୍ୟର ବିକାଶ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ବିଭିନ୍ନ ପ୍ରସଙ୍ଗରେ ଉଭୟ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ଉଭୟ ସ୍ଥୁଳ ଅର୍ଥନୀତି ଓ ସାମାଜିକ ଅର୍ଥନୀତିରେ ବ୍ୟାପକ ଅଭିବୃଦ୍ଧି ହୋଇଛି ।’

ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ତାଳ ରଖି ନୀତି ଆୟୋଗ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଥିବା କହିଛନ୍ତି । ସେ କହିଛନ୍ତି, ‘ଏଭଳି ହେଲେ ରାଜ୍ୟଗୁଡିକ ନୀତି ଆୟୋଗ ନିକଟରେ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ବ୍ଲୁପ୍ରିଣ୍ଟ ରଖିପାରିବେ । ଏଥିସହ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକୁ ସୁଚାରୁ ରୂପେ ପରିଚାଳନା ପାଇଁ ବାଟ ବାହାରିବ ।’

ସେପଟେ  ପ୍ରତ୍ୟେକ ରାଜ୍ୟର ନିଜର ପ୍ରାଥମିକତା ଏବଂ ନିର୍ଦ୍ଦିଷ୍ଟତା ରହିଛି । ନିର୍ଦ୍ଦିଷ୍ଟ ବିକାଶ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ଓଡିଶା ସହ ସହଭାଗୀ ହେବାକୁ ଆଗ୍ରହୀ ଥିବା କହିଛନ୍ତି ରାଜୀବ କୁମାର । ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି, କୃଷି ଏବଂ ଖଣିରେ ଉନ୍ନତି ସହିତ ଆର୍ଥିକ ନିଅଣ୍ଟକୁ ପାଞ୍ଚ ପ୍ରତିଶତରୁ କମ୍ ପରିଚାଳନା ପାଇଁ ନୀତି ଆୟୋଗ ଅଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖଣିଜ ଉତ୍ପାଦନକୁ ଏକ ପ୍ରତିଶତରୁ ଦୁଇ ପ୍ରତିଶତରୁ ଅଧିକ କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏହାସହ ଏସଡିଜି ମନିଟରିଂ ୟୁନିଟ୍ ଗଠନ କରିବାକୁ ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ରାସାୟନମୁକ୍ତ କୃଷିର ବହୁଳ ପ୍ରବର୍ତ୍ତନ ପାଇଁ ସେ ପରାମର୍ଶ ଦେଇଛନ୍ତି।

ମୁଁ ଦିନିକିଆରେ ଅଧିନାୟକତ୍ୱ ଛାଡିବାକୁ ଚାହୁଁନଥିଲି: କୋହଲି

ମୁମ୍ବାଇ: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ଆଜି ଟିମ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ କନଫରେନ୍ସ ହୋଇଥିଲା । ଏହି ପ୍ରେସ କନଫରେନ୍ସରେ ସମସ୍ତଙ୍କ ନଜର ଥିଲା ବିରାଟ କୋହଲିଙ୍କ ଉପରେ । ଦିନିକିଆରୁ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ବାହାର କରିବା ପରେ ବିରାଟ ଓ ରୋହିତଙ୍କୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଥିଲା । ଏହାକୁ ଦୃଷ୍ଟିରେ ରଖି ଆଜିର ପ୍ରେସ କନଫରେନ୍ସ ଗୁରୁତ୍ୱ ବହନ କରିଥିଲା ।

ଦକ୍ଷିଣ ଆଫ୍ରିକା ଗସ୍ତରେ ହେବାକୁ ଥିବା ଦିନିକିଆରେ ଖେଳିବେ ବୋଲି ଆଜି ପ୍ରେସ କନଫରେନ୍ସରେ ସ୍ପଷ୍ଟ କରିଛନ୍ତି ବିରାଟ କୋହଲି । ଏଥିସହ ଦିନିକିଆ ସିରିଜ ସମୟରେ ଛୁଟି ନେବା ଓ ବିଶ୍ରାମ ନେବା କଥାକୁ ସିଧା ସିଧା ମନା କରିଥିଲେ ବିରାଟ । ବିରାଟ କହିଥିଲେ କି ‘ମୁଁ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଦିନିକିଆ ସିରିଜରେ ଖେଳିବି । ଗଣମାଧ୍ୟମରେ ଭୁଲ ଖବର ପ୍ରସାରିତ ହେଉଛି ବୋଲି କହିଥିଲେ ବିରାଟ କୋହଲି ।

ଦିନିକିଆରେ ଅଧିନାୟକ ପଦରୁ ବାହାର କରିବା ବିଷୟରେ ମଧ୍ୟ ଆଜିର ପ୍ରେସ କନଫରେନ୍ସରେ କହିଥିଲେ  ବିରାଟ। ସେ କହିଥିଲେ କି ଯେତେବେଳେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳର ଚୟନ ହୋଇଥିଲା ଏହି ସମୟରେ ଚୟନକର୍ତ୍ତା କହିଥିଲେ କି ମୋତେ ଦିନିକିଆରୁ ମଧ୍ୟ ଅଧିନାୟକ ପଦରୁ ବାହାର କରାଯାଇଛି । ଏହା ପରେ ଚୟନକର୍ତ୍ତାଙ୍କ ସହ କିଛି ଆଲୋଚନା ହୋଇନି ବୋଲି କହିଛନ୍ତି ବିରାଟ । ଅନ୍ୟପକ୍ଷରେ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ମୁଁ ସମ୍ମାନ ଜଣାଉଛି ବୋଲି ମଧ୍ୟ କହିଛନ୍ତି ବିରାଟ ।

ବିରାଟ କୋହଲି ଆହୁରି କହିଥିଲେ କି ମୁଁ ଯେତେବେଳେ ଟି-୨୦ ରୁ ଅଧିନାୟକ ପଦ ଛାଡିଥିଲି ସେ ସମୟରେ ବିସିସିଆଇକୁ ଏହା ଜଣାଇଥିଲି । ମୋର ଏହି ଘୋଷଣା ପରେ ବିସିସିଆଇ ମଧ୍ୟ ଏହାକୁ ମାନି ନେଇଥିଲା । ଏହା ପରେ ମୁଁ କହିଥିଲି କି ଦିନିକିଆ ଓ ଟେଷ୍ଟ ଦଳରେ ଭାରତର ଅଧିନାୟକ ଭାବରେ ରହିବାକୁ ମୁଁ ଚାହୁଁଛି । କିନ୍ତୁ ବର୍ତ୍ତମାନ ଚୟନକର୍ତ୍ତା ଏବେ ଦିନିକିଆରୁ ମୋତେ ଅଧିନାୟକ ପଦରୁ ବାହାର କରିଦେଇଛନ୍ତି । ମୁଁ ଚୟନ କର୍ତ୍ତାଙ୍କ ନିଷ୍ପତ୍ତି ସମ୍ମାନ ଦେଉଛି ବୋଲି କହିଛନ୍ତି ବିରାଟ ।

ବିଗତ କିଛି ଦିନ ଧରି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ କିଛି ବିବାଦ ଚାଲୁ ରହିଥିବା ଖବର ସାମ୍ନାକୁ ଆସିଥିଲା । ରୋହିତ ଶର୍ମାଙ୍କ ସହ ବିବାଦ ଖବରକୁ ନେଇ ମଧ୍ୟ ଆଜି ପ୍ରେସ୍ କନଫରେନ୍ସରେ ମୁହଁ ଖୋଲିଛନ୍ତି ବିରାଟ । ବିରାଟ କୋହଲି କହିଛନ୍ତି କି ମୁଁ ଦୀର୍ଘ ଅଢ଼େଇ ବର୍ଷ ହେଲା କହି ଆସୁଛି କି ଆମ ଭିତରେ କିଛି ବାବଦ ନାହିଁ । ରୋହିତ ଓ ମୋ ମଧ୍ୟରେ କିଛି ସମସ୍ୟା ନାହିଁ । ଏହି କଥାର ସ୍ପଷ୍ଟିକରଣ ଦେଇ ମୁଁ ଥକି ଗଲିଣି ବୋଲି ଆଜି ପ୍ରେସ କନଫରେନ୍ସରେ କହିଥିଲେ ବିରାଟ କୋହଲି ।

 

ନୂଆ ଡିଜିପି ହେବେ ସୁନୀଲ କୁମାର ବଂଶଲ

ଭୁବନେଶ୍ବର: ନୂଆ ଡିଜିପି ହେବେ ସୁନୀଲ କୁମାର ବଂଶଲ । ବଂଶଲଙ୍କୁ ନିଯୁକ୍ତି ଦେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରିବା ପରେ ବଂଶଲ କାର୍ଯ୍ୟାଭାର ଗ୍ରହଣ କରିବେ ।

ସୂଚନାଯୋଗ୍ୟ, ଡିସେମ୍ବର ୩୧ ତାରିଖରେ ଡିଜିପି ଅଭିୟଙ୍କ କାର୍ଯ୍ୟକାଳ ସରୁଛି । ତାଙ୍କ ପରେ ଡିଜିପି ଦାୟିତ୍ବ ସମ୍ବାଳିବେ ସୁନୀଲ କୁମାର ବଂଶଲ । ୧୯୮୭ ବ୍ୟାଚର ଆଇପିଏସ ହେଉଛନ୍ତି ସୁନୀଲ କୁମାର । ଏବେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ସୁନୀଲ ।

ପୋଲିସି ଡିଜି ଅଭୟ ନୂତନ ଡିଜିପି ଭାବେ ନିଯୁକ୍ତ ସୁନୀଲ ବଂଶଲଙ୍କୁ ସ୍ୱାଗତ କରିଛନ୍ତି । ଏଥିସହ ଓଡ଼ିଶା ଡିଜିପି ଭାବେ ବଂଶଲଙ୍କ କାର୍ଯ୍ୟକାଳ ସ୍ମରଣୀୟ ହେଉ ବୋଲି ଟ୍ୱିଟ୍ କରିଛନ୍ତି ଡିଜିପି ।

ବିରାଟ-ରୋହିତ ବିବାଦ ଉପରେ ଖେଳମନ୍ତ୍ରୀଙ୍କ ବୟାନ, ଖେଳଠୁ ବଡ଼ କେହି ନୁହନ୍ତି

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଚାଲିଥିବା ତଥାକଥିତ ଶିତଳ ଯୁଦ୍ଧ ଭିତରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବୟାନ ଆସିଛି । ଅନୁରାଗ ଠାକୁର ସିଧାସିଧା କହିଛନ୍ତି ଯେ, ଖେଳଠାରୁ କେହି ମଧ୍ୟ ବଡ଼ ନୁହନ୍ତି । ଏମିତି କହି କ୍ରୀଡ଼ାମନ୍ତ୍ରୀ ଦୁଇ କ୍ୟାପଟେନଙ୍କୁ ଚେତାବନୀ ଦେଇଛନ୍ତି ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, କୋହଲି ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରୁ ହଟିବା ପାଇଁ ବିସିସିଆଇକୁ ଚିଠି ଲେଖିଥିଲେ । କୁହାଯାଉଛି ଯେ, ଦୁଇ କ୍ୟାପଟେନ ପରସ୍ପର ଅଧିନରେ ଖେଳିବାକୁ ଅମଙ୍ଗ ଅଛନ୍ତି ।

 

ବିରାଟଙ୍କୁ ଚେତାବନୀ ?

ବିରାଟ ଓ ରୋହିତଙ୍କ ମଧ୍ୟରେ ମତଭେଦ ରହିଥିବା ଖବର ଭିତରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଖେଳଠାରୁ ବଡ଼ କେହି ନୁହନ୍ତି । କେଉଁ ଖେଳର କେଉଁ ସବୁ ଅଧିନାୟକଙ୍କ ମଧ୍ୟରେ କ’ଣ ଚାଲିଛି ମୁଁ ସେ ବାବଦରେ କିଛି କହି ପାରିବି ନାହିଁ । ଏହା ସମ୍ବନ୍ଧିତ ଖେଳ ସଂଘର ଦାୟିତ୍ୱ । ସେହି ସଂଘ ଏସମ୍ପର୍କରେ ସୂଚନା ଦେବା ଅଧିକ ଠିକ୍ ହେବ ।

ବିରାଟଙ୍କ ମାନଭଞ୍ଜନ କରୁଛି ବିସିସିଆଇ !

ଟିମ୍ ଇଣ୍ଡିଆ ଭିତରେ ଦୁଇ କ୍ୟାପଟେନଙ୍କ ମଧ୍ୟରେ ଚାଲିଥିବା ଶିତଳ ଯୁଦ୍ଧ ଭିତରେ ବିସିସିଆଇ ବିରାଟଙ୍କୁ ମନାଇବାକୁ ଉଦ୍ୟମ କରୁଥିବା ଖବର ଆସୁଛି । ତେବେ ପ୍ରଶ୍ନ ଉଠୁଛି ଯେ, ବିରାଟ ବିସିସିଆଇ କଥା ଶୁଣିବେ କି ନାହିଁ । କୋହଲି ସେପ୍ଟେମ୍ବର ୧୬ ତାରିଖରେ ଟି-୨୦ ଅଧିନାୟକତ୍ୱ ଛାଡିବା କଥା ଘୋଷଣା କରିଥିଲେ । ତେବେ ଦିନିକିଆ ଓ ଟେଷ୍ଟ୍ କ୍ୟାପଟେନ ରହିବେ ବୋଲି କହିଥିଲେ । କିନ୍ତୁ ପରେ ତାଙ୍କୁ ଦିନିକିଆ ଟିମର କ୍ୟାପଟେନ ପଦରୁ ହଟାଇ ଦିଆଯାଇଥିଲା । ଯାହାକୁ ନେଇ ବିରାଟ କ୍ଷୁବ୍ଧ ଥିବା କୁହାଯାଉଛି ।

ଟ୍ବିନସିଟିରେ ଖୋଲିବ ୩ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଥାନା

ଭୁବନେଶ୍ବର: ଟ୍ବିନସିଟିରେ ଅପରାଧ ନିୟନ୍ତ୍ରଣ ପାଇଁ ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ । ଅପରାଧ ଭିଆଇବା ଆଗରୁ ୧୦୦ ଥର ଚିନ୍ତା କରିବେ ଅସାମାଜିକ ବ୍ୟକ୍ତି । କଟକ-ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି ୩ଟି ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା । ବାଜିଲା ମୁଖ୍ୟମନ୍ତ୍ରୀଙ୍କ ମୋହର । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଲେ ସୂଚନା ।

ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସନ୍ଧାନ କରି ପଦକ୍ଷେପ ନେବେ । ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟ କରିବ । ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ ଜଣ ଇନ୍‌ସପେକ୍ଟର, ୧୨ ଜଣ ସବ୍‌ଇନିସ୍‌ପେକ୍ଟର, ୩ ଜଣ ଏଏସ୍‌ଆଇ (ଯୋଗାଯୋଗ), ୩ ଜଣ କନେଷ୍ଟବଳ (ଯୋଗାଯୋଗ) ଓ ୨୭ ଜଣ କନେଷ୍ଟବଳ,  ଏହିପରି ୫୯ ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା କାର୍ଯ୍ୟ କରିବ।

ସେହିପରି କମିଶନରେଟ୍‌ ପୋଲିସ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ପାଇଁ ଏହି ଅଞ୍ଚଳରେ ୩ଟି ନୂତନ ଥାନାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପାହାଳ, ଇନ୍‌ଫୋଭାଲି ଓ ବୟାଳିଶମୌଜା/ବେଣ୍ଟକାରରେ ଖୋଲିବ ଏହି ଥାନା । ବାଲିଅନ୍ତା ଥାନା ଅଧୀନରେ କାମ କରୁଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ କାମ କରୁଥିବା ଇନ୍‌ଫୋଭାଲି ଫାଣ୍ଡି ଓ କଟକ ସଦର ଥାନା ଅଧୀନରେ କାମ କରୁଥିବା ବେଣ୍ଟକାର ଫାଣ୍ଡିକୁ ଉନ୍ନୀତ କରାଯାଇ ଏହି ୩ଟି ନୂତନ ଥାନା ସୃଷ୍ଟି କରାଯାଇଛି ।

ଗତକାଲି ରାଜ୍ୟରେ ୧୧ଟି ସାଇବର ଥାନା ପ୍ରତିଷ୍ଠା କରାଯିବ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

CDS ଚପର କ୍ରାସରେ ଆହତ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କ ନିଧନ

ନୂଆଦିଲ୍ଲୀ: ସିଡିଏସ ଜେନରାଲ ବିପିନ ରାୱତଙ୍କ ଚପର ଦୁର୍ଘଟଣାର ଏକ ମାତ୍ର ଜୀବିତ ଉଦ୍ଧାର ହୋଇଥିବା ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହଙ୍କର ବୁଧବାର ନିଧନ ହୋଇଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ଏନେଇ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଛି । ବାୟୁସେନାର ଆଧିକାରିକ ଟ୍ବିଟର ଆକାଉଣ୍ଟରେ କୁହାଯାଇଛି ଯେ, ଆମେ ଗଭୀର ଦୁଃଖର ସହିତ ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହଙ୍କ ନିଧନ ଖବର ଦେଉଛୁ । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ତାମିଲନାଡୁର କୁନ୍ନୁରରେ ଡିସେମ୍ବର ୮ ତାରିଖ ଦିନ ହୋଇଥିବା ଦୁର୍ଘଟଣାରେ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହ ଏକମାତ୍ର ଜୀବିତ ଉଦ୍ଧାର ହୋଇଥିଲେ ।

ଉଦ୍ଧାର ପରେ ବେଙ୍ଗଳୁରୁରେ ତାଙ୍କୁ ଚିକିତ୍ସା ଚାଲିଥିଲା । ବିମାନ ଦୁର୍ଘଟଣାରେ ଗୁରୁତର ଆହତ ବରୁଣଙ୍କୁ ବେଙ୍ଗାଳୁରୁକୁ ଏୟାରଲିଫ୍ଟ କରାଯାଇଥିଲା । ହାଲୁକା ଲଢୁଆ ବିମାନ ବା ଏଲସିଏର ଦକ୍ଷ ପାଇଲଟ ବରୁଣ ଗତବର୍ଷ ଅକ୍ବୋବର 12 ତାରିଖରେ ଏକ ବଡ ଦୁର୍ଘଟଣାରୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଥିଲେ । ସାହସିକତା ଲାଗି ତାଙ୍କୁ ଶୌର୍ଯ୍ୟ ଚକ୍ର ଉପାଧିରେ ଭୂଷିତ କରାଯାଇଥିଲା । ପୂର୍ବରୁ ଏହି ବିମାନ ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ବତ, ତାଙ୍କ ପତ୍ନୀ ଏବଂ ୧୧ ଜଣ ବୀର ଯବାନ ସହିଦ ହୋଇଥିଲେ । ବରୁଣ ସିଂଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉତ୍ତର ପ୍ରଦେଶର ବାସିନ୍ଦା

ଉତ୍ତର ପ୍ରଦେଶର ଖୋରମା କହ୍ନୋଲି ଗ୍ରାମ ହେଉଛି ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହଙ୍କ ଘର । ତାଙ୍କର ଚିକିତ୍ସା ୱେଲିଂଟନ୍ ହସ୍ପିଟାଲରେ ଚାଲିଥିଲା । ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ଥମାନ ହେଉଛନ୍ତି ତାଙ୍କ ବ୍ୟାଚମେଟ୍ । ଅଭିନନ୍ଦନ ବର୍ଥମାନଙ୍କ ବିମାନକୁ ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନୀ ବାୟୁସେନା ଗୁଳି କରି ଖସାଇଥିଲା ।

ପିତା ମଧ୍ୟ ସେନାରେ ଥିଲେ

ବରୁଣଙ୍କ ପିତା ମଧ୍ୟ ସେନାରେ ସାମିଲ ଥିଲେ । ସେ କର୍ଣ୍ଣଲ ପଦରୁ ଅବସର ନେଇଥିଲେ । ଦେହାନ୍ତ ବେଳକୁ ଗ୍ରୁପ୍ କ୍ୟାପ୍ଟେନ ବରୁଣଙ୍କୁ ମାତ୍ର ୪୨ ବର୍ଷ ହୋଇଥିଲା ।

ବୀରତ୍ବର ପ୍ରତୀକ ଥିଲେ ବରୁଣ

ଅସାଧାରଣ ଶକ୍ତି, ଶୌର୍ଯ୍ୟର ପ୍ରତୀକ ଥିଲେ ଗ୍ରୁପ କ୍ୟାପଟେନ ବରୁଣ ସିଂ । ୮ ଦିନର ସଂଘର୍ଷ ପରେ ଚିରନିଦ୍ରାରେ ଶୋଇଗଲେ । ବରୁଣ ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜର ମେମ୍ବର ଷ୍ଟାଫ୍ ଥିଲେ ବର । ୧୯୮୨ରେ ଉତ୍ତରପ୍ରଦେଶର କନହୋଲିରେ ବରୁଣ ସିଂଙ୍କ ଜନ୍ମ । ପିଲାଦିନରୁ ହିଁ ତାଙ୍କର ବିମାନ ଏବଂ ବିମାନ ଚଳାଚଳ ପ୍ରତି ଆଗ୍ରହ ଥିଲା।  ୨୦୦୪ରେ ସେ ଏୟାରଫୋର୍ସରେ ଯୋଗ ଦେଇଥିଲେ । ନ୍ୟାସନାଲ ଡିଫେନ୍ସ ଏକାଡେମୀ ପାଇଁ ଆବେଦନ କରିବା ପୂର୍ବରୁ ସେ ଓଡିଶାରେ ଅଧ୍ୟୟନ କରିଥିଲେ । ହାଲୁକା ଲଢୁଆ ବିମାନ ବା ଏଲସିଏର ଜଣେ ଦକ୍ଷ ପାଇଲଟ ବରୁଣ ଗତବର୍ଷ ଅକ୍ଟୋବର 12 ତାରିଖରେ ଏକ ବଡ ଦୁର୍ଘଟଣାରୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଥିଲେ । ନିଜର ସାହସିକତା, ବିମାନ ଉଡାଣ କୌଶଳର ଗଭୀର ଅଭିଜ୍ଞତା ବଳରେ ସେ ବିମାନକୁ ନିରାପଦ ଅବତରଣ କରିବା ସହ ଲୋକଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଥିଲେ । ଏହି ସାହସିକତା ଲାଗି ତାଙ୍କୁ ଶୌର୍ଯ୍ୟ ଚକ୍ର ଉପାଧିରେ ଭୂଷିତ କରାଯାଇଥିଲା । ବିମାନ ଅବତରଣର ଗଭୀର ଗାଣିତିକ ଫର୍ମୂଲା ଅନ୍ୟ ପାଇଲଟଙ୍କ ଲାଗି ବି ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା । ଗଗନାୟନ କ୍ରିଉ ମଡ୍ୟୁଲ ପାଇଁ ଶୀର୍ଷ ୧୨ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ବରୁଣ । ମାତ୍ର ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଏହି ମିଶନରେ ସାମିଲ ହୋଇପାରି ନଥିଲେ ।

କେନ୍ଦ୍ରାପଡ଼ାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉଦୟ ହେଲା ବିକାଶର ନୂଆ ସୂର୍ଯ୍ୟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆରମ୍ଭ ହେଲା ବିକାଶର ନୂଆ ଧାରା । ଲେଖାହେଲା ବିକାଶର ନୂଆ କାହାଣୀ । ସ୍ବାସ୍ଥ୍ୟ ସେବାରେ ଓଡ଼ିଶାର ସ୍ବର୍ଣ୍ଣିମ ଅଧ୍ୟାୟରେ ଯୋଡ଼ି ହେଲା କେନ୍ଦ୍ରାପଡ଼ା । କେନ୍ଦ୍ରାପଡ଼ାବାସୀ ପାଇଲେ ସ୍ମାର୍ଟ ହେଲଥ୍ ସେବାର ଚାବିକାଠି ।

ବିଏସକେଓ୍ବାଇ ଯୋଜନାରେ କେନ୍ଦ୍ରାପଡ଼ାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଜିଲ୍ଲାର ସାଢ଼େ ୧୧ଲକ୍ଷ ଲୋକ ଉପକୃତ ହେବେ ।

କେନ୍ଦ୍ରାପଡ଼ା ବିଜୁବାବୁଙ୍କ କର୍ମଭୂମି ଥିଲା । କେନ୍ଦ୍ରାପଡ଼ାବାସୀଙ୍କ ସୁଖ ଦୁଃଖରେ ବିଜୁବାବୁ ସାଥୀରେ ଥିଲେ। ଆଜି ବି କେନ୍ଦ୍ରାପଡ଼ାର ମାଟି, ପାଣି, ପବନରେ ବିଜୁବାବୁ ରହିଛନ୍ତି ।

ଜିଲ୍ଲାରେ ୧୫ ଶହ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏସବୁ ପ୍ରକଳ୍ପ କେନ୍ଦ୍ରାପଡ଼ା ବିକାଶକୁ ଆହୁରି ଆଗକୁ ନେବ । ଦେଶରେ ଶିଳ୍ପ ମାନଚିତ୍ରରେ ଯୋଡ଼ି ହେବାକୁ ଯାଉଛି କେନ୍ଦ୍ରାପଡ଼ା । ଏଥିପାଇଁ ଆର୍ସେଲର ମିତ୍ତଲ ସହ ବୁଝାମଣା କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡ଼ାର ବିକାଶ କ୍ଷେତ୍ରରେ ଏହା ଏକ ନୂଆ ଯୁଗ ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭୂମିହୀନ ଚାଷୀଙ୍କ ପାଇଁ ବଳରାମ ଯୋଜନାରେ ୨୧ ହଜାର ଚାଷୀଙ୍କୁ ୪୩ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି । ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ।

ସତର୍କ ରହିବା, ଓମିକ୍ରନକୁ ହରାଇବା

ଭୁବନେଶ୍ବର: ରାଜ୍ୟରେ ଓମିକ୍ରନ ଭୟ । ଭାରିଆଣ୍ଟ ଘାତକ ହେଉ କି ନହେଉ ଆମକୁ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଭୟାବହତାକୁ ନଜରରେ ରଖି ସୀମାନ୍ତ ଜିଲ୍ଲାରେ ଅଧିକ ଫୋକସ କରାଯାଉଛି । ସର୍ଭିଲାନ୍ସ ଓ ଭ୍ୟାକ୍ସିନେସନକୁ ଗୁରୁତ୍ବ ଦେଉଛି ସ୍ବାସ୍ଥ୍ୟ ବିଭାଗ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ‘ବାହାରୁ ଆସୁଥିବା ଲୋକଙ୍କର ସର୍ଭିଲାନ୍ସକୁ କଡାକଡି କରାଯାଇଛି । ଜିନମ ସିକ୍ୟୁଏନସିଂ କରାଯାଉଛି । ଟୀକାକରଣକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଶୀଘ୍ର ଟୀକାକରଣ ପାଇଁ କାମ ଜାରି ରହିଛି । ଆର୍ଟ ରିକ୍ସ ଦେଶରୁ ଯେଉଁମାନେ ଆସୁଛନ୍ତି ତାଙ୍କ ଉପରେ ନଜର ରଖାଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବର୍ତ୍ତମାନ ଏହା ଉପରେ ଅଧିକ ଗବେଷଣା ଚଳାଇଛି ।’

 ଚିତ୍ତରଞ୍ଜନଙ୍କ ମୃତ୍ୟୁରୁ ପରଦା ହଟାଇବ କ୍ରାଇମବ୍ରାଞ୍ଚ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୃତ୍ୟୁ ରହସ୍ୟରୁ ଉଠାଇବ ପରଦା । ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିଜ ଡିଜି ଅଭୟ । ପୁରୀ ଗଡମୃଗଶିରା ବ୍ରିଜ୍ ନିକଟ ନୂଆନଈ ପଠାରୁ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାରକୁ ୨୪ ଘଣ୍ଟା ବିତିଥିବା ବେଳେ ପୋଲିସ ହାତ ଖାଲି ରହିଛି । ଘଟଣାରେ ସହଯୋଗୀ ଜଗନ୍ନାଥ ଷଡ଼ଙ୍ଗୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଶନିବାର ରାତିରେ ସାଙ୍ଗ ଜଗନ୍ନାଥଙ୍କ ସହ ଭୋଜି କରିବାକୁ ଯାଇ ଆଉ ଫେରିନଥିଲେ ଚିତ୍ତରଞ୍ଜନ । ରବିବାର ଗଡମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ଓ ତାଙ୍କ ଜୋତା, ମୋବାଇଲ ପଡିଥିବା ଦେଖି ପୋଲିସର ସନ୍ଦେହ ବଢ଼ିଥିଲା । ସୋମବାର ସକାଳୁ ନୂଆନଈରୁ ଉଦ୍ଧାର ହୋଇଥିଲା ଚିତ୍ତରଞ୍ଜନଙ୍କ ମୃତଦେହ ।

କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ସଠିକ ତଦନ୍ତ ସହ ପରିବାରକୁ ନ୍ୟାୟ ମିଲିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଗତକାଲି ପରିବାର ସଦସ୍ୟଙ୍କ ସହ ପୁରୀ ଏସପିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ।