Budget 2022: ମୋବାଇଲ୍ ଭଳି ଡ୍ରୋନ୍ ନିତିଦିନିଆ ଜୀବନର ଅଙ୍ଗ ହୋଇଯିବ

ନୂଆଦିଲ୍ଲୀ: ଡ୍ରୋନ୍… ପ୍ରାୟତଃ କୌଣସି ବଡ଼ ବାହାଘର କିମ୍ବା କାର୍ଯ୍ୟକ୍ରମରେ ଆପଣ ଦେଖିଥିବେ । ଏଣିକି ଡ୍ରୋନ୍ ପ୍ରତି ଗାଁରେ ଘରେ ଘରେ ଦେଖିବାକୁ ମିଳିବ । ମୋବାଇଲ୍ ଭଳି ଡ୍ରୋନ୍ ନିତିଦିନିଆ ଜୀବନର ଅଙ୍ଗ ହୋଇଯିବ । ଡ୍ରୋନର ସୀମିତ ବ୍ୟବହାର ହେବ ନାହିଁ । ଡ୍ରୋନ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ଅଲଗା ଅଫିସ୍ ତିଆରି ହେବ । ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରୁଛି । ବଜେଟ୍ ଉପସ୍ଥାପନ ବେଳେ ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ।

ଜିଲ୍ଲାରେ ଜଳଶକ୍ତି ମିଶନରେ ଘରେ ଘରେ ପାଣି ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି । ଠିକ୍ ସେହିଭଳି ଡ୍ରୋନ୍ ଶକ୍ତି ମିଶନ କରାଯିବ । ଡ୍ରୋନର ବ୍ୟବହାର ଯବାନଙ୍କ ଠାରୁ ନେଇ କୃଷକ ସମସ୍ତେ କରିବେ । ଅର୍ଥାତ୍ ସୀମାର ସୁରକ୍ଷାରୁ ନେଇ ଚାଷ କ୍ଷେତରେ ଫସଲ ପାଇଁ ଡ୍ରୋନର ବ୍ୟବହାର ହେବ । ଶିଳ୍ପ କ୍ଷେତ୍ରରୁ ନେଇ ବିପର୍ଯ୍ୟୟ ବେଳେ ଡ୍ରୋନର ବ୍ୟବହାର ହୋଇପାରିବ । ଏଥିପାଇଁ ଅନଲାଇନ୍ ପଞ୍ଜିକରଣ ବ୍ୟବସ୍ଥାକୁ ସରଳ କରାଯିବ ।

Kisan Drones to be used to technologically advance farming sector

କିଷାନ ଡ୍ରୋନ୍ ଫସଲ ରକ୍ଷାଣବେକ୍ଷଣଠୁ ନେଇ ଜମିର ଡିଜିଟାଇଜେସନ୍, କୀଟନାଶକ ସିଞ୍ଚନ ଆଦିରେ ବ୍ୟବହାର ହେବ । ଡ୍ରୋନ୍ ଶକ୍ତି ପାଇଁ ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦିଆଯିବ । ଆଇଟିଆଇ ଓ ସମସ୍ତ ରାଜ୍ୟରେ ଡ୍ରୋନ୍ ଏ ସର୍ଭିସ୍ ପାଇଁ ପାଠ୍ୟକ୍ରମ ଆରମ୍ଭ ହେବ ।

ଏଥିପାଇଁ ଅଲଗା କାର୍ଯ୍ୟାଳୟ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଓ ଡ୍ରୋନ୍ ପ୍ରକଳ୍ପର ପ୍ରମୁଖ ଅମ୍ବର ଦୁବେ ସୂଚନା ଦେଇଛନ୍ତି । ୨୦୨୨ ଡିସେମ୍ବର ସୁଦ୍ଧା କାର୍ଯ୍ୟାଳୟ କାମ ଆରମ୍ଭ ହେବା ଲକ୍ଷ୍ୟ ରଖିଛି ମନ୍ତ୍ରଣାଳୟ । ନିକଟରେ ବିଟିଂ ରିଟ୍ରିଟରେ ହଜାରରୁ ଅଧିକ ଡ୍ରୋନ୍ ସମସ୍ତଙ୍କ ମନ ମୋହିଥିଲା । ଆଗାମୀ ଦିନରେ ଡ୍ରୋନ୍ ରୋଜଗାରର ମାଧ୍ୟମ ସାଜିବାକୁ ଥିବାବେଳେ ଶିଳ୍ପ ଭାବେ ଉଭା ହେବ । ବିଗତ ଦିନରେ ଡ୍ରୋନ୍ ନିର୍ମାଣ ଲାଗି ୧୨୦ କୋଟିର ପ୍ରଡକ୍ସନ୍ ଲିଙ୍କଡ୍ ଇନସେଣ୍ଟିଭ୍ ସ୍କିମ୍ ପିଏଲ୍ଆଇ ଯୋଜନାରେ ଆରମ୍ଭ ହୋଇଥିଲା ।

Leave a Reply