କୁକୁଡ଼ା ପାଇଁ ସଜେଇ ହେଲା କୋକେଇ: ଅନ୍ତିମ ସଂସ୍କାର କଲେ ମାଲିକ

ଭଦ୍ରକ: କୁକୁଡ଼ା ପାଇଁ ସଜେଇ ହେଲା କୋକେଇ । ପ୍ରିୟ ଗଞ୍ଜା କୁକୁଡ଼ାର କୋକେଇ କାନ୍ଦରେ କାନ୍ଦରେ ନେଲା ମାଲିକ ଆଉ ଅନ୍ତିମ ସଂସ୍କାର କଲା । ନିଜ ପ୍ରିୟଜନ ଓ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ନେଇ କୋକେଇ କରିବା ଏବଂ ଶବଦାହ କରିବା ସ୍ୱଭାବିକ କଥା । ବେଳେ ବେଳେ କିଛି ପଶୁଙ୍କ ଅନ୍ତିମ ସଂସ୍କାର ମଧ୍ୟ କରିଥିବା ନଜିର ରହିଛି । କିନ୍ତୁ କୁକୁଡ଼ାର ଅନ୍ତିମ ସଂସ୍କାର ବୋଧେ ପ୍ରଥମ । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ୍ ବୋଡ଼କ ପଞ୍ଚାୟତର ଖରଦା ପଟଣା ଗାଁରେ ।

ମଣିଷ ଭଗଵାନଙ୍କ ଶ୍ରେଷ୍ଠ ସୃଷ୍ଟି ହୋଇଥିବା ବେଳେ ମାନବିକତା ଓ ପରୋପକାରୀତାର ଉଦାହରଣ ହୋଇଛି । ମଣିଷ ବେଳେ ବେଳେ ପଶୁଭଳି ବ୍ୟବହାର କରେ ତ କେତେ ବେଳେ ପଶୁପକ୍ଷୀଙ୍କ ପ୍ରତି ତାର ଭଲପାଇବା ଅନେକ ସମୟରେ ଉଦାହରଣ ସୃଷ୍ଟି କରିଥାଏ । ଏଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି ଯାହା ହୁଏ ତ କାହା ମନ ରେ ହାସ୍ୟରୋଲ ସୃଷ୍ଟି କରିପାରେ । କିନ୍ତୁ ଏହା ହେଉଛି ଘରେ ପାଳିଥିବା କୁକୁଡ଼ା (ଗଞ୍ଜା) ଓ ତାର ମାଲିକ ମଧ୍ୟରେ ଥିବା ଅନାବିଳ ପ୍ରେମର ଦୃଶ୍ୟ । ଏହି ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଡକ ପଞ୍ଚାୟତର ଖରଦା ପଟଣା ଗାଁର । ଏହି ଗାଁର ଶୁଭଙ୍କର ପଲେଇ ପ୍ରାୟ ଦୀର୍ଘ ସାଢେ଼ ତିନି ବର୍ଷ ଧରି ଗଞ୍ଜା ପାଳିଥିଲେ । ପରିବାରର ଲୋକମାନେ ତାକୁ ସ୍ନେହରେ ଆଦି ନାଁ ଦେଇଥିଲେ । ତାକୁ ନିଜର ପରିବାରର ସଦସ୍ୟ ଭଳି ପାଳିଥିଲେ । ତା’ ପାଇଁ ଘରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

 ଏଥିସହିତ ପଢ଼ନ୍ତୁ: ସବୁଠୁ କମ୍ ବୟସରେ କୋଟିପତି: ବିମାନଠୁ ନେଇ ଗାଡ଼ି, ବଙ୍ଗଳାର ମାଲିକ

କୁକୁଡ଼ାଟି କୌଣସି କାରଣ ବଶତଃ ମରିଯାଇଥିଲା । ଗଞ୍ଜାର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି । କୁକୁଡ଼ା ମଲାପରେ ମଣିଷ ପରି ତାର ଶବସତ୍କାର କରାଯାଇଛି । କୋକେଇ ବନ୍ଧା ଯିବା ସହ କୋକେଇ ଉଠାଯାଇଥିଲା । ସାଧାରଣ ମଣିଷ ପରି କୁକୁଡ଼ାକୁ ପୋତିଵା ସହ ତାର ବ୍ୟବହୃତ ବାସନ, ବିଛଣା ଓ ସମସ୍ତ ଜିନିଷକୁ ସେଇଠି ପୋତିଥିଲେ । କୁକୁଡ଼ା ପ୍ରତି ପରିବାରର ଭଲ ପାଇବା ସମସ୍ତେ ଜାଣିଥିଲେ । ତାର ମଲାପରେ ଶବସତ୍କାର ଦେଖି ସମସ୍ତେ ତାଜୁବ ହୋଇଥିଲେ । ଆଜିର ଦୁନିଆରେ କୁକୁଡ଼ା ପ୍ରତି ଭଲ ପାଇବା ସମସ୍ତଙ୍କୁ ସ୍ତବ୍ଧ କରିଛି ।

Leave a Reply