spot_img
Home Blog Page 4738

ଗାୟତ୍ରୀବାଳା ପଣ୍ଡା ପାଇବେ ‘ମହୁରି ସମ୍ମାନ-୨୦୨୧’

ଭୁବନେଶ୍ବର: ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ଚଳିତବର୍ଷର ମହୁରି ସମ୍ମାନ ଘୋଷଣା କରାଯାଇଛି । ଚଳିତବର୍ଷ ଏହି ସମ୍ମାନ ପାଇବେ କବି ଡ. ଗାୟତ୍ରୀବାଳା ପଣ୍ଡା । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥାଏ । ଚଳିତବର୍ଷ ଡ. ପଣ୍ଡାଙ୍କ ନାମ ଚୟନ କମିଟି ସୁପାରିଶ କରିଛି । ଏନେଇ ଘୋଷଣା କରିବା ସହିତ ଆସନ୍ତା ଜାନୁଆରୀ-୨୦୨୨ରେ ମହୁରି ମହୋତ୍ସବ-୨୦୨୧ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ ଘୋଷଣା କରିଛନ୍ତି ।

ଗତ ୨୦୦୮ରୁ ନିୟମିତ ପ୍ରକାଶ ପାଇଆସୁଥିବା ଷାଣ୍ମାସିକ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ବିଗତ ବର୍ଷରେ ଲେଖକ ବିଷ୍ଣୁପଦ ସେଠୀ, ଗାଳ୍ପିକ ଓ ଔପନ୍ୟାସିକ ସତ୍ୟପ୍ରିୟ ମହାଳିକ, କବି ସୁଚେତା ମିଶ୍ର, ଗଦ୍ୟ ସାହିତ୍ୟର ବିଶିଷ୍ଟ ବିନ୍ଧାଣୀ ପ୍ରଫେସର ଆଦିକନ୍ଦ ସାହୁ, ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା, କବି ଡ଼. ସୁରେଶ ନାୟକ ଓ କବି ଲକ୍ଷ୍ମୀନାରାୟଣ ହୋତା ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।

ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚଡି ହାସଲ କରିଥିବା ଡ. ପଣ୍ଡା ସାମ୍ବାଦିକତାକୁ ନିଜର ବୃତ୍ତିଭାବରେ ଗ୍ରହଣ କରିଛନ୍ତି । ଏଯାବତ୍ ତାଙ୍କର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ଖଣ୍ଡିଏ ପ୍ରବନ୍ଧ ପୁସ୍ତକ, ୨ଟି ଉପନ୍ୟାସ ପ୍ରକାଶ ପାଇଛି । ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି । 2011ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବା ସହିତ ଶ୍ରୀମତୀ ପଣ୍ଡା ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । 2015ରେ ଅତିଥି ଲେଖକ ଭାବରେ ରାଷ୍ଟ୍ରପତି ଭବନରେ ୧୭ ଦିନ ଅବସ୍ଥାନ କରିଥିଲେ । ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓ ଏକମାତ୍ର ଓଡିଆ । ତାଙ୍କ କବିତାରେ ଥିବା ପ୍ରଖର ଓ ପ୍ରାସଙ୍ଗିକ ବାମାଵାଦୀ ସ୍ବର ନିମନ୍ତେ ଚଳିତବର୍ଷ ତାଙ୍କୁ ସମ୍ମାନଜନକ ‘ମହୁରି ସମ୍ମାନ’ ପ୍ରଦାନ କରାଯାଉଛି ।

ପାନ ଦୋକାନରେ କରୋନା ଟିକା

ପୁରୀ: ପାନ ଦୋକାନରେ ମିଳୁଛି କରୋନା ଟିକା । ଫ୍ରିଜରେ ରଖାଯାଇଛି, ଲୁଚାଛପାରେ ବିକ୍ରି କରାଯାଉଛି । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସମ୍ପୂର୍ଣ୍ଣ ସତ । ପୁରୀରେ କଳାବଜାରୀ ହେଉଛି କରୋନା ଟିକା । ପାନ ଦୋକାନରେ ଫ୍ରିଜରେ ରଖି ବିକ୍ରି କରାଯାଉଛି । ତେବେ ଧରା ପଡ଼ିବା ପରେ କେହି ଜଣେ ଦୋକାନରେ ଟିକା ରଖି ଯାଇଥିବା ସଫେଇ ଦେଇଛନ୍ତି ଦୋକାନୀ ।

ସାଧାରଣଜନତା ଟିକା ନେବାରୁ ବଞ୍ଚିତ ହେଉଥିବାବେଳେ ଏକ ପାନ ଦୋକାନରୁ ଟିକା ମିଳିବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁରୀ ସହରରେ ଏବେ ଘରକୁ ଘର ବୁଲି ସ୍ବାସ୍ଥ୍ୟ କର୍ମୀ ଟିକା ଦେଉଛନ୍ତି । ହେଲେ ଖୋଲା ବଜାରକୁ ଟିକା କିଭଳି ଆସିଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

୧୦ ହଜାର ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ୧୦ ହଜାର ଟପିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୧୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୪୩ ପ୍ରତିଶତ ବଢିଛି କରୋନା ଗ୍ରାଫ । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ସେପଟେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୯୬୧ ଛୁଇଁଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ସବୁଠୁ ଅଧିକ ରହିଛି । ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫୨ରେ ପହଞ୍ଚିଛି । ଦିଲ୍ଲୀରେ ୨୬୩, ଗୁଜରାଟରେ ୯୭ , ରାଜସ୍ଥାନରେ ୬୯, କେରଳରେ ୬୫ ଓ ତେଲଙ୍ଗାନାରେ ୬୨ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ନୂଆବର୍ଷକୁ ଆଖି ଆଗରେ ରଖି ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଛି । ଏହାସହ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ କଟକଣା ଜାରି କରାଯାଇଛି । ବାର୍, ରେଷ୍ଟୁରାଣ୍ଟ, ରିସର୍ଟ ଓ ହୋଟେଲରେ ପାର୍ଟି ଉପରେ ଲାଗିଛି କଟକଣା । ମୁମ୍ବାଇରେ ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କହିଛନ୍ତି କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ । ଆଗକୁ ସଂକ୍ରମଣ ଅଧିକ ବଢିବ ବୋଲି ସେ ଚେତାବନୀ ଦେଇଛନ୍ତି । ମୁମ୍ବାଇରେ ସଂକ୍ରମଣ ୮୨ ପ୍ରତିଶତ ଓ ଦିଲ୍ଲୀରେ ପଜିଟିଭିଟି ରେଟ୍ ୧.୨୯ ପ୍ରତିଶତ ବୃଦ୍ଧି ପାଇଛି । ଟିକାକରଣକୁ ରାଜସ୍ଥାନ ସରକାର ବାଧ୍ୟତାମୂଳକ କରିଥିବାବେଳେ ମଣିପୁରରେ ରାତି ୯ଟାରୁ ଭୋର ୪ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ସମସ୍ତ ପ୍ରକାର କାର୍ଯ୍ୟକ୍ରମ, ଉତ୍ସବକୁ ନିଷିଦ୍ଧ କରାଯାଇଛି ।

ଭୁଲ ଚିକିତ୍ସା ନେଲା ଜୀବନ !

ସୋନପୁର: ଭୁଲ ଚିକିତ୍ସା ପାଇଁ ରୋଗୀର ମୃତ୍ୟୁ ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଘରୋଇ କ୍ଲିନିକରେ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ରଥପୁର ଗାଁର କାର୍ତ୍ତିକ ମେହେର । କାର୍ତ୍ତିକଙ୍କ ମୃତ୍ୟୁ ପରେ କ୍ଲିନିକରେ ଉତ୍ତେଜନା ଦେଖା ଦେଇଛି । କ୍ଲିନକ ଆଗରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି ଲୋକେ । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଥିବା ବେଳେ ଡାକ୍ତର ଫେରାର ହୋଇଯାଇଥିବା ଜଣାପଡିଛି । ଡାକ୍ତର ଜଣଙ୍କ ବେଆଇନ ଭାବେ ବୀରମହାରାଜପୁରରେ କ୍ଲିନିକ୍ ଖୋଲି ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି ।

ସଲମାନଙ୍କୁ କୋଟି କୋଟି ଟଙ୍କାର ଗିଫ୍ଟ

ମୁମ୍ବାଇ: ସରିଛି ଭାଇଜାନ ସଲମାନ ଖାଁଙ୍କ ୫୬ତମ ଜନ୍ମଦିନ ସେଲିବ୍ରେସନ । ମିଳିଛି କୋଟି କୋଟି ଟଙ୍କାର ଗିଫ୍ଟ । ବନ୍ଧୁ, ପରିଜନ, ସେଲିବ୍ରିଟି ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଗିଫ୍ଟ । ସୁନା ଚେନଠାରୁ ଆରମ୍ଭ କରି ଆପାର୍ଟମେଣ୍ଟ ମିଳିଛି ଗିଫ୍ଟରେ । ମୁମ୍ବାଇସ୍ଥିତ ପାନଭେଲ ଫାର୍ମ ହାଉସରେ ସଲମାନ ପାଳିଛନ୍ତି ତାଙ୍କ ଜନ୍ମଦିନ । କେକ୍ କଟିଂ ବେଳେ ସଲମାନଙ୍କ ଭଣଜା ଆୟତ ମଧ୍ୟ ଉପସ୍ଥିତ ଥିଲେ ।

ଗିଫ୍ଟ ତାଲିକାରେ ଅଭିନେତ୍ରୀ କାଟ୍ରିନା କୈଫଙ୍କ ନାଁକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଉଭୟଙ୍କ ସମ୍ପର୍କ ଦୀର୍ଘଦିନ ହେଲା ଭଲ ନାହିଁ । ତଥାପି ଜନ୍ମଦିନରେ ସଲମାନଙ୍କୁ ପ୍ରାୟ ୩ ଲକ୍ଷ ଟଙ୍କାର ଏକ ସୁନାର ବ୍ରେସଲେଟ ଗିଫ୍ଟ କରିଛନ୍ତି । ସେହିପରି ବିବାଦରେ ଫସିଥିବା ଅଭିନେତ୍ରୀ ଜାକ୍ୟୁଲିନ ଫର୍ଣ୍ଣାଣ୍ଡିଜ ଚୋପାର୍ଡ ବ୍ରାଣ୍ଡର ଏକ ଘଣ୍ଟା ଉପହାର ଦେଇଛନ୍ତି । ଯାହାର ଦାମ୍ ପ୍ରାୟ ୧୨ ଲକ୍ଷ ଟଙ୍କା । ଅଭିନେତା ସଞ୍ଜୟ ଦତ୍ତ ପ୍ରାୟ ୮ ଲକ୍ଷ ଟଙ୍କାର ଏକ ହୀରା ଖଚିତ ବ୍ରେସଲେଟ ଉପହାର ଦେଇଛନ୍ତି । ଅଭିନେତା ଅନିଲ କପୁର ପ୍ରାୟ ୨୯ ଲକ୍ଷ ଟଙ୍କାର ଏକ ଜ୍ୟାକେଟ ଗିଫ୍ଟ ଦେଇଥିବା ବେଳେ, ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରାୟ ୧୭ ଲକ୍ଷ ଟଙ୍କାର ସୁନା ଓ ହୀରା ଖଚିତ ବ୍ରେସଲେଟ ଉପହାର ଦେଇଛନ୍ତି ।

ଭଉଣୀ ଅର୍ପିତା ଭାଇଙ୍କୁ ୧୭ ଲକ୍ଷ ଟଙ୍କାର ଏକ ରୋଲେକ୍ସ ଘଡି ଉପହାର ଦେଇଛନ୍ତି । ଭାଇ ସୋହେଲ ୨୫ ଲକ୍ଷ ଟଙ୍କାର ଏକ ବିଏମଡବ୍ଲୁ କାର୍, ଅରବାଜ ୩ କୋଟି ଟଙ୍କାର ଏକ ଅଡି କ୍ୟୁ-8 କାର୍ ଦେଇଛନ୍ତି । ଅର୍ପିତାଙ୍କ ସ୍ବାମୀ ୭୫ ହଜାର ଟଙ୍କାର ଏକ ସୁନା ଚେନ୍ ଉପହାର ଦେଇଛନ୍ତି ।

ବଡକଥା ହେଲା ପୁଅର ଜନ୍ମ ଦିନରେ ବାପା ସଲିମ ଏପରି ଏକ ଗିଫ୍ଟ ଦେଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଷ୍ଟାର ପୁଅଙ୍କ ଲାଗି ବାପା ଗିଫ୍ଟ ଦେଇଥିଲେ ଜୁହୁସ୍ଥିତ ୧୩ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ ।

ଭାରତର ରାଫେଲକୁ ଟକ୍କର ଦେବାକୁ ପାକିସ୍ତାନକୁ ଚୀନ ଦେବ J-10C ଜେଟ୍

ଇସଲାମାବାଦ: ଭାରତକୁ ଚେକ୍ ଦେବାକୁ ଚୀନ-ପାକିସ୍ତାନର ପୁଣି ମେଣ୍ଟ । ରାଫେଲକୁ ଚେକ ଦେବାକୁ ଚୀନଠାରୁ ପାକିସ୍ତାନ କିଣିବ ୨୫ଟି ଶକ୍ତିଶାଳୀ ଲଢୁଆ ଜେଟ୍ J-10C । ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ୍ ରସିଦ । ୩ ମାସ ମଧ୍ୟରେ ଏହି ଜେଟ୍ ପାକିସ୍ତାନ ହାସଲ କରିବ ଏବଂ ମାର୍ଚ୍ଚ 23ରେ ଆୟୋଜିତ ହେବାକୁ ଥିବା ଫ୍ଲାଏ ପାଷ୍ଟ କାର୍ଯ୍ୟକ୍ରମରେ ଏହା ଅଂଶଗ୍ରହଣ କରିବ ବୋଲି ସେ କହିଛନ୍ତି ।

ଭାରତର ରାଫେଲକୁ ଏହି ଜେଟ ଟକ୍କର ଦେବା ଲାଗି ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ବର୍ତ୍ତମାନ ଚୀନ ବାୟୁ ସେନା J-7E ଲଢୁଆ ଜେଟକୁ ବ୍ୟବହାର କରିବା ବଦଳରେ J-10C ଲଢୁଆ ଜେଟ ବ୍ୟବହାର କରୁଛି । ସୀମାନ୍ତର ବିଭିନ୍ନ ସ୍ଥାନରେ ଏହାକୁ ମୁତୟନ କରିଛି ଡ୍ରାଗନ । ତାଇଓ୍ବାନ ଓ ପୂର୍ବ ଚୀନ ସାଗରରେ ଚୀନ ଏହି ଶକ୍ତିଶାଳୀ ଜେଟ ମୁତୟନ କରିଥିବାବେଳେ ପାକିସ୍ତାନକୁ ଏହାକୁ ବିକ୍ରି କରିବା ଉଠାଇଛି ପ୍ରଶ୍ନ ।

ଯଦିଓ J-10C ତୁଳନାରେ ରାଫେଲ ଅଧିକ ଆଧୁନିକ ଏବଂ ଏହାର ସୁପିରିୟର ସେନସର, ଇଲେକ୍ଟ୍ରୋନିକ ଓ୍ବାରଫେର ସିଷ୍ଟମ ଉନ୍ନତ ତଥାପି ପାକିସ୍ତାନକୁ ଚୀନର ଏହି ଜେଟ ବିକ୍ରି ଘଟଣାକୁ ନେଇ ଭାରତ ଚିନ୍ତା ବଢ଼ିଛି ।

ବରକନ୍ୟାକୁ ନେଇ ଫେରୁଥିବା ବୋଲେରୋକୁ ପିଟିଲା ଟ୍ରକ୍

କଳାହାଣ୍ଡି: ବିବାହ ସରିଲା । ହସଖୁସିରେ ଫେରୁଥିଲେ ବରକନ୍ୟା । ହେଲେ ସେମାନଙ୍କୁ ଜଣା ନଥିଲା ବାଟରେ ଟ୍ରକ ରୂପରେ ଅନାଇ ବସିଛି ମୃତ୍ୟଦୂତ । ରାସ୍ତାରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ବରକନ୍ୟା ଫେରୁଥିବା ବୋଲେରୋକୁ ଧକ୍କା ଦେଳା କାଳରୂପୀ ଟ୍ରକ୍ । ଘଟଣାସ୍ଥଳରେ ଚାଲିଗଲା ବୋଲେରୋ ଡ୍ରାଇଭରଙ୍କ ଜୀବନ । ଗୁରୁତର ଅବସ୍ଥାରେ ବରକନ୍ୟାଙ୍କ ସମେତ ୬ ଜଣ ମେଡିକାଲରେ ହୋଇଛନ୍ତି ଭର୍ତ୍ତି ।

ଏ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଆମପାଣି ଭୁର୍ଷାଗୁଡା ନିକଟରେ । ବିଳମ୍ବିତ ରାତିରେ ବାହାଘର ସାରି ଫେରୁଥିବା ବୋଲେରୋକୁ ସମ୍ମୁଖରୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋର ସମ୍ମୁଖ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେହିପରି ଧକ୍କା ଦେବା ପରେ ରାସ୍ତା ଉପରେ ଟ୍ରକଟି ଓଲଟି ପଡ଼ିଛି । ଗୁରୁତରଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଡ୍ରାଇଭର ହେଲ ଛତିଶଗଡ଼ ଉର୍ମାଲ ଗାଁର ରୁକ୍ମଣ ସାହୁ । ଆମ୍ବପାଣି ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଆତ୍ମଘୋଷିତ ବାବା କାଳୀଚରଣ ଗିରଫ

ଛତିଶଗଡ଼: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଆତ୍ମଘୋଷିତ ବାବା କାଳୀଚରଣଙ୍କୁ ବାନ୍ଧିଲା ଛତିଶଗଡ଼ ପୋଲିସ । ପୋଲିସ ତାଙ୍କୁ ଗିରଫ କରିବାରେ ବିଫଳ ହେଉଥିବା ଅଭିଯୋଗକୁ ନେଇ ସାରା ଦେଶରେ ବଢ଼ିବାରେ ଲାଗିଥିଲା ଅସନ୍ତୋଷ । ମଧ୍ୟ ପ୍ରଦେଶର ଖଜୁରାହୋରୁ ଛତିଶଗଡ ପୋଲିସ ତାଙ୍କୁ ଗିରଫ କରିଛି ।

ଛତିଶଗଡର ରାୟପୁରରେ ଆୟୋଜିତ ଧର୍ମ ସଂସଦରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ବାବା କାଳୀଚରଣ । ତାଙ୍କୁ ଚାରିଆଡୁ ସମାଲୋଚିତ ହେବାକୁ ପଡିଥିଲା । ଗତ ୧୯ ତାରିଖରେ ଛତିଶଗଡ଼ ରାୟପୁରରେ ଆୟୋଜିତ ଧର୍ମ ସଂସଦରେ କାଳୀଚରଣ ବିବାଦୀୟ ଭାଷଣ ଦେଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ କାଳୀଚରଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହାପରେ କାଳୀଚରଣ ଛତିଶଗଡ଼ରୁ ଫେରାର ହୋଇଯାଇଥିଲେ ।

ଗାନ୍ଧିଜୀଙ୍କ ପ୍ରତି ବିବାଦୀୟ ବୟାନ ଦେବା ପରେ କାଳୀଚରଣଙ୍କୁ ତୁରନ୍ତ ଗିରଫ କରିବାକୁ ପୂରା ଦେଶରୁ ଉଠିଥିଲା ସ୍ବର । ହେଲେ ତାଙ୍କୁ ଗିରଫ କରିବାରେ ବିଳମ୍ବକୁ ନେଇ ପୋଲିସକୁ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିଥିଲା । ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଉ ଉଠୁଥିଲା ଏକାଧିକ ପ୍ରଶ୍ନ ।

୪ ବର୍ଷର ଯନ୍ତ୍ରଣାରୁ ମୁକ୍ତି ଦେଲା ସ୍ମାର୍ଟ ହେଲଥ୍ କାର୍ଡ

ଯାଜପୁର: ସ୍ମାର୍ଟ କାର୍ଡରେ ସଫଳ ଅପରେସନ । ଯନ୍ତ୍ରଣାରୁ ମିଳିଲା ମୁକ୍ତି । ସାହା ହେଲା ବିଏସକେଓ୍ବାଇ କାର୍ଡ । ରୋଗ ମୁକ୍ତ ହେଲେ ହିତାଧିକାରୀ । ଗରିବଙ୍କ ଅଣ୍ଟାର ସମ୍ବଳ ସାଜିଛି ଏବେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ । ଚାରି ବର୍ଷ ହେଲା ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ହିତାଧିକାରୀ ବିଏସକେଓ୍ବାଇ କାର୍ଡ ମାଧ୍ୟମରେ ହୋଇଛନ୍ତି ଆରୋଗ୍ୟ । ସ୍ମାର୍ଟ କାର୍ଡରେ ଯାଜପୁର ପୌରାଞ୍ଚଳର ଗରିବ ସମନ୍ତ କୁମାରଙ୍କ ହୋଇଛି ସଫଳ ଅସ୍ତ୍ରୋପ୍ରଚାର ହୋଇଛି ।

୪ ବର୍ଷ ତଳେ ଦୁର୍ଘଟଣାରେ ସୁମନ୍ତଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଡାକ୍ତର ଅପରେସନ ପାଇଁ କହିଲେ, ହେଲେ ଅର୍ଥ ଅଭାବରୁ ଅଧିକ ଚିକିତ୍ସା ହେଇପାରୁନଥିଲା । BSKY କାର୍ଡ ମିଳିବା ପରେ ମାଗଣାରେ ଅପରେସନ କରାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ସୁମନ୍ତ । ଆଉ ରାଜ୍ୟ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି କୃତଜ୍ଞତା ।

ଗରିବଙ୍କୁ ସାହା ହେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ । ରାଜ୍ୟ ତଥା ରାଜ୍ୟ ବାହାରେ ୨୦୦ରୁ ଅଧିକ ହସ୍ପିଟାଲରେ ମିଳୁଛି ସୁବିଧା । ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳୁଥିବା ବେଳେ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ମିଳୁଛି ।

ରାଜଧାନୀରେ ହାତୀ ଆତଙ୍କ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହାତୀ ଆତଙ୍କ । ରାତିରେ ଆସିଲେ ଘର ଭାଙ୍ଗିଲେ । ଗତକାଲି ବିଳମ୍ବିତ ରାତିରେ ଶୈଳଶ୍ରୀ ବିହାର ସରସ୍ବତୀ ବସ୍ତିରେ ହାତୀପଲ ତାଣ୍ଡବ ରଚିଛନ୍ତି । ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବା ବେଳେ ଘର ଭାଙ୍ଗିଛି ।

ମିଳିଥିବା ସୂଚନା ଅନୁସାରେ ଚନ୍ଦାକା ଜଙ୍ଗଲରୁ ଏକ ଛୁଆ ହାତୀ ସରସ୍ବତୀ ବସ୍ତିକୁ ଚାଲି ଆସିଥିଲା । ଛୁଆକୁ ନେବାକୁ ପରେ ଦୁଇଟି ବଡ଼ ହାତୀ ଆସିଥିଲେ । ସେମାନେ ବସ୍ତିରେ ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ । ଏପରିକି ଏକ ଅଟୋକୁ ହାତୀ ଓଲଟାଇ ଦେଇଥିଲେ । ଭୟରେ ଲୋକେ ଏଣେତେଣେ ଧାଇଁବାକୁ ଲାଗିଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ବସ୍ତିରେ ପହଞ୍ଚି ଥିଲେ । ଏହାପରେ ହାତୀ ଘଉଡାଇବା ଆରମ୍ଭ ହୋଇଥିଲା । ଏଥିପାଇଁ ନବ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା । ଶେଷରେ ୩ ହାତୀଙ୍କୁ ଜଙ୍ଗଲକୁ ଘଉଡାଇବାକୁ ବନ ବିଭାଗ ସକ୍ଷମ ହୋଇଥିଲା ।